Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଆମ୍ବୁଲାନ୍ସରେ ଦେଶୀ ମଦ ଚାଲାଣ ବେଳେ ଜବତ କଲା ଖୋର୍ଦ୍ଧା ପୋଲିସ, ଡ୍ରାଇଭର ଗିରଫ

ଖୋର୍ଦ୍ଧା: କୋଭିଡ ସମୟରେ ସ୍ୱାସ୍ଥ୍ୟକର୍ମୀଙ୍କୁ ଏବେ ଭଗବାନଙ୍କ ଏକ ରୂପ ବୋଲି କୁହାଯାଉଛି। ସ୍ୱାସ୍ଥ୍ୟକର୍ମୀ ନିଜ ଜୀବନକୁ ବାଜି ଲଗାଇ ଲୋକଙ୍କ ସେବା କରି ଚାଲିଛନ୍ତି। ସେହିଭଳି ଏହି ମହାମାରୀ ସମୟରେ ସ୍ୱାସ୍ଥ୍ୟକର୍ମୀଙ୍କ ଭଳି ଆମ୍ବୁଲାନ୍ସରେ କାର୍ଯ୍ୟ କରୁଥିବା କର୍ମଚାରୀମାନଙ୍କ ଅବଦାନ ମଧ୍ୟ କୌଣସି କ୍ଷେତ୍ରରେ କମ ନୁହେଁ।

ଆମ୍ବୁଲାନ୍ସରେ କାର୍ଯ୍ୟରତ କର୍ମଚାରୀମାନେ ଦିନ ତମାମ କରୋନା ଆକ୍ରାନ୍ତଙ୍କୁ କୋଭିଡ ହସ୍ପିଟାଲରେ ପହଞ୍ଚାଇବା ଭଳି କାର୍ଯ୍ୟ କରିଆସୁଛନ୍ତି। ରାସ୍ତାରେ ଯାଉଥିବା ସମୟରେ ଆମ୍ବୁଲାନ୍ସର ଯେପରି କୌଣସି ବାଧା ନଆସିବ, ସେଥିପାଇଁ ବିଶେଷ ଧ୍ୟାନ ଦିଆଯାଉଛି। ଆମ୍ବୁଲାନ୍ସକୁ ଅଟକାଇବା କିମ୍ବା ବାଧା ଦେବା ଏକ ଅପରାଧ ବୋଲି କୁହାଯାଉଛି।

ହେଲେ କିଛି ଅସାମାଜିକ ବ୍ୟକ୍ତି ଏହାର ଦୁରୂପୋଯୋଗ କରି ଆମ୍ବୁଲାନ୍ସରେ ଦେଶୀ ମଦ ନେଉଥିବା ଦେଖିବାକୁ ମିଳିଛି। ଏହି ଘଟଣାରେ ଜଣେ ଡ୍ରାଇଭରକୁ ପୋଲିସ ଗିରଫ କରିଛି।

ସୂଚନା ଅନୁଯାୟୀ, ଖୋର୍ଦ୍ଧା ଟାଉନ ଥାନା ଅନ୍ତର୍ଗତ ହଳଦିଆ ହାଟଛକ ନିକଟରେ ଏକ ଦେଶୀ ମଦ ବୋଝେଇ ଆମ୍ବୁଲାନ୍ସ ଯାଉଥିବାର ପୋଲିସକୁ କୌଣସି ଏକ ସୂତ୍ରରୁ ଖବର ମିଲିଥିଲା। ଆଜି ସକାଳେ ଏକ ଆମ୍ବୁଲାନ୍ସରେ (ଓଡ଼ି ୦୨ ବିଡ଼ି ୨୯୧୦ ) ଦେଶୀ ମଦ ଯାଉଥିବା ଖବର ପାଇ ଖୋର୍ଦ୍ଧା ଟାଉନ ପୋଲିସ ଓ ସ୍ପେଶାଲ ସ୍କ୍ୱାର୍ଡ ସକ୍ରିୟ ହୋଇଉଠିଥିଲା। ସନ୍ଦେହ କରି ହଳଦିଆ ହାଟ ଛକ ନିକଟରେ ସେହି ଆମ୍ବୁଲାନ୍ସଟିକୁ ଅଟକାଇ ପୋଲିସ ତଦନ୍ତ କରିଥିଲା। ତଦନ୍ତ ବେଳେ ସେହି ଆମ୍ବୁଲାନ୍ସରେ ୧୫୦ ଲିଟରର ଦେଶୀ ମଦ ଥିବା ପୋଲିସ ଦେଖିବାକୁ ପାଇଥିଲା।

ତେବେ ମଦ ବୋଝେଇ ଆମ୍ବୁଲାନ୍ସକୁ ପୋଲିସ ଜବତ କରିବା ସହ ଡ୍ରାଇଭରକୁ ଗିରଫ କରିଛି। ଡ୍ରାଇଭର ଜଣଙ୍କ ହେଉଛନ୍ତି କଟକ ଜିଲ୍ଲା ଆଠଗଡ ଅଞ୍ଚଳର ସରୋଜ କୁମାର ତ୍ରିପାଠୀ। ତାଙ୍କ ବିରୁଦ୍ଧରେ ଟାଉନ ଥାନାରେ କେସ ନମ୍ବର ୨୦୯/୨୧ ରେ ମାମଲା ରୁଜୁ ହୋଇଛି ବୋଲି ଖୋର୍ଦ୍ଧା ଟାଉନ ଥାନାଧିକାରୀ ସଞ୍ଜୟ କୁମାର ପଟ୍ଟନାୟକ ସୂଚନା ଦେଇଛନ୍ତି।