Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଥାନା ପାଖରେ ଥିବା ଦୋକାନରୁ ଲୁଟ୍‌

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ୍ୟ। ଥାନାଠାରୁ ପ୍ରାୟ ୧୦୦ ମିଟର ଦୂରରେ ଥିବା ଦୋକାନକୁ ଲୁଟେରା କରିଛନ୍ତି ଟାର୍ଗେଟ୍। ରାତ୍ରି ସମୟରେ ସଟର ଭାଙ୍ଗି ଲୁଟି ନେଇଛନ୍ତି ଟଙ୍କା ଏବଂ ଅନ୍ୟାନ୍ୟ ସାମଗ୍ରୀ। କୋର୍ଟପେଟା ଛକ ରୋହିଣୀ ଡ଼ାଇଗ୍ନୋଷ୍ଟିକ୍ ଓ ଆର୍ଯ୍ୟଭଟ୍ଟ ଶିକ୍ଷାନୁଷ୍ଠାନ ପାଖରେ ଥିବା ଦୋକାନରୁ ଗତକାଲି ରାତିରେ କିଛି ଦୁବୃର୍ତ୍ତ ସଟର ତାଲା ଭାଙ୍ଗି ଟଙ୍କା ସହ ଅନ୍ୟାନ୍ୟ ସାମଗ୍ରୀ ଚୋରି କରି ନେଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି।

ଏତେ ଉଚ୍ଚ ସୁରକ୍ଷା ସଂପନ୍ନ ଅଂଚଳରେ ମଧ୍ୟ ଚୋରମାନେ ନିର୍ଭୟରେ କିଭଳି ଏହି ଦୋକାନର ସଟର ଭାଙ୍ଗି ଲୁଟ୍ କଲେ ତାହା ଆଶ୍ଚର୍ଯ୍ୟ ଲାଗୁଛି। ଯଦି ପୋଲିସର ନାକନିଶ ତଳେ ଏଭଳି ଲୁଟ୍ ହେବ ତେବେ ସାହି ସାହି ମଧ୍ୟର ଅବସ୍ଥା କ’ଣ ହେବ ଲୋକେ ଭୟଭୀତ ହେଉଛନ୍ତି।

ସୂଚନାଯୋଗ୍ୟ ଏହି ଦୋକାନକୁ ଲାଗି ରାଜାରାଣୀ କମ୍ପେ୍ଲକ୍ସ ଓ ଆଇସିଆଇସିଆଇ ବ୍ୟାଙ୍କ ରହିଛି। ଏହି ଦୁଇ ଅନୁଷ୍ଠାନରେ ରାତ୍ରୀକାଳୀନ ସିକ୍ୟୁରିଟି ଗାର୍ଡ଼ ମଧ୍ୟ ଜଗି ରହୁଛନ୍ତି। ଏସବୁ ସତ୍ତ୍ୱେ ଚୋରମାନେ ନିର୍ଭୟରେ ତାହା ସାହସିକତାର ପରିଚୟ ଦେଇଛନ୍ତି। ଏହାକୁ ଦେଖିଲେ ପୋଲିସ୍‌ର କାର୍ଯ୍ୟଦକ୍ଷତା ଏବଂ ପେଟ୍ରୋଲିଂ ବ୍ୟବସ୍ଥା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଗତକିଛି ଦିନ ହେଲା ଏହି ଥାନା ଅଂଚଳରେ ଚୋରି ସଂଖ୍ୟା ମାତ୍ରାଧିକ ବୃଦ୍ଧି ପାଇଥିବା ଯୋଗୁଁ ପୋଲିସ୍‌ର ନିଦ ହଜାଇ ଦେଇଛି। ବୈଦ୍ୟନାଥପୁର ଥାନା ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ ଆରମ୍ଭ କରିଥିବାବେଳେ ଦୋକାନ ମଧ୍ୟରୁ ୫ ହଜାର ଟଙ୍କା ଏବଂ ଅନ୍ୟାନ୍ୟ ସାମଗ୍ରୀ ଚୋରି ହୋଇଥିବା ନେଇ ଥାନାରେ ମାମଲା ରୁଜୁ ହୋଇଛି।