Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ଦୋଳବେଦୀରେ ଶ୍ରୀଗୋପୀନାଥ ଚନ୍ଦ୍ରଶେଖରଙ୍କୁ ସାଥିରେ ନେଇ ଦୋଳି ଖେଳିଲେ ମା’ ଭାଗବତୀ

ବାଣପୁର: ଦୋଳପୂର୍ଣ୍ଣମୀରେ ଉତ୍କଳର ପୁରପଲ୍ଲୀରେ କେଉଁଠି ଶ୍ରୀ ଦୋଳଗୋବିନ୍ଦ ଦୋଳିଖେଳନ୍ତି ତ କେଉଁଠି ଶ୍ରୀଗୋପୀନାଥ, କେଉଁଠି ଶ୍ରୀଚନ୍ଦ୍ରଶେଖର ତକେଉଁଠି ଶ୍ରୀରଘୁନାଥ। ଏମିତି ବିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ନାମରେ ଠାକୁରମାନେ ଦୋଳି ଖେଳିବା ସହିତ ଦୋଳବେଦୀରେ ନୂତନ ପଞ୍ଜିକା ପଢ଼ି ଶୁଣାଇବା ଉତ୍କଳୀୟ ଆଧ୍ୟାତ୍ମିକ ଚିନ୍ତାଧାରାର ପରମ୍ପରା କାହିଁ କେଉଁ କାଳରୁ ଚଳିଆସିଥିବାବେଳେ ଓଡ଼ିଶାର ଅନ୍ୟତମ ପ୍ରଖ୍ୟାତ ଶକ୍ତିକ୍ଷେତ୍ର ଖୋର୍ଦ୍ଧା ଜିଲ୍ଲା ବାଣପୁରର ଆରାଧ୍ୟାଦେବୀ ମା’ଭଗବତୀଙ୍କ ପୀଠରେ ନିଆରା ଢ଼ଙ୍ଗରେ ଏହି ଉତ୍ସବ ପାଳନ କରାଯାଉଥିବାର ଦୃଷ୍ଟାନ୍ତ ଦେଖିବାକୁ ମିଳେ। ଏଠାରେ ସକଳ ଶକ୍ତିର ଆଧାର ମାତୃଶକ୍ତିର ପ୍ରତୀକ ମା’ ଭାଗବତୀଙ୍କୁ ପ୍ରତ୍ୟେକ ଜାନିଯାତ୍ରା, ପର୍ବପର୍ବାଣୀରେ ପ୍ରାଧାନ୍ୟ ଦିଆଯାଇ ପାଳନ କରାଯାଉଥିବାର ବିଧି କାହିଁ: କେଉଁକାଳରୁ ଚଳି ଆସିଛି।

ପ୍ରତ୍ୟେକ ଶୁଭକାର୍ଯ୍ୟରେ ମେଳା ମହୋତ୍ସବରେ ପ୍ରଥମେ ମା’ଙ୍କୁ ତାପରେ ଅନ୍ୟାନ୍ୟ ଦେବା ଦେବୀଙ୍କୁପୂଜାକରାଯାଏ । ବର୍ତ୍ତମାନ ସଂସାରରେ ପ୍ରତ୍ୟେକ କ୍ଷେତ୍ରରେ ମାତୃଶକ୍ତି ( ମହିଳା ) ମାନଙ୍କୁ ପ୍ରାଧାନ୍ୟ ଦିଆଯାଉଛି ଏହା ବାଣପୁର ଅଞ୍ଚଳର ପ୍ରାଚୀନ ସଂସ୍କୃତି ପରମ୍ପରା ର ପ୍ରତୀକ। ଦୋଳ ପୂର୍ଣ୍ଣିମାରେ ମା ଭଗବତୀଙ୍କ ଚଳନ୍ତି ପ୍ରତୀମା କାଠି ଠାକୁରାଣିଙ୍କୁ ବାଜା, ବାଣରୋଷଣୀରେ ଦୋଳବେଦୀରେ ପ୍ରଥମେ ବିଜେ କରାଯାଇ ପରେ ଚନ୍ଦ୍ରଶେଖର ଗୋପୀନାଥଙ୍କୁ ଦୋଳିରେ ବିଜେ କରାଯାଇଥିଲା। ଶ୍ରୀକ୍ଷେତ୍ରରେ ଦୋଳଗୋବିନ୍ଦଙ୍କ ସହିତ ଶ୍ରୀଦେବୀ ଭୁଦେବୀ ଦୋଳି ଖେଳୁଥିବାବେଳେ ଏଠାରେ ଭଗବତୀଙ୍କ ସହିତ ଗୋପୀନାଥ ଓ ଚନ୍ଦ୍ରଶେଖର ହରି ହର ଦୁର୍ଗା ଏକତ୍ର ଗୋଟିଏ ଦୋଳି ରେ ବସି ଦୋଳି ଖେଳବାର ଅନନ୍ୟ ପରମ୍ପରା ଦେଖିବାକୁ ମିଳିଥିଲା।

ପରିଚ୍ଛା ପ୍ରକାଶ ମହାପାତ୍ର ମା’ଙ୍କୁ ନିଶଙ୍କୁଡ଼ି ଧୂପରେ କାକରା, ସରପୁଳି,ମାଠପୁଳି,ଖେଇ, ଖଜା ଇତ୍ୟାଦିଧୂପ କରି ସନ୍ଧ୍ୟା ଆଳତି ବଢାଇଥିଲେ। ପରେ ମନ୍ଦିର ପାଞ୍ଜିକାର ଗଣକ ଅରୁଣ କୁମାର ପଣ୍ଡିତରାୟ ନିଜେ ତାଳପତ୍ର ଲେଖନୀରେ ପ୍ରସ୍ତୁତ କରିଥିବା ଆଗମୀନୂତନ ବର୍ଷର ନୂତନ ପାଞ୍ଜି ପାଠ କରି ଶୁଣେଇଲା ପରେ ଦୋଳବେଦୀରେ ଦେବା ଦେବୀମାନଙ୍କୁ ମନ୍ଦିର କାର୍ଯ୍ୟାଳୟ ତରଫରୁ ଯୋଗେଇଦିଆଯାଇଥିବା ଖଇ, ଫେଣୀ, ସାକର, ନଡ଼ିଆ ପାତି, ପୂଜା କରାଇ ଅବିର ଲାଗି କରାଯାଇଥିଲା।

ଦୋଳବେଦୀରେ ଅବିର ଲାଗି ସହିତ ସୁଗନ୍ଧିତ ରଙ୍ଗ ବେରଙ୍ଗର ପୁଷ୍ପରେ ମଣ୍ଡିତ ହୋଇ ଦୋଳି ଖେଳୁଥିବା ହରିହର ଭଗବତୀଙ୍କୁ ଦର୍ଶନ କରିବା ସହିତ ନୂତନ ପାଞ୍ଜିରେ ଆଗାମୀ ବର୍ଷର ଗ୍ରହ ରାଶି ନକ୍ଷତ୍ରଙ୍କ ଚ଼ଳନ, ଜାନିଯାତ୍ରା ପର୍ବପର୍ବାଣୀ, ଓଷାବ୍ରତ, ଦୈବିଦୁର୍ବିପାକ, ବର୍ଷା ରପରିମାଣ, ଶସ୍ୟ ଉତ୍ପାଦନ, ରୋଗ ବୈରାଗ୍ୟ, ଶୁଭାଶୁଭଫଳାଫଳ ଇତ୍ୟାଦି ଶ୍ରବଣ କରିବାପାଇଁ ଅଗଣିତ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା।

Categories
ଆଜିର ଖବର ଧର୍ମ ରାଜ୍ୟ ଖବର ସଂସ୍କୃତି

ଦୋଳ ପୁନେଇରେ ବାପଘର ଦୁଆରେ ତୋରାଣୀ ପିଇଲେ ମା’ ଭଗବତୀ

ସୀତାରାମ ଅଗ୍ରୱାଲ

ବାଣପୁର: ସମଗ୍ର ଓଡ଼ିଶାର ପୁରପଲ୍ଲୀରେ ଦୋଳପୂର୍ଣ୍ଣମୀ, ହୋଲି ମହା ଆଡ଼ମ୍ବରରେ ପାଳିତ ହେଉଥିବାବେଳେ ଭଗବତୀ ପୀଠ ବାଣପୁରରେ ନିଆରା ଢଙ୍ଗରେ ପାଳିତ ହୁଏ ଦୋଳପର୍ବ।ଶ୍ରୀକ୍ଷେତ୍ର ଓ ଗଡ଼ଜାତ ମାନଙ୍କରେ ଶ୍ରୀ ଜଗନ୍ନାଥଙ୍କ ପ୍ରତୀକ ଦୋଳଗୋବିନ୍ଦ ଏହି ଯାତ୍ରାର ପୁରଧା ଭାବରେ ଚାଚେରୀ ଖିଆ ଓ ଅବିର ସହିତ ଦୋଳି ଖେଳରେ ଅଂଶଗ୍ରହଣ କରୁଥିବାବେଳେ ଏଠାରେ ମା’ ଭଗବତୀଙ୍କ ଚଳନ୍ତି ପ୍ରତିମା କାଠି ଠାକୁରାଣୀ ଫାଲଗୁନ ଶୁକ୍ଳ ଏକାଦଶୀଠାରୁ ଚୈତ୍ର କୃଷ୍ଣ ପ୍ରତିପଦା ପର୍ଯ୍ୟନ୍ତ ୬ ଦିନ ଧରି ବାଣପୁରର ଅଚ୍ୟୁତରାଜପୁର, ଶ୍ରୀନିବାସପୁର, ତୁଳସୀ ଦେଇପୁର ପରି ବ୍ରାହ୍ମଣ ଶାସନ, କଠିନାହାକ ସେବାୟତ ଓ ଶେଷରେ ବାପଘର ଭାବେ ପରିଚିତ ପରିଛା ସାଆନ୍ତଙ୍କ ଦୁଆରେ ଉଭାହୋଇ ଶୁଧପୁତ ଭାବରେ ପ୍ରସ୍ତୁତ ଶଙ୍କୁଡ଼ି, ନିଶଙ୍କୁଡି ନୈବେଦ୍ୟ ଲାଗି ହୋଇ ପ୍ରାଚୀନ କାଳରୁ ପ୍ରଚଳିତ ବାପ ଘର ସ୍ନେହସୋହାଗର ପୁନେଇ ଖିଆ ପରମ୍ପରାର ପ୍ରତୀକ ତୋରାଣି ପିଇ ଭାରଥୁର ଧରି ମନ୍ଦିର ପ୍ରତ୍ୟାଗମନ କରିବାର ଏହି ଅନନ୍ୟ ପରମ୍ପରା ଅନ୍ୟତ୍ର ଦେଖିବାକୁ ମିଳେନାହିଁ।

ଏଥିପାଇଁ ଦୋଳପୂର୍ଣ୍ଣମୀରେ ବାପ ଘରୁ ଝିଅ ଘରକୁ ଶାଢୀ, ଚୁଡ଼ି, ଅଳତା, ସିନ୍ଦୁର, ଡାଲା ବାଉଁଶିଆ, ମୁଆଁ ଉଖୁଡ଼ା, ଚଣାଖଜା ପିଠା, ଭାର ଯିବାର ପରମ୍ପରା ଅନୁସାରେ ପ୍ରଚଳିତ କିମ୍ବଦନ୍ତୀକୁ ବିଶ୍ୱାସ କରି ମା’ ଭଗବତୀଙ୍କୁ ମଧ୍ୟ ନିଜର କନ୍ୟା ଭାବରେ ଗ୍ରହଣ କରି ପରିଛା ସାଆନ୍ତ ମା’ଙ୍କୁ ସବୁ ପ୍ରଦାନ କରିଥାନ୍ତି। ବରଷକୁ ଥରେ ଥାଟ ପଟୁଆର ବାଜାରୋଷଣୀରେ ନିଜ ଦୁଆରେ ମା’ଙ୍କ ଉପସ୍ଥିତିକୁ ନିଜର କନ୍ୟା ଭାବରେ ଭାବବିହ୍ୱଳର ସହିତ ସାଦରେ ଗ୍ରହଣ କରି ଶଙ୍କୁଡିରେ ମା’ଙ୍କ ପାଇଁ ପ୍ରିୟ ଖେଚଡ଼ି, ମାଛମହୁର, ମାଛ ଭଜା, ବଳି ପୋଡା, ଖିରି କାକରା, ମଣ୍ଡା, ଏଣ୍ଡୁରି ପ୍ରସ୍ତୁତ କରିବା ସହିତ ନିଶଙ୍କୁଡିରେ ଖଇ ମୁଆଁ, ଚଣା, ଫେଣିଶାକର, ଫଳ ମୂଳ ଇତ୍ୟାଦି ବଢାଯାଇ ଭୋଗ ଲାଗି ହୁଏ।

ମା’ଙ୍କ ସହିତ ଚନ୍ଦ୍ରଶେଖରଦେବ, ଗୋପୀନାଥଦେବ, ରଙ୍କ ନାଥ ଦେବ, ରଘୁନାଥ ଦେବ, ଏବଂ ବାଲୁଗାଁର ଆରାଧ୍ୟ ଠାକୁର ଉମାମହେଶ୍ଵର ଦେବ ମିଳିତ ଭାବରେ ଦୋଳପର୍ବରେ ସାମିଲ ହୋଇ ପରିଛାଙ୍କ ଦୁଆରେ ଭୋଗ ଲାଗି ପରେ ବିଷର ପାଟଣାଠାରେ ଅଗିରା ପୋଡ଼ିରେ ଅଂଶଗ୍ରହଣ କରି ମନ୍ଦିରକୁ ଫେରିବା ପରେ ଦୋଳିରେ ବିଜେ କରି ଦୋଳି ଖେଳନ୍ତି।

ପରମ୍ପରା ଅନୁସାରେ ମନ୍ଦିରଖଡ଼ି ରତ୍ନ ପାଞ୍ଜିଆ ମା’ଙ୍କ ଦୋଳମଣ୍ଡପରେ ନୂତନ ବର୍ଷର ପାଞ୍ଜି ପଠନ କରିବା ପରେ ଦୋଳପର୍ବ ସମାପନ ହୁଏ। ଚଳିତ ବର୍ଷମା’ଙ୍କ ଏହି ଯାତ୍ରାରେ ଅବିର ଖେଳ ସହିତ ମା’ଙ୍କ ପ୍ରସାଦ ପାଇବା ପାଇଁ ପରିଛାଙ୍କ ଦୁଆରେ ଅଗଣିତ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ମନ୍ଦିର ପ୍ରଶାସନ ତରଫରୁ ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।