Categories
ଆଜିର ଖବର ରାଜ୍ୟ ଖବର

ଯାତ୍ରା ବାଣ ଆଘାତରେ ଯୁବକଙ୍କ ମୃତ୍ୟୁ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗଞ୍ଜାମ ଜିଲ୍ଲା କୋଦଳା ସହରରେ ଦୋଳପୂର୍ଣ୍ଣିମା ଉପଲକ୍ଷେ ଗ୍ରାମର ଠାକୁରଙ୍କ ନଗର ପରିକ୍ରମା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଇତ୍ୟବସରରେ ଘଣ୍ଟ ଘଣ୍ଟା ଓ କୀର୍ତ୍ତନ କାର୍ଯ୍ୟକ୍ରମ ସହ ଆତସବାଜି ଫୁଟାଇ ଠାକୁରଙ୍କୁ ନଗର ପରିକ୍ରମା ସମୟରେ ବାଣ ବିସ୍ଫୋରଣରେ ୫ ଜଣ ଯୁବକ ଆହତ ହୋଇଥିଲେ। ଏହା ମଧ୍ୟରେ ଜୀତେନ୍ଦ୍ର ପରିଡ଼ା ନାମକ ଜଣେ ଯୁବକଙ୍କୁ ଗୁରୁତର ଆହତ ଅବସ୍ଥାରେ କୋଦଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। କିନ୍ତୁ ଡ଼ାକ୍ତର ତାଙ୍କୁ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରିଥିଲେ।

ସେଠାରେ ମଧ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱର ଏମ୍ସ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା। କିନ୍ତୁ ଗତ ମଙ୍ଗଳବାର ରାତିରେ ଜୀତେନ୍ଦ୍ର ଜୀବନ ଯୁଦ୍ଧରେ ହାରିଯାଇଛନ୍ତି। ଜୀତେନ୍ଦ୍ରଙ୍କ ଶବକୁ ଗାଁ କୁ ଆଣି ପରିକ୍ରମା କରିବା ସହିତ ଶୋକାକୁଳ ପରିବେଶ ମଧ୍ୟରେ ପୁରୀ ସ୍ୱର୍ଗଦ୍ୱାରରେ ଗ୍ରାମବାସି ଅନ୍ତିମ ବିଦାୟ ଦେଇଛନ୍ତି।

ସୁଚନା ଥାଉକି ଗ୍ରାମର କୌଣସି କାର୍ଯ୍ୟକ୍ରମରେ ବାଣ ଫୁଟାଇବା ପାଇଁ ପୁରୁଷୋତ୍ତମ ପୁର ଏସ୍ ଡି ପି ଓ ଓ କୋଦଳା ତହସିଲଦାରଙ୍କ ଉପସ୍ଥିତରେ ନିଷ୍ପତ୍ତି ନିଆଯାଇଥିଲା। ଏଥିପାଇଁ ଦୁଇ ଜଣ ଗିରଫ ମଧ୍ୟ ହୋଇଥିଲେ। କିନ୍ତୁ ନିଷ୍ପତ୍ତି ଅବମାନନା କରି ବର୍ତ୍ତମାନ ଏହି ଭଳି ଅଘଟଣ ଯୋଗୁଁ ସୋନୁ ଆଚାରୀ ଓ କାଳିଆ ମହାନ୍ତି ନାମକ ଦୁଇ ଜଣ ଗିରଫ ହୋଇଛନ୍ତି।

Categories
ଧର୍ମ ବିଶେଷ ଖବର

ପ୍ରିୟାର ପ୍ରୀତି ପୀୟୂଷ ପାଇଁ ପୁଲକିତ ପ୍ରାଣ

    

ଡକ୍ଟର ଫକୀର ମୋହନ ନାହାକ

 

ପ୍ରିୟାର ପ୍ରୀତି ପୀୟୂଷ ପାଇଁ ପୁଲକିତ ପ୍ରାଣକୁ, ପ୍ରେମର ପରଶରେ, ପ୍ରଣୟର ପୂଜାରେ ପ୍ରଫୁଲ୍ଲିତ କରିବା ପାଇଁ ପ୍ରକୃତି ପରଷି ଦେଇଛି ଏକ ପ୍ରୀତିମୟ ଉପହାର, ଯାହାର ନାଁ ବସନ୍ତ। ବସନ୍ତ କେବଳ ଏକ ଋତୁ ନୁହେଁ, କି ନୁହେଁ କୌଣସି କାଳଖଣ୍ଡର ଖତିୟାନ । ବସନ୍ତ ଏକ ମଧୁବୋଳା ଅନୁଭବ, ଯେଉଁଠିମିଠା ମିଠା ମଳୟର ମାଦକତାରେ ମାତିଯାଆନ୍ତି ମନ, ମଣିଷ ଆଉ ମାଧବ ।ମଣିଷରୁ ଦେବତା ଯାଏଁ ସମସ୍ତଙ୍କ ପାଇଁ ବସନ୍ତ ଆଣେ ଏକ ଅଭୂତ ଶିହରଣ। କବି ଅନ୍ୟମନସ୍କ ହୁଏ, ସୃଜନର ଅମୃତଧାରା ବହିଯାଏ ଶିଳ୍ପୀ, କଳାକାର, ଚିତ୍ରକରର ସୃଜନୀରେ । ନିଜେ ସମଗ୍ର ସୃଷ୍ଟିର ସ୍ରଷ୍ଟା ସଜେଇ ଦିଅନ୍ତି ନିଜ ସୃଷ୍ଟିକୁ ସଜଫୁଟା ଫୁଲର ତୋରଣରେ, ଆଉ ସମସ୍ତଙ୍କୁ ସମ୍ମୋହିତ କରନ୍ତି ସୁମଧୁର ମଧୁଗନ୍ଧରେ ।

ଶୈଶବର ଶିଶୁଶ୍ରେଣୀରେ ପଢ଼ିଥିବା ମଧୁସୂଦନ ରାଓଙ୍କ ଶିଶୁକବିତାର ଦୁଇ ଧାଡ଼ି – ଫାଲଗୁନ ଚୈତ୍ର ବସନ୍ତରେ .. ମୃଦୁମଳୟ ମନୋହରେ .. .. ଆମ ମନରେ ଆଙ୍କି ଦେଇପାରିଥିଲା ବସନ୍ତର ବିମୋହକ ଚିତ୍ରକୁ । ଠିକ୍ ସେମିତି ଆଦ୍ୟ ଯୌବନରେ ପାଦଥାପିଲା ବେଳକୁ ମହାକବି କାଳିଦାସଙ୍କ ଋତୁସଂହାରରେ ବର୍ଣ୍ଣିତ ବସନ୍ତ ଋତୁର ଚିତ୍ର ସୃଷ୍ଟି କରିଥିଲା ଭିନ୍ନ ଏକ ଛବି ।

ଦ୍ରୁମା ସପୁଷ୍ପାଃ ସଲିଳଂ ସପଦମ୍ , ସ୍ତ୍ରୀୟ ସକାମାଃ ପବନଃ ସୁଗନ୍ଧିଃ

ସୁଖାଃ ପ୍ରଦୋଷାଃ ଦିବସାଶ୍ଚ ରମ୍ୟାଃ, ସର୍ବ ପ୍ରିୟେ ଚାରୁତରଂ ବସନ୍ତେ ।। 

ପୁଷ୍ପମୟ ବୃକ୍ଷରାଜି, ପ୍ରେମମଗ୍ନା ପ୍ରିୟା, ସୁଗନ୍ଧିତ ପବନ, ସୁଖପ୍ରଦ ସନ୍ଧ୍ୟା, ରମଣୀୟ ଦିବସ ଏବଂ ସର୍ବପ୍ରିୟ ପ୍ରକୃତି କେବଳ ବସନ୍ତ ହିଁ ଦେଇପାରେ। ଶସ୍ୟ ଶ୍ୟାମଳା ଧରିତ୍ରୀ ଦେହରେ ସୁନାର ସୋରିଷ, ଅଳସୀର କ୍ଷେତ, ଆମ୍ରବନରେ କୋକିଳର କୂଜନ, ଫୁଲଙ୍କ ପସରାରେ ଭ୍ରମରଙ୍କ ଗୁଞ୍ଜରଣ ଏବଂ ତାହାରି ଉପରେ ସୂର୍ଯ୍ୟଙ୍କ ସୁନେଲି କିରଣ, କାମଦେବଙ୍କଠୁ ବାମଦେବଙ୍କ ଯାଏଁ ସମସ୍ତଙ୍କ ମନରେ ସୃଷ୍ଟିକରେ ଏକ ପ୍ରଲୁବ୍ଧ ଶିହରଣ।  କେବଳ ସେଥିପାଇଁ ତ ବସନ୍ତଙ୍କୁ ମନଭରି ଉପଭୋଗ କରେ ଆକୁମାରୀହିମାଚଳ ଅଖଣ୍ଡ ଭାରତ।  କେଉଁଠି ରଙ୍ଗ ଅବିରର ପର୍ବ ହୋଲି ରୂପରେ ତ ଆଉ କେଉଁଠି ବସନ୍ତରାସ ଭାବେ ଦୋଳଉତ୍ସବ ରୂପରେ। ବସନ୍ତରେ ବିରହ, ବିରହୀ-ବିରହିଣୀଙ୍କୁ ବ୍ୟଥିତ କରେ। ଯେଉଁଥି ପାଇଁ ବସନ୍ତକୁ ବିରହ ନୁହେଁ ବରଂ ମିଳନ ଓ ମେଳଣର ପର୍ବ ଭାବେ ପାଳନ କରାଯାଏ।

ମାଘ ପୂର୍ଣ୍ଣିମା ବା ଅଗ୍ନ୍ୟୁତ୍ସବ ପୂର୍ଣ୍ଣିମାରେ ଧରାପୃଷ୍ଠରୁ ଶୀତ ଅପସରି ଯାଇଥାଏ ଏବଂ ଗ୍ରୀଷ୍ମଋତୁର ପ୍ରଚଣ୍ଡ ରୌଦ୍ରର ପ୍ରକାଶ ଘଟିନଥାଏ, ଏମିତି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ଏକ ନାତିଶୀତୋଷ୍ଣ ଅନୁଭବ ଦେଇ ଆତ୍ମପ୍ରକାଶ କରେ ବସନ୍ତ। ବାତାବରଣ ବିଭୋର କରିଦିଏ ସମସ୍ତଙ୍କୁ। ବସନ୍ତ ପ୍ରଭାବିତ କରେ ଜନଜୀବନକୁ, ସୃଜନଶୀଳତାକୁ ଏବଂ ସର୍ବୋପରି ସାମାଜିକ ସଂସ୍କାର ଓ ସଂସ୍କୃତିକୁ।

( ବିଭାଗୀୟ ମୁଖ୍ୟ, ୟୁନିଭରସିଟି ଇନଷ୍ଟିଚ୍ୟୁଟ୍ ଅଫ୍ ମିଡିଆ ଷ୍ଟଡିଜ୍, ଚଣ୍ଡୀଗଡ଼ ୟୁନିଭରସିଟି, ମୋହାଲି, ପଞ୍ଜାବ, ଫୋନ୍- 9937252464 )