Categories
ଆଜିର ଖବର ଖେଳ ଜାତୀୟ ଖବର

ଟି-୨୦ ବିଶ୍ୱକପ ପାଇଁ ୪ ଭାରତୀୟ ବୋଲରଙ୍କୁ ମନୋନୀତ କଲେ ଜାହିର ଖାନ

ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ ଦ୍ରୁତ ବୋଲର ଜାହିର ଖାନ ଆଗାମୀ ଟି -୨୦ ବିଶ୍ୱକପ ପାଇଁ ଚାରିଜଣ ଶ୍ରେଷ୍ଠ ଦ୍ରୁତ ବୋଲର ଚୟନ କରିଛନ୍ତି। ତେବେ ସେ ଯୁବ ଆବେଶ ଖାନ ଏବଂ ମୁକେଶ କୁମାରଙ୍କ ନାମ ନେଇ ନାହାଁନ୍ତି।

୨୦୨୪ ଟି -୨୦ ବିଶ୍ୱକପ ଜୁନ୍ ୧ ତାରିଖରୁ ୱେଷ୍ଟଇଣ୍ଡିଜ୍ ଏବଂ ଆମେରିକା (ଯୁକ୍ତରାଷ୍ଟ୍ର) ରେ ଖେଳାଯିବ। ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଟିମ୍ ଇଣ୍ଡିଆ ଏପର୍ଯ୍ୟନ୍ତ ମନୋନୀତ ହୋଇନାହିଁ। ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୨୦ ଟି ଦଳ ଅଂଶଗ୍ରହଣ କରିବେ। ଏହି ଟୁର୍ଣ୍ଣାମେଣ୍ଟରେ ରୋହିତ ଶର୍ମା ଟିମ୍ ଇଣ୍ଡିଆର ନେତୃତ୍ଵ ନେଇପାରନ୍ତି।

ଏହି ସମୟରେ, ପୂର୍ବତନ ଭାରତୀୟ ଭେଟେରାନ ଫାଷ୍ଟ ବୋଲର ଜାହିର ଖାନ ଆସନ୍ତା ଟି -୨୦ ବିଶ୍ୱକପ ପାଇଁ ଚାରିଜଣ ଶ୍ରେଷ୍ଠ ଦ୍ରୁତ ବୋଲରଙ୍କୁ ଚୟନ କରିଛନ୍ତି। ତେବେ ଗତ ସିରିଜରେ ଭାରତ ପାଇଁ ଖେଳିଥିବା ଦୁଇଜଣ ଯୁବ ବୋଲରଙ୍କ ନାମ ଜାହିର ରଖି ନାହାଁନ୍ତି।

ଜାହିର ବିଶ୍ୱାସ କରନ୍ତି ଯେ, ଟି -୨୦ ବିଶ୍ୱକପ ଦଳରେ ଜସପ୍ରୀତ ବୁମରା ଏବଂ ମହମ୍ମଦ ସିରାଜଙ୍କ ସ୍ଥାନ ନିଶ୍ଚିତ ହୋଇଛି। ଏଥିସହିତ ସେ ତାଙ୍କର ଚାରି ଦ୍ରୁତ ବୋଲରଙ୍କ ମଧ୍ୟରେ ଆବେଶ ଖାନ ଏବଂ ମୁକେଶ କୁମାରଙ୍କୁ ଅନ୍ତର୍ଭୁକ୍ତ କରିନାହାନ୍ତି।

ଏହା ବ୍ୟତୀତ ଜହିର ଖାନ ୨୦୨୩ ଦିନିକିଆ ବିଶ୍ୱକପରେ ଚମତ୍କାର ପ୍ରଦର୍ଶନ କରିଥିବା ମହମ୍ମଦ ଶାମିଙ୍କୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ, ମୋର ବିଶ୍ୱାସ ଅଛି ଯେ ଶାମି ବିଶ୍ୱକପ ଦଳର ଏକ ଅଂଶ ହେବେ ଏବଂ ସେ ଭାରତ ପାଇଁ ଏକ୍ସ ଫ୍ୟାକ୍ଟର ବୋଲି ମଧ୍ୟ ପ୍ରମାଣ କରିପାରନ୍ତି।

ବୁମରା, ସିରାଜ ଏବଂ ଶାମିଙ୍କ ବ୍ୟତୀତ ଜହିର ଖାନ ମଧ୍ୟ ୨୦୨୪ ଟି -୨୦ ବିଶ୍ୱକପ ପାଇଁ ଅର୍ଶଦୀପ ସିଂଙ୍କୁ ଚୟନ କରିଛନ୍ତି। ସେ ବିଶ୍ୱାସ କରନ୍ତି ଯେ, ଏହି ଚାରି ଜଣ ଦ୍ରୁତ ବୋଲର ଆଗାମୀ ବିଶ୍ୱକପ୍‌ରେ ସ୍ଥାନ ପାଇବାକୁ ଯୋଗ୍ୟ।

ପ୍ରକାଶ ଯୋଗୟେ ଯେ, ବିସିସିଆଇ ୨୦୨୪ ଟି -୨୦ ବିଶ୍ୱକପ ପାଇଁ ଭାରତର ୧୫ ସଦସ୍ୟ ବିଶିଷ୍ଟ ଦଳ ଚୟନ କରିନାହିଁ। ତେବେ ଏହା ନିଶ୍ଚିତ ଯେ, ବିଶ୍ୱକପ ପାଇଁ ଭାରତୀୟ ଦଳରେ କେବଳ ତିନି ଜଣ ସ୍ପିନର ଏବଂ ତିନି ଜଣ ଦ୍ରୁତ ବୋଲରଙ୍କୁ ଚୟନ କରାଯିବ, କାରଣ ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ଜଣେ ଦ୍ରୁତ ବୋଲର ଭାବେ ଭୂମିକା ନିଭାଇପାରନ୍ତି।

Categories
ଆଜିର ଖବର ଖେଳ ଜାତୀୟ ଖବର

ମୁମ୍ବାଇ ଇଣ୍ଡିଆନ୍ସକୁ ବଡ ଝଟକା: ଆଇପିଏଲ୍ ୨୦୨୩ ରେ ଖେଳିପାରିବେନି ଜସପ୍ରୀତ ବୁମ୍ରା

ନୂଆଦିଲ୍ଲୀ: ଭାରତର ତାରକା ଦ୍ରୁତ ବୋଲର ଜସପ୍ରୀତ ବୁମ୍ରାଙ୍କ ବିଷୟରେ ବଡ ଖବର ଆସୁଛି। ସୂଚନା ଅନୁଯାୟୀ, ଜସପ୍ରୀତ ବୁମ୍ରା ଆଇପିଏଲ୍ ୨୦୨୩ ରୁ ବାଦ ପଡିଛନ୍ତି। ଏହା ପୂର୍ବରୁ ଅନୁମାନ କରାଯାଉଥିଲା ଯେ, ଆଇପିଏଲ୍ ୨୦୨୩ ସହିତ ବୁମ୍ରା WTC ଫାଇନାଲ୍ ଏବଂ ଏସିଆ କପ୍-୨୦୨୩ କୁ ହରାଇ ପାରନ୍ତି। କାରଣ ତାଙ୍କ ଆଘାତ ଅଧିକ ଗୁରୁତର ହୋଇଛି, ଯେଉଁଥିପାଇଁ ସେ ସୁସ୍ଥ ହେବାକୁ ପ୍ରାୟ ୫ ରୁ ୬ ମାସ ସମୟ ନେଇପାରନ୍ତି। ଏଭଳି ପରିସ୍ଥିତିରେ ଆଇପିଏଲ ବ୍ୟତୀତ ଯଦି ଭାରତ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ (ଡବ୍ଲୁଟିଏସି ଫାଇନାଲ) ର ଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରେ, ତେବେ ବୁମରା ଦଳର ଅଂଶ ହୋଇପାରିବେ ନାହିଁ। ଏହା ସହିତ ଏସିଆ କପ୍-୨୦୨୩ ରେ ମଧ୍ୟ ସେ ବାଦ ପଡ଼ିପାରନ୍ତି।

ଉଲ୍ଲେଖଥାଉ କି, ଦଳର ଅଧିନାୟକ ରୋହିତ ଶର୍ମା ଏହା ସ୍ପଷ୍ଟ କରିସାରିଛନ୍ତି ଯେ, ତାଙ୍କ ଲକ୍ଷ୍ୟ ହେଉଛି ଦିନିକିଆ ବିଶ୍ୱକପ ୨୦୨୩। ତେଣୁ ବୁମ୍ରାଙ୍କ ବିଷୟରେ କୌଣସି ବିପଦ ନେବାକୁ ଭାରତୀୟ ପରିଚାଳନା ଦଳ ଚାହୁଁନାହିଁ। ହେଲେ ବୁମରା ଖେଳ ଦେଖିବାକୁ ପ୍ରଶଂସକମାନେ ମଧ୍ୟ ଦୀର୍ଘ ସମୟ ଧରି ଅପେକ୍ଷା କରିଥିଲେ। କିନ୍ତୁ ବର୍ତ୍ତମାନ ପ୍ରଶଂସକଙ୍କ ଅପେକ୍ଷା ଆହୁରି ଅଧିକ ସମୟ ହୋଇପାରେ।

ପ୍ରକାଶ ଯେ, ଜସପ୍ରୀତ ବୁମ୍ରା ୨୦୨୨ ମସିହାରେ ଇଂଲଣ୍ଡ ଗସ୍ତରେ ଖେଳିଥିଲେ। ଏହା ପରେ ପିଠିରେ ଆଘାତ ହେତୁ ସେ ଏସିଆ କପ୍ ଏବଂ ଟି-୨୦ ବିଶ୍ୱକପରେ ଖେଳିପାରିନଥିଲେ। ବିଶେଷକରି ଟି-୨୦ ବିଶ୍ୱକପ ପୂର୍ବରୁ ଯେତେବେଳେ ତାଙ୍କ ବିଶ୍ରାମ ଖବର ସାମ୍ନାକୁ ଆସିଲା, ପ୍ରଶଂସକଙ୍କ ସମେତ ଭାରତୀୟ ଦଳକୁ ମଧ୍ୟ ଏକ ବଡ଼ ଧକ୍କା ଦେଇଥିଲା। ବର୍ତ୍ତମାନ ସେ ଭ୍ରମଣକାରୀ ଅଷ୍ଟ୍ରେଲିଆ ଦଳ ବିପକ୍ଷରେ ଖେଳାଯାଉଥିବା ଟେଷ୍ଟ ସିରିଜରେ ମଧ୍ୟ ଖେଳିବାକୁ ସକ୍ଷମ ନୁହଁନ୍ତି।

Categories
ଆଜିର ଖବର ଖେଳ ଜାତୀୟ ଖବର

ଟିମ୍ ଇଣ୍ଡିଆକୁ ବଡ ଝଟକା: ଟି-୨୦ ବିଶ୍ୱକପରୁ ବାଦ ପଡିଲେ ଜସପ୍ରୀତ ବୁମ୍ରା

ନୂଆଦିଲ୍ଲୀ: ଆସନ୍ତା ମାସରେ ଅନୁଷ୍ଠିତ ହେବାକୁ ଥିବା ଟି-୨୦ ବିଶ୍ୱକପ ପୂର୍ବରୁ ଟିମ୍ ଇଣ୍ଡିଆକୁ ବଡ଼ ବଡ ଝଟକା ଲାଗିଛି। ଆହତ କାରଣରୁ ଟିମ୍ ଇଣ୍ଡିଆର ତାରକା ଦ୍ରୁତ ବୋଲର ଜସପ୍ରୀତ ବୁମ୍ରା ବିଶ୍ୱକପରୁ ବାଦ ପଡିଛନ୍ତି। ବୁମରାଙ୍କ ପିଠିରେ ଆଘାତ ଅତ୍ୟନ୍ତ ଗୁରୁତର ଏବଂ ସେ ଆସନ୍ତା ୪ ରୁ ୬ ମାସ ପର୍ଯ୍ୟନ୍ତ କ୍ରିକେଟ୍ ପଡ଼ିଆରୁ ଦୂରରେ ରହିବେ। ତେବେ ବୁମରାଙ୍କ ସ୍ଥାନରେ କେଉଁ ଖେଳାଳି ମନୋନୀତ ହେବେ ବିସିସିଆଇ ଏପର୍ଯ୍ୟନ୍ତ ଘୋଷଣା କରିନାହିଁ।

ବାସ୍ତବରେ ଜସପ୍ରୀତ ବୁମ୍ରା କେବଳ ଇଂଲଣ୍ଡ ଗସ୍ତ ପରେ ଆହତ ହୋଇଥିଲେ। ଏହା ପରେ ଜସପ୍ରୀତ ବୁମ୍ରା ଏସିଆ କପ୍ ର ଅଂଶ ମଧ୍ୟ ହୋଇପାରିନଥିଲେ ଏବଂ ଏହି ସମୟ ମଧ୍ୟରେ ସେ ଜାତୀୟ କ୍ରିକେଟ୍ ଏକାଡେମୀରେ ନିଜ ଫିଟନେସରେ କାମ କରିଥିଲେ। ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜ ପାଇଁ ବୁମ୍ରା ଟିମ୍ ଇଣ୍ଡିଆକୁ ଫେରିଥିଲେ। ମାତ୍ର ସିରିଜର ଦୁଇଟି ମ୍ୟାଚ୍ ଖେଳିବା ପରେ ବୁମ୍ରା ପୁଣି ଆହତ ହୋଇଥିଲେ।

Categories
ଆଜିର ଖବର ଖେଳ

ଜୋଫ୍ରା ଆର୍ଚରଙ୍କୁ ଏତେ ଟଙ୍କାରେ କିଣିଲା ମୁମ୍ବାଇ ଇଣ୍ଡିଆନ୍ସ: ଅଣ୍ଡର-୧୯ ଖେଳାଳି ହେଲେ କୋଟି ପତି

ନୂଆଦିଲ୍ଲୀ: ଆଇପିଏଲ୍ ପାଇଁ ମେଗା ନିଲାମରେ ଇଂଲଣ୍ଡର ଦ୍ରୁତ ବୋଲର ଜୋଫ୍ରା ଆର୍ଚରଙ୍କୁ ଦେଖିବାକୁ ମିଳିଛି। ଆର୍ଚରଙ୍କୁ ୮ କୋଟି ଟଙ୍କାରେ ମୁମ୍ବାଇ ଇଣ୍ଡିଆନ୍ସ କିଣିଛି। ଗତ ସିଜିନରେ ଆର୍ଚର ଆହତ କାରଣରୁ ଆଇପିଏଲରେ ଖେଳିପାରିନଥିଲେ। ଦୀର୍ଘ ସମୟ ଧରି ସେ ରାଜସ୍ଥାନ ରୟାଲ୍ସ ପାଇଁ ଖେଳିଥିଲେ। ଆର୍ଚର ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଫିଟ୍ ହୋଇ ନ ଥିବାରୁ ସମସ୍ତ ଦଳକୁ ନିଜ ରିସ୍କରେ ଆର୍ଚରଙ୍କୁ କିଣିବାକୁ ବିସିସିଆଇ କହିଛି। ତଥାପି, ମୁମ୍ବାଇ ବିପୁଳ ପରିମାଣର ଖର୍ଚ୍ଚ କରି ଆର୍ଚରଙ୍କୁ କିଣିଛି।

ବର୍ତ୍ତମାନ ପର୍ଯ୍ୟନ୍ତ ଶତାଧିକ ଭାରତୀୟ ଏବଂ ବିଦେଶୀ ଖେଳାଳିଙ୍କୁ ଟେଣ୍ଡର କରାଯାଇଛି। ମେଗା ନିଲାମରେ ଅଣ୍ଡର-୧୯ ବିଶ୍ୱକପରେ ଚମତ୍କାର ପ୍ରଦର୍ଶନ କରିଥିବା ଅନେକ ଖେଳାଳିଙ୍କୁ ନିଲାମ କରାଯାଇଛି। ବିଶେଷ କଥା ହେଉଛି ଭାରତକୁ ବିଜେତା କରିଥିବା ଅଧିନାୟକ ଯଶ ଧୁଲ ନିଲାମରେ ଭଲ ପରିମାଣ ପାଇନାହାଁନ୍ତି। ତାଙ୍କୁ କିଣିବା ପାଇଁ ଦଳ ଉଚ୍ଚ ବିଡ୍ କରିନଥିଲେ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ତାଙ୍କୁ ୫୦ ଲକ୍ଷ ଟଙ୍କାରେ କିଣିଛି। ଅଣ୍ଡର-୧୯ ଦଳର କିଛି ଖେଳାଳି କୋଟିପତି ହୋଇଛନ୍ତି। ରାଜ ବାୱାଙ୍କର ମୂଳ ମୂଲ୍ୟ ୨୦ ଲକ୍ଷ ଟଙ୍କା ଥିଲା ଏବଂ ତାଙ୍କୁ ପଞ୍ଜାବ କିଙ୍ଗସ୍ ୨ କୋଟି ଟଙ୍କାରେ କିଣିଛି। ରାଜବର୍ଦ୍ଧନ ହଙ୍ଗରଗେକର ମୂଳ ମୂଲ୍ୟ ୩୦ ଲକ୍ଷ ଥିବାବେଳେ ତାଙ୍କୁ ଚେନ୍ନାଇ ସୁପର କିଙ୍ଗ୍ସ ୧.୫ କୋଟିରେ କିଣିଛି।

ଦ୍ୱିତୀୟ ଦିନରେ ଏହି ଖେଳାଳିମାନେ ପ୍ରଥମ ରାଉଣ୍ଡରେ ବହୁତ ପରିମାଣର ଅର୍ଥ ପାଇଛନ୍ତି:

ଶିବମ୍ ଦୁବେ: ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ୪ କୋଟି ଟଙ୍କା।

ମାର୍କୋ ୟାନସେନ୍- ସନରାଇଜର୍ସ ହାଇଦ୍ରାବାଦ ପାଇଁ ୪.୨୦ କୋଟି ଟଙ୍କା।

ଓଡିୟନ୍ ସ୍ମିଥ୍- ପଞ୍ଜାବ କିଙ୍ଗ୍ସର ୬ କୋଟି ଟଙ୍କା।

ଓଡିୟନ ମାର୍କ୍ରାମ- ସନରାଇଜର୍ସ ହାଇଦ୍ରାବାଦରେ ୨.୬୦ କୋଟି ଟଙ୍କା

ବିଜୟ ଶଙ୍କର- ଗୁଜୁରାଟ ଟାଇଟାନ୍ସ ପାଇଁ ୧.୪୦ କୋଟି

ଜୟନ୍ତ ଯାଦବ- ଗୁଜୁରାଟ ପାଇଁ ୧.୭୦ କୋଟି ଟଙ୍କା।