Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ବାଲୁକା କଳାରେ ଅଭିନନ୍ଦନ ଜଣାଇଲେ ସୁଦର୍ଶନ ପଟ୍ଟନାୟକ

ପୁରୀ: ଆଜି ଦେଶର ପନ୍ଦରତମ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଛନ୍ତି ଦ୍ରୌପଦୀ ମୁର୍ମୁ। ସେ ସଂସଦଭବନର ସେଣ୍ଟ୍ରାଲ ହଲରେ ତାଙ୍କୁ ଶପଥପାଠ କରାଇଛନ୍ତି ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଏନ ଭି ରମଣା।ସେ ଶପଥ ପାଠ ନେବା ପରେ ସାରା ଦେଶରେ ଆନନ୍ଦନର ଲହରୀ ଖେଳିଯାଇଛି। କାରଣ ସେ ପ୍ରଥମ ଆଦିବାସୀ ମହିଳା ଭାବେ ରାଷ୍ଟ୍ରପତି ପଦରେ ଅଧିଷ୍ଠିତ ହୋଇଛନ୍ତି।

ତେବେ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହେବା ପରେ ବେଶୀ ଖୁସି ହୋଇଛନ୍ତି ଓଡିଶାର ଜନ ସାଧାରଣ। କାରଣ ସେ ହେଉଛନ୍ତି ଓଡିଶାର ଝିଅ। ସେହି ଖୁସିକୁ ନିଜ କଳାମାଧ୍ୟମରେ ବାଣ୍ଟିଛନ୍ତି ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ସେ ପୁରୀ ବେଳାଭୂମିରେ ନିର୍ମାଣ କରିଛନ୍ତି ବାଲୁକା କଳା।

ଏହି କଳାରେ ସୁଦର୍ଶନ ଦ୍ରୌପଦୀ ମୁର୍ମୁ ଶପଥ ନେବା ବେଳେ ଯେଉଁ ପ୍ରକାରର ଶାଢୀ ପିନ୍ଧିଛନ୍ତି ସେହି ଶାଢୀରେ ତାଙ୍କର ଏକ ଅବିକଳ କଳା ନିର୍ମାଣ କରିଛନ୍ତି। ଏଥିସହିତ ତାଙ୍କ ପାଖରେ କରିଛନ୍ତି ରାଷ୍ଟ୍ରପତି ଭବନର ଏକ ପ୍ରତୀକାତ୍ମକ ସ୍ଥାପତ୍ୟ। ଏହାର ତଳେ ଇଂରାଜୀରେ ଲେଖିଛନ୍ତି A Historic Day For Nation.

ପୂର୍ବରୁ ସୁଦର୍ଶନ ଦ୍ରୌପଦୀଙ୍କ ଉପରେ ଆଉ ଏକ କଳା ମଧ୍ୟ କରିଥିଲେ। ସେ ଯେଉଁଦିନ ବିଜୟଲଭା କରିଥିଲେ ସେଦିନ ମଧ୍ୟ ସେ ପୁରୀ ବେଳା ଭୂମିରେ ବାଲୁକା କଳା କରିଥିଲେ। ସେହି କଳା ମାଧ୍ୟମରେ ସେ ଦ୍ରୌପଦୀଙ୍କୁ ଅଭିନନ୍ଦନ ମଧ୍ୟ ଜଣାଇଥିଲେ। ସୁଦର୍ଶନଙ୍କ ଏହି କଳା ବର୍ତ୍ତମାନ ପୁରୀ ବେଳାଭୂମିର ପର୍ଯ୍ୟଟକଙ୍କୁ ବେଶ ଆକୃଷ୍ଟ କରିବାରେ ଲାଗିଛି।

Categories
ବିଶେଷ ଖବର

ଭାରତରେ ଗରିବମାନେ ସ୍ୱପ୍ନ ଦେଖିପାରିବେ, ମୁଁ ଏହାର ପ୍ରମାଣ: ପଢନ୍ତୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସମ୍ପୂର୍ଣ୍ଣ ଭାଷଣ

ନୂଆଦିଲ୍ଲୀ: ଦ୍ରୌପଦୀ ମୁର୍ମୁ ଦେଶର ୧୫ ତମ ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିଛନ୍ତି। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ.ଭି ରମନାଙ୍କ ଠାରୁ ଦ୍ରୌପଦୀ ଶପଥ ଗ୍ରହଣ କରିଥିଲେ। ଦ୍ରୌପଦୀ ମୁର୍ମୁ ହେଉଛନ୍ତି ଦେଶର ଦ୍ୱିତୀୟ ମହିଳା ରାଷ୍ଟ୍ରପତି। ସେ ହେଉଛନ୍ତି ପ୍ରଥମ ଆଦିବାସୀ ମହିଳା ଯିଏକି ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦବୀ ଗ୍ରହଣ କରିଛନ୍ତି ଏବଂ ସ୍ଵାଧୀନଭାରତରେ ଜନ୍ମ ହୋଇଥିବା ପ୍ରଥମ ରାଷ୍ଟ୍ରପତି।

ଶପଥ ଗ୍ରହଣ କରିବା ପରେ ଦ୍ରୌପଦୀ ମୁର୍ମୁ ତାଙ୍କର ପ୍ରଥମ ସମାରୋହରେ ଉପସ୍ଥିତ ଥିବା ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ସମ୍ବୋଧିତ କରିଥିଲେ। ତାଙ୍କ ଅଭିଭାଷଣରେ କରୋନା, ଡିଜିଟାଲ, ଶିକ୍ଷା ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ସମ୍ବୋଧିତ କରିଥିଲେ। ପଢନ୍ତୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସମ୍ପୂର୍ଣ୍ଣ ଭାଷଣ….

ସ୍ୱାଧୀନତା ସଂଗ୍ରାମରେ ଆଦିବାସୀ ଅବଦାନକୁ ପ୍ରଶଂସା:

ଶପଥ ଗ୍ରହଣ କରିବା ପରେ ଦ୍ରୌପଦୀ ମୁର୍ମୁ ସେଣ୍ଟ୍ରାଲ ହଲରେ ପ୍ରଥମ ଆନୁଷ୍ଠାନିକ ଭାଷଣ ଦେଇଥିଲେ। ଏହି ସମୟରେ ସେ କହିଛନ୍ତି ଯେ, “ରାଷ୍ଟ୍ରପତି ପଦରେ ପହଞ୍ଚିବା ମୋର ବ୍ୟକ୍ତିଗତ ସଫଳତା ନୁହେଁ, ଏହା ହେଉଛି ଭାରତର ପ୍ରତ୍ୟେକ ଗରିବ ଲୋକଙ୍କର ସଫଳତା। ମୁଁ ମଧ୍ୟ ଦେଶର ପ୍ରଥମ ରାଷ୍ଟ୍ରପତି ଯିଏକି ସ୍ୱାଧୀନ ଭାରତରେ ଜନ୍ମଗ୍ରହଣ କରିଛି। ” ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସ୍ୱାଧୀନତା ସଂଗ୍ରାମରେ ଆଦିବାସୀଙ୍କ ଅବଦାନକୁ ପ୍ରଶଂସା କରି କହିଛନ୍ତି ଯେ, ସାନ୍ଥଲ ବିପ୍ଳବ, ପାଇକ ବିପ୍ଳବ ଠାରୁ କୋଲ ବିପ୍ଳବ ଏବଂ ଭିଲ ବିପ୍ଳବ ପର୍ଯ୍ୟନ୍ତ ସ୍ୱାଧୀନତା ସଂଗ୍ରାମରେ ଆଦିବାସୀଙ୍କ ଅବଦାନ ସାସକ୍ତ କରିଥିଲେ।

ସେ କହିଛନ୍ତି ଯେ, ସାମାଜିକ ଉନ୍ନତି ତଥା ଦେଶପ୍ରେମ ପାଇଁ ‘ଧରତୀ ଆବା’ ପ୍ରଭୁ ବିର୍ସା ମୁଣ୍ଡା ଜିଙ୍କ ବଳିଦାନ ଦ୍ୱାରା ଆମେ ଅନୁପ୍ରାଣିତ ହୋଇଛୁ। ଆମେ ଜୀବନକୁ ଆଗକୁ ନେଇଛୁ। ମୁଁ ମୋ ଜୀବନରେ ଜଙ୍ଗଲ ଏବଂ ଜଳାଶୟର ମହତ୍ତ୍ଵକୁ ହୃଦୟଙ୍ଗମ କରିଛି। ଏବଂ ସମାନ ସମ୍ମାନ ସହିତ ପ୍ରକୃତିର ସେବା କରୁଛୁ।

କରୋନା ଟିକା ଉପରେ ଭାରତର ସଫଳତା:

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କର ପ୍ରଥମ ଅଭିଭାଷଣରେ କରୋନା ସଂକ୍ରମଣ ରୋକିବାରେ ଭାରତର ପଦକ୍ଷେପକୁ ପ୍ରଶଂସା କରିଥିଲେ। ସେ ତାଙ୍କ ଅଭିଭାଷଣରେ କହିଛନ୍ତି ଯେ, କିଛି ଦିନ ପୂର୍ବରୁ ଭାରତ ୨୦୦ କୋଟି ଡୋଜ କରୋନା ଟିକା ପ୍ରୟୋଗ କରିବାର ରେକର୍ଡ ସୃଷ୍ଟି କରିଛି। ଏହି ସମଗ୍ର ଯୁଦ୍ଧରେ ଭାରତର ଲୋକମାନେ ଦର୍ଶାଇଥିବା ଧୈର୍ଯ୍ୟ, ସାହସ ଏବଂ ସହଯୋଗ ହେଉଛି ଏକ ସମାଜ ଭାବରେ ଆମର ବଢୁଥିବା ଶକ୍ତି ଏବଂ ସମ୍ବେଦନଶୀଳତାର ପ୍ରତୀକ।

ସମସ୍ତଙ୍କ ଉଦ୍ୟମ ଏବଂ ସମସ୍ତଙ୍କର କର୍ତ୍ତବ୍ୟ ଉପରେ ଗୁରୁତ୍ୱ ଦିଅନ୍ତୁ:

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କର ପ୍ରଥମ ଅଭିଭାଷଣରେ କହିଛନ୍ତି ଯେ, ସଂସଦୀୟ ଗଣତନ୍ତ୍ର ଭାବରେ ୭୫ ବର୍ଷ ମଧ୍ୟରେ ଭାରତ ଅଂଶଗ୍ରହଣ ଏବଂ ସହମତି ମାଧ୍ୟମରେ ପ୍ରଗତିର ସଂକଳ୍ପ ନେଇଛି। ବିବିଧତାରେ ପରିପୂର୍ଣ୍ଣ ଆମ ଦେଶରେ ଆମେ ଅନେକ ଭାଷା, ଧର୍ମ, ସମ୍ପ୍ରଦାୟ, ଖାଦ୍ୟ ଅଭ୍ୟାସ, ଜୀବନଶୈଳୀ ଏବଂ ରୀତିନୀତି ଗ୍ରହଣ କରି ‘ଏକ ଭାରତ – ଶ୍ରେଷ୍ଠ ଭାରତ’ ନିର୍ମାଣରେ ସକ୍ରିୟ ଅଟୁ। ଆମ ସ୍ୱାଧୀନତା ସଂଗ୍ରାମୀମାନେ ଆମଠାରୁ ସ୍ୱାଧୀନ ଭାରତର ନାଗରିକମାନେ କରିଥିବା ଆଶାକୁ ପୂରଣ କରିବା ପାଇଁ ଆମକୁ ଏହି ଅମୃତକାଳରେ ଦ୍ରୁତ ଗତିରେ କାର୍ଯ୍ୟ କରିବାକୁ ପଡିବ। ଏହି ୨୫ ବର୍ଷରେ ସମସ୍ତଙ୍କର ପ୍ରୟାସ ଏବଂ ସମସ୍ତଙ୍କର କର୍ତ୍ତବ୍ୟ ଦ୍ଵାରା ଅମୃତକାଳର ସଫଳତାର ପଥ ଦୁଇଟି ଟ୍ରାକରେ ଆଗକୁ ବଢିବ।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସେଣ୍ଟ୍ରାଲ ହଲରେ ତାଙ୍କର ପ୍ରଥମ ଗ୍ରୁଲିଂରେ ଉପସ୍ଥିତ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ସମ୍ବୋଧିତ କରିବାବେଳେ କହିଥିଲେ ଯେ, ଏହା ମୋ ପାଇଁ ଅତ୍ୟନ୍ତ ସନ୍ତୋଷଜନକ ବିଷୟ। ଶତାବ୍ଦୀ ଧରି ବଞ୍ଚିତ ରହିଥିବା ଗରିବ, ନିଷ୍ପେସିତ, ପଛୁଆ ଏବଂ ଆଦିବାସୀମାନେ ମୋ ଭିତରେ ସେମାନଙ୍କର ପ୍ରତିଫଳନ ଦେଖୁଛନ୍ତି। ଆଜି ମୁଁ ସମସ୍ତ ଦେଶବାସୀଙ୍କୁ ବିଶେଷ କରି ଭାରତର ଯୁବକ ଏବଂ ଭାରତର ମହିଳାମାନଙ୍କୁ ଆଶ୍ୱାସନା ଦେଉଛି ଯେ, ଏହି ପଦବୀରେ କାମ କରିବାବେଳେ ସେମାନଙ୍କ ଆଗ୍ରହ ମୋ ପାଇଁ ସର୍ବାଧିକ ହେବ।

ସେ କହିଛନ୍ତି ଯେ, ଆଜି ମୁଁ ଏପରି ପ୍ରଗତିଶୀଳ ଭାରତର ନେତୃତ୍ୱ ନେଇ ଗର୍ବିତ ଅନୁଭବ କରୁଛି। ସେ କହିଛନ୍ତି ଯେ, ମୁଁ ଚାହୁଁଛି ଆମର ସମସ୍ତ ଭଉଣୀ ଏବଂ ଝିଅଙ୍କୁ ଅଧିକରୁ ଅଧିକ ସଶକ୍ତ କରାଯାଉ ଏବଂ ସେମାନେ ଦେଶର ପ୍ରତ୍ୟେକ କ୍ଷେତ୍ରରେ ସେମାନଙ୍କର ଅବଦାନ ବୃଦ୍ଧି ଜାରି ରଖନ୍ତୁ।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିଜ ଭାଷଣରେ ଦେଶର ସ୍ୱାଧୀନତା ସଂଗ୍ରାମୀଙ୍କ ବଳିଦାନ ତଥା ଶିକ୍ଷାକୁ ସ୍ମରଣ କରି କହିଛନ୍ତି ଯେ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ନେହେରୁ ଜୀ, ସର୍ଦ୍ଦାର ପଟେଲ, ବାବାସାହେବ ଆମ୍ବେଦକର, ଭଗତ ସିଂ, ସୁଖଦେବ, ରାଜଗୁରୁ, ଚନ୍ଦ୍ରଶେଖର ଆଜାଦ ଭଳି ମହାପୁରୁଷମାନେ ସର୍ବୋଚ୍ଚ ରଖିବାକୁ ଆମକୁ ଶିଖାଇଛନ୍ତି। ରାଷ୍ଟ୍ର ପ୍ରତିରକ୍ଷା ତଥା ରାଷ୍ଟ୍ର ନିର୍ମାଣରେ ମହିଳା ଶକ୍ତିର ଭୂମିକାକୁ ରାଣୀ ଲକ୍ଷ୍ମୀବାଇ, ରାଣୀ ଭେଲୁ ନଚିଆର, ରାଣୀ ଗାଇଦିନଲୁଇ ଏବଂ ରାଣୀ ଚେନ୍ନାମା ଭଳି ଅନେକ ନାରୀଶକ୍ତି ନୂତନ ଉଚ୍ଚତା ଦେଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ପରିବର୍ତ୍ତନ ହେଲା ରାଷ୍ଟ୍ରପତିଙ୍କ ସାମାଜିକ ଗଣମାଧ୍ୟମ, ଲାଗିଲା ଦ୍ରୌପଦୀ ମୁର୍ମୁଙ୍କ ଫଟୋ

ନୂଆଦିଲ୍ଲୀ: ଆଜି ରାଷ୍ଟ୍ରପତି ଭାବେ ଦ୍ରୌପଦୀ ମୁର୍ମୁ ଶପଥ ନେଲେ। ତାଙ୍କୁ ସୁପ୍ରିମକୋର୍ଟ ମୁଖ୍ୟବିଚାରପତି ଏମ ଭି ରମନା ଶପଥ ପାଠ କରାଇଥିଲେ। ସେ ସଂସଦର ସେଣ୍ଟ୍ରାଲ ହଲରେ ଏହି ଶପଥ ଗ୍ରହଣ କରିଥିଲେ। ଏହାପରେ ରାଷ୍ଟ୍ରପତି ସଚିବାଳୟ ଦ୍ବାରା ପରିଚାଳିତ ରାଷ୍ଟ୍ରପତିଙ୍କ ସାମାଜିକ ଗଣମାଧ୍ୟମ ପ୍ରୋଫାଇଲକୁ ପରିବର୍ତ୍ତନ କରାଯାଇଥିଲା।

ପୂର୍ବରୁ ଏହି ପ୍ରୋଫାଇଲରେ ଥିବା ରାମାନାଥ କୋବିନ୍ଦଙ୍କ ଫଟୋକୁ ପରିବର୍ତ୍ତନ କରାଯାଇ ଦ୍ରୌପଦ ମୁର୍ମୁଙ୍କ ଫଟୋ ଲଗାଯାଇଛି। ଟୁଇଟର ଆକାଉଣ୍ଟରେ ଦ୍ରୌପଦୀଙ୍କ ଅଭିଭାଷଣକୁ ବିଭିନ୍ନ ଭାଗରେ ପ୍ରକାଶ କରାଯାଇଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଶପଥ ପରେ ଦ୍ରୌପଦୀ ମୁର୍ମୁଙ୍କୁ ନିଜ ରାଷ୍ଟ୍ରପତି ଆସନ ପ୍ରଦାନ କଲେ ରାମନାଥ କୋବିନ୍ଦ

ନୂଆଦିଲ୍ଲୀ: ସଂସଦଭବନର କେନ୍ଦ୍ରୀୟ ହଲରେ ଦେଶର 15 ତମ ରାଷ୍ଟ୍ରପତି ଭାବେ ଶପଥ ନେଲେ ଦ୍ରୌପଦୀ ମୁର୍ମୁ।  ଶପଥପାଠ ପରେ ମଝିରେ ବସିଥିବା ରାଷ୍ଟ୍ରପତି ରାମାନଥ କୋବିନ୍ଦ ଦ୍ରୌପଦୀ ମୁର୍ମୁଙ୍କୁ ସେହି ଆସନ ଛାଡି ଦେଇଥିଲେ। ଆସନ ଅଦଳବଦଳ ପରେ ଦ୍ରୌପଦୀ ମୁର୍ମୁ ମଝିରେ ବସିଥିଲେ। ଏହାପରେ ତାଙ୍କୁ ତୋପ ସଲାମି ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା।

ସଂସଦର କେନ୍ଦ୍ରୀୟ ହଲରେ ତାଙ୍କୁ ଶପଥ ପାଠ କରାଇଥିଲେ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଏମ ଭି ରମନା। ମଞ୍ଚ ଉପରେ ମୁଖ୍ୟ ବିଚାରପତି ରମନା ତାଙ୍କ ପାଖରେ ଦ୍ରୌପଦୀ ମୁର୍ମୁ, ମଝିରେ ରାଷ୍ଟ୍ରପତି ରାମାନାଥ କୋବିନ୍ଦ, ତାଙ୍କ ପାଖରେ ଉପରାଷ୍ଟ୍ରପତି ଏମ ଭେଙ୍କେୟାନାଇଡୁ ଏବଂ ଶେଷରେ ବାଚସ୍ପତି ଓମ ବିର୍ଲା ବସିଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

BREAKING NEWS: ପନ୍ଦରତମ ରାଷ୍ଟ୍ରପତି ଭାବେ ଶପଥ ନେଲେ ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ: ଆଜି 10ଟା 15 ମିନିଟରେ ଦେଶର 15 ତମ ରାଷ୍ଟ୍ରପତି ଭାବେ ଶପଥ ନେଲେ ଦ୍ରୌପଦୀ ମୁର୍ମୁ। ସଂସଦର କେନ୍ଦ୍ରୀୟ ହଲରେ ତାଙ୍କୁ ଶପଥ ପାଠ କରାଇଥିଲେ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଏମ ଭି ରମନା। ମଞ୍ଚ ଉପରେ ମୁଖ୍ୟ ବିଚାରପତି ରମନା ତାଙ୍କ ପାଖରେ ଦ୍ରୌପଦୀ ମୁର୍ମୁ, ମଝିରେ ରାଷ୍ଟ୍ରପତି ରାମାନାଥ କୋବିନ୍ଦ, ତାଙ୍କ ପାଖରେ ଉପରାଷ୍ଟ୍ରପତି ଏମ ଭେଙ୍କେୟାନାଇଡୁ ଏବଂ ଶେଷରେ ବାଚସ୍ପତି ଓମ ବିର୍ଲା ବସିଥିଲେ।

ଶପଥପାଠ ପରେ ମଝିରେ ବସିଥିବା ରାଷ୍ଟ୍ରପତି ରାମାନଥ କୋବିନ୍ଦ ଦ୍ରୌପଦୀ ମୁର୍ମୁଙ୍କୁ ସେହି ଆସନ ଛାଡି ଦେଇଥିଲେ। ଆସନ ଅଦଳବଦଳ ପରେ ଦ୍ରୌପଦୀ ମୁର୍ମୁ ମଝିରେ ବସିଥିଲେ। ଏହାପରେ ତାଙ୍କୁ ତୋପ ସଲାମି ପ୍ରଦାନ କରାଯାଇଥିଲା। ଏହାପରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅଭିଭାଷଣ ପ୍ରଦାନ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଆଜିଠାରୁ ଦ୍ରୌପଦୀ ମୁର୍ମୁ ମହାମହିମ ରାଷ୍ଟ୍ରପତି, ରାମନାଥ କୋବିନ୍ଦ ପୂର୍ବତନ ରାଷ୍ଟ୍ରପତି

ନୂଆଦିଲ୍ଲୀ: ଆଜି ଓଡିଶା ତଥା ସାରା ଭାରତ ପାଇଁ ଏକ ଗର୍ବର ବିଷୟ। କାରଣ ହେଲା ଆଜି ଭାରତର 15ତମ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବେ ଦ୍ରୌପଦୀ ମୁର୍ମୁ। ଓଡିଶା ମାଟିର ଝିଅ ଦେଶର ସର୍ବୋଚ୍ଚ ଆସନରେ ବସିବେ। ଆଜି ସାଂସଦ ଭବନର କେନ୍ଦ୍ରୀୟ ହଲରେ ସେ ଶପଥ ନେବେ। ତାଙ୍କୁ ଶପଥ କରାଇବେ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଏନ ଭି ରମଣା।

ଆଜି ଶପଥ ଗ୍ରହଣରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ରାଷ୍ଟ୍ରପତି ଆସନରେ ବସିବେ। ହେଲେ ଦ୍ରୌପଦୀ ଶପଥ ନେବା ପରେ ସେ ଦାୟିତ୍ବ ନେଲେ ବୋଲି ଦସ୍ତଖତ କରିବେ। ଏହାପରେ ଦ୍ରୌପଦୀଙ୍କୁ ରାମାନଥ କୋବିନ୍ଦ ତାଙ୍କ ଆସନ ପରିତ୍ୟାଗ କରି ଦ୍ରୌପଦୀଙ୍କୁ ବସିବା ପାଇଁ ନିମନ୍ତ୍ରଣ କରିବେ। ସେହି ଆସନରେ ଦ୍ରୌପଦୀ ବସିବା ପରେ ତାଙ୍କୁ ମହାମହିମ ରାଷ୍ଟ୍ରପତି ଭାବେ ସମ୍ବୋଧିତ କରାଯିବ। ଏହାପରେ କୋବିନ୍ଦ ଦ୍ରୌପଦୀ ମୁର୍ମୁ ବସିଥିବା ଆସନରେ ବସିବେ। ଏହାପରେ ସେ ହେବେ ଦେଶର ପୂର୍ବତନ ରାଷ୍ଟ୍ରପତି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଆଜି ରାଷ୍ଟ୍ରପତି ଭାବେ କାର୍ଯ୍ୟଭାର ଗ୍ରହଣ କରିବେ ଦ୍ରୌପଦୀ ମୁର୍ମୁ, ଜାଣନ୍ତୁ କାର୍ଯ୍ୟସୂଚୀ

ନୂଆଦିଲ୍ଲୀ: ନବ ନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଦିନ ୧୦ଟା ୧୫ ମିନିଟ୍ ରେ ନୂଆଦିଲ୍ଲୀସ୍ଥିତ ସଂସଦ ଭବନର କେନ୍ଦ୍ରୀୟ କକ୍ଷରେ ଶପଥ ନେବେ। ଏହି ସମାରୋହରେ ସେ କାର୍ଯ୍ୟଭାର ଗ୍ରହଣ କରିବେ।

ରାଜ୍ୟସଭା ଅଧ୍ୟକ୍ଷ, ପ୍ରଧାନମନ୍ତ୍ରୀ, ଭାରତର ପ୍ରଧାନ ବିଚାରପତି, ଲୋକସଭା ବାଚସ୍ପତି, କେନ୍ଦ୍ର ମନ୍ତ୍ରିମଣ୍ଡଳ ସଦସ୍ୟ ବୃନ୍ଦ, ରାଜ୍ୟପାଳଗଣ, ମୁଖ୍ୟମନ୍ତ୍ରୀଗଣ, କୂଟନୀତିଜ୍ଞ ମିଶନ ମୁଖ୍ୟ, ସଂସଦ ସଦସ୍ୟଗଣ ଓ ଭାରତ ସରକାରଙ୍କ ପ୍ରମୁଖ ବେସାମରିକ ଓ ସାମରିକ ଅଧିକାରୀଗଣ ଉତ୍ସବ ନିମନ୍ତେ କେନ୍ଦ୍ରୀୟ କକ୍ଷରେ ସମବେତ ହେବେ।

ରାଷ୍ଟ୍ରପତି ଓ ନିର୍ବାଚିତ ରାଷ୍ଟ୍ରପତି ଏକ ବର୍ଣ୍ଣାଢ୍ୟ ସମାରୋହରେ କେନ୍ଦ୍ରୀୟ କକ୍ଷରେ ପହଞ୍ଚିବେ। ନବ ନିର୍ବାଚିତ ରାଷ୍ଟ୍ରପତିଙ୍କୁ ଭାରତର ପ୍ରଧାନ ବିଚାରପତି ପଦ ଓ ଗୋପନୀୟତାର ଶପଥ କରାଇବେ। ପରେ ୨୧ଟି ତୋପ ସଲାମୀ ଦିଆଯିବ।

ତାପରେ ରାଷ୍ଟ୍ରପତି ତାଙ୍କ ଅଭିଭାଷଣ ପ୍ରଦାନ କରିବେ। କେନ୍ଦ୍ରୀୟ କକ୍ଷରେ ଉତ୍ସବ ସମାପନ ପରେ ନୂତନ ରାଷ୍ଟ୍ରପତି ରାଷ୍ଟ୍ରପତି ଭବନକୁ ଯିବେ। ସେଠାରେ ତାଙ୍କୁ ଇଣ୍ଟର ସର୍ଭିସ ଗାର୍ଡ ଅଫ ଅନର ପ୍ରଦାନ କରାଯିବ ଓ ବିଦାୟୀ ରାଷ୍ଟ୍ରପତିଙ୍କୁ ସୌଜନ୍ୟମୂଳକ ସମ୍ମାନ ପ୍ରଦାନ କରାଯିବ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ନିର୍ବାଚିତ ରାଷ୍ଟ୍ରପତିଙ୍କୁ ବିଜେଡି ସାଂସଦଙ୍କ ସହ ଭେଟିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଛନ୍ତି। ନବୀନ ନୂଆଦିଲ୍ଲୀସ୍ଥିତ ମୁର୍ମୁଙ୍କ ଅସ୍ଥାୟୀ ବାସଭବନକୁ ଯାଇ ସାକ୍ଷାତ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ସହିତ ବିଜେଡିର ସମସ୍ତ ସାଂସଦ ମଧ୍ୟ ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ କରିଥିଲେ।ସେଠାରେ ସମସ୍ତେ ତାଙ୍କୁ ଅଭିନନ୍ଦନ ଜଣାଇବା ସହିତ ଶପଥ ପାଠ ନେଇ ଶୁଭେଚ୍ଛା ଜଣାଇଥିଲେ।

ସୋମବାର ଦିନ ଦ୍ରୌପଦୀ ମୁର୍ମୁ ସାଂସଦ ଭବନରେ 15 ତମ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବେ। ଏହି ଉତ୍ସବରେ ଯୋଗ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ 4 ଦିନିଆ ନୂଆଦିଲ୍ଲୀ ଗସ୍ତରେ ଯାଇଛନ୍ତି। ଏଥିସହିତ ମୁଖ୍ୟମନ୍ତ୍ରୀ କେତେକ କେନ୍ଦ୍ରମନ୍ତ୍ରୀଙ୍କୁ ମଧ୍ୟ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି।

Categories
ଆଞ୍ଚଳିକ

ନିଆରା ଢଙ୍ଗରେ ଜନ୍ମଦିନ ପାଳିଲେ ସମାଜସେବୀ: ନବ ନିର୍ବାଚିତା ରାଷ୍ଟ୍ରପତିଙ୍କୁ କଲେ ଉତ୍ସର୍ଗ

ଭୁବନେଶ୍ୱର: ରାଷ୍ଟ୍ରପତି ଭାବେ ଓଡ଼ିଆ ଆଦିବାସୀ ଝିଅ ଦ୍ରୌପଦୀ ମୁର୍ମୁ ନିର୍ବାଚିତ ହେବା ପରେ ସବୁଠି ଉତ୍ସବର ମାହୋଲ ଚାଲିଛି। ଭିନ୍ନ ଭିନ୍ନ ଢଙ୍ଗରେ ଓଡିଶାବାସୀ ଉତ୍ସବ ମନାଉଛନ୍ତି। ଏହି କ୍ରମରେ ଭୁବନେଶ୍ୱର ଝାରପଡାର ଅଞ୍ଚଳର ଯୁବ ସମାଜସେବୀ ସୁଶାନ୍ତ ମଙ୍ଗରାଜ ନିଆରା ଢଙ୍ଗରେ ଉତ୍ସବ ମନେଇଛନ୍ତି। ନିଜ ଜନ୍ମଦିନକୁ ଦ୍ରୌପଦୀ ମୁର୍ମୁଙ୍କ ବିଜୟ ଉତ୍ସବ ଭାବେ ସେ ପାଳନ କରିଛନ୍ତି।

ଦ୍ରୌପଦୀଙ୍କ ଆଦର୍ଶରେ ଅନୁପ୍ରାଣିତ ସୁଶାନ୍ତ ନିଜ ଜନ୍ମଦିନରେ ଦିବ୍ୟାଙ୍ଗ ଏବଂ ଅସହାୟଙ୍କୁ ଖାଦ୍ୟ ବାଣ୍ଟି ଏକ ନିଆରା ଢଙ୍ଗରେ ନିଜ ଜନ୍ମଦିନ ପାଳିଛନ୍ତି। ନିଜ ରାଜନୈତିକ କ୍ୟାରିୟରେ ଅନେକ ସମୟରେ ଗରିବ ଏବଂ ଅସହାୟଙ୍କ ପାଖେ ଠିଆ ହୋଇଛନ୍ତି ନବ ନିର୍ବାଚିତା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ତେଣୁ ତାଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ନିଜ ଜନ୍ମଦିନକୁ ଦ୍ରୌପଦୀ ମୁର୍ମୁଙ୍କ ପାଇଁ ଉତ୍ସର୍ଗ କରିଛନ୍ତି ସୁଶାନ୍ତ ମଙ୍ଗରାଜ।

ଯୁବ ପିଢ଼ି ଦ୍ରୌପଦୀଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ଉଚିତ ବୋଲି ସେ କହିବା ସହ ଅସହାୟଙ୍କ ମୁହଁରେ ହସ ଫୁଟାଇବାକୁ ସର୍ବଦା ଚେଷ୍ଟା କରିବା ଉଚିତ ବୋଲି ସୁଶାନ୍ତ ଏହି ଅବସରରେ କହିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ନବ ନିର୍ବାଚିତ ରାଷ୍ଟ୍ରପତିଙ୍କ କାର୍ଯ୍ୟଭାର ଗ୍ରହଣ ସମାରୋହ: ଜାଣନ୍ତୁ କାର୍ଯ୍ୟସୂଚୀ

ନୂଆଦିଲ୍ଲୀ: ନବ ନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ଜୁଲାଇ ୨୫, ୨୦୨୨ ସୋମବାର ଦିନ ୧୦ଟା ୧୫ ମିନିଟ୍ ରେ ନୂଆଦିଲ୍ଲୀସ୍ଥିତ ସଂସଦ ଭବନର କେନ୍ଦ୍ରୀୟ କକ୍ଷରେ ଅନୁଷ୍ଠିତ ସମାରୋହରେ କାର୍ଯ୍ୟଭାର ଗ୍ରହଣ କରିବେ।

ରାଜ୍ୟସଭା ଅଧ୍ୟକ୍ଷ, ପ୍ରଧାନମନ୍ତ୍ରୀ, ଭାରତର ପ୍ରଧାନ ବିଚାରପତି, ଲୋକସଭା ବାଚସ୍ପତି, କେନ୍ଦ୍ର ମନ୍ତ୍ରିମଣ୍ଡଳ ସଦସ୍ୟ ବୃନ୍ଦ, ରାଜ୍ୟପାଳଗଣ, ମୁଖ୍ୟମନ୍ତ୍ରୀଗଣ, କୂଟନୀତିଜ୍ଞ ମିଶନ ମୁଖ୍ୟ, ସଂସଦ ସଦସ୍ୟଗଣ ଓ ଭାରତ ସରକାରଙ୍କ ପ୍ରମୁଖ ବେସାମରିକ ଓ ସାମରିକ ଅଧିକାରୀଗଣ ଉତ୍ସବ ନିମନ୍ତେ କେନ୍ଦ୍ରୀୟ କକ୍ଷରେ ସମବେତ ହେବେ।

ରାଷ୍ଟ୍ରପତି ଓ ନିର୍ବାଚିତ ରାଷ୍ଟ୍ରପତି ଏକ ବର୍ଣ୍ଣାଢ୍ୟ ସମାରୋହରେ କେନ୍ଦ୍ରୀୟ କକ୍ଷରେ ପହଞ୍ଚିବେ। ନବ ନିର୍ବାଚିତ ରାଷ୍ଟ୍ରପତି ଭାରତର ପ୍ରଧାନ ବିଚାରପତିଙ୍କ ଉପସ୍ଥିତିରେ ପଦ ଓ ଗୋପନୀୟତାର ଶପଥ ନେବେ ଓ ପରେ ୨୧ଟି ତୋପ ସଲାମୀ ଦିଆଯିବ। ତାପରେ ରାଷ୍ଟ୍ରପତି ତାଙ୍କ ଅଭିଭାଷଣ ପ୍ରଦାନ କରିବେ। କେନ୍ଦ୍ରୀୟ କକ୍ଷରେ ଉତ୍ସବ ସମାପନ ପରେ ନୂତନ ରାଷ୍ଟ୍ରପତି ରାଷ୍ଟ୍ରପତି ଭବନକୁ ଯିବେ। ସେଠାରେ ତାଙ୍କୁ ଇଣ୍ଟର ସର୍ଭିସ ଗାର୍ଡ ଅଫ ଅନର ପ୍ରଦାନ କରାଯିବ ଓ ବିଦାୟୀ ରାଷ୍ଟ୍ରପତିଙ୍କୁ ସୌଜନ୍ୟମୂଳକ ସମ୍ମାନ ପ୍ରଦାନ କରାଯିବ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ବିଦାୟକାଳୀନ ଭୋଜି ଦେଲେ ପ୍ରଧାନମନ୍ତ୍ରୀ, ଥିଲେ ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଏକ ବିଦାୟ କାଳୀନ ଭୋଜି ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି ପାର୍ଟିରେ ଖୋଦ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପରାଷ୍ଟ୍ରପତି ଏମ ଭେଙ୍କେୟା ନାଇଡୁ, ବାଚସ୍ପତି ଓମ ବିର୍ଲା ଉପସ୍ଥିତ ଥିଲେ।

ଏଥିରେ କେନ୍ଦ୍ରମନ୍ତ୍ରୀ ମଣ୍ଡଳର ବରିଷ୍ଠ ସଦସ୍ୟ, କଂଗ୍ରେସ ନେତା, ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ପଦ୍ମ ପୁରସ୍କାର ପ୍ରାପ୍ତ ବ୍ୟକ୍ତିତ୍ବଗଣ ଉପସ୍ଥିତ ଥିଲେ। ସାଧାରଣତଃ ଏପରି ପାର୍ଟିରେ କେବଳ ଦିଲ୍ଲୀ ଅତିଥିଙ୍କୁ ଦେଖିବାକୁ ମିଳେ। ହେଲେ ଏଥିରେ ସବୁ ରାଜ୍ୟ ଏବଂ ସବୁ ବର୍ଗର ଲୋକଙ୍କୁ ପ୍ରାଧ୍ୟାନ୍ୟ ଦିଆଯାଇଛି।

ଏହି ପାର୍ଟିରେ ଦ୍ରୌପଦୀ ମୁର୍ମୁ ମଧ୍ୟ ଉପସ୍ଥିତ ଥିଲେ। ସେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସହିତ କିଛି ସମୟ ଆଲୋଚନା ମଧ୍ୟ କରିଥିଲେ।

Categories
ଜାତୀୟ ଖବର ବିଶେଷ ଖବର

ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ କଲେ ଓଡିଶାର ପଦ୍ମ ପୁରସ୍କାର ପ୍ରାପ୍ତ ବିଶିଷ୍ଠ ବ୍ୟକ୍ତିଗଣ

ନୂଆଦିଲ୍ଲୀ: ଓଡ଼ିଶାର ବିଶିଷ୍ଟ ସାହିତ୍ୟିକ ପଦ୍ମଭୂଷଣ ପ୍ରତିଭା ରାୟ, ସ୍ୱନାମଧନ୍ୟ ସାନ୍ତାଳୀ ଲେଖିକା ପଦ୍ମଶ୍ରୀ ଦମୟନ୍ତୀ ବେଶ୍ରା, କୃଷିବିତ୍ ପଦ୍ମଶ୍ରୀ ସାବରମତି, ଖ୍ୟାତିସମ୍ପନ୍ନ କବି ତଥା ଲୋକକବି ପଦ୍ମଶ୍ରୀ ହଳଧର ନାଗ୍, ସମାଜସେବୀ ପଦ୍ମଶ୍ରୀ ଦୈତାରୀ ନାଏକ ପ୍ରମୁଖ ଶ୍ରୀମତୀ ମୁର୍ମୁଙ୍କୁ ବାସଭବନରେ ଭେଟି ରାଷ୍ଟ୍ରପତି ନିର୍ବାଚନରେ ଐତିହାସିକ ବିଜୟ ପାଇଁ ଶୁଭେଚ୍ଛା ଓ ସମ୍ବର୍ଦ୍ଧନା ଜଣାଇଛନ୍ତି ।

ଓଡ଼ିଶାର ଏହି ପ୍ରତିଭାବାନ ବ୍ୟକ୍ତିବିଶେଷଙ୍କୁ ନୂଆଦିଲ୍ଲୀ ଅଶୋକା ହୋଟେଲରେ ରାତ୍ରୀ ଭୋଜନ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିମନ୍ତ୍ରଣ କରିଥିବା ବେଳେ ସେମାନେ ଏଥିରେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି । ଏହି ନୈଶ୍ୟ ଭୋଜିରେ ମହାମହିମ ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦଙ୍କ ସମେତ ନବ ନିର୍ବାଚିତ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପଦ୍ମ ପୁରସ୍କାର ବିଜେତା ଓ ଦ୍ରୌପଦୀ ମୁର୍ମୁଙ୍କ ସାକ୍ଷାତ ଅବସରରେ ଫଟୋ ଟ୍ୱିଟ୍ କରି କହିଛନ୍ତି ଓଡ଼ିଶାର ଗର୍ବ ଓ ଗୌରବ ସମସ୍ତେ ଗୋଟିଏ ଫ୍ରେମରେ ଅଛନ୍ତି । ଓଡ଼ିଶାର ପଦ୍ମ ପୁରସ୍କାରରେ ସମ୍ମାନିତ ଏବଂ ଜନଜାତି ଆଦର୍ଶ ; ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ଅଭିନନ୍ଦନ ଜଣାଇଛନ୍ତି । ଶ୍ରୀମତୀ ମୁର୍ମୁଙ୍କ ବିଜୟ ଗଣତନ୍ତ୍ରର ବିବିଧତାକୁ ଦର୍ଶାଉଛି । ଓଡ଼ିଶା ବିଶେଷ ଭାବରେ ତୃଣମୂଳରେ କାର୍ଯ୍ୟ କରୁଥିବା ଲୋକ ମାନଙ୍କ ପାଇଁ ଖୁସି ଓ ଗର୍ବର ବିଷୟ ବୋଲି ଟ୍ୱିଟ୍ କରିଛନ୍ତି ।

ଜନଜାତି ଜନନେତ୍ରୀ ଶ୍ରୀମତୀ ମୁର୍ମୁ ଦେଶର ୧୫ତମ ରାଷ୍ଟ୍ରପତି ଭାବେ ଆସନ୍ତା 25 ତାରିଖରେ ଶପଥ ଗ୍ରହଣ କରିବେ । ମୟୂରଭଞ୍ଜ ଜିଲ୍ଲାର ଏକ ସାଧାରଣ ସାଧାରଣ ଜନଜାତି ପରିବାରରୁ ଆସି ଶ୍ରୀମତୀ ମୁର୍ମୁ ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦବୀକୁ ଅଳଙ୍କୃତ କରିବାକୁ ଯାଉଥିବାରୁ ସମାଜର ବଞ୍ଚିତ, ମହିଳା, ଜନଜାତି ତଥା ଓଡ଼ିଶା ସମେତ ପୂର୍ବ ଭାରତ ଓ ସମଗ୍ର ଦେଶରେ ଅପୂର୍ବ ଆନନ୍ଦର ଲହରୀ ଖେଳିଯାଇଛି ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ରାଷ୍ଟ୍ରପତି ଭାବେ ଶପଥ ନେବେ ଓଡିଆ ଝିଅ, ରାଜ୍ୟସଭାରେ ଘୋଷଣା କଲେ ଓଡିଆ ପୁଅ

ନୂଆଦିଲ୍ଲୀ: ଆଜି ରାଜ୍ୟସଭା ପରିଚାଳନା କରୁଥିଲେ ଓଡିଆ ପୁଅ ସସ୍ମିତ ପାତ୍ର। ସେ ଗୃହରେ ନୂଆ ରାଷ୍ଟ୍ରପତିଙ୍କ ଶପଥ ନେଇ କଲେ ଏକ ଘୋଷଣା। ତାହା ହେଲା ଆସନ୍ତା ୨୫ ତାରିଖରେ ଭାରତର ନୂଆ ରାଷ୍ଟ୍ରପତି ଭାବେ ଶପଥ ନେବେ ଦ୍ରୌପଦୀ ମୁର୍ମୁ। ସେଥିପାଇଁ ସେଦିନର ରାଜ୍ୟସଭା ଅଧିବେସନର ସମୟ ପରିବର୍ତ୍ତନ କରାଯାଇଛି ବୋଲି ଗୃହକୁ ଜଣାଇଥିଲେ।

ସସ୍ମିତଙ୍କ ଘୋଷଣା ଅନୁସାରେ ରାଷ୍ଟ୍ରପତିଙ୍କ ଶପଥ ଗ୍ରହଣକୁ ଗୃହର ସଦସ୍ୟମାନେ ଅଂଶ ଗ୍ରହଣ କରିବା ପାଇଁ ସେଦିନ ଅଧିବେସନ ସମୟ ପରିବର୍ତ୍ତନ କରାଯାଇଛି। ପ୍ରତିଦିନ ପରି ଗୃହ କାର‌୍ୟ୍ୟ ଦିନ ୧୧ ଟା ପରିବର୍ତ୍ତେ ସେହିଦିନ ଅପରାହ୍ନ ୨ ଟାରେ ଗୃହ କାଯ୍ୟ ଆରମ୍ଭ କରାଯିବ।

ଏହି ଘୋଷଣା କରିଥିଲେ ଗୃହ ପରିଚାଳନା କରୁଥିବା ଓଡିଆ ପୁଅ ସସ୍ମିତ ପାତ୍ର। ଓଡିଆ ଝିଅ ରାଷ୍ଟ୍ରପତି ଭାବେ ଶପଥ ନେବେ, ଆଉ ରାଜ୍ୟସଭାରେ ଓଡିଆ ପୁଅ ଘୋଷଣା କରିବେ, ଏହା ଏକ ଭିନ୍ନ ସଂଯୋଗ ଥିଲା ବୋଲି କୁହାଯିବ।

Categories
ବିଶେଷ ଖବର

ଫୋନ ଯୋଗେ ନବନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ ନବୀନ

ଭୁବନେଶ୍ୱର: ଗତକାଲି ରାଷ୍ଟ୍ରପତି ନିର୍ବାଚନରେ ଓଡିଶାର ଝିଅ ଦ୍ରୌପଦୀ ମୁର୍ମୁ ବଡ ବିଜୟ ହାସଲ କରିଛନ୍ତି। ସେ ବିରୋଧୀ ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କୁ ପରାସ୍ତ କରି ଦେଶର ପ୍ରଥମ ଆଦିବାସୀ ମହିଳା ଭାବେ ଇତିହାସ ରଚିଛନ୍ତି। ଯଦିବା ଦ୍ରୌପଦୀ ମୁର୍ମୁଙ୍କୁ ଏନଡିଏ ପ୍ରାର୍ଥୀ ଭାବେ ନିର୍ବାଚନକୁ ଓହ୍ଲାଇଥିଲା, ହେଲେ ଓଡିଶାର ଶାସକ ଦଳ ବିଜେଡ଼ି ତାଙ୍କୁ ସମର୍ଥନ କରିଥିଲା। କେବଳ ସେତିକି ନୁହେଁ, ଦ୍ରୌପଦୀଙ୍କୁ ଭୋଟ ଦେବା ପାଇଁ ବିରୋଧୀ ଦଳଙ୍କୁ ମଧ୍ୟ ନିବେଦନ କରିଥିଲା। ଏହି ଆଧାରରେ ଦେଶର ଅନେକ ବିରୋଧୀ ଦଳର ନେତାମାନେ ମଧ୍ୟ ଦ୍ରୌପଦୀଙ୍କ ସପକ୍ଷରେ କ୍ରସ ଭୋଟିଂ କରିଥିଲେ।

ତେବେ ଓଡିଶାର ଝିଅ ଭାବେ ଦ୍ରୌପଦୀ ଦେଶର ପ୍ରଥମ ନାଗରିକ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ସହ ଫୋନ ଯୋଗେ କଥା ହୋଇଥିଲେ। ନବନିର୍ବାଚିତ ରାଷ୍ଟ୍ରପତିଙ୍କୁ ମୁଖ୍ୟମନ୍ତ୍ରୀ ଶୁଭେଚ୍ଛା ଜଣାଇବ ସହ ସଫଳତା ପାଇଁ ଓଡ଼ିଶାବାସୀ ଗର୍ବିତ ବୋଲି ନବୀନ କହିଛନ୍ତି।

ଆସନ୍ତା ୨୫ ତାରିଖରେ ଦେଶର ୧୫ତମ ରାଷ୍ଟ୍ରପତି ଭାବେ ଦ୍ରୌପଦୀ ମୁର୍ମୁ ଶପଥ ଗ୍ରହଣ କରିବେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଭାରତ ଇତିହାସରେ ଯୋଡି ହେଲା ଜଣେ ଓଡିଆ ଝିଅର ନାମ, ସେ ହେଲେ ‘ଦ୍ରୌପଦୀ ମୁର୍ମୁ’

ଭୁବନେଶ୍ବର: ଯାହା ଆଶା କରାଯାଉଥିଲା ତାହା ହିଁ ହେଲା। ଶେଷରେ ବହୁ ଭୋଟ ବ୍ୟବଧାନରେ ଜିତିଲେ ଓଡିଆ ଝିଅ ଦ୍ରୌପଦୀ ମୁର୍ମୁ। ତାଙ୍କର ପ୍ରତିଦ୍ବନ୍ଦି ଯଶବନ୍ତ ସିହ୍ନାଙ୍କୁ ସେ ୨ ଲକ୍ଷ ୯୬ ହଜାର ୬୨୬ ଖଣ୍ଡ ଭୋଟରେ ବିଜୟ ଲାଭ କରିଛନ୍ତି। ହିସାବ ଅନୁସାରେ ଦ୍ରୌପଦୀ ମୁର୍ମୁ ୬ ଲକ୍ଷ ୭୬ ହଜାର ୮୦୩ ଭୋଟ ପାଇଥିବା ବେଳେ ୩ ଲକ୍ଷ ୮୦ ହଜାର ୧୭୭ ଭୋଟ ପାଇଛନ୍ତି ବିରୋଧୀ ପ୍ରାର୍ଥୀ ଯଶବନ୍ତ ସିହ୍ନା।

୬୪ ବର୍ଷିୟ ଦ୍ରୌପଦୀ ମୁର୍ମୁ ୬୪ ପ୍ରତିଶତ ଭୋଟ ହାସଲ କରି ବିଜୟ ଲାଭ କରିଛନ୍ତି। ବୟସ ହିସାବରେ ଦେଖିବାକୁ ଗଲେ ସେ ହିଁ ହେବ ଦେଶର ସର୍ବ କନିଷ୍ଠା ରାଷ୍ଟ୍ରପତି। କାରଣ ହେଲା ଦ୍ରୌପଦୀ ମୁର୍ମୁ ୨୦ ଜୁନ୍ ୧୯୫୮ ରେ ଜନ୍ମଗ୍ରହଣ କରିଛନ୍ତି। ବର୍ତ୍ତମାନ ଭାରତର ଯେତେ ରାଷ୍ଟ୍ରପତି ହୋଇଛନ୍ତି ସେମାନେ ସମସ୍ତେ ଦେଶ ସ୍ବାଧୀନତା ପୂର୍ବରୁ ଜନ୍ମ ଗ୍ରହଣ କରିଛନ୍ତି। ହେଲେ ଦ୍ରୌପଦୀ ମୁର୍ମୁ ସ୍ବାଧୀନତାର ୧୧ ବର୍ଷ ପରେ ଜନ୍ମ ଗ୍ରହଣ କରିଛନ୍ତି।

ତେବେ ଭାରତ ଇତିହାସରେ ସର୍ବ କନିଷ୍ଠ ରାଷ୍ଟ୍ରପତି ଭାବେ ଥିଲେ ନୀଲମ ସଞ୍ଜୀବ ରେଡ୍ଡୀ। ସେ ରାଷ୍ଟ୍ରପତି ଦ୍ବାୟତ୍ବ ନେବା ବେଳକୁ ତାଙ୍କର ବୟସ ଥିଲା ୬୪ ବର୍ଷ, ୨ ମାସ ୬ ଦିନ। ଏବେ ଦ୍ରୌପଦୀ ମୁର୍ମୁ ୨୫ ଜୁଲାଇରେ ଶପଥ ନେବେ। ସେହିଦିନକୁ ଯଦି ହିସାବକୁ ନିଆଯାଏ ତେବେ ତାଙ୍କର ବୟସ ହେବ ୬୪ ବର୍ଷ, ୧ ମାସ ୮ ଦିନ।

ସେହିପରି ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦବୀରେ ପହଞ୍ଚିଥିବା ପ୍ରଥମ ଆଦିବାସୀ ମହିଳା ହେବେ ଦ୍ରୌପଦୀ ମୁର୍ମୁ। ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଆଦିବାସୀ ରାଷ୍ଟ୍ରପତି କିମ୍ବା ପ୍ରଧାନମନ୍ତ୍ରୀ ଆସନ ପର୍ଯ୍ୟନ୍ତ ପହଞ୍ଚି ପାରି ନାହାଁନ୍ତି। କେବଳ ଦେଶରେ କେ.ଆର ନାରାୟଣନ ଏବଂ ରାମନାଥ କୋବିନ୍ଦ ୨ ଜଣ ଦଳିତ ସଂପ୍ରଦାୟର ରାଷ୍ଟ୍ରପତି ହୋଇଛନ୍ତି। ଏହିପରି ବିଭିନ୍ନ କ୍ଷେତ୍ରରେ ଭାରତ ଇତିହାସରେ ଯୋଡି ହେବ ଏହି ଓଡିଆ ଝିଅର ନାମ, ଦ୍ରୋପଦୀ ମୁର୍ମୁ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିବାର ଦ୍ରୌପଦୀ ମୁର୍ମୁଙ୍କୁ ମିଳିଲା ପ୍ରମାଣ ପତ୍ର

ନୂଆଦିଲ୍ଲୀ: ବହୁ ଭୋଟ ବ୍ୟବଧାନରେ ଜିତିଲେ ଓଡିଆ ଝିଅ ଦ୍ରୌପଦୀ ମୁର୍ମୁ। ତାଙ୍କର ପ୍ରତିଦ୍ବନ୍ଦି ଯଶବନ୍ତ ସିହ୍ନାଙ୍କୁ ସେ ୨ ଲକ୍ଷ ୯୬ ହଜାର ୬୨୬ ଖଣ୍ଡ ଭୋଟରେ ପଛରେ ପକାଇ ବିଜୟ ଲାଭ କରିଛନ୍ତି। ଦ୍ରୌପଦୀ ମୁର୍ମୁ ୬ ଲକ୍ଷ ୭୬ ହଜାର ୮୦୩ ଭୋଟ ପାଇଥିବା ବେଳେ ୩ ଲକ୍ଷ ୮୦ ହଜାର ୧୭୭ ଭୋଟ ପାଇଛନ୍ତି ବିରୋଧୀ ପ୍ରାର୍ଥୀ ଯଶବନ୍ତ ସିହ୍ନା।

ଏହାକୁ ସରକାରୀ ଭାବ ଘୋଷଣା କରିଛନ୍ତି ରାଜ୍ୟସଭା ମହାସଚିବ ତଥା ରିଟର୍ଣ୍ଣିଂ ଅପିସର ପି ସି ମୋଦୀ। ସେ ଘୋଷଣା କରିବା ପରେ ଏହାର ପ୍ରମାଣ ପତ୍ରକୁ ନବ ନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ପ୍ରଦାନ କରିଛନ୍ତି। ଆଜି ସଂଧ୍ୟାରେ ନୂଆଦିଲ୍ଲୀର ତ୍ରମୁର୍ତ୍ତି ରୋଡରେ ରୁଥିବା ଦ୍ରୌପଦୀ ଅସ୍ଥାୟୀ ବାସଭବନକୁ ଯାଇଥିଲେ। ସେଠାରେ ସେ ପ୍ରଥମେ ବିଜେତି ପ୍ରମାଣ ପତ୍ରକୁ ସେ ଦ୍ରୌପଦୀଙ୍କୁ ପ୍ରଦାନ କରିଛନ୍ତି। ଏହାପରେ ସେ ଫୁଲ ତୋଡା ଦେଇ ତାଙ୍କୁ ସ୍ବାଗତ କରିଛନ୍ତି।

Categories
ବିଶେଷ ଖବର

ରାଷ୍ଟ୍ରପତି ନିର୍ବାଚନ: ଦ୍ରୌପଦୀ ମୁର୍ମୁଙ୍କ ସପକ୍ଷରେ ପ୍ରବଳ କ୍ରସ ଭୋଟିଂ, ଜାଣନ୍ତୁ କେଉଁ ରାଜ୍ୟରେ କେତେ?

ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନରେ ​​ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଏକ ବଡ଼ ବିଜୟ ହାସଲ କରିଛନ୍ତି। ତୃତୀୟ ରାଉଣ୍ଡ ଗଣତି ଶେଷ ସୁଦ୍ଧା ସେ ୫୦ ପ୍ରତିଶତରୁ ଅଧିକ ଭୋଟ୍ ପାଇଛନ୍ତି। ଦ୍ରୌପଦୀ ମୁର୍ମୁ ସମସ୍ତ ତିନୋଟି ରାଉଣ୍ଡରେ ୨୧୬୧ ଭୋଟ୍ ପାଇଛନ୍ତି ଏବଂ ଏହାର ମୂଲ୍ୟ ହେଉଛି ୫ ଲକ୍ଷ ୭୭ ହଜାର ୭୭୭ ଅଟେ।

ଅନ୍ୟପକ୍ଷରେ ବିରୋଧୀ ଦଳର ପ୍ରାର୍ଥୀ ଯଶବନ୍ତ ସିହ୍ନା ୧୦୫୮ ଭୋଟ୍ ପାଇଛନ୍ତି ଏବଂ ଏହାର ମୂଲ୍ୟ ୨ ଲକ୍ଷ ୬୧ ହଜାର ୬୨ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୁର୍ମୁଙ୍କୁ ତାଙ୍କ ବିଜୟ ପାଇଁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି ଯେ, ରାଷ୍ଟ୍ରପତି ଭାବରେ ଏକ ଆଦିବାସୀ ସମ୍ପ୍ରଦାୟର ଝିଅ ଭାରତ ପାଇଁ ଇତିହାସ ଲେଖିଛି। ସେ କହିଛନ୍ତି ଯେ, ଦ୍ରୌପଦୀ ମୁର୍ମୁଙ୍କ ଜୀବନ ​​ଏକ ଉଦାହରଣ। ତାଙ୍କର ସଫଳତା ପ୍ରତ୍ୟେକ ଭାରତୀୟଙ୍କୁ ପ୍ରେରଣା ଯୋଗାଇବ, ସେ ନାଗରିକଙ୍କ ପାଇଁ ଆଶାର କିରଣ ଭାବରେ ଉଭା ହୋଇଛନ୍ତି।

ଏହି ନିର୍ବାଚନରେ ​​ବିରୋଧୀ ଶିବିର ଏକ ବଡ଼ ଅସୁବିଧାର ସମ୍ମୁଖୀନ ହୋଇଛି। ୧୭ ସାଂସଦ ମୁର୍ମୁଙ୍କୁ ସମର୍ଥନ କରି କ୍ରସ୍ ଭୋଟ୍ ଦେଇଛନ୍ତି। ଏଥି ସହିତ, ୧୧୩ ବିଧାୟକ ମଧ୍ୟ କ୍ରସ ଭୋଟିଂ କରିଛନ୍ତି।

କେଉଁଠାରେ କେତେଜଣ ବିଧାୟକ କ୍ରସ ଭୋଟ୍ କରିଛନ୍ତି?:

ବିହାର – ୬
ଅରୁଣାଚଳ ପ୍ରଦେଶ – ୧ ବିଧାୟକ
ଆସାମ – ୨୨
ଛତିଶଗଡ – ୬
ଗୋଆ – ୪
ଗୁଜୁରାଟ – ୧୦
ହରିୟାଣା – ୧
ହିମାଚଳ ପ୍ରଦେଶ – ୨
ଝାଡଖଣ୍ଡ -୧୦
ମଧ୍ୟପ୍ରଦେଶ – ୧୮
ମହାରାଷ୍ଟ୍ର – ୧୬
ମେଘାଳୟ – ୭

ପୂର୍ବତନ ଅର୍ଥମନ୍ତ୍ରୀ ଯଶବନ୍ତ ସିହ୍ନାଙ୍କୁ ବିରୋଧୀ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ମନୋନୀତ କରିଥିଲେ। ସେମାନେ ଏକ ବଡ଼ ପରାଜୟର ସମ୍ମୁଖୀନ ହୋଇଛନ୍ତି। ପରାଜୟକୁ ଗ୍ରହଣ କରିବା ସହିତ ସେମାନେ ରାଷ୍ଟ୍ରପତି ନିର୍ବାଚନରେ ​​ବିଜୟ ପାଇଁ ଦ୍ରୌପଦୀ ମୁର୍ମୁଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସିହ୍ନା କହିଛନ୍ତି ଯେ, ପ୍ରତ୍ୟେକ ଭାରତୀୟ ଆଶା କରନ୍ତି ଯେ, ଦ୍ରୌପଦୀ ମୁର୍ମୁ ଭୟ ଏବଂ ପକ୍ଷପାତ ବିନା ସମ୍ବିଧାନରେ ସଂରକ୍ଷକ ଭାବରେ କାର୍ଯ୍ୟ କରିବେ।

Categories
ଆଜିର ଖବର ଜାତୀୟ ଖବର

ନବନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ/ଭୁବନେଶ୍ୱର: ଦେଶର ୧୫ତମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିବା ଓଡ଼ିଶାର ଗୌରବ ଜନଜାତି ଜନନେତ୍ରୀ ଦ୍ରୌପଦୀ ମୁର୍ମୁଙ୍କୁ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନୂଆଦିଲ୍ଲୀ ଠାରେ ଭେଟି ଅଭିନନ୍ଦନ ଜଣାଇଛନ୍ତି।

ତାଙ୍କ ବିଜୟ ନେଇ ଶ୍ରୀ ପ୍ରଧାନ ଟ୍ୱିଟ୍ କରି କହିଛନ୍ତି ଜନଜାତି ଜନନେତ୍ରୀ ଦ୍ରୌପଦୀ ମୁର୍ମୁ ଦେଶର ଆଶା, ପ୍ରତିବଦ୍ଧତା ଏବଂ ଏକ ସଶକ୍ତ ଭାରତ ଓ ସୁଦୃଢ଼ ଗଣତନ୍ତ୍ରରୁ ପ୍ରତିନିଧିତ୍ୱ କରୁଛନ୍ତି। ତାଙ୍କର ବିଜୟ, ପ୍ରତ୍ୟେକ ଭାରତୀୟ ବିଶେଷ ଭାବରେ ଜନଜାତି ସମୁଦାୟ, ଏବଂ ଦେଶର ସାଧାରଣ ନାଗରିକଙ୍କ ବିଜୟ। ଶ୍ରୀମତୀ ମୁର୍ମୁଙ୍କ ଏହି ଐତିହାସିକ ବିଜୟରେ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଉଛି। ତାଙ୍କର ବିଜୟ ମହିଳା ସଶକ୍ତିକରଣ, ସାମାଜିକ ନ୍ୟାୟ, ମହିଳା ନେତୃତ୍ୱ, ବହୁସଂଖ୍ୟକ ଓ ସର୍ବସ୍ପର୍ଶୀ ସମାଜର ପ୍ରତୀକ, ଯାହା ନୂଆ ଭାରତର ପ୍ରତିବଦ୍ଧତାକୁ ଦର୍ଶାଉଛି। ଜଣେ ଓଡ଼ିଆ ଭାବରେ, ରାଷ୍ଟ୍ରପତି ନିର୍ବାଚନରେ ଓଡ଼ିଶାର ଗୌରବ ଶ୍ରୀମତୀ ମୁର୍ମୁଙ୍କ ବିଜୟ ମୋତେ ବ୍ୟକ୍ତିଗତ ଭାବରେ ବହୁତ ଆନନ୍ଦ ଦେଇଛି । ସାଧାରଣ ପରିବାରରୁ ଆସିଥିବା ଶ୍ରୀମତୀ ମୁର୍ମୁଙ୍କ ରାଇରଙ୍ଗପୁରରୁ ରାଷ୍ଟ୍ରପତି ଭବନର ଯାତ୍ରା ସମସ୍ତଙ୍କୁ ପ୍ରେରିତ କରିବ।

ଏନଡ଼ିଏର ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ମନୋନୀତ ହୋଇ ଆଜିର ବିପୁଳ ବିଜୟ ପାଇଁ ଶ୍ରୀ ପ୍ରଧାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା, ସ୍ୱରାଷ୍ଟ୍ର ମନ୍ତ୍ରୀ  ଅମିତ ଶାହ ଓ ଏନଡ଼ିଏର ନେତୃତ୍ୱ ମାନଙ୍କୁ କୃତଜ୍ଞତା ଜଣାଇଛନ୍ତି। ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଆଜି ଦେଶ ପାଇଁ ଏକ ଐତିହାସିକ ଦିନ। ଜନଜାତି ଜନନେତ୍ରୀ ଶ୍ରୀମତୀ ମୁର୍ମୁଙ୍କୁ ଦେଶର ୧୫ତମ ରାଷ୍ଟ୍ରପତି ଭାବେ ଘୋଷଣା କରାଯାଇଛି। ମୟୂରଭଞ୍ଜ ଜିଲ୍ଲାର ଏକ ସାଧାରଣ ସାଧାରଣ ଜନଜାତି ପରିବାରରୁ ଆସି ଶ୍ରୀମତୀ ମୁର୍ମୁ ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦବୀକୁ ଅଳଙ୍କୃତ କରିବାକୁ ଯାଉଥିବାରୁ ସମାଜର ବଞ୍ଚିତ, ମହିଳା, ଜନଜାତି ତଥା ଓଡ଼ିଶା ସମେତ ପୂର୍ବ ଭାରତରେ ଅପୂର୍ବ ଆନନ୍ଦର ଲହରୀ ଖେଳିଯାଇଛି। ସାଧାରଣ ପରିବାରରୁ ଆସି ଏକ ସାଧାରଣ କାର୍ଯ୍ୟକର୍ତ୍ତା ଦେଶର ରାଷ୍ଟ୍ରପତି ହେବା ଆମ ଗଣତନ୍ତ୍ରର ସବୁଠୁ ବଡ଼ ଉପଲବ୍ଧି।

ଶ୍ରୀମତୀ ମୁର୍ମୁଙ୍କ ପାଇଁ ଓଡ଼ିଶାବାସୀ ଗୌରବାନ୍ୱିତ ଏବଂ ଜଣେ ଓଡ଼ିଆ ଭାବରେ ମୁଁ ଗର୍ବିତ।  ତାଙ୍କ କାର୍ଯ୍ୟରୁ ଜନଜାତି ଓ ମହିଳାଙ୍କ ପ୍ରତି ଥିବା  ତାଙ୍କର ସମ୍ବେଦନଶୀଳତା, କର୍ତ୍ତବ୍ୟବୋଧର ପ୍ରମାଣ ମିଳେ। ଦେଶରେ ପ୍ରାୟ ୫୦ ପ୍ରତିଶତରୁ ଉର୍ଦ୍ଧ୍ୱ ଜନସଂଖ୍ୟା ମହିଳା ଥିବା ବେଳେ ଏହି ପୃଷ୍ଠଭୂମିର ନେତୃତ୍ୱଙ୍କୁ ରାଷ୍ଟ୍ରପତି କରି ଆଜି ଦେଶ ବିଜୟ ସହ ନୂଆ ଇତିହାସ ସୃଷ୍ଟି କରିଛି। ଜନଜାତି ସମାଜର ଭଗବାନ ବିର୍ସା ମୁଣ୍ଡା, ଲକ୍ଷ୍ମଣ ନାୟକ, ମାଧୋ ସିଂହ ଦେଶକୁ ସ୍ୱାଧୀନତା ଦେବା ପାଇଁ ବଳିଦାନ ଦେଇଥିଲେ। ଆଜି ସେହି ସମାଜରୁ ଜନଜାତି ଜନନେତ୍ରୀ ଶ୍ରୀମତୀ ମୁର୍ମୁ ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ଆନନ୍ଦର ବିଷୟ ବୋଲି ଶ୍ରୀ ପ୍ରଧାନ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି।

ପ୍ରଥମ ଓଡ଼ିଆ ଏବଂ ଦେଶର ପ୍ରଥମ ଜନଜାତି ମହିଳା ଭାବେ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହେବା ଅବସରରେ ଦିଲ୍ଲୀରେ ବସବାସ କରୁଥିବା ବିଶିଷ୍ଟ ବ୍ୟକ୍ତିବିଶେଷ ଏବଂ ଓଡ଼ିଆ ଭାଇ ଭଉଣୀମାନେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସରକାରୀ ବାସଭବନରେ ଏକାଠୀ ହୋଇଥିଲେ। ସେଠାରେ ପାରମ୍ପରିକ ନୃତ୍ୟ ଗୀତ ସହ ଏକ ଉତ୍ସବର ବାତାବରଣ ତିଆରି ହୋଇଥିଲା। ଖୋଦ୍ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଏହି ଉତ୍ସବରେ ସାମିଲ ହୋଇଥିଲେ ଏବଂ ଶ୍ରୀମତୀ ମୁର୍ମୁଙ୍କ ବାସଭବନକୁ ଯାଇ ତାଙ୍କୁ ବିଜୟ ପାଇଁ ଶୁଭେଚ୍ଛା ଓ ସମ୍ବର୍ଦ୍ଧନା ଜଣାଇଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର

ଦ୍ଵିତୀୟ ପର୍ଯ୍ୟାୟ ଗଣତି: ବଡ଼ ବିଜୟ ଆଡକୁ ଗତି କରୁଛନ୍ତି ଦ୍ରୌପଦୀ ମୁର୍ମୁ, ଜାଣନ୍ତୁ ଯଶୱନ୍ତ ସିହ୍ନାଙ୍କ ସ୍ଥିତି

ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଗଣନା ଚାଲିଛି। ଦ୍ୱିତୀୟ ରାଉଣ୍ଡରେ ଏନଡିଏର ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଭଲ ଅଗ୍ରଣୀ ହାସଲ କରିଛନ୍ତି ଏବଂ ସେ ଏକ ବଡ ବିଜୟ ଆଡକୁ ଯାଉଥିବା ଜଣାପଡିଛି। ଦ୍ୱିତୀୟ ରାଉଣ୍ଡରେ ଏପର୍ଯ୍ୟନ୍ତ ସମୁଦାୟ ୧୧୩୮ ଭୋଟ ଗଣନା କରାଯାଇଛି, ଯାହାର ମୂଲ୍ୟ ୧ ଲକ୍ଷ ୪୯ ହଜାର ୫୭୫ ଅଟେ। ଏହି ରାଉଣ୍ଡରେ ଦ୍ରୌପଦୀ ମୁର୍ମୁ ୮୦୯ ଭୋଟ୍ ପାଇଛନ୍ତି ଯାହାର ମୂଲ୍ୟ ୧ ଲକ୍ଷ ୫ ହଜାର ୨୯୯ ଏବଂ ଯଶୱନ୍ତ ସିହ୍ନା ୩୨୯ ଭୋଟ୍ ପାଇଛନ୍ତି, ଯାହାର ମୂଲ୍ୟ ୪୪ ହଜାର ୨୭୬ ଅଟେ।

ତେବେ ପ୍ରଥମ ପର୍ଯ୍ୟାୟ ଗଣନାରେ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ୫୪୦ ସାଂସଦଙ୍କ ଭୋଟ୍ ପାଇଛନ୍ତି, ଯାହାର ମୂଲ୍ୟ ୩ ଲକ୍ଷ ୭୮ ହଜାର ଭୋଟ୍। ଅନ୍ୟପକ୍ଷରେ ବିରୋଧୀ ପ୍ରାର୍ଥୀ ଯଶବନ୍ତ ସିହ୍ନା ୨୦୮ ସାଂସଦଙ୍କ ଭୋଟ୍ ପାଇଥିଲେ, ଯାହାର ମୂଲ୍ୟ ୧ ଲକ୍ଷ ୪୫ ହଜାର ୬୦୦ ଅଟେ। ସାଂସଦମାନେ ମୋଟ ୭୪୮ ଭୋଟ୍ ଦେଇଥିଲେ, ଯାହାର ମୂଲ୍ୟ ୫ ଲକ୍ଷ ୨୩ ହଜାର ୬୦୦ ଥିଲା।

ଏକାସାଙ୍ଗରେ ସମୁଦାୟ ୧୮୮୬ ଭୋଟ ଗଣନା କରାଯାଇଛି, ଯାହାର ମୂଲ୍ୟ ୬ ଲକ୍ଷ ୭୩ ହଜାର ୧୭୫ ଅଟେ। ଏଥିମଧ୍ୟରୁ ଦ୍ରୌପଦୀ ମୁର୍ମୁ ୧୩୪୯ ଭୋଟ୍ ପାଇଛନ୍ତି, ଯାହାର ମୂଲ୍ୟ ୪ ଲକ୍ଷ ୮୩ ହଜାର ୨୯୯ ଏବଂ ଯଶୱନ୍ତ ସିହ୍ନା ୫୩୭ ଭୋଟ୍ ପାଇଛନ୍ତି, ଯାହାର ମୂଲ୍ୟ ୧ ଲକ୍ଷ ୮୯ ହଜାର ୮୭୬ ଅଟେ। ଏପର୍ଯ୍ୟନ୍ତ ଏନଡିଏ ପ୍ରାର୍ଥୀ ଦଦ୍ରୌପଦୀ ମୁର୍ମୁ ମତଦାନର ମୋଟ ଭୋଟର ୭୧.୭୯ ପ୍ରତିଶତ ପାଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ରାଷ୍ଟ୍ରପତି ନିର୍ବାଚନ: ଦ୍ରୌପଦୀ ମୁର୍ମୁଙ୍କୁ ମିଳିଛି ୫୪୦ ଭୋଟ, ଜାଣନ୍ତୁ ଜଶୱନ୍ତ ସିହ୍ନାଙ୍କ ସ୍ଥିତି କ’ଣ?

ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ୍ ଗଣନାରେ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଆଗୁଆ ଅଛନ୍ତି। ରାଜ୍ୟସଭା ସଚିବ ପିସି ମୋଦୀ କହିଛନ୍ତି ଯେ, ସାଂସଦଙ୍କ ଭୋଟ୍ ଗଣନା କରାଯାଇଛି। ମୋଟ ୭୪୮ ଭୋଟ୍ ଗଣତି ହୋଇଛି, ଯାହାର ମୂଲ୍ୟ ୫ ଲକ୍ଷ ୨୩ ହଜାର ୬୦୦ ଅଟେ। ସେଥିରୁ ଦ୍ରୌପଦୀ ମୁର୍ମୁଙ୍କୁ ୫୪୦ସାଂସଦ ଭୋଟ୍ ଦେଇଛନ୍ତି, ଯାହାର ମୂଲ୍ୟ ୩ ଲକ୍ଷ ୭୮ ହଜାର ଅଟେ। ସେହିଭଳି ଯଶୱନ୍ତ ସିହ୍ନା ୨୦୮ ସାଂସଦଙ୍କ ଭୋଟ୍ ପାଇଛନ୍ତି, ଯାହାର ମୂଲ୍ୟ ୧ ଲକ୍ଷ ୪୫ ହଜାର ୬୦୦ ଅଟେ।

ରାଜ୍ୟସଭା ସଚିବ ଜେନେରାଲ ପିସି ମୋଦୀ କହିଛନ୍ତି ଯେ, ମୋଟ ୧୫ ସାଂସଦଙ୍କ ଭୋଟ୍ ନାକଚ ହୋଇଛି।

Categories
ବିଶେଷ ଖବର

କାଉନସିଲରରୁ ଆରମ୍ଭ ହେଲା ଯାତ୍ରା, ରାଷ୍ଟ୍ରପତି ହେବା ମାତ୍ରେ ଏହି ୫ ଟି ରେକର୍ଡ ପ୍ରସ୍ତୁତ କରିବେ ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ: ଦେଶର ପରବର୍ତ୍ତୀ ରାଷ୍ଟ୍ରପତିଙ୍କ ଘୋଷଣା ଖୁବ୍ ଶୀଘ୍ର କରାଯିବ। ଦେଶର ୩୧ ଟି ମତଦାନ କେନ୍ଦ୍ରରେ ଅନୁଷ୍ଠିତ ଭୋଟର ଗଣନା ସଂସଦ ଭବନରେ ଚାଲିଛି। ରାଷ୍ଟ୍ରପତି ନିର୍ବାଚନରେ ​​ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ବିଜୟ ହେବାର ସମ୍ଭାବନା ରହିଛି। ବିଜୟକୁ ନେଇ ଆତ୍ମବିଶ୍ୱାସୀ ବିଜେପି ମଧ୍ୟ ଉତ୍ସବ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି। ଯଦି ଦ୍ରୌପଦୀ ମୁର୍ମୁ ଜିତନ୍ତି, ତେବେ ସେ ଦେଶର ପ୍ରଥମ ଆଦିବାସୀ ମହିଳା ସଭାପତି ହେବେ ଏବଂ ଏହି ୫ ଟି ରେକର୍ଡ ମଧ୍ୟ ତାଙ୍କ ନାମରେ ରହିବ। ଆସନ୍ତୁ ଜାଣିବା ଏହି ରେକର୍ଡଗୁଡ଼ିକ କ’ଣ ହେବ?

ପ୍ରଥମ ରେକର୍ଡ ହେଉଛି ଯେ ସେ ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦବୀରେ ପହଞ୍ଚିଥିବା ପ୍ରଥମ ଆଦିବାସୀ ମହିଳା ନେତା ହେବେ। ମୁର୍ମୁ ଓଡିଶାର ମୟୂରଭଞ୍ଜ ଜିଲ୍ଲାର ସାନ୍ତାଳ ସମ୍ପ୍ରଦାୟର ଏକ ଗରିବ ଆଦିବାସୀ ପରିବାରରେ ଜନ୍ମଗ୍ରହଣ କରିଥିଲେ। ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଆଦିବାସୀ ପ୍ରଧାନମନ୍ତ୍ରୀ କିମ୍ବା ରାଷ୍ଟ୍ରପତିଙ୍କ ଆସନରେ ପହଞ୍ଚି ନାହାଁନ୍ତି। କେବଳ ଦେଶରେ କେ.ଆର ନାରାୟଣନ ଏବଂ ରାମନାଥ କୋବିନ୍ଦଙ୍କ ରୂପରେ ୨ ଜଣ ଦଳିତ ରାଷ୍ଟ୍ରପତି ହୋଇପାରିଛନ୍ତି।

ଦ୍ୱିତୀୟ ରେକର୍ଡ: ଦ୍ରୌପଦୀ ମୁର୍ମୁ ପ୍ରଥମ ରାଷ୍ଟ୍ରପତି ହେବେ ଯିଏ ସ୍ୱାଧୀନତା ପରେ ଦେଶରେ ଜନ୍ମ ହୋଇଥିଲେ। ୧୯୪୭ ମସିହାରେ ଦେଶ ସ୍ୱାଧୀନତା ପାଇବାର ପ୍ରାୟ ୧୧ ବର୍ଷ ପରେ ଦ୍ରୌପଦୀ ମୁର୍ମୁ ୨୦ ଜୁନ୍ ୧୯୫୮ ରେ ଜନ୍ମଗ୍ରହଣ କରିଥିଲେ। ଦେଶର ସମସ୍ତ ରାଷ୍ଟ୍ରପତି ୧୯୪୭ ପୂର୍ବରୁ ଜନ୍ମ ହୋଇଥିଲେ।

ତୃତୀୟ ରେକର୍ଡ: ସର୍ବ କନିଷ୍ଠ ରାଷ୍ଟ୍ରପତି ହେବାର ଆଖ୍ୟା ମଧ୍ୟ ମୁର୍ମୁକୁ ଯିବ। ଦେଶର ସର୍ବ କନିଷ୍ଠ ରାଷ୍ଟ୍ରପତି ହେବାର ରେକର୍ଡ ନୀଲମ ସଞ୍ଜୀବ ରେଡ୍ଡୀଙ୍କ ନାମରେ ଅଛି, ଯିଏ ୧୯୭୭ ମସିହାରେ ନିର୍ବିରୋଧ ରାଷ୍ଟ୍ରପତି ହୋଇଥିଲେ। ରେଡ୍ଡୀଙ୍କ ବୟସ ୬୪ ବର୍ଷ, ୨ ମାସ ୬ ଦିନ ଥିଲା ଯେତେବେଳେ ସେ ରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କଲେ। ଏଥି ସହିତ, ୨୦ ଜୁନ୍ ୧୯୫୮ ରେ ଜନ୍ମ ହୋଇଥିବା ଦ୍ରୌପଦୀ ମୁର୍ମୁଙ୍କ ବୟସ ୨୫ ଜୁଲାଇ ୨୦୨୨ ରେ କାର୍ଯ୍ୟଭାର ଗ୍ରହଣ କରିବା ସମୟରେ ୬୪ ବର୍ଷ, ୧ ମାସ ୮ ଦିନ ହେବ।

ଚତୁର୍ଥ ରେକର୍ଡ: ଏହା ପ୍ରଥମ ଥର ହେବ ଯେ ଜଣେ ବ୍ୟକ୍ତି ଯିଏ ଏକ ସମୟରେ କାଉନସିଲର ଥିଲେ ସେ ଭାରତରେ ରାଷ୍ଟ୍ରପତି ପଦରେ ପହଞ୍ଚିବେ। ଦ୍ରୌପଦୀ ମୁର୍ମୁ ୧୯୯୭ ରେ ରାଇରଙ୍ଗପୁର ନଗର ପଞ୍ଚାୟତର କାଉନସିଲର ହେବା ସହିତ ନିଜର ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ। ତିନି ବର୍ଷ ପରେ, ୨୦୦୦ ମସିହାରେ ସେ ପ୍ରଥମ ଥର ପାଇଁ ବିଧାୟକ ହେଲେ। ଏଥିସହ ସେ ଓଡିଶାର ବିଜେଡି-ବିଜେପି ସରକାରରେ ଦୁଇଥର ମନ୍ତ୍ରୀ ପଦରେ ରହିଥିଲେ।

ପଞ୍ଚମ ରେକର୍ଡ: ଦ୍ରୌପଦୀ ମୁର୍ମୁଙ୍କ ବିଜୟ ସହିତ ଓଡିଶାର ନାମ ମଧ୍ୟ ସେହି ରାଜ୍ୟରେ ଅନ୍ତର୍ଭୁକ୍ତ ହେବ, ଯାହାର ଲୋକମାନେ ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦରେ ପହଞ୍ଚିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ରାଷ୍ଟ୍ରପତିଙ୍କ ଆସନରେ ବସିଥିବା ୭ ଜଣ ଲୋକ ଦକ୍ଷିଣ ଭାରତର। ଦେଶର ପ୍ରଥମ ରାଷ୍ଟ୍ରପତି ଡକ୍ଟର ରାଜେନ୍ଦ୍ର ପ୍ରସାଦ ବିହାରର ଥିଲେ।