Categories
ଆଜିର ଖବର ଜାତୀୟ ଖବର

ଏଥର ଗୁଜୁରାଟରୁ ଆରମ୍ଭ ହେବ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡା ଯାତ୍ରାର ଦ୍ଵିତୀୟ ପର୍ଯ୍ୟାୟ

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ‘ଭାରତ ଯୋଡା ଯାତ୍ରା’ର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ କରିବାକୁ ଯାଉଛନ୍ତି। ଏହି ସମୟ ମଧ୍ୟରେ ସେ ଗୁଜୁରାଟରୁ ମେଘାଳୟ ପର୍ଯ୍ୟନ୍ତ ପଦଯାତ୍ରା କରିବେ। ଯେଉଁ ସମୟରେ ରାହୁଲ ଗାନ୍ଧୀ ତାଙ୍କର ଯାତ୍ରା ଆରମ୍ଭ କରିବେ, ସେତେବେଳେ ହିଁ ମହାରାଷ୍ଟ୍ର କଂଗ୍ରେସ ମଧ୍ୟ ସମଗ୍ର ରାଜ୍ୟରେ ପଦଯାତ୍ରା ଆରମ୍ଭ କରିବ। ମହାରାଷ୍ଟ୍ର କଂଗ୍ରେସ ମୁଖ୍ୟ ନାନା ପାଟୋଲ ଏହି ସୂଚନା ଦେଇଛନ୍ତି। ତେବେ ସେ ଯାତ୍ରାର ମାର୍ଗ ଏବଂ ତାରିଖ ବିଷୟରେ କୌଣସି ସୂଚନା ଦେଇ ନାହାଁନ୍ତି।

ସେ କହିଛନ୍ତି ଯେ, ସେ ନିଜେ ପୂର୍ବ ବିଦର୍ଭରେ ପଦଯାତ୍ରାକୁ ଆଗେଇ ନେବେ। ଏହି ପଦଯାତ୍ରାରେ ପଶ୍ଚିମ ବିଦର୍ଭରେ ବିଜୟ ୱାଡେଟିୱାର, ଉତ୍ତର ମହାରାଷ୍ଟ୍ରର ବାଲାସାହେବ ଥୋରାଟ, ମରାଠୱାଡାର ଅଶୋକ ଚହ୍ଵାନ ଏବଂ ପଶ୍ଚିମ ମହାରାଷ୍ଟ୍ରର ପୃଥ୍ବୀରାଜ ଚହ୍ଵାନ ଏବଂ ମୁମ୍ବାଇର ବର୍ଷା ଗାଇକ୍ଵାଡ ନେତୃତ୍ୱ ନେବେ। ସମସ୍ତ ନେତା କୋକଣରେ ସେମାନଙ୍କର ପଦଯାତ୍ରା ସମାପ୍ତ କରିବେ।

ପଦ ଯାତ୍ରା ପରେ ବସ୍ ଯାତ୍ରା ହେବ:

ଶ୍ରୀ ପାଟୋଲ କହିଛନ୍ତି ଯେ, ପଦଯାତ୍ରା ପରେ ଆମେ ମହାରାଷ୍ଟ୍ର ଦେଇ ଏକ ବସ୍ ଯାତ୍ରା ଆରମ୍ଭ କରିବୁ। ବସ୍ ଭ୍ରମଣରେ ସେମାନେ ସାରା ରାଜ୍ୟ ଭ୍ରମଣ କରିବେ, ସଭା କରିବେ ଏବଂ ଲୋକଙ୍କ ସହ କଥା ହେବେ। ଏହି ସମୟ ମଧ୍ୟରେ ସମସ୍ତ ନେତା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅଭାବକୁ ଲୋକଙ୍କ ନିକଟରେ ପହଞ୍ଚାଇବେ। ଏହା ସହିତ ଆଗାମୀ ସମୟରେ ମହାରାଷ୍ଟ୍ରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିବ।

ଏହାପୂର୍ବରୁ ଗତ ବର୍ଷ ସେପ୍ଟେମ୍ବରରେ ରାହୁଲ ଗାନ୍ଧୀ ଭାରତ ଯୋଡା ଯାତ୍ରା ଆରମ୍ଭ କରିଥିଲେ ଏବଂ ୧୨ ଟି ରାଜ୍ୟ ଏବଂ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳକୁ ଅନ୍ତର୍ଭୁକ୍ତ କରିଥିଲେ। ଏହି ଯାତ୍ରା କନ୍ୟାକୁମାରୀରୁ ଆରମ୍ଭ ହୋଇ କାଶ୍ମୀରରେ ଶେଷ ହୋଇଥିଲା। ଏହି ଯାତ୍ରା ୧୩୦ ଦିନରୁ ଅଧିକ ସମୟ ଧରି ଚାଲିଥିଲା।

Categories
ଜାତୀୟ ଖବର ବିଶେଷ ଖବର

ଦ୍ଵିତୀୟ ପର୍ଯ୍ୟାୟ ଗଣତି: ବଡ଼ ବିଜୟ ଆଡକୁ ଗତି କରୁଛନ୍ତି ଦ୍ରୌପଦୀ ମୁର୍ମୁ, ଜାଣନ୍ତୁ ଯଶୱନ୍ତ ସିହ୍ନାଙ୍କ ସ୍ଥିତି

ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଗଣନା ଚାଲିଛି। ଦ୍ୱିତୀୟ ରାଉଣ୍ଡରେ ଏନଡିଏର ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଭଲ ଅଗ୍ରଣୀ ହାସଲ କରିଛନ୍ତି ଏବଂ ସେ ଏକ ବଡ ବିଜୟ ଆଡକୁ ଯାଉଥିବା ଜଣାପଡିଛି। ଦ୍ୱିତୀୟ ରାଉଣ୍ଡରେ ଏପର୍ଯ୍ୟନ୍ତ ସମୁଦାୟ ୧୧୩୮ ଭୋଟ ଗଣନା କରାଯାଇଛି, ଯାହାର ମୂଲ୍ୟ ୧ ଲକ୍ଷ ୪୯ ହଜାର ୫୭୫ ଅଟେ। ଏହି ରାଉଣ୍ଡରେ ଦ୍ରୌପଦୀ ମୁର୍ମୁ ୮୦୯ ଭୋଟ୍ ପାଇଛନ୍ତି ଯାହାର ମୂଲ୍ୟ ୧ ଲକ୍ଷ ୫ ହଜାର ୨୯୯ ଏବଂ ଯଶୱନ୍ତ ସିହ୍ନା ୩୨୯ ଭୋଟ୍ ପାଇଛନ୍ତି, ଯାହାର ମୂଲ୍ୟ ୪୪ ହଜାର ୨୭୬ ଅଟେ।

ତେବେ ପ୍ରଥମ ପର୍ଯ୍ୟାୟ ଗଣନାରେ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ୫୪୦ ସାଂସଦଙ୍କ ଭୋଟ୍ ପାଇଛନ୍ତି, ଯାହାର ମୂଲ୍ୟ ୩ ଲକ୍ଷ ୭୮ ହଜାର ଭୋଟ୍। ଅନ୍ୟପକ୍ଷରେ ବିରୋଧୀ ପ୍ରାର୍ଥୀ ଯଶବନ୍ତ ସିହ୍ନା ୨୦୮ ସାଂସଦଙ୍କ ଭୋଟ୍ ପାଇଥିଲେ, ଯାହାର ମୂଲ୍ୟ ୧ ଲକ୍ଷ ୪୫ ହଜାର ୬୦୦ ଅଟେ। ସାଂସଦମାନେ ମୋଟ ୭୪୮ ଭୋଟ୍ ଦେଇଥିଲେ, ଯାହାର ମୂଲ୍ୟ ୫ ଲକ୍ଷ ୨୩ ହଜାର ୬୦୦ ଥିଲା।

ଏକାସାଙ୍ଗରେ ସମୁଦାୟ ୧୮୮୬ ଭୋଟ ଗଣନା କରାଯାଇଛି, ଯାହାର ମୂଲ୍ୟ ୬ ଲକ୍ଷ ୭୩ ହଜାର ୧୭୫ ଅଟେ। ଏଥିମଧ୍ୟରୁ ଦ୍ରୌପଦୀ ମୁର୍ମୁ ୧୩୪୯ ଭୋଟ୍ ପାଇଛନ୍ତି, ଯାହାର ମୂଲ୍ୟ ୪ ଲକ୍ଷ ୮୩ ହଜାର ୨୯୯ ଏବଂ ଯଶୱନ୍ତ ସିହ୍ନା ୫୩୭ ଭୋଟ୍ ପାଇଛନ୍ତି, ଯାହାର ମୂଲ୍ୟ ୧ ଲକ୍ଷ ୮୯ ହଜାର ୮୭୬ ଅଟେ। ଏପର୍ଯ୍ୟନ୍ତ ଏନଡିଏ ପ୍ରାର୍ଥୀ ଦଦ୍ରୌପଦୀ ମୁର୍ମୁ ମତଦାନର ମୋଟ ଭୋଟର ୭୧.୭୯ ପ୍ରତିଶତ ପାଇଛନ୍ତି।

Categories
PanchayatElection ଆଞ୍ଚଳିକ

ବାଣପୁର: ଥମିଲା ଦ୍ଵିତୀୟ ପର୍ଯ୍ୟାୟ ପାଇଁ ନିର୍ବାଚନୀ ପ୍ରଚାର, ମତଦାନ ପାଇଁ ପ୍ରସ୍ତୁତି ଆରମ୍ଭ କଲା ବ୍ଲକ ପ୍ରଶାସନ

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ରାଜ୍ୟରେ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଶେଷ ହୋଇଛି।ଆସନ୍ତା ୧୮ତାରିଖରେ ଦ୍ଵିତୀୟ ପର୍ଯ୍ୟାୟ ପାଇଁ ମତଦାନ ହେବ। ଏହି ଦ୍ଵିତୀୟ ପର୍ଯ୍ୟାୟ ପାଇଁ ଆଜି ନିର୍ବାଚନୀ ପ୍ରଚାର ଶେଷ ହୋଇଛି। ଏହି ପ୍ରରିପ୍ରେକ୍ଷୀରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ପ୍ରଶାସନ ପ୍ରସ୍ତୁତି ଆରମ୍ଭ କରିଦେଇଛି।

୨୩୩ ବୁଥକୁ ବୁଥ ଅଫିସର ସମେତ ପୁଲିଙ୍ଗ ଅଫିସର ମାନଙ୍କୁ ପଠାଯାଇଛି। ଏହା ସହ କିଭଳି ଶୃଙ୍ଖଳିତ ଭାବେ ମତଦାନ ସଂପୁଣ୍ଣ ହେବ, ତାହା ଉପରେ ବାଣପୁର ବ୍ଲକ ପ୍ରଶାସନ ଗୁରୁତ୍ଵ ଦେଇଛି। ସମସ୍ତ ପୋଲିସ ପ୍ରଶାସନ ନିର୍ବାଚନ ଡିଉଟିରେ ଥିବା ସମସ୍ତ କର୍ମଚାରୀମାନେ ୧୮ ତାରିଖ ମତଦାନ ପାଇଁ ପ୍ରସ୍ତୁତ ହୋଇରହିଛନ୍ତି।

ବାଣପୁର ବ୍ଲକରେ ତିନୋଟି ଜୋନରେ ନିର୍ବାଚନ ପାଇଁ ମତଦାନ କରିବେ ଲୋକେ। ବାଣପୁର ବ୍ଲକରେ ୨୩୩ ଟି ବୁଥରେ ୧ ଲକ୍ଷ ୩ ହଜାର ୮ ସହ ୧୩ ଜଣ ଭୋଟର ମତଦାନ କରିବେ। କୌଣସି ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ନହେବା ପାଇଁ ବ୍ୟାପକ ପୋଲିସ ଟିମକୁ ନିୟୋଜିତ କରିବା ସହିତ ପାଟ୍ରୋଲିଂର ସମ୍ପୂର୍ଣ୍ଣ ବ୍ୟବସ୍ଥା କରାଯାଇଛି।

Categories
ଆଜିର ଖବର ଆଞ୍ଚଳିକ

ବାଲୁଗାଁରେ ଲକଡାଉନ ନିୟମ ଉଲଂଘନ: ମଦ ଦୋକାନ ସମେତ ବହୁ ଦୋକାନ ଉପରେ ଚଢାଉ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ସାରା ରାଜ୍ୟରେ ବୁଧବାରଠାରୁ ଲକଡ଼ାଉନର ଦ୍ଵିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ଉକ୍ତ ଲକଡ଼ାଉନକୁ ଆହୁରି କଡାକଡି କରାଯାଇଛି। ଅତ୍ୟାବଶ୍ୟକ ସାମଗ୍ରୀ କିଣିବାର ସମୟ ଅବଧିକୁ ୬ ଘଣ୍ଟାରୁ ୪ ଘଣ୍ଟାକୁ କମାଇଦିଆଯାଇଛି। ହେଲେ ଆଜି ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଏନଏସି ଅଞ୍ଚଳରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଥିଲା। ସହରର ବହୁ ମଦ ଦୋକାନୀମାନେ ଲକଡ଼ାଉନ ନିୟମ ଉଲଂଘନ କରି ହୋମ ଡେଲିଭେରି ବଦଳରେ ଖୋଲାରେ ମଦ ବିକୁଥିବାର ଦେଖାଯାଇଥିଲା। ଅନୁରୂପ ଭାବେ ମାଛ ମାର୍କେଟରେ ଦୋକାନୀମାନେ ଲକଡ଼ାଉନ ନିୟମ ଉଲଂଘନ କରିଥିବାର ଦେଖିବାକୁ ମିଳିଥିଲା।

ତେବେ ଏହାକୁ ଗୁରୁତର ସହ ନେଇ ବାଲୁଗାଁ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରିଣୀ ଆକୃତି ଗୋଏଙ୍କା ନିୟମ ଉଲଂଘନକାରୀଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ଦୁଇ ଗୋଟି ମଦ ଦୋକାନ ଏବଂ ଗୋଟାଏ ମାଛ ଦୋକାନୀଙ୍କ ଠାରୁ ବାଲୁଗାଁ ଏନଏସି ୧୦ ହଜାର ୫୦୦ ଟଙ୍କା ଜରିମାନା ଆଦାୟ କରିଛି।

Categories
ଆଜିର ଖବର ଜାତୀୟ ଖବର

ପଶ୍ଚିମବଙ୍ଗ ମତଦାନ: ବିଜେପି ମହିଳା ଏଜେଣ୍ଟଙ୍କୁ ଆକ୍ରମଣ, ପୋଲିସ ମାମଲା ରୁଜ୍ଜୁ କରିନଥିବା ଅଭିଯୋଗ

କଲିକତା: ପଶ୍ଚିମବଙ୍ଗ ଏବଂ ଆସାମରେ ଦ୍ଵିତୀୟ ପର୍ଯ୍ୟାୟର ମତଦାନ ଜାରି ରହିଛି। ପଶ୍ଚିମବଙ୍ଗର ୩୦ ଟି ଆସନ ଏବଂ ଆସାମର ୩୯ ଆସନ ପାଇଁ ଭୋଟ ଗ୍ରହଣ ଚାଲିଛି। ଆଜି ସକାଳୁ ସକାଳୁ କେତେକ ବୁଥରେ ଇଭିଏମ ସମସ୍ୟାକୁ ନେଇ ମାରପିଟ ଖବର ଆସିଛି। ତୃଣମୂଳ କଂଗ୍ରେସ ଏବଂ ଭାରତୀୟ ଜନତା ପାର୍ଟି ପରସ୍ପର ଉପରେ ଭୋଟରଙ୍କୁ ଧମକ ଦେଉଥିବା ଅଭିଯୋଗ ଆଣିଛନ୍ତି।

ଏହା ଭିତରେ ପଶ୍ଚିମ ମିଦନାପୁରରେ ବିଜେପିର ତନ୍ମୟ ଘୋଷଙ୍କ କାର ଉପରକୁ ଟିଏମସି କର୍ମୀମାନେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। କେବଳ ସେତିକି ନୁହେଁ ବିଜେପିର ଏକ ମହିଳା ଏଜେଣ୍ଟ ଉପରକୁ ଆକ୍ରମଣ ହୋଇଥିବା ଅଭିଯୋଗ ମଧ୍ୟ ହୋଇଛି। ଏହି ଘଟଣା ଉପରେ ପୋଲିସକୁ ଅଭିଯୋଗ କରାଯାଇଥିଲେ ମଧ୍ୟ ପୋଲିସ ମାମଲା ରୁଜ୍ଜୁ କରିନଥିବା ବିଜେପି କର୍ମୀ ଅଭିଯୋଗ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ବିଧାନସଭାର ଦ୍ଵିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନ: ଧାନମଣ୍ଡି ସମସ୍ୟାକୁ ନେଇ ବିରୋଧୀଙ୍କ ହଟ୍ଟଗୋଳ

ଭୁବନେଶ୍ବର: ଆଜିଠାରୁ ବିଧାନସଭାର ଦ୍ଵିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନ ଆରମ୍ଭ ହୋଇଛି। କିନ୍ତୁ ଅଧିବେଶନ ଆରମ୍ଭ ହେବ ମାତ୍ରେ ବିରୋଧୀ ଦଳ ହୋ-ହାଲ୍ଲା ଆରମ୍ଭ କରିଦେଇଛନ୍ତି। ଉଭୟ ବିଜେପି ଏବଂ କଂଗ୍ରେସ ଦଳର ବିଧାୟକମାନେ ଗୃହର ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିଛନ୍ତି। ପୁଣିଥରେ ଧାନମଣ୍ଡି ସମସ୍ୟାକୁ ନେଇ ବିରୋଧୀ ଗୃହରେ ହଟ୍ଟଗୋଳ କରିଛନ୍ତି। ମଣ୍ଡିରୁ ଧାନ ଉଠୁନଥିବାରୁ ସେମାନେ ସରକାରକୁ ବିରୋଧ କରି ହୋ-ହଲ୍ଲା କରିଛନ୍ତି। ଯାହାଫଳରେ ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ର ଗୃହକୁ ୧୧.୩୦ ଯାଏଁ ମୁଲତବୀ ଘୋଷଣା କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଆସନ୍ତା ୧୨ରେ ୨ୟ ପର୍ଯ୍ୟାୟ ବଜେଟ ଅଧିବେଶନ: କୋଭିଡ଼ ନେଗେଟିଭ ହେଲେ ମିଳିବ ପ୍ରବେଶ ଅନୁମତି

ଭୁବନେଶ୍ବର: ଆସନ୍ତା ୧୨ ତାରିଖରୁ ବିଧାନସଭାର ଦ୍ଵିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ ଆରମ୍ଭ ହେବ। ବିଧାନସଭା ଭିତରକୁ ପ୍ରବେଶ କରିବାକୁ ଥିବା ସମସ୍ତଙ୍କର କୋଭିଡ଼ ପରୀକ୍ଷା କରିବାକୁ ପଡିବ। ସମସ୍ତେ ଆଣ୍ଟିଜେନ ପରୀକ୍ଷା କରିବାକୁ ନିଷ୍ପତ୍ତି ହୋଇଛି। ରିପୋର୍ଟ ନେଗେଟିଭ ଆସିଲେ ଗୃହ ଭିତରକୁ ପ୍ରବେଶ ଲାଗି ଅନୁମତି ମିଳିବ। ଏନେଇ ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ର ସୂଚନା ଦେଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ଦ୍ଵିତୀୟ ପର୍ଯ୍ୟାୟ ଟିକାକାରଣ ଲାଗି ସରକାରର ନିଷ୍ପତ୍ତି: ପ୍ରଧାନମନ୍ତ୍ରୀ ଏବଂ ସମସ୍ତ ମୁଖ୍ୟମନ୍ତ୍ରୀ ନେବେ ଟିକା

ନୂଆଦିଲ୍ଲୀ: ଆଜି କେନ୍ଦ୍ର ସରକାର ଦ୍ଵିତୀୟ ପର୍ଯ୍ୟାୟ କରୋନା ଟିକାକାରଣ ଲାଗି ଏକ ବଡ ନିଷ୍ପତ୍ତି ନେଇଛନ୍ତି। ଦ୍ଵିତୀୟ ପର୍ଯ୍ୟାୟରେ ୫୦ ବର୍ଷରୁ ଉର୍ଦ୍ଧ୍ଵ ବୟସର ସାଂସଦ ଓ ବିଧାୟକମାନଙ୍କୁ ଏହି ଟିକାକାରଣରେ ସାମିଲ କରାଯିବ। ଏହା ସହିତ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ସମସ୍ତ ମୁଖ୍ୟମନ୍ତ୍ରୀଙ୍କୁ ଏଥିରେ ସାମିଲ କରାଯିବ।

ଟିକାକାରଣକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ହୋଇଥିବା ବୈଠକରେ ଦ୍ଵିତୀୟ ପର୍ଯ୍ୟାୟରେ ସମସ୍ତ ମୁଖ୍ୟମନ୍ତ୍ରୀଙ୍କୁ ସାମିଲ କରାଯିବା ନେଇ ପ୍ରଧାନମନ୍ତ୍ରୀ ପ୍ରତିଶୃତି ଦେଇଥିଲେ। ସେହିପରି ଦ୍ଵିତୀୟ ପର୍ଯ୍ୟାୟରେ ଭାରତୀୟ ସେନା, ଅର୍ଦ୍ଧସୈନିକ ବଳର ଜବାନଙ୍କୁ ମଧ୍ୟ ଏଥିରେ ସାମିଲ କରାଯିବ।

ସୂଚନା ଯୋଗ୍ୟ ଯେ, ବର୍ତ୍ତମାନ ଦେଶରେ ପ୍ରଥମ ପର୍ଯ୍ୟାୟ ଟିକାକାରଣ କାର୍ଯ୍ୟକ୍ରମ ଜାରି ରହିଛି। ଏହି ପର୍ଯ୍ୟାୟରେ ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ୭ ଲକ୍ଷ ସ୍ୱାସ୍ଥ୍ୟକର୍ମୀ ଟିକା ନେଇସାରିଛନ୍ତି।

ତେବେ ପ୍ରଥମ ପର୍ଯ୍ୟାୟ ଟିକାକାରଣ ଶେଷ ହେବା ପରେ ଦ୍ଵିତୀୟ ପର୍ଯ୍ୟାୟ ଟିକାକାରଣ କାର୍ଯ୍ୟକ୍ରମ ଆରମ୍ଭ କରାଯିବ। ଏନେଇ କୌଣସି ତାରିଖ ଏପର୍ଯ୍ୟନ୍ତ ସ୍ଥିର କରାଯାଇ ନାହିଁ।