Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ସମ୍ କୋଭିଡ୍ ହସ୍ପିଟାଲ୍‌ରୁ ସୁସ୍ଥ ହୋଇ ଘରକୁ ଫେରିଲେ ଶତାୟୁ ବୃଦ୍ଧ

ଭୁବନେଶ୍ୱର: କରୋନା ମହାମାରୀର ଦ୍ୱିତୀୟ ଲହରୀର କଷ୍ଟ ଏବଂ ତୃତୀୟ ଲହରୀର ଆଶଙ୍କା ମଧ୍ୟରେ ସମ୍‌ କୋଭିଡ ହସ୍ପିଟାଲ୍‌ରୁ ଆସିଛି ଏକ ଖୁବ୍ ଭଲ ଖବର। କୋଭିଡ୍ ଅନେକ ଚିହ୍ନା ଓ ଅଚିହ୍ନା ମୁହଁ ଛଡାଇ ନେଉଥିବା ବେଳେ ଅନେକ ଗୁରୁତର ହୋଇ ହସ୍ପିଟାଲ୍‌ରେ କଷ୍ଟ ଭୋଗୁଛନ୍ତି।

ତେବେ ସମ୍ କୋଭିଡ ହସ୍ପିଟାଲ୍‌ରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି କୋଭିଡ୍ ଆକ୍ରାନ୍ତ ହୋଇଥିବା ଜଣେ ଶତାୟୁ ବୃଦ୍ଧ। ଭୁବନେଶ୍ୱର ସ୍ଥିତ ଝାରପଡା ଅଂଚଳର ୧୦୦ ବର୍ଷୀୟ ବୃନ୍ଦାବନ ସାମଲ୍ ଗତ ୨୬ ତାରିଖରେ କରୋନା ସଂକ୍ରମିତ ହେବା ପରେ ସମ୍ କୋଭିଡ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ। ହସ୍ପିଟାଲ୍‌ରେଭର୍ତ୍ତି ହେବା ସମୟରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସଂକଟାପନ୍ନ ଥିଲା ଏବଂ ତାଙ୍କୁ ତୁରନ୍ତ ଆଇସିୟୁରେ ଭର୍ତ୍ତି କରାଯାଇଥିଲା।

କରୋନା ସଂକ୍ରମଣ ପରେ ସେ ନିମୋନିଆରେ ପିଡ଼ିତ ଥିବା ସହ ସେ ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଥିଲେ। ଏଥି ସହିତ ତାଙ୍କର କିଡ୍‌ନି ଜନିତ ସମସ୍ୟା ମଧ୍ୟ ପୂର୍ବରୁ ରହିଥିଲା।
ତେଣୁ ତାଙ୍କର ଚିକିତ୍ସା ଡାକ୍ତରଙ୍କ ପାଇଁ ଏକ ଚ୍ୟାଲେଞ୍ଜ ଥିଲା। ମାତ୍ର ସମ୍ କୋଭିଡ ହସ୍ପିଟାଲ୍‌ର ଡାକ୍ତର, ନର୍ସ ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟକର୍ମୀ ମାନଙ୍କର ଉତ୍ତମ ଚିକିତ୍ସା, ସେବା ଓ ଯତ୍ନ ଫଳରେ ଏହି ଶତାୟୁ ବୃଦ୍ଧ ଜଣକ ହସ୍ପିଟାଲ୍‌ରେ ବେଶ୍ କିଛି ଦିନ ଚିକିତ୍ସିତ ହେବା ପରେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ବୃନ୍ଦାବନ ଘରକୁ ଫେରିବା ପରେ ତାଙ୍କ ପରିବାରରେ ଖୁସିର ଲହରୀ ଖେଳିଯାଇଛି। ସମ୍ କୋଭିଡ୍ ହସ୍ପିଟାଲ୍‌କୁ ଅନେକ ପ୍ରଶଂସା କରିଛନ୍ତି ତାଙ୍କ ପରିବାର। ହସ୍ପିଟାଲ୍‌ର ଡାକ୍ତର, ନର୍ସ ମାନଙ୍କର ଚିକିତ୍ସା ଓ ସେବାକୁ ହାର୍ଦ୍ଦିକ କୃତଜ୍ଞତା ଜଣାଇଛନ୍ତି ତାଙ୍କ ନାତି ଆଲୋକ ସାମଲ।

ବିଶେଷ ଭାବେ ନର୍ସମାନେ ନିଜ ହାତରେ ବୃଦ୍ଧଙ୍କୁ ଖାଦ୍ୟ ଖୁଆଇ ଦେବାକୁ ବେଶ ପ୍ରଶଂସା
କରିଛନ୍ତି ତାଙ୍କ ନାତି। ସମ୍ କୋଭିଡ ହସ୍ପିଟାଲ୍ ଯୋଗୁ ହିଁ ତାଙ୍କ ଜେଜେ ଘରକୁ ଫେରିପାରିଲେ ବୋଲି ସେ କହିଛନ୍ତି।

ପୂର୍ବରୁ କୋଭଡି୍‌ର ପ୍ରଥମ ଏବଂ ଦ୍ୱିତୀୟ ଲହରୀରେ ୯୦ ବର୍ଷରୁ ଊର୍ଦ୍ଧ୍ୱ ଅନେକ ବୟୋଜ୍ୟେଷ୍ଠ ପୁରୁଷ ଓ ମହିଳା ସମ୍ କୋଭିଡ୍‌ ହସ୍ପିଟାଲ୍‌ରୁ ସୁସ୍ଥ ହୋଇ ଘରକୁ ଫେରିବାର ନଜିର ରହିଛି।

Categories
ବିଶେଷ ଖବର

କୋଭିଡ-୧୯ ଦ୍ୱିତୀୟ ଲହରୀରେ ପୂର୍ବତଟ ରେଳପଥର କୀର୍ତ୍ତିମାନ ଯୋଦ୍ଧା

ଭୁବନେଶ୍ବର: ଲକଡାଉନ୍ ଏବଂ କରୋନା ଭୁତାଣୁ ସଂକ୍ରମଣର ଦ୍ଵିତୀୟ ଲହରୀ ସତ୍ତ୍ୱେ ଭାରତୀୟ ରେଳବାଇ ସମଗ୍ର ଦେଶରେ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ଓ ପରିବହନକୁ ସୁନିଶ୍ଚିତ କରିଛି। ଭାରତୀୟ ରେଳବାଇ ପେଟ୍ରୋଲିୟମ ଉତ୍ପାଦ, କୋଇଲା ଇତ୍ୟାଦି ବ୍ୟତୀତ ଖାଦ୍ୟ ଶସ୍ୟ, ଫଳ ଏବଂ ପନିପରିବା, ଦୁଗ୍ଧଜାତ ଦ୍ରବ୍ୟ, ଖାଇବା ତେଲ, ଚିନି ଏବଂ ଲୁଣ, ଚିକିତ୍ସା ଉପକରଣ ଏବଂ ଔଷଧ, ପିପି କିଟ୍ ଏବଂ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ ଇତ୍ୟାଦି କ୍ରମାଗତ ଭାବେ ପରିବହନ କରିଆସୁଅଛି। ଦେଶର ବିଭିନ୍ନ ସ୍ଥାନରେ ରୋଗୀଙ୍କ ଜୀବନ ରକ୍ଷା ପାଇଁ ତରଳ ମେଡିକାଲ ଅମ୍ଳଜାନ (ଏଲଏମଓ) ପରିବହନକୁ ବର୍ତ୍ତମାନ ପ୍ରାଥମିକତା ଦେଉଛି।

ତରଳ ମେଡିକାଲ ଅମ୍ଳଜାନ, ଖାଦ୍ୟ ଶସ୍ୟ ଏବଂ ଅନ୍ୟାନ୍ୟ ଜରୁରୀ ଦ୍ରବ୍ୟର ଗୁରୁତ୍ୱକୁ ଦୃଷ୍ଟିରେ ରଖି ପୂର୍ବ ତଟ ରେଳପଥ ନିରବଛିନ୍ନଭାବେ ବିଭିନ୍ନ ଗନ୍ତବ୍ୟ ସ୍ଥାନକୁ ଶୀଘ୍ର ପରିବହନ କରି ନିରନ୍ତର ଯୋଗାଣ ସୁନିଶ୍ଚିତ କରିବା ପାଇଁ ଏହାକୁ ଏକ ଆହ୍ୱାନ ଭାବରେ ଗ୍ରହଣ କରିଛି। କୋଇଲା, ସାର ଏବଂ ପେଟ୍ରୋଲିୟମ ଉତ୍ପାଦ ପରି ଦ୍ରବ୍ୟ ମଧ୍ୟ ଏହାର ପରିସୀମା ମଧ୍ୟରୁ ଦେଶର ବିଭିନ୍ନ ଗନ୍ତବ୍ୟସ୍ଥଳକୁ ପରିବହନ କରାଯାଇଛି।

ପୂର୍ବ ତଟ ରେଳପଥର କୀର୍ତ୍ତିମାନ ଯୋଦ୍ଧା ଯଥା ଲୋକୋ-ପାଇଲଟ୍, ଗାର୍ଡ, ଷ୍ଟେସନ୍ ମ୍ୟାନେଜର୍, ଗୁଡ଼ସ କ୍ଲର୍କସ୍, ଏସି ସହାୟକ କର୍ମଚାରୀ, ଟ୍ରେନ୍ ଟିକେଟ୍ ଯାଞ୍ଚ କର୍ମଚାରୀ, ସିଗନାଲ୍, ଇଲେକ୍ଟ୍ରିକାଲ୍, ମେକାନିକାଲ୍, ଇଞ୍ଜିନିୟରିଂ ଭଳି ସୁରକ୍ଷା ବର୍ଗର କର୍ମଚାରୀମାନେ ଦେଶର ବିଭିନ୍ନ ଅଞ୍ଚଳରେ ଲୋକ ମାନଙ୍କୁ ଆବଶ୍ୟକୀୟ ସାମଗ୍ରୀ ଯୋଗାଣ ସୁନିଶ୍ଚିତ କରିବା ପାଇଁ ଦିନରାତି କଠିନ ପରିଶ୍ରମ କରୁଛନ୍ତି। ପୂର୍ବ ତଟ ରେଳ ବିଭାଗର ସ୍ୱାସ୍ଥ୍ୟ ବିଭାଗ, ଅନ ବୋର୍ଡ କର୍ମଚାରୀ ଏବଂ ସୁରକ୍ଷା ବିଭାଗର କୀର୍ତ୍ତିମାନ ଯୋଦ୍ଧାମାନେ ସଂକ୍ରମଣର ବିପଦ ଜାଣିଥିଲେ ମଧ୍ୟ ମହାମାରୀ ପରିସ୍ଥିତିରେ ସିଧାସଳଖ ଜନସାଧାରଣଙ୍କ ସହ ପ୍ରତ୍ୟକ୍ଷ ଭାବେ ସଂସ୍ପର୍ଶରେ ଆସି ଦେଶର ସେବା କରୁଛନ୍ତି।

ଏହି ଯୋଦ୍ଧାମାନଙ୍କ ସୁରକ୍ଷା ପାଇଁ ରେଳବାଇ ପକ୍ଷରୁ ପର୍ଯ୍ୟାପ୍ତ ପଦକ୍ଷେପ ନିଆଯାଇଛି।  ସାମାଜିକ ଦୂରତା ବଜାୟ ରଖିବା, ମାସ୍କକୁ ସଠିକ୍ ଭାବରେ ବ୍ୟବହାର କରିବା, ବାରମ୍ବାର ହାତକୁ ପରିଷ୍କାର/ଧୋଇବା ଏବଂ ଆବଶ୍ୟକ ସ୍ଥଳେ ପିପିଇ ବ୍ୟବହାର କରିବା ପାଇଁ ସେମାନେ ସଚେତନତା ଅଭିଯାନ ମାଧ୍ୟମରେ ପ୍ରତ୍ୟକ୍ଷ ଭାବରେ ଜନସାଧାରଣ ବିଶେଷ ଭାବେ ଯାତ୍ରୀ ଓ ରେଳ ବ୍ୟବହାରକାରୀ ମାନଙ୍କ ସହିତ ଜଡିତ ରହୁଛନ୍ତି। ସେମାନଙ୍କର ନିଜ କର୍ତ୍ତବ୍ୟ ବ୍ୟତୀତ, ଏହି ଯୋଦ୍ଧାମାନେ ଲୋକଙ୍କୁ ନିରାପଦରେ ରହିବାକୁ ଏବଂ ସମସ୍ତ ପ୍ରୋଟୋକଲ୍ ଅନୁସରଣ କରିବାକୁ ଉତ୍ସାହିତ କରୁଛନ୍ତି।

ପୁରୀର ଏସି ମେକାନିକ ଧନଞ୍ଜୟ ପ୍ରସାଦ ସ୍ପଷ୍ଟ କରିଛନ୍ତି ଯେ ସେ ଭାରତୀୟ ରେଳର ଏକ ଅଂଶ ହୋଇଥିବାରୁ ସେ ନିଜକୁ ଗର୍ବିତ ଅନୁଭବ କରୁଛନ୍ତି ଏବଂ ଏଥିପାଇଁ ସେ ଖୁସି ଅଛନ୍ତି।  ନିଜ ଜୀବନକୁ ବିପଦରେ ପକାଇ ସେ ଟ୍ରେନରେ ନିଜର ସେବା କରୁଛନ୍ତି ଯାହା ଦ୍ୱାରା ଯାତ୍ରୀମାନେ ଆରାମରେ ଯାତ୍ରା କରିପାରିବେ। ଯଦିଓ ଏବେ କୋଭିଡ୍ ସଂକ୍ରମଣର ଦ୍ୱିତୀୟ ତରଙ୍ଗ ଅଛି ଏବଂ ଟ୍ରେନ୍ ଗୁଡିକ ଏକ ବନ୍ଦ ସ୍ଥାନ ଅଟେ, ସେ ରାଷ୍ଟ୍ରର ସେବା କରିବା ଏବଂ ଲୋକଙ୍କୁ ସେମାନଙ୍କ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇବାରେ ସାହାଯ୍ୟ କରିବା ପାଇଁ ଏକ ଆହ୍ୱାନ ଭାବରେ ଗ୍ରହଣ କରିଛନ୍ତି।

ମହାମାରୀ କୋଭିଡ ଅବଧି ସମୟରେ ରେଳବାଇ ମାଧ୍ୟମରେ ସେମାନଙ୍କ କର୍ତ୍ତବ୍ୟ ସମ୍ପାଦନ ତଥା ଜନସାଧାରଣଙ୍କ ସେବାରେ ସେମାନଙ୍କର ଅଭିଜ୍ଞତା ବର୍ଣ୍ଣନା କରିବାବେଳେ ଭୁବନେଶ୍ୱର ନୂଆଦିଲ୍ଲୀ ରାଜଧାନୀ ବିଶେଷ ଟ୍ରେନର ଟ୍ରେନ୍ ଅଧୀକ୍ଷକ ପି କେ ନାୟକ ଏବଂ କୌଶିକ ସାହା କହିଛନ୍ତି ଯେ ସେମାନେ ଭାରତୀୟ ରେଳ ସେବାରେ ଗର୍ବିତ ଅନୁଭବ କରୁଛନ୍ତି। ସଂକ୍ରମଣର ବିପଦ ଥିଲେ ମଧ୍ୟ ନିର୍ଦ୍ଦେଶନାମା ଅନୁଯାୟୀ ସେମାନେ ସମସ୍ତ ସତର୍କତା ଅବଲମ୍ବନ କରୁଛନ୍ତି। ପରିବାର ସଦସ୍ୟ ଏବଂ ସହକର୍ମୀମାନଙ୍କ ସହଯୋଗ ସେମାନଙ୍କୁ ସେବା କରିବାକୁ ଉତ୍ସାହିତ କରେ। ସେମାନଙ୍କ ମତରେ, କର୍ତ୍ତବ୍ୟ ପ୍ରଥମେ ଆସେ।

ରେଳ ସୁରକ୍ଷା ବଳ (ଆରପିଏଫ) କର୍ମଚାରୀମାନେ ଭାରତୀୟ ରେଳ ସେବା କରିବା ଏହି ପରିସ୍ଥିତିକୁ ଏକ ଆହ୍ୱାନ ଭାବରେ ନିଜ କର୍ତ୍ତବ୍ୟ ପାଳନ କରୁଛନ୍ତି। ଏହି ମହାମାରୀ ସମୟରେ ସେମାନେ ଅଧିକ ସଚେତନ ହୋଇ ସେମାନଙ୍କର କାର୍ଯ୍ୟ ସମ୍ପାଦନ କରୁଛନ୍ତି। ନିକଟରେ ଖୋର୍ଦ୍ଧା ରୋଡରେ ଥିବା ଆରପିଏଫ୍ କର୍ମଚାରୀମାନେ ଜଣେ ବୃଦ୍ଧା ମହିଳା ଯାତ୍ରୀଙ୍କୁ ସାହାଯ୍ୟ କରିଥିଲେ, ଯେ କି ଟ୍ରେନରେ ଯାତ୍ରା ସମୟରେ ତାଙ୍କର ସ୍ୱାମୀଙ୍କୁ ହରାଇଥିଲେ।  ସେମାନେ ଟ୍ରେନ କମ୍ପାର୍ଟମେଣ୍ଟରୁ ମୃତଦେହକୁ ବାହାର କରିବା, ରାଜ୍ୟ ପୋଲିସର ଉଚ୍ଚ ପଦାଧିକାରୀଙ୍କ ସହାୟତାରେ ଶବ ବ୍ୟବଚ୍ଛେଦ ପାଇଁ ବ୍ୟବସ୍ଥା କରିବା ଭଳି ସମସ୍ତ ଆବଶ୍ୟକୀୟ ସହାୟତା ପ୍ରଦାନ କରିଥିଲେ। ଏପରିକି ସେମାନେ ଶବଦାହ ପାଇଁ ସମସ୍ତ ପ୍ରକାର ସହାୟତା କରିଥିଲେ।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର ସ୍ବାସ୍ଥ୍ୟ

ଜଗତସିଂହପୁର ଜିଲ୍ଲାରୁ ଆଜି ୩୩୦ କରୋନା ଆକ୍ରାନ୍ତ ଚିହ୍ନଟ: ସୁସ୍ଥ ହେଲେ ୧୩୦

ରମେଶ ମହାନ୍ତି
ଜଗତସିଂହପୁର: ଦୃତ ଗତିରେ ବୃଦ୍ଧି ପାଉଥିବା କରୋନାର ଦ୍ୱିତୀୟ ଲହରୀରେ ଜଗତସିଂହପୁର ଜିଲ୍ଲାରୁ ଯେମିତି କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାର ନାଁ ଧରୁନି, ହୁ ହୁ ହୋଇ ବଢି ଚାଲିଛି। ଗତକାଲି ଜିଲ୍ଲାରୁ ୨୭୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ପୁଣି ଜିଲ୍ଲାରୁ ୩୩୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସେମାନଙ୍କ ମଧ୍ୟରୁ ପାରାଦ୍ବୀପରୁ ସର୍ବାଧିକ ୭୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କୁଜଙ୍ଗ ବ୍ଲକରୁ ୫୯ ଜଣ ,ଜଗତସିଂହପୁର ବ୍ଲକରୁ ୫୪ଜଣ, ତିର୍ତ୍ତୋଲ ବ୍ଳକରୁ ୩୪ଜଣ, ନାଉଗାଁ ବ୍ଲକରୁ ୩୨ଜଣ, ରଘୁନାଥପୁର ବ୍ଲକରୁ ୨୭ଜଣ, ବାଲିକୁଦା ବ୍ଲକରୁ ୧୮ଜଣ, ଜଗତସିଂହପୁର ମ୍ୟୁନିସିପାଲିଟିରୁ ୧୪ଜଣ, ବିରିଡି ବ୍ଲକରୁ ୧୦ଜଣ ଓ ଏରସମା ବ୍ଲକରୁ ୫ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଏଥିସହିତ ଜଗତସିଂହପୁର ଜିଲ୍ଲାରୁ ଚିହ୍ନଟ ହୋଇଥିବା ସମୁଦାୟ ୧୩୨୯୦ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୧୧୩୮୪ ଜଣ ସୁସ୍ଥ ହୋଇଥିବା ବେଳେ ଆଜି ପର୍ଯ୍ୟନ୍ତ ସମୁଦାୟ ୪୧ ଜଣଙ୍କର ମୃତ୍ୟୁ ହୋଇଛି। ଏବଂ ଆଜି ଜିଲ୍ଲାରୁ ୧୩୦ ଜଣ ସୁସ୍ଥ ହୋଇଥିବା ବେଳେ ବର୍ତ୍ତମାନ ଜିଲ୍ଲାରେ ୧୮୬୫ ଜଣ ଆକ୍ରାନ୍ତ ସକ୍ରିୟ ରହିଛନ୍ତି ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

କରୋନା ଯୁଦ୍ଧରେ ଜିତିଲେ ୯୮ ବର୍ଷିୟା ବୃଦ୍ଧା: ସମ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ

ଭୁବନେଶ୍ୱର: କୋଭିଡ୍‌-୧୯ର ଦ୍ୱିତୀୟ ଲହରୀକୁ ନେଇ ସାରା ଭାରତବାସୀ ଏବେ ଭୟଭିତ। ଲକ୍‌ଡାଉନ ଓ ସଟ୍‌ଡାଉନ୍ ଭିତରେ ସମସ୍ତେ ଏବେ ଗୃହବନ୍ଦୀ। କିଏ ପୁଣି କରୋନା ସଂକ୍ରମିତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ତେବେ ଏ ସମସ୍ତ ଭୟ ଓ ଆଶଙ୍କା ଓ ସଂକ୍ରମଣ ମଧ୍ୟରେ ସମ୍ କୋଭିଡ୍ ହସ୍ପିଟାଲ୍‌ରୁ ଆସିଛି ଏକ ଖୁସିର ଖବର। ଭୁବନେଶ୍ୱର ସ୍ଥିତ ଏହି ହସ୍ପିଟାଲ୍‌ରେ କରୋନାକୁ ପରାସ୍ତ କରିଛନ୍ତି ୯୮ ବର୍ଷିୟା ଜଣେ ବୃଦ୍ଧା।

ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଅଂଚଳର ଅନ୍ନପୂର୍ଣ୍ଣା  ବିଶ୍ୱାଳ ନାମକ ଏହି ବରିଷ୍ଠ ନାଗରିକ ଜଣକ ଗତ ମେ ୫ ତାରିଖରେ କରୋନା ସଂକ୍ରମିତ ହୋଇଥିଲେ । ବୟାସାଧିକ ଜନିତ ଅନେକ ବ୍ୟାଧି ଯେପରିକି ଫାଇଲେରିଆ, ଉଚ୍ଚ ରକ୍ତଚାପ ଓ ମଧୁମେହ ରୋଗରେ ସେ ପିଡିତ ଥିବାବେଳେ କରୋନା ସଂକ୍ରମିତ ହେବାପରେ ସେ ଅସୁସ୍ଥ ହୋଇପଡ଼ିଥିଲେ। ତୁରନ୍ତ ତାଙ୍କ ପରିବାର ଲୋକେ ତାଙ୍କୁ ସମ୍ କୋଭିଡ୍‌ରେ ଭର୍ତି କରାଇଥିଲେ। ତେବେ  ସମ୍ କୋଭିଡ୍ ହସ୍ପିଟାଲ୍‌ର ଡାକ୍ତର, ନର୍ସ ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟ କର୍ମୀ ଓ କର୍ମକର୍ତାଙ୍କ ଅପ୍ରାଣ ଉଦ୍ୟମ, ସେବା, ଯତ୍ନ ଓ ଚିକିତ୍ସା ଫଳରେ ଅନ୍ନପୂର୍ଣ୍ଣା ସୁସ୍ଥ ହୋଇ ଘରକୁ ଫେରିଥିବାର ତାଙ୍କ ପୁଅ କୂଳମଣି ବିଶ୍ୱାଳ କହିଛନ୍ତି।

ଜେଜେମା ଘରକୁ ଫେରିବା ପରେ ଖୁସିରେ ଆତ୍ମହରା ହୋଇଉଠିଛନ୍ତି ନାତି ରାକେଶ ବିଶ୍ୱାଳ ଓ ନାତୁଣୀ ବୋହୁ ରାଜଶ୍ରୀ ବିଶ୍ୱାଳ। କରୋନା ହେବା ପରେ ଜେଜେମା  ଆଉ ଘରକୁ ଫେରିବେ ବୋଲି ଆମେ ବିଶ୍ୱାସ କରିନଥିଲୁ କିନ୍ତୁ ସେ ସୁସ୍ଥ ହୋଇ ଫେରିବା ପରେ ଖୁସିରେ ଆତ୍ମହରା ହୋଇ ଉଠିଛୁ ବୋଲି ନାତି ରାକେଶ।

ସେହିପରି ହସ୍ପିଟାଲର ଡାକ୍ତର, ନର୍ସ, ସ୍ୱାସ୍ଥ୍ୟକର୍ମୀ ଓ କାର୍ଯ୍ୟକର୍ତାଙ୍କ ସମେତ ରୋଗୀଙ୍କ ସମ୍ପର୍କୀୟଙ୍କୁ ସମ୍ପୂର୍ଣ୍ଣ ସୂଚନା ଦେଉଥିବା ହେଲ୍ପଲାଇନ କାର୍ଯ୍ୟକର୍ତାଙ୍କୁ ମଧ୍ୟ ପ୍ରଶଂସା କରିଛନ୍ତି ନାତୁଣୀ ବୋହୁ ରାଜଶ୍ରୀ ବିଶ୍ୱାଳ। ଜେଜେମାଙ୍କର ଖୁବ୍ ସେବା କରାଯାଇଛି ଏବଂ ହେଲ୍ପଲାଇନ ପକ୍ଷରୁ ମଧ୍ୟ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଷୟରେ ସମ୍ପୂର୍ଣ୍ଣ ବିବରଣୀ ପରିବାରକୁ ଦିଆଯିବା ସହ ଅନେକ ସହଯୋଗ କରାଯାଉଥିବା ପ୍ରଶଂସା କରିଛନ୍ତି ରାଜଶ୍ରୀ।

Categories
ଆଜିର ଖବର ଆଞ୍ଚଳିକ

ମାଛଗାଁ ବଜାରରେ ଅବକାରୀ ବିଭାଗର ଚଢାଉ: ମଦ ଜବତ, ଜଣେ ଗିରଫ

ରମେଶ ମହାନ୍ତି
ଜଗତସିଂହପୁର: କରୋନାର ଦ୍ୱିତୀୟ ଲହରୀ ହୁ ହୁ ହୋଇ ବଢୁଥିବା ବେଳେ ଲକଡାଉନକୁ ବେଖାତିର କରି ବାଲିକୁଦା ବ୍ଲକ ଅନ୍ତର୍ଗତ ମାଛଗାଁ ବଜାରରେ ଚାଲୁଥିବା ଚୋରା ମଦବେପାର।

ଖବର ପାଇ ବାଲିକୁଦା ଅବକାରୀ ବିଭାଗ ପକ୍ଷରୁ ଆଜି ଦିନ ୧୧ଟା ବେଳେ ମାଛଗାଁ ବଜାରରେ ଅଚାନକ ଚଢାଉ କରାଯାଇ ଶ୍ରୀକୃଷ୍ଣ ହୋଟେଲ ପଛପଟୁ ୨୫ ଲିଟରରୁ ଉର୍ଦ୍ଧ୍ଵ ବିଦେଶୀ ମଦ ଜବତ କରାଯିବା ସହିତ ଜଣେ ଚୋରା ମଦ ବେପାରୀକୁ ଗିରଫ କରାଯାଇଛି। ଗିରଫ୍ ହୋଇଥିବା ଅଭିଯୁକ୍ତର ନାମ ରମେଶ ସ୍ୱାଇଁ ଓ ତାଙ୍କ ଘର ମାଛଗାଁ ସୁକିଦା ଗ୍ରାମରେ ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ମିଳିଛି।

ଅବକାରୀ ବିଭାଗ ଜିଲ୍ଲା ସୁପରିଟେଣ୍ଡେଣ୍ଟଙ୍କ ନିର୍ଦ୍ଦେଶରେ ହୋଇଥିବା ଏହି ଚଢାଉରେ ବାଲିକୁଦା ଅବକାରୀ ଅଫିସ୍ ଇନଚାର୍ଜ ସସ୍ମିତା ହୋତାଙ୍କ ସହିତ ଚିତ୍ତ ରଞ୍ଜନ ଦାସ, ପ୍ରକାଶ ରାଉତ, ହିମାଂଶୁ ମାରାଣ୍ଡି, ବିଶ୍ୱନାଥ ମୁଣ୍ଡା, ସବିତା ନାୟକ, କଲ୍ୟାଣୀ ସେଠୀ, ବର୍ଷାରାଣୀ ଖୁଣ୍ଟିଆ, ମହେନ୍ଦ୍ର ରାଉତ ପ୍ରମୁଖ ସାମିଲ୍ ଥିଲେ।