Categories
ଆଜିର ଖବର ରାଜ୍ୟ ଖବର

ନାଚୁଣୀ ଓଭର ବ୍ରିଜ୍ ଉପରେ ଡିଭାଇଡରକୁ ଧକ୍କା ଦେଲା ଅଟୋ: ଶ୍ଵଶୁର ମୃତ, ବୋହୁ ଗୁରୁତର

ସୀତାରାମ ଅଗ୍ରୱାଲ
ନାଚୁଣୀ: ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ନାଚୁଣୀ ଓଭର ବ୍ରିଜ୍ ଉପରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଯାଇଛି। ଯେଉଁଥିରେ ଶ୍ଵଶୁରଙ୍କ ମୃତ୍ୟୁ ହୋଇଥିବା ବେଳେ ବୋହୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।

ସୂଚନା ଅନୁଯାୟୀ, ବାଣପୁର ଥାନା ଆୟତପୁର ନିକଟସ୍ଥ ପାତ୍ରପୁର ଗ୍ରାମର ଗୋଟିଏ ପରିବାରର ସଦସ୍ୟମାନେ ଅଟୋ ଦ୍ଵାରା ନୟାଗଡ ସ୍ଥିତ ଡିମିସିର ଯାଉଥିଲେ। ହେଲେ ଅଟୋଟି ବେପରୁଆ ଗାଡି ଚାଳନ ତଥା ଦ୍ରୁତଗତି ଲାଗି ଭାରସାମ୍ୟ ହରାଇ ନାଚୁଣୀ ଓଭର ବ୍ରିଜ୍ ଉପରେ ଏକ ଡିଭାଇଡର ସହ ଧକ୍କା ହୋଇଥିଲା। ଫଳରେ ଅଟୋ ଟି ଘଟଣାସ୍ଥଳରେ ଓଲଟି ପଡିଥିଲା। ଯେଉଁଥିରେ ରାମକୃଷ୍ଣ ବିଷୋଇ (୭୦) ନାମକ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା। ଏବଂ ରାମକୃଷ୍ଣଙ୍କ ବୋହୁ ମଞ୍ଜୂବାଳା (୪୫) ଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ଉଦ୍ଧାର କରି ଟାଙ୍ଗୀ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ ତାଙ୍କର ଅବସ୍ଥା ସଂକଟାପନ୍ନ ହେବାରୁ ଡାକ୍ତର ତାଙ୍କୁ ଭୁବନେଶ୍ଵର ସ୍ଥାନାନ୍ତରିତ କରିଛନ୍ତି। ସେହିଭଳି ଅଟୋରେ ଥିବା ଛୋଟ ଛୋଟ ଶିଶୁମାନେ ମଧ୍ୟ ଆହତ ହୋଇଥିବା ଜଣାପଡିଛି।

ଘଟଣାସ୍ଥଳରେ ନାଚୁଣୀ ଫାଣ୍ଡି ପୋଲିସ ପହଞ୍ଚି ଶବକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ବାଣପୁର ପଠାଇଦେଇଛନ୍ତି। ତେବେ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି।