Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟରେ ପିଡିଏସ ଚାଉଳରେ ଅପମିଶ୍ରିତ ଖବରର ତଦନ୍ତ କରିବା ପାଇଁ ଅନୁରୋଧ କଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ/ଭୁବନେଶ୍ୱର: ରାଜ୍ୟରେ ବଣ୍ଟନ ହେଉଥିବା ପିଡିଏସ ଚାଉଳ ଅପମିଶ୍ରିତ ହେବା ଖବରର ତୁରନ୍ତ ତଦନ୍ତ କରିବା ସହ ପୁଷ୍ଟିଯୁକ୍ତ ଚାଉଳର ବଣ୍ଟନ ବିଷୟରେ ଜନସାଧାରଣଙ୍କୁ ଅବଗତ କରିବା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି କେନ୍ଦ୍ର ଖାଉଟି ବ୍ୟାପାର ଏବଂ ଖାଦ୍ୟ ଓ ସାଧାରଣ ଯୋଗାଣ ମନ୍ତ୍ରୀ ପିୟୂଷ ଗୋୟଲଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତି।

ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗରିବ କଲ୍ୟାଣ ବିଚାରରେ କେନ୍ଦ୍ର ଖାଉଟି ବ୍ୟାପାର ଏବଂ ଖାଦ୍ୟ ଓ ସାଧାରଣ ଯୋଗାଣ ମନ୍ତ୍ରଣାଳୟ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ମାଧ୍ୟମରେ ଭାରତବର୍ଷର କୋଟି କୋଟି ଲୋକଙ୍କ ଖାଦ୍ୟ ସୁରକ୍ଷା ସୁନିଶ୍ଚିତ କରୁଛି। ଏହି ଯୋଜନାର ପ୍ରମୁଖ ଲାଭାର୍ଥୀ ଓଡ଼ିଶା ହୋଇଛି। ପ୍ରାୟ ୩.୨୫ କୋଟି ହିତାଧିକାରୀଙ୍କୁ ଏହି ଯୋଜନାରେ ଚାଉଳ ପ୍ରଦାନ କରାଯାଉଛି।

ମାତ୍ର ନିକଟରେ କୋରାପୁଟ ଜିଲ୍ଲାର ଲମତାପୁଟ, ବାଲେଶ୍ୱରର ସଦର ବ୍ଲକ ତଥା ସୁନ୍ଦରଗଡ଼ ଜିଲ୍ଲାର ବଡବାହାଲ ଠାରେ ପିଡିଏସ କାର୍ଯ୍ୟକ୍ରମ ଅନ୍ତର୍ଗତ ଦିଆଯାଉଥିବା ଚାଉଳ ନେଇ ଜନସାଧାରଣଙ୍କ ମଧ୍ୟରେ ସନ୍ଦେହ ସୃଷ୍ଟି ହୋଇଥିବା ଗଣମାଧ୍ୟମରେ ପ୍ରକାଶିତ ହୋଇଛି। ପୂର୍ବରୁ ମିଳୁଥିବା ଚାଉଳ ଏବଂ ବର୍ତ୍ତମାନ ମିଳୁଥିବା ଚାଉଳରେ ପ୍ରାର୍ଥକ୍ୟ ରହିଥିବା କୁହାଯାଉଛି। ବର୍ତ୍ତମାନ ମିଳୁଥିବା ଚାଉଳ ପାଣିରେ ଭିଜିବା ପରେ ତଳେ ରହିବା ପରିବର୍ତ୍ତେ ଉପରେ ଭାସମାନ ଅବସ୍ଥାରେ ରହୁଛି ଏବଂ ରନ୍ଧାଶୈଳି ଓ ସ୍ୱାଦ ମଧ୍ୟ ଭିନ୍ନ ରହୁଥିବା ନେଇ ଗଣମାଧ୍ୟମରେ ପ୍ରକାଶ ପାଇଛି। ଏହି କାରଣରୁ ପିଡିଏସ ମାଧ୍ୟମରେ ପ୍ଲାଷ୍ଟିକ ଚାଉଳ ବଣ୍ଟନ କରାଯାଉଥିବା ନେଇ ଗୁଜବ ସୃଷ୍ଟି କରାଯାଉଛି। ଏହା ଦ୍ୱାରା ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହେବା ସହ ଲୋକଙ୍କ ମଧ୍ୟମରେ ନିଜ ସ୍ୱାସ୍ଥ୍ୟ ନେଇ ଚିନ୍ତାପ୍ରକାଶ ପାଇଛି।

ଅପରପକ୍ଷରେ ଜାନୁଆରୀ ମାସରୁ ପୁଷ୍ଟି ଏବଂ ଭିଟାମିନ୍ ଯୁକ୍ତ ଚାଉଳ ପିଡିଏସରେ ପ୍ରଦାନ କରାଯାଉଥିବା ଚାଉଳ ସହ ମିଶାଯାଇ ବଣ୍ଟନ କରାଯାଉଥିବା ନେଇ ସୂଚନା ଦିଆଯାଇଛି। ଚାଉଳର ସ୍ୱାଦ ଓ ଦାନା ଭିନ୍ନ ଥିବାରୁ ହିତାଧିକାରୀଙ୍କ ମନରେ ସମ୍ଭବତଃ ଦ୍ୱନ୍ଦ ସୃଷ୍ଟି ହେବା ନେଇ ଆଶଙ୍କା କରାଯାଉଛି। ସାଧାରଣ ଯୋଗାଣ ବିଭାଗ ଦ୍ୱାରା ଏହାକୁ ତଦନ୍ତ କରିବା ସହ ଉପଯୁକ୍ତ ପଦକ୍ଷେପ ନେବାର ଆବଶ୍ୟକତା ରହିଛି।

ଏହି ବିଷୟର ତଦନ୍ତ କରିବା ପାଇଁ ମନ୍ତ୍ରଣାଳୟର ଅଧିକାରୀଙ୍କୁ ନିର୍ଦ୍ଦେଶ ଦେବାକୁ ହସ୍ତକ୍ଷେପ କରିବା ପାଇଁ ଶ୍ରୀ ପ୍ରଧାନ ଅନୁରୋଧ କରିଛନ୍ତି। ଏହାସହ ହିତାଧିକାରୀଙ୍କ ମଧ୍ୟରେ ପିଡିଏସରେ ଦିଆଯାଉଥିବା ପୁଷ୍ଟିଯୁକ୍ତ ଚାଉଳର ସନ୍ଦେହକୁ ଦୂର କରିବା ପାଇଁ ସଚେତନତା ସୃଷ୍ଟି କରିବା ପାଇଁ ପଦକ୍ଷେପ ନେବାକୁ ଶ୍ରୀ ପ୍ରଧାନ ବିଭାଗୀୟ ମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ସ୍ୱଦେଶୀ ସାମଗ୍ରୀକୁ କିଣିବା ପାଇଁ ଲୋକଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ପରାମର୍ଶ

ନୂଆଦିଲ୍ଲୀ/ଭୁବନେଶ୍ୱର: ପର୍ଯ୍ୟଟନ କେବଳ ମନୋରଞ୍ଜନ, ସଂସ୍କୃତି ଏବଂ ଐତିହ୍ୟକୁ ଜାଣିବାର ବିଷୟ ନୁହେଁ ବରଂ ପର୍ଯ୍ୟଟନ ଏକ ଅର୍ଥନୈତିକ ପ୍ରସଙ୍ଗ। ପର୍ଯ୍ୟଟନ ମାଧ୍ୟମରେ ଆମ ଦେଶର ଆର୍ଥିକ ଶକ୍ତି ଆହୁରି ମଜଭୂତ୍ ହେବ ବୋଲି ମଙ୍ଗଳବାର ନୂଆଦିଲ୍ଲୀ ଠାରେ ଐତିହାସିକ ଲାଲକିଲ୍ଲାର ପ୍ରାଙ୍ଗଣରେ ‘ଭାରତ ପର୍ବ ୨୦୨୩’ର ଉଦଯାପନୀ ସମାରୋହରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଭାରତ ସରକାରଙ୍କ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଭାରତ ପର୍ବ ଲୋକଙ୍କ ଉତ୍ସାହ ଓ ଦେଶ ପ୍ରତି ଲୋକଙ୍କର ଥିବା ଶ୍ରଦ୍ଧାକୁ ପ୍ରତିଫଳିତ କରୁଛି। ଦେଶର ସାଂସ୍କୃତିକ ଓ ପର୍ଯ୍ୟଟନକୁ ଉଲ୍ଲେଖ କରିବାକୁ ଯାଇ ମାନ୍ୟବର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସଂସଦରେ ଅନେକ ବିଷୟରେ ନିଜ ଅଭିଭାଷଣରେ ପ୍ରଦାନ କରିଛନ୍ତି। ଦେଶରେ ରାମ ମନ୍ଦିର ନିର୍ମାଣ ହେଉଛି, କାଶୀ ବିଶ୍ୱନାଥ କୋରିଡର ହୋଇଛି, ମହାକାଳଲୋକ ନୂଆ ରୂପ ନେଇଛି। ଦେଶର ଅନେକ ପ୍ରାନ୍ତରେ ଐତିହ୍ୟ କ୍ଷେତ୍ରରେ ନୂଆ ରୂପ ଆସିଛି। କରୋନାର ପରବର୍ତ୍ତୀ ପର୍ଯ୍ୟାୟରେ ଦେଶର ସାଧାରଣ ନାଗରିକମାନେ ଏହି ପର୍ଯ୍ୟଟନ ସୁବିଧାର ଆନନ୍ଦ ନେଉଛନ୍ତି। ଭାରତର ସାଂସ୍କୃତିକ ଐତିହ୍ୟକୁ ଆଜି ଅଭିଭାଷଣରେ ଉଲ୍ଲେଖ କରି ଦେଶର ଗୌରବ ବଢାଇଥିବାରୁ ରାଷ୍ଟ୍ରପତିଙ୍କୁ ଶ୍ରୀ ପ୍ରଧାନ ଧନ୍ୟବାଦ ଜଣାଇଛନ୍ତି।

ଭାରତ ପର୍ବର ସଫଳତା ପାଇଁ ପର୍ଯ୍ୟଟନ ବିଭାଗକୁ ଅଭିନନ୍ଦନ ଜଣାଇବା ସହ ଭାରତ ପର୍ବରେ ବିକ୍ରି ହେଉଥିବା ସ୍ୱଦେଶୀ ସାମଗ୍ରୀକୁ କିଣିବା ପାଇଁ ଲୋକଙ୍କୁ ପରାମର୍ଶ ଦେଇଥିଲେ ଶ୍ରୀ ପ୍ରଧାନ। ସେ କହିଥିଲେ ଲୋକମାନେ ଆମର ସ୍ୱଦେଶୀ ସାମଗ୍ରୀ କିଣିଲେ ଭାରତର କଳା ବଞ୍ଚିବ ଓ ଗରିବ ଘରେ ସମ୍ପନ୍ନତା ପହଞ୍ଚିବ। ଭାରତର କୁଶଳୀ କାରିଗରୀ, ବୁଣାକାର ମଧ୍ୟ ଆମ ଅର୍ଥନୀତିର ଆଉ ଏକ ମେରୁଦଣ୍ଡ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ସରକାର ଦେଶକୁ ନୂଆ ରୂପ ଓ ଆର୍ଥିକ ଶକ୍ତି ବନାଇବା ପାଇଁ କାର୍ଯ୍ୟ କରୁଛନ୍ତି ବୋଲି ସେ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ମହିମାଗାଦି ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଅଟଳ ଟିଙ୍କରିଂ ଲ୍ୟାବର ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ

ଯୋରନ୍ଦା: ସୁଯୋଗ ନମିଳିବା କାରଣରୁ ସମାଜରେ ଅନେକ ବଣ ମଲ୍ଲି ବଣରେ ହିଁ ରହିଯାଉଛନ୍ତି। ତେଣୁ  ସେହି ସବୁ ବଣ ମଲ୍ଲିକୁ ପ୍ରସ୍ଫୁଟିତ କରିବା ଆମ ସମସ୍ତଙ୍କର ଦାୟିତ୍ୱ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶୁକ୍ରବାର ଯୋରନ୍ଦା ମହିମାଗାଦି ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ବାର୍ଷିକ ଉତ୍ସବରେ ଯୋଗଦେଇ ଏକ ଅଟଳ ଟିଙ୍କରିଂ ଲ୍ୟାବର ଉଦଘାଟନ କରିବା ଅବସରରେ ଶ୍ରୀ ପ୍ରଧାନ ଏହା କହିଛନ୍ତି। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଜଣେ ଛାତ୍ରୀ କେନ୍ଦ୍ରମନ୍ତ୍ରୀଙ୍କୁ ମା’ ସରସ୍ୱତୀ ଓ ପ୍ରଭୁ ଶ୍ରୀଗଣେଶଙ୍କ ଏକ ଥ୍ରୀଡି ପ୍ରିଣ୍ଟିଂର ମୂର୍ତ୍ତି ଉପହାର ଭାବରେ ପ୍ରଦାନ କରିଥିଲେ। ସେହି ଥ୍ରୀଡି ପ୍ରିଣ୍ଟିଂ ମୂର୍ତ୍ତିକୁ ପ୍ରଶଂସା କରିବା ସହ ଶ୍ରୀ ପ୍ରଧାନ କହିଥିଲେ, ଆମର ପିଲାମାନଙ୍କୁ ସୁଯୋଗ ମିଳିଲେ ସମସ୍ତେ ବହୁତ ଭଲ କାମ କରିପାରିବେ। ସେହିଭଳି ପିଲା ମାନଙ୍କୁ ସୁଯୋଗ ଦେବାର ଆବଶ୍ୟକତା ରହିଛି। ଏହା ଆମ ସମସ୍ତଙ୍କର ଦାୟିତ୍ୱ।

ବିଦ୍ୟାଳୟର ବାର୍ଷିକ ଉତ୍ସବ ପାଳନ ହେବା ଉପଲକ୍ଷେ ଅଧ୍ୟୟନରତ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ କେନ୍ଦ୍ରମନ୍ତ୍ରୀ। ଏହାସହ ଉଦଘାଟିତ ଅଟଳ ଟିଙ୍କରିଂ ଲ୍ୟାବ୍ ଉପରେ ସେ କହିଥିଲେ ଯେ ଅଟଳ ଟିଙ୍କରିଂ ଲ୍ୟାବ୍ ନୂଆପିଢ଼ିର ଶିକ୍ଷାର୍ଥୀମାନଙ୍କର ଶିକ୍ଷା ଓ ଦକ୍ଷତା ବିକାଶର ମାଧ୍ୟମ ହୋଇଛି। ପିଲାଙ୍କ ମନରେ ଥିବା ପ୍ରତିଭା ଓ ସର୍ଜନଶୀଳତାକୁ ପ୍ରସ୍ଫୁଟିତ କରିବା ଏହି ଲ୍ୟାବର ଉଦ୍ଦେଶ୍ୟ। ଜାତୀୟ ଶିକ୍ଷାନୀତି ମାଧ୍ୟମରେ ଏହି ଲ୍ୟାବ୍ ସ୍କୁଲ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବୈଜ୍ଞାନିକ ମନୋବୃତ୍ତିକୁ ଉଜ୍ଜିବୀତ କରିବ ବୋଲି ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଛନ୍ତି।

ଏହି କାର୍ଯ୍ୟକ୍ରମରେ ଯୋଗଦେବା ପୂର୍ବରୁ ଶ୍ରୀ ପ୍ରଧାନ ଢେଙ୍କାନାଳରେ  ଭାରତ ସ୍ୱାଧୀନତା ସଂଗ୍ରାମର ସର୍ବକନିଷ୍ଠ ସଂଗ୍ରାମୀ ଶହୀଦ ବାଜି ରାଉତଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। କାମାକ୍ଷାନଗର କାନପୁରା ସ୍ଥିତ ମା’ ମଙ୍ଗଳା ମନ୍ଦିରରେ ଦର୍ଶନ କରିଥିଲେ।