Categories
ଆଜିର ଖବର ରାଜ୍ୟ ଖବର

ଗଞ୍ଜାମ ଜିଲ୍ଲାରେ ୯୭ ପ୍ରତିଶତ ଧାନ କ୍ରୟ ଶେଷ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଅଦିନିଆ ବର୍ଷା ମାଡ଼ ପରେ ବଞ୍ଚିଥିବା ଫସଲ ସାଉଁଟି ଚାଷୀ ମଣ୍ଡିରେ ବିକ୍ରି କରିଛନ୍ତି। ବର୍ତ୍ତମାନ ସୁଦ୍ଧା ଗଞ୍ଜାମ ଜିଲ୍ଲାକୁ ମିଳିଥିବା ଟାର୍ଗେଟ ମଧ୍ୟରୁ ପ୍ରାୟ ୯୭ ପ୍ରତିଶତ ଧାନ ସଂଗ୍ରହ ହୋଇସାରିଲାଣି। ବର୍ତ୍ତମାନ ସୁଦ୍ଧା ୧ ଲକ୍ଷ ୩୯ ହଜାର ୧୬୧ଜଣ ଚାଷୀ ଧାନ ବିକ୍ରି କରିଛନ୍ତି। ଚଳିତ ବର୍ଷ ଅଦିନିଆ ବର୍ଷା ଯୋଗୁଁ ଚାଷୀ କ୍ଷତି ସହିଥିଲେ।

ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ବିଭିନ୍ନ ସମୟରେ ଗ୍ରାମାଞ୍ଚଳରେ ଥିବା ମଣ୍ଡି ଗୁଡ଼ିକୁ ଅଚାନକ ପରିଦର୍ଶନରେ ଯାଇ ଧାନକ୍ରୟ ପ୍ରକ୍ରିୟାରୁ ଯେପରି ଚାଷୀ ବାଦ୍ ନ ପଡ଼ିବେ ସେଥିପ୍ରତି ଦୃଷ୍ଟି ଦେବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ବହୁ ବାଧାବିଘ୍ନ ସତ୍ତ୍ବେ ଚଳିତବର୍ଷ ଗଞ୍ଜାମ ଜିଲ୍ଲାରେ ଧାନ ସଂଗ୍ରହ ପ୍ରକ୍ରିୟା ସୁରୁଖୁରୁରେ ସରିଛି। ଗଞ୍ଜାମ ଜିଲ୍ଲାରେ ଅଦିନିଆ ବର୍ଷା ଯୋଗୁଁ ଚାଷୀଙ୍କ ସୁବିଧା ପାଇଁ ଗତ ଡିସେମ୍ବର ୨୩ ବଦଳରେ ଜାନୁଆରି ୩ ତାରିଖରୁ ଧାନମଣ୍ଡି ଖୋଲିଥିଲା। କିନ୍ତୁ ବର୍ଷା ଜନିତ କ୍ଷୟକ୍ଷତି ଯୋଗୁଁ ଧାନକ୍ରୟ ପ୍ରକ୍ରିୟା ଆଗେଇ ପାରି ନଥିଲା ଜାନୁଆରି ତୃତୀୟ ସପ୍ତାହରୁ ଧାନକ୍ରୟ ଜୋର୍ ଧରିଥିଲ।

ଆସନ୍ତା ୩୧ତାରିଖ ପର୍ଯ୍ୟନ୍ତ ଧାନକ୍ରୟ ହେବ ବୋଲି ଜିଲ୍ଲା ଯୋଗାଣ ଅଧିକାରୀ ପୁଷା ମୁଣ୍ଡା ସୂଚନା ଦେଇଛନ୍ତି। ଧାନକ୍ରୟ ସମୟରେ ଜିଲ୍ଲା ପ୍ରସଶସନ ପକ୍ଷରୁ ଧାନ ର ମାନକୁ କିଛିଟା କୋହଳ କରାଯାଇଥିଲା। ଗଞ୍ଜାମ ଜିଲ୍ଲାରେ ୨୦୨୪-୨୫ ଖରିପ୍ ପାଇଁ ଧାନ ବିକ୍ରି ନିମନ୍ତେ ୧ ଲକ୍ଷ ୪୬ ହଜାର ୫୦୪ ଜଣ ଚାଷୀ ଧାନବିକ୍ରି ପାଇଁ ନାମ ପଞ୍ଜୀକରଣ କରିଥିଲେ। ଏହି ଚାଷୀଙ୍କ ପାଇଁ ପ୍ରାଥମିକ ପର୍ଯ୍ୟାୟରେ ୪୪ ଲକ୍ଷ ୮୧ ହଜାର ୭୬୧ କ୍ରିଣ୍ଟ୍ରାଲ୍ ଧାନକ୍ରୟ କୋଟା ଆସିଥିଲା। ପରେ ଟାର୍ଗେଟ ବୃଦ୍ଧି ପାଇ ୬୦ ଲକ୍ଷ ୧୮ ହଜାର କ୍ରିଣ୍ଟ୍ରାଲ୍ କରାଯାଇଥିଲା।

ସେହିପରି ମୋଟ ୧ ଲକ୍ଷ ୬୪ ହଜାର ୮୬୯ ଟୋକନ୍ ଜାରି ହୋଇଥିବା ବେଳେ ୧ ଲକ୍ଷ ୬୩ ହଜାର ୧୯୫ ଟୋକନ୍‌ରେ ଧାନକ୍ରୟ ସରିଛି ଜିଲ୍ଲାର ପ୍ରାୟ ୯୬ ପ୍ରତିଶତ ଚାଷୀଙ୍କ ଠାରୁ ୫୮ଲକ୍ଷ ୪୬ ହଜାର କ୍ରିଣ୍ଟ୍ରାଲ୍ ଧାନ ସଂଗ୍ରହ କରାଯାଇଛି। କୌଣସି ଚାଷୀ ଯେପରି ସରକାରୀ ମଣ୍ଡିରେ ଧାନ ବିକ୍ରିରୁ ବଞ୍ଚିତ ନହେବେ ସେଥିପ୍ରତି ବିଶେଷ ଦୃଷ୍ଟି ଦିଆଯାଇଛି। ଅଦିନିଆ ବର୍ଷା ଯୋଗୁଁ ଜିଲ୍ଲାରେ ବହୁ ଚାଷୀଙ୍କ ଟୋକନ୍ ଅବଧି ମଧ୍ୟ ବୃଦ୍ଧି କରାଯାଇଥିଲା। ଫଳରେ ଚାଷୀ ବେଶ ଉପକୃତ ହୋଇଛନ୍ତି। ଜିଲ୍ଲାର ବେଲଗୁଣ୍ଠା, ବୁଗୁଡ଼ା, ଭଞ୍ଜନଗର, ଚିକିଟି, ଧରାକୋଟ, ଦିଗପହଣ୍ଡି, ଜଗନ୍ନାଥପ୍ରସାଦ, ଖଲ୍ଲିକୋଟ, ପାତ୍ରପୁର ଭଳି ବ୍ଲକ୍‌ରେ ୯୯ ପ୍ରତିଶତ ଧାନକ୍ରୟ ସରିଲାଣି।

Categories
ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ଓଡିଶାରୁ ଧାନ କିଣୁ ନାହିଁ କେନ୍ଦ୍ର,ବିଜେପି ନେତାମାନେ ଚୁପ କାହିଁକି ବୋଲି ପ୍ରଶ୍ନ କଲା ବିଜେଡି

ବରଗଡ଼: କେନ୍ଦ୍ର ସରକାର ଚଳିତ ବର୍ଷର ବଜେଟରେ ଧାନ କ୍ରୟ କ୍ଷେତ୍ରରେ ୨୦,୦୦୦ କୋଟି ଟଙ୍କାର ବୃହତ୍‍ ରାଶି ହ୍ରାସ କରିଛନ୍ତି। ସ୍ୱାମୀନାଥନ୍ କମିଶନ ରିପୋର୍ଟ ସୁପାରିଶ କାର୍ଯ୍ୟକାରିତା ବିଷୟ ବି ଭୁଲିଯାଇଛନ୍ତି।

ଏହି ବୃହତ୍‍ ୨୦,୦୦୦ କୋଟି ଟଙ୍କା ହ୍ରାସ ଯୋଗୁଁ କୃଷକମାନେ ସେମାନଙ୍କର ଏମ୍‌ଏସ୍‌ପି ପାଇବାରେ ଅସମର୍ଥ ହେବେ ଏବଂ ଧାନ କିଣା କ୍ରମଶଃ ହ୍ରାସ ପାଇବ। ଏହା ଓଡିଶାର କୃଷକମାନଙ୍କୁ ବିଶେଷ ଭାବରେ ପଶ୍ଚିମ ଓଡିଶାର କୃଷକଙ୍କୁ ପ୍ରଭାବିତ କରିବ ଏବଂ ସେମାନଙ୍କ ଜୀବିକା ଉପରେ ଗଭୀର ପ୍ରଭାବ ପକାଇବ ବୋଲି ଆଜି ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ବିଜେଡିର ବରିଷ୍ଠ ଉପସଭାପତି ତଥା ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ସାଂସଦ ଶ୍ରୀ ପ୍ରସନ୍ନ ଆଚାର୍ଯ୍ୟ।

ଶ୍ରୀ ଆଚାର୍ଯ୍ୟ କହିଛନ୍ତି ଯେ ବଜେଟ୍‍ରେ ଅର୍ଥ ହ୍ରାସ ଯୋଗୁଁ କେନ୍ଦ୍ର ଏମ୍‌ଏସ୍‌ପିକୁ ୧.୫ ଗୁଣ ବୃଦ୍ଧି କରିବ ନାହିଁ ଏବଂ ଧାନର କୁଇଣ୍ଟାଲ ପିଛା ସର୍ବନିମ୍ନ ସହାୟକ ମୂଲ୍ୟ ୨୯୩୦ କରିବା ପାଇଁ ଚାଷୀଙ୍କ ଦାବି ଅନୁଯାୟୀ ଓଡ଼ିଶା ବିଧାନସଭାରେ ପାରିତ ସର୍ବସମ୍ମତ ପ୍ରସ୍ତାବକୁ ମଧ୍ୟ ପୁଣିଥରେ ପ୍ରତ୍ୟାଖାନ କରିବ। ଯାହାଦ୍ୱାରା ଓଡିଶାର ଲକ୍ଷ ଲକ୍ଷ ଚାଷୀ ଦୁଃଖ ଏବଂ ଯନ୍ତ୍ରଣା ପାଇବେ।

କେନ୍ଦ୍ର ମଧ୍ୟ ଓଡିଶାରୁ ଖାଦ୍ୟଶସ୍ୟ କ୍ରୟ ଲକ୍ଷ୍ୟକୁ ହ୍ରାସ କରିଛି। ଭାରତୀୟ ଖାଦ୍ୟ ନିଗମ (ଏଫ୍‌ସିଆଇ) ଦ୍ୱାରା ଓଡିଶାରୁ ବର୍ଷକୁ ୧୮ ଲକ୍ଷ ମେଟ୍ରିକ ଟନ୍‍ ଚାଉଳ ଉଠାଯାଉଥିବା ବେଳେ ବର୍ତ୍ତମାନ ୨୦୨୨-୨୩ ପାଇଁ କେନ୍ଦ୍ର ଏହାକୁ ୮୦% ହ୍ରାସ କରି ମାତ୍ର ୪ ଲକ୍ଷ ଟନ୍‍ କରିଛି।

କେବଳ ଓଡ଼ିଶାର ବରଗଡ ଜିଲ୍ଲା ୪ ଲକ୍ଷ ଟନ୍‍ ଚାଉଳ ଉତ୍ପାଦନ କରେ, ବାକି ୨୯ଟି ଜିଲ୍ଲାର ଅବସ୍ଥା କ’ଣ ହେବ ? ସେହି ୨୯ଟି ଜିଲ୍ଲାର କୃଷକମାନେ କେଉଁଠାରେ ସେମାନଙ୍କର ଧାନ ବିକ୍ରି କରିବେ ? କେନ୍ଦ୍ର ଏହା ଉପରେ ସମ୍ପୂର୍ଣ୍ଣ ନିରବ ରହିଛି।

କେନ୍ଦ୍ରର ଏଭଳି ଅନ୍ୟାୟ ଯୋଗୁଁ ପଶ୍ଚିମ ଓଡ଼ିଶାର କୃଷକମାନେ ଅଧିକ କ୍ଷତିଗ୍ରସ୍ତ ହେବେ। ପଶ୍ଚିମ ଓଡିଶାର ପାଞ୍ଚ ଜଣ ବିଜେପି ସାଂସଦ କ’ଣ କରୁଛନ୍ତି ? ସେମାନେ ୨୦୧୯ରେ ପଶ୍ଚିମ ଓଡିଶାର ଲୋକମାନଙ୍କ ଦ୍ୱାରା ନିର୍ବାଚିତ ହୋଇଥିଲେ ମଧ୍ୟ ଧାନ କ୍ରୟ ପାଇଁ ସେମାନେ ପଶ୍ଚିମ ଓଡିଶାର କୃଷକଙ୍କ ସପକ୍ଷରେ ପଦୁଟିଏ ହେଲେ କହୁ ନାହାଁନ୍ତି ।

୨୦୨୪ରେ ସେମାନେ ପୁଣି ଥରେ ସେହି ଭୋଟରଙ୍କୁ କିପରି ସାମ୍ନା କରିବେ, ଯେଉଁମାନେ ୨୦୧୯ରେ ସେମାନଙ୍କୁ ବିଶ୍ୱାସ କରିଥିଲେ? ଧାନ କ୍ରୟ ସହ ପଶ୍ଚିମ ଓଡିଶାର କୃଷକଙ୍କ ସ୍ୱାର୍ଥ ପାଇଁ ପାଟି ନଖୋଲି ଓଡିଶାର କେନ୍ଦ୍ର ମନ୍ତ୍ରୀମାନେ କାହିଁକି ଚୁପ୍ ରହିଛନ୍ତି? ପଶ୍ଚିମ ଓଡ଼ିଶାର କୃଷକ ଏବଂ ଭୋଟରମାନେ ଭବିଷ୍ୟତରେ ଓଡିଶା ବିଜେପିର କେନ୍ଦ୍ରୀୟ ମନ୍ତ୍ରୀ ଏବଂ ପଶ୍ଚିମ ଓଡିଶାର ବିଜେପି ସାଂସଦଙ୍କ ଏଭଳି ନିରବତା ଦେଖି ସେମାନଙ୍କୁ ଆଉ ବିଶ୍ୱାସ କରିବେ କି ବୋଲି ଶ୍ରୀ ଆଚାର୍ଯ୍ୟ ପ୍ରଶ୍ନ କରିଛନ୍ତି।

ଆମେ ଦାବି କରୁଛୁ ଯେ ଓଡିଶା ଚାଷୀଙ୍କର ସ୍ୱାର୍ଥ ବିଶେଷକରି ପଶ୍ଚିମ ଓଡିଶା ଚାଷୀଙ୍କର ସ୍ୱାର୍ଥ ଦୃଷ୍ଟିରୁ ସମସ୍ତ ବଳକା ଖାଦ୍ୟ ଶସ୍ୟକୁ ଧାନ କିଣା ପ୍ରକ୍ରିୟାରେ କେନ୍ଦ୍ର ସରକାର ଖରିଦ କରନ୍ତୁ ଏବଂ ଓଡିଶାର କୃଷକମାନେ କୌଣସି ସ୍ଥିତିରେ ଯେଭଳି ଏମ୍‌ଏସ୍‌ପିରୁ ବଞ୍ଚିତ ହେବେ ନାହିଁ ତାହା ନିଶ୍ଚିତ କରନ୍ତୁ ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି।