Categories
ଆଜିର ଖବର ଜାତୀୟ ଖବର

ଫସଲ ଅବଶିଷ୍ଟାଂଶ ପୋଡ଼ି ପରିମାଣକୁ ଶୂନ୍ୟ କରିବା ଦିଗରେ କାର୍ଯ୍ୟ କରୁଛି କେନ୍ଦ୍ର: ନରେନ୍ଦ୍ର ସିଂହ ତୋମାର

ଦିଲ୍ଲୀ: ଚଳିତ ଋତୁରେ ଧାନ ଫସଲର ଅବଶିଷ୍ଟାଂଶ ପୋଡ଼ିକୁ ରୋକିବା ପାଇଁ ପଞ୍ଜାବ, ହରିୟାଣା, ଉତ୍ତରପ୍ରଦେଶ ଏବଂ ଏନସିଟି ଦିଲ୍ଲୀ ରାଜ୍ୟର ପ୍ରସ୍ତୁତିର ସମୀକ୍ଷା କରିବା ପାଇଁ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଏବଂ ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବଙ୍କ ଅଧ୍ୟକ୍ଷତାରେ ଗତ କାଲି ଏକ ଉଚ୍ଚସ୍ତରୀୟ ଆନ୍ତଃମନ୍ତ୍ରଣାଳୟ ବୈଠକ ଅନୁଷ୍ଠିତ ହୋଇଥିଲା।

ଏହି ଉଚ୍ଚସ୍ତରୀୟ ବୈଠକରେ ଉତ୍ତରପ୍ରଦେଶ ସରକାରଙ୍କ କୃଷି ମନ୍ତ୍ରୀ ସୂର୍ଯ୍ୟ ପ୍ରତାପ ଶାହୀ, ପଞ୍ଜାବର କୃଷି ମନ୍ତ୍ରୀ ଗୁରମିତ୍ ସିଂ ଖୁଦିଆନ, ହରିୟାଣାର କୃଷି ମନ୍ତ୍ରୀ ଜୟ ପ୍ରକାଶ ଦଲାଲ ଏବଂ ଦିଲ୍ଲୀ ଏନସିଟିର ପରିବେଶ ମନ୍ତ୍ରୀ ଗୋପାଳ ରାୟ ଉପସ୍ଥିତ ଥିଲେ। ଏହି ବୈଠକରେ ଭାରତ ସରକାରଙ୍କ କୃଷି ମନ୍ତ୍ରଣାଳୟ, ପରିବେଶ ମନ୍ତ୍ରଣାଳୟ ଏବଂ ପଞ୍ଜାବ, ହରିୟାଣା, ଉତ୍ତରପ୍ରଦେଶ, ଦିଲ୍ଲୀ ଏନସିଟି ଏବଂ ଆଇସିଏଆରର ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ।

ଏହି ବୈଠକରେ ରାଜ୍ୟଗୁଡ଼ିକ ଚଳିତ ଋତୁରେ ଫସଲର ଅବଶେଷ ପୋଡ଼ିକୁ ରୋକିବା ପାଇଁ ସେମାନଙ୍କର କାର୍ଯ୍ୟ ଯୋଜନା ଏବଂ ରଣନୀତି ଉପସ୍ଥାପନ କରିଥିଲେ। ଫସଲର ଅବଶିଷ୍ଟାଂଶ ଗୁଡ଼ିକର ପରିଚାଳନା ପାଇଁ ରାଜ୍ୟ ମାନଙ୍କୁ ପ୍ରଦାନ କରାଯାଇଥିବା ପାଣ୍ଠିର ଉପଯୋଗ କରିବା, ଫସଲର ଅବଶେଷ ପରିଚାଳନା (ସିଆରଏମ) ଯନ୍ତ୍ରପାତିକୁ ଅମଳ ଋତୁ ପୂର୍ବରୁ ଉପଲବ୍ଧ କରାଇବା ଏବଂ ଆଇସିଏଆର ଏବଂ ଅନ୍ୟ ଅଂଶୀଦାରଙ୍କ ସହଯୋଗରେ ସୂଚନା, ଶିକ୍ଷା ଏବଂ ଯୋଗାଯୋଗ (ଆଇଇସି) କାର୍ଯ୍ୟକଳାପ ସମ୍ପନ୍ନ କରିବାକୁ ରାଜ୍ୟ ମାନଙ୍କୁ ପରାମର୍ଶ ଦିଆ ଯାଇଥିଲା।

ଏହି ଅବସରରେ କେନ୍ଦ୍ର ପରିବେଶ ମନ୍ତ୍ରୀ କହିଥିଲେ ଯେ, ଗତ ୫ ବର୍ଷ ଧରି ଧାନ ଫସଲର ଅବଶିଷ୍ଟାଂଶ ପୋଡ଼ିକୁ ରୋକିବା ପାଇଁ ପ୍ରୟାସ ସଫଳ ହୋଇ ଆସୁଛି । ବାୟୁର ଗୁଣବତ୍ତା ପରିଚାଳନା ଆୟୋଗଙ୍କ ଭଳି ଏଜେନ୍ସି ଗୁଡ଼ିକର ମିଳିତ ପ୍ରୟାସ ଯୋଗୁଁ ପଞ୍ଜାବ, ହରିୟାଣା, ଉତ୍ତରପ୍ରଦେଶ, ଦେଶର ରାଜଧାନୀ ଦିଲ୍ଲୀ ଅଂଚଳରେ ଫସଲ ଅବଶେଷ ପୋଡ଼ିବା ଘଟଣା ହ୍ରାସ ପାଇଛି। ଧାନ ନଡ଼ାର ପୂର୍ବ ସ୍ଥିତି ପରିଚାଳନାକୁ ପ୍ରୋତ୍ସାହିତ କରିବାର ଆବଶ୍ୟକତା ରହିଛି, ଯାହା ଶକ୍ତି, ବାୟୋ ମାସ୍ ଇତ୍ୟାଦି ବ୍ୟବହାର କରୁଥିବା ଶିଳ୍ପକୁ କଞ୍ଚାମାଲ ପ୍ରଦାନ କରିବ।

କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଧାନ ଫସଲର ଅବଶେଷ ପୋଡ଼ି ସମସ୍ୟାର ସମାଧାନ ଦିଗରେ ଗମ୍ଭୀରତା ଦେଖାଇ ଥିବାରୁ ସମସ୍ତ ଅଂଶୀଦାର ମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସମସ୍ତ ଅଂଶୀଦାର ମାନଙ୍କ ପ୍ରୟାସ ଯୋଗୁଁ ଧାନ ଫସଲର ଅବଶେଷ ପୋଡ଼ିବା ଘଟଣା କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି ବୋଲି ସେ କହିଛନ୍ତି। ତେବେ ଧାନ ଫସଲ ପୋଡ଼ିବା କେବଳ ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳର ପ୍ରଦୂଷଣ ସହ ଜଡ଼ିତ ନୁହେଁ। ଏହା ମୃତ୍ତିକାର ସ୍ୱାସ୍ଥ୍ୟ ଏବଂ ଏହାର ଉର୍ବରତା ଉପରେ ମଧ୍ୟ ପ୍ରତିକୂଳ ପ୍ରଭାବ ପକାଇ ଚାଷ ଜମି ଉପରେ କ୍ଷତିକାରକ ପ୍ରଭାବ ପକାଉଛି। ତେଣୁ, ଆମର ପ୍ରୟାସ ଉଭୟ ଦିଲ୍ଲୀରେ ବାୟୁ ପ୍ରଦୂଷଣର ମୁକାବିଲା ଏବଂ ମୃତ୍ତିକା ସ୍ୱାସ୍ଥ୍ୟର ସୁରକ୍ଷା ପାଇଁ ହେବା ଆବଶ୍ୟକ, ଯାହା ଦ୍ୱାରା କୃଷକ ମାନଙ୍କର ସର୍ବାଧିକ ସ୍ୱାର୍ଥରକ୍ଷା ହୋଇ ପାରିବ।

ଚଳିତ ଋତୁରେ ଲକ୍ଷ୍ୟ ହେଉଛି ଫସଲର ଅବଶିଷ୍ଟାଂଶ ପୋଡ଼ିବା ଦିଗରେ କାର୍ଯ୍ୟ କରିବା। ଭାରତ ସରକାର ୪ଟି ରାଜ୍ୟକୁ ସିଆରଏମ୍ ଯୋଜନାରେ ପର୍ଯ୍ୟାପ୍ତ ପାଣ୍ଠି ପ୍ରଦାନ କରୁଛନ୍ତି ଏବଂ ସେମାନେ ଠିକ୍ ସମୟରେ କୃଷକ ମାନଙ୍କୁ ଯନ୍ତ୍ରପାତି ଯୋଗାଇ ତା’ର ଉପଯୁକ୍ତ ଉପଯୋଗକୁ ସୁନିଶ୍ଚିତ କରାଇବା ଉଚିତ୍। ଯନ୍ତ୍ରପାତି ଗୁଡ଼ିକର ଉପଯୁକ୍ତ ଉପଯୋଗ ଓ ଜୈବ ବିଶୋଧନକାରୀର ବ୍ୟବହାର ସୁନିଶ୍ଚିତ କରିବା ପାଇଁ ରାଜ୍ୟ ସ୍ତରରେ ଉପଯୁକ୍ତ ତଦାରଖର ଆବଶ୍ୟକତା ରହିଛି। ପୂର୍ବ – ସ୍ଥିତି ପରିଚାଳନା ମାଧ୍ୟମରେ ଧାନ ନଡ଼ାକୁ ବାଣିଜ୍ୟିକ ଉଦ୍ଦେଶ୍ୟରେ ବ୍ୟବହାର କରିବା ଉପରେ ମଧ୍ୟ ଧ୍ୟାନ ଦିଆଯିବା ଉଚିତ୍। ବିଭିନ୍ନ ପ୍ରଣାଳୀ ମାଧ୍ୟମରେ ଫସଲର ଅବଶେଷ ପୋଡ଼ିକୁ ରୋକିବା ପାଇଁ ସଚେତନତା ସୃଷ୍ଟିକୁ ତ୍ୱରାନ୍ୱିତ କରିବାର ଆବଶ୍ୟକତା ରହିଛି। କୃଷି ପ୍ରଯୁକ୍ତି ବିଦ୍ୟା ପରିଚାଳନା ଏଜେନ୍ସି (ଏଟିଏମ୍ଏ) ଭଳି ଏଜେନ୍ସି ଗୁଡ଼ିକୁ ସେମାନଙ୍କର ସମ୍ପୂର୍ଣ୍ଣ ସାମର୍ଥ୍ୟ ଅନୁଯାୟୀ ବ୍ୟବହାର କରିବାର ଆବଶ୍ୟକତା ରହିଛି।

Categories
ଆଞ୍ଚଳିକ

ମହୁକୁଦ ଗ୍ରାମରେ ହାତୀ ଉପଦ୍ରବ, ଧାନ ଫସଲ ନଷ୍ଟ

କନ୍ଦର୍ପ ବେହେରା
ରେଢ଼ାଖୋଲ: ନାକ୍ଟିଦେଉଳ ରେଞ୍ଜ ଅଧିନରେ ଥିବା ଗାଁ ମାନଙ୍କରେ ହାତୀ ଉପଦ୍ରବ ଯୋଗୁଁ ବ୍ୟାପକ ଫସଲ ନଷ୍ଟ ହେଉଥିବା ଜଣା ପଡ଼ିଛି। ତା ୧୮.୧୦.୨୨ ରିଖ ର ଵିଳମ୍ଵିତ ରାତ୍ରିରେ ନାକଟିଦେଉଳ ବ୍ଲକ୍ ଅନ୍ତର୍ଗତ ବଳମ ପଞ୍ଚାୟତ ର ମହୁକୁଦ ଗ୍ରାମ ଖଳିମୁଣ୍ଡା ନିକଟବର୍ତ୍ତୀ ଜାମୁପଟି ରେ ପ୍ରାୟ ଵାର ଘରିଆ ହାତୀ ପ୍ରଵେଶ କରି ପାଞ୍ଚ ଜଣ ଵ୍ୟକ୍ତି ଙ୍କର ଚାଷ ଜମିର ଅଧାଭାଗ ଫସଲ ନଷ୍ଟ କରିଛନ୍ତି।

ଏବର୍ଷ ଚାଷ ଭଲ ହୋଇଥିବାରୁ ଚାଷୀମାନେ ମାନସିକ ସ୍ତରରେ ଭାଙ୍ଗି ପଡିଛନ୍ତି। ବାରମ୍ବାର ହାତୀ ଉପଦ୍ରବ ହେଉଥିଲେ ମଧ୍ୟ ଏପର୍ଯ୍ୟନ୍ତ ସ୍ଥାୟୀ ପ୍ରତିକାର କରାଯାଇପାରିନାହିଁ। କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ଆବଶ୍ୟକୀୟ କ୍ଷତିପୁରଣ ଦେବାକୁ ଦାବୀ ହେଉଛି। ହାତୀ ଘଉଡାଇବାରେ ବନବିଭାଗର କର୍ମଚାରୀମାନେ ଆଗ ଭର ହେଉ ନ ଥିବା ଅଭିଯୋଗ ହେଉଛି।

Categories
ଆଜିର ଖବର ରାଜ୍ୟ ଖବର

ଟାଙ୍ଗୀରେ ହାତୀ ପଲଙ୍କ ଉପଦ୍ରବ: ନଷ୍ଟ କଲେ ଏକର ଏକର ଧାନ ଫସଲ

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଖୋର୍ଦ୍ଧା ବନ ଖଣ୍ଡ ଟାଙ୍ଗୀ ରେଂଜ୍ ରେ ଦିନକୁ ଦିନ ବଢି ଚାଲିଛି ଜଙ୍ଗଲୀ ହାତୀ ପଲଙ୍କ ଆତଙ୍କ ରାଜ। ଦିନରେ ହାତୀ ପଲ ଜଙ୍ଗଲରେ ରହୁଥିବା ବେଳେ ରାତି ହେଲେ ଖାଦ୍ୟ ଖାଇବା ଲୋଭରେ ଗାଁ ମୁହାଁ ହେଉଛନ୍ତି। ହାତୀ ପଲଙ୍କ ଉପଦ୍ରବ ଯୋଗୁଁ ଲୋକେ ଆତଙ୍କିତ ହେଉଛନ୍ତି। ଧନ ଜୀବନ ବି ବିପନ୍ନ ହେଉଛି। ଧାନ ଅମଳ ହେବାକୁ ଆଉ ଅଳ୍ପ କେଇଟା ଦିନ ବାକି ଥିବା ବେଳେ ହାତୀପଲଙ୍କ ଯୋଗୁଁ ଫସଲ ନଷ୍ଟ ହେଉଥିବା ଅଭିଯୋଗ ହେଉଛି।

ଗତ କାଲି ରାତିରେ ଖୋର୍ଦ୍ଧା ବନ ଖଣ୍ଡ ଭୁଷଣ୍ଡପୁରରେ ୧୬ ଟି ଜଙ୍ଗଲୀ ହାତୀ ପଲ ଗାଁ ମୁହାଁ ହୋଇଥିବା ଦେଖିବାକୁ ମିଳିଛି। ଯାହା ଦ୍ଵାରା ଏକର ଏକର ଧାନ ଫସଲ ନଷ୍ଟ ହୋଇଯାଇଥିବା ଅଭିଯୋଗ ହୋଇଛି।

ଖବର ପାଇ ଟାଙ୍ଗୀ ବନାଂଚଳ ରେଂଜର ରଵିନ୍ଦ୍ର ନାଥ ପଣ୍ଡାଙ୍କ ନିର୍ଦ୍ଧେଶରେ ବନ ବିଭାଗ କର୍ମଚାରୀମାନେ ହାତୀ ପଲଙ୍କ ଉପରେ କଡା ନଜର ରଖିଛନ୍ତି। ଅକ୍ଳାନ୍ତ ପରିଶ୍ରମ କରି ବନ କର୍ମଚାରୀ ମାନେ ହାତୀ ପଲକୁ ଜଙ୍ଗଲ ଭିତରକୁ ଘଉଡାଇବା ପାଇଁ ଚେଷ୍ଟା ଜାରି ରଖିଛନ୍ତି। ହାତୀ ପାଦରେ ଫସଲ ନଷ୍ଟ ହେଉଥିଵାରୁ ବନ ଵିଭାଗ ଉପରେ ଚାଷୀମାନେ ଦୋଷ ଲଦିଛନ୍ତି। ଫସଲ ନଷ୍ଟ ହେଇଥିଵାରୁ ଚାଷୀମାନେ କ୍ଷତି ପୂରଣ ପାଇବା ପାଇଁ ଦାବି କରିଛନ୍ତି।