Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

Dhamnagar Bypoll: କେନ୍ଦ୍ରମନ୍ତ୍ରୀ ବିଶେଶ୍ବର ଟୁଡୁଙ୍କ ବିରୋଧରେ ବିଜେଡି ଆଣିଲା ଅଭିଯୋଗ

ଭୁବନେଶ୍ବର: ଆଜି କେନ୍ଦ୍ରମନ୍ତ୍ରୀ ବିଶେଶ୍ବର ଟୁଡୁଙ୍କ ବିରୋଧରେ ଅଭିଯୋଗ ଆଣିଛି ବିଜେଡି। ଓଡିଶା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଏହି ଅଭିଯୋଗ କରିଛି ଦଳ। କେନ୍ଦ୍ରମନ୍ତ୍ରୀ ଟୁଡୁ ଧାମନଗର ପ୍ରଚାର ବେଳେ ଆଦର୍ଶ ଆଚରଣ ବିଧି ଉଲ୍ଲଘଂନ କରିଛନ୍ତି। ସେ ନିର୍ବାଚନ ପ୍ରଚାରରେ ଧାମନଗର ବୈତରଣୀ ବନ୍ୟାର ସମାଧାନ ହେବ ବୋଲି କହିଛନ୍ତି।

ନିର୍ବାଚନ ପ୍ରଚାର ବେଳେ କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀଙ୍କ ଏପରି ପ୍ରତିଶୃତି ଆଦର୍ଶ ଆଚରଣ ବିଧି ଉଲ୍ଲଘଂନ କରୁଛି ବୋଲି ବିଜେଡି ଅଭିଯୋଗ କରିଛି। ବିଜେପି ପ୍ରାର୍ଥୀଙ୍କ ପ୍ରଚାର ବେଳେ ସେ ମନ୍ତ୍ରୀ ଥାଇ କିପରି ପ୍ରତିଶୃତି ଦେଲେ ବୋଲି ବିଜେଡି କହିଛି। ବର୍ତ୍ତମାନ ବିଜେପି ଧାମନଗରରେ ହାରୁଥିବାର ଜାଣିବା ପରେ ମନ୍ତ୍ରୀ ଆଇନ ଉଲ୍ଲଘଂନ କରୁଛନ୍ତି ବୋଲି ଦଳ ଅଭିଯୋଗ କରିଛି।

ଗତକାଲି କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ ବିଶେଶ୍ବର ଟୁଡୁ ବିଜେପି ପ୍ରାର୍ଥୀଙ୍କ ପ୍ରଚାର କରୁଥିଲେ। ଏହି ସମୟରେ ସେ ଭୋଟରମାନଙ୍କୁ ବୈତରଣୀ ବନ୍ୟା ସମସ୍ୟାକୁ ସମାଧାନ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ। ସେ କହିଥିଲେ ଯେ, ନିର୍ବାଚନ ପରେ ଏହାକୁ ଜରୁରୀ ଭାବେ ଗ୍ରହଣ କରି ସମାଧାନ କରାଯିବ। ଯାହା ଆଦର୍ଶ ଆଚରଣ ବିଧି ଉଲ୍ଲଘଂନ ବୋଲି ବିଜେଡି କହିଛି।

ଏ ନେଇ ବିଜେଡି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଅଭିଯୋଗ ପତ୍ର ଦେବା ସହିତ ମନ୍ତ୍ରୀ ଟୁଡୁଙ୍କ ଭାଷଣର ଏକ ଭିଜୁଆଲ କପି ମଧ୍ୟ ପ୍ରଦାନ କରିଛି। ନିର୍ବାଚନ ଅଧିକାରୀ ତୁରନ୍ତ ଏହା ଉପରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ବିଜେଡି ଦାବୀ କରିଛି। ବିଜେଡି ନେତା ଲେନୀନ ମହାନ୍ତିଙ୍କ ନେତୃତ୍ବରେ ଏକ ଦଳ ନିର୍ବାଚନ ଅଧିକାରୀଙ୍କୁ ସାକ୍ଷାତ କରିଛନ୍ତି।

ଆଜି ଅପରାହ୍ନରେ ନୂଆଦିଲ୍ଲୀରେ ନିର୍ବାଚନ କମିଶନରଙ୍କୁ ବିଜେଡି ମଧ୍ୟ ଅଭିଯୋଗ କରିବ ବୋଲି ଦଳ ତରଫରୁ କୁହାଯାଇଛି।