Categories
ଅପରାଧ ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ନକଲି ଔଷଧ ଧରପଗଡ, ରାଜ୍ୟ ବାହାର କଂପାନୀ ଉପରେ କଡ଼ା ନଜର ରଖିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ନକଲି ଔଷଧ କାରବାର ଉପରେ ଚଢ଼ଉ ଓ ଧରପଗଡ ଜୋରଦାର କରାଯାଇଛି । ରାଜ୍ୟ ବାହାରୁ ଆସୁଥିବା ଔଷଧ ଉପରେ କଡ଼ା ନଜର ରଖିବା ସହ ସମସ୍ତ ସମ୍ବେଦନଶୀଳ ଓ ସନ୍ଦେହାତ୍ମକ ଗୋଦାମ ଉପରେ ସଘନ ଚଢ଼ାଉ କରିବାକୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଶାସନ ସଚିବ ଶ୍ରୀମତୀ ଶାଳିନୀ ପଣ୍ଡିତ୍ ସମସ୍ତ କ୍ଷେତ୍ରସ୍ତରୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଔଷଧ ଗୋଦାମ ସହ ଖୁଚୁରା ବ୍ୟବସାୟ କେନ୍ଦ୍ର ଓ ଦୋକାନ ମାନଙ୍କରେ ମଧ୍ୟ ଚଢ଼ାଉ ଜାରି ରହିଛି। ଇତି ମଧ୍ୟରେ କଟକରେ ୬ ଟି, କେନ୍ଦ୍ରାପଡାରେ ୧ ଟି, ଝାରସୁଗୁଡାରେ ୨ ଟି,ଏବଂ ସୁନ୍ଦରଗଡ, ବରଗଡ ଓ ସମ୍ବଲପୁରରେ ୧ ଟି ଲେଖାଏଁ ଯାଗାରୁ ନକଲି ଔଷଧ ଧରାଯାଇ ଆଇନଗତ ମକଦ୍ଦମା ରୁଜୁ କରାଯାଇଛି। ଦୋକାନମାନଙ୍କରେ ଥିବା ପ୍ରତି ଔଷଧ ଷ୍ଟ୍ରିପ୍କୁ ଯାଞ୍ଚ କରାଯାଉଛି। ଲଗାତର ଭାବେ ଚଢ଼ାଉ ଜାରି ରଖି ନକଲି କାରବାର କରୁଥିବା ଲୋକ ଓ ଦୋକାନୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଶ୍ରୀମତୀ ପଣ୍ଡିତ ନିର୍ଦ୍ଦେଶ ଦେଇଛନ୍ତି।

ପ୍ରାପ୍ତ ସୂଚନାରୁ ଜଣାପଡିଛି, କଟକର ଭି.ଆର୍.ଏଜେନ୍ସି, ପୁଜା ଏଣ୍ଟରପ୍ରାଇଜରସ୍, କୟାଲ ଏଜେନ୍ସି, ମହାବୀର ପ୍ରସାଦ ରାଧେଶ୍ୟାମ, ଶ୍ରୀ ଡିଷ୍ଟ୍ରିବ୍ୟୁଟରସ୍ ଏବଂ ଶ୍ରୀ ଏମ୍.ଏଚ୍ ଆଦି ଗୋଦାମରୁ ଚଢ଼ଉପରେ ନକଲି ଔଷଧ ମିଳିଛି ।

ସେହିପରି ଝାରସୁଗୁଡା ଜିଲ୍ଲାର ଶ୍ୟାମ ମେଡ଼ିକାଲ ଓ ଅମିତ୍ ଏଜେନ୍ସି, ସୁନ୍ଦରଗଡ଼ର ପ୍ରକାଶ ମେଡିକାଲ ପ୍ରା.ଲିଃ, ବରଗଡର ଅଶୋକ ମେଡିକାଲ ହଲ୍, ସମ୍ବଲପୁରର ଦୁର୍ଗା ଏଜେନ୍ସି ଏବଂ କେନ୍ଦ୍ରାପଡାର ସାଇ ଆଦି ଗୋଦାମରୁ ଚଢ଼ାଉ ପରେ ନକଲି ଔଷଧ ମିଳିଛି। ଏସବୁ ଏଜେନ୍ସି, ଗୋଦାମ ଓ ଦୋକାନ ବିରୁଦ୍ଧରେ ଡ୍ରଗ୍ସ୍ ନିୟନ୍ତ୍ରଣ ଆଇନ୍ ଅନୁସାରେ ମକଦ୍ଦମା ରୁଜୁ କରାଯାଇଛି ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ନକଲି ଔଷଧ କାରବାରରେ ସାମିଲ ଥିବା ବ୍ୟକ୍ତିଙ୍କୁ ନିସ୍ତାର ନାହିଁ: କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: କରୋନା ସମୟରେ ନକଲି ଔଷଧ କାରବାର ବୃଦ୍ଧି ପାଉଛି। ତେବେ ଏହାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତତ୍ପରତା ଦେଖାଇଛନ୍ତି। ନକଲି ଔଷଧ କାରବାରରେ ସମ୍ପୃକ୍ତ ଥିବା ଲୋକଙ୍କୁ ଧରିବା ପାଇଁ ମୁଖ୍ୟମନ୍ତ୍ରୀ ତତ୍ପର ହୋଇ ଉଠିଛନ୍ତି। ସେଥିପାଇଁ ଏହି ଘଟଣା ଉପରେ ତଦନ୍ତ କରିବା ପାଇଁ କ୍ରାଇମବ୍ରାଞ୍ଚକୁ ନିର୍ଦ୍ଦେଶ ଦେଇଛନ୍ତି।

ଉଲ୍ଲେଖା ଯୋଗ୍ୟ ଯେ, ରାଜ୍ୟରେ ଫାଭିଫିରାଭିର ସମେତ ୯ ଟି ନକଲି ଔଷଧକୁ ଠାବ କରାଯାଇଥିଲା। କଟକର କନିକା ଛକ ନିକଟରେ ଥିବା ଏକ ମେଡ଼ିସିନ ହୋଲସେଲ ଦୋକାନରୁ ୬୯ ଲକ୍ଷ ଟଙ୍କାର ନକଲି ଔଷଧ ମଧ୍ୟ ଜବତ ହୋଇଥିଲା।

ତେଣୁ ଏହାକୁ ଗୁରୁତର ସହ ନେଇ ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ନକଲି ଔଷଧ କାରବାରରେ ସାମିଲ ଲୋକଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦେଇଥିଲେ। ତେବେ ଏହି ଘଟଣାର ତଦନ୍ତ ପାଇଁ ଆଜି ମୁଖ୍ୟମନ୍ତ୍ରୀ କ୍ରାଇମବ୍ରାଞ୍ଚକୁ ନିର୍ଦ୍ଦେଶ ଦେଇଛନ୍ତି।