Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ନକଲି ମଦ ଫ୍ୟାକ୍ଟ୍ରି ଠାବ ପରେ ଅବକାରୀ ବିଭାଗ ସକ୍ରିୟ

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସହରର ବଡ଼ବଜାର ଥାନା ଅନ୍ତର୍ଗତ ହରିଡ଼ାଖଣ୍ଡି ତୃପ୍ତିନଗର ୨ନଂ ଲେନ୍ ରୁ ଗତ ୨୭ ତାରିଖ ଦିନ ଏକ ନକଲି ବିଦେଶି ମଦ ଫ୍ୟାକ୍ଟ୍ରି ଧରାପଡିବା ଏବଂ ଏଠାରେ ପ୍ରସ୍ତୁତ ନକଲି ମଦ ଗ୍ରାମାଚଂଳକୁ ଯାଉଥିବା ଜଣାପଡିବା ପରେ ଅବକାରୀ ବିଭାଗ ପକ୍ଷରୁ ଦୁମୁଦୁମି ଗ୍ରାମରେ ଚଢ଼ଉ କରାଯାଇ କିଛି ନକଲି ବିଦେଶୀ ମଦ ଜବତ ହୋଇଛି। ନକଲି ବିଦେଶୀ ମଦ ଧରାପଡିବା ପରେ ଅବକାରୀ ବିଭାଗ ସକ୍ରିୟ ହୋଇଉଠିଛି। ବିଭାଗ ପକ୍ଷରୁ ଏନେଇ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରୀ ରହିଛି।

ବ୍ରହ୍ମପୁର ଅବକାରୀ ଅଧିକ୍ଷକ ରମେନ୍ଦ୍ର ନାୟକଙ୍କ ତତ୍ୱାବଧାନରେ ଏକ ଟିମ୍ ଗୋଳନ୍ଥରା ଥାନା ଅନ୍ତର୍ଗତ ଦୁମୁଦୁମି ଗ୍ରାମରେ ଚଢ଼ଉ କରିଥିଲା। ଚଢ଼ଉ ବେଳେ ଗ୍ରାମରେ ଥିବା ଏକ ଘରୁ ବିପୁଳ ପରିମାଣରେ ନକଲି ବିଦେଶୀ ମଦ ଜବତ କରିଥିଲା। ଘଟଣାରେ ଜଣେ ମହିଳାଙ୍କୁ ଗିରଫ କରାଯାଇଛି। ମହିଳା ଜଣକ ନିଜ ଘରେ ଏହି ନକଲି ମଦ ଗଚ୍ଛିତ ରଖି ବିକ୍ରୀ କରୁଥିଲେ। ସେଠାରୁ ପ୍ରାୟ ୧୬ ଲିଟର ନକଲି ବିଦେଶୀ ମଦ ଓ ୬ ଲିଟର ବିୟର୍ ଜବତ ହୋଇଛି। ଅବକାରୀ ଏସଆଇ ଶ୍ରୀଧର ମହାନ୍ତିଙ୍କ ନେତୃତ୍ୱରେ ଏହି ଚଢ଼ଉ ହୋଇଥିଲା। ଆଗାମୀ ଦିନରେ ଅନୁରୂପ ଭାବେ ଚଢ଼ଉ ଜାରୀ ରହିବ ବୋଲି ଅବକାରୀ ଅଧିକ୍ଷକ ସୂଚନା ଦେଇଛନ୍ତି।

ସେହିପରି ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ବ୍ରହ୍ମପୁର ବଡ଼ ବଜାର ଥାନା ଅନ୍ତର୍ଗତ ହରିଡ଼ାଖଣ୍ଡି ଅଂଚଳରୁ ଏକ ଅଟୋରୁ ୨୫ ଲିଟର ବିଦେଶୀ ମଦ ଜବତ କରିଛି । ଏହା ସହ ମଦ ଚାଲାଣରେ ବ୍ୟବହୃତ ଅଟୋକୁ ଜବତ କରିଛି।

ଏଠାରେ ଉଲ୍ଲେଖଯୋଗ୍ୟ, ହରିଡ଼ାଖଣ୍ଡି ତୃପ୍ତିନଗର ୨ନଂ ଲେନ୍ ରୁ ଅବକାରୀ ବିଭାଗ ଓ ପୋଲିସ ପକ୍ଷରୁ ନକଲି ମଦ କାରଖାନା ଠାବ ଘଟଣାରେ ବଡ଼ବଜାର ପୋଲିସ ଅଦ୍ୟାବଧି ୭ ଜଣଙ୍କୁ ଗିରଫ କରିଛି।