Categories
ଜାତୀୟ ଖବର ବିଶେଷ ଖବର ବ୍ୟକ୍ତିତ୍ୱ ରାଜ୍ୟ ଖବର

ନନ୍ଦିନୀ ଶତପଥୀ ଓଡିଶାର ‘ପ୍ରଥମ’ ମହିଳା ମୁଖ୍ୟମନ୍ତ୍ରୀ କି ?

ଶରତ ପାଇକରାୟ

ମୋର ବର୍ଷ କିମ୍ବା ତାରିଖ ମନେ ପଡୁ ନାହିଁ। ସେତେବେଳେ ନନ୍ଦିନୀ ଶତପଥୀ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଉଥିଲେ। ମୁଁ ଇଟିଭି ଓଡିଆର ଜଣେ ସାମ୍ବାଦିକ ଭାବେ କାର୍ଯ୍ୟ କରୁଥାଏ। ଥରେ ଭୁବନେଶ୍ବରର ଏକ ତାରକା ହୋଟେଲରେ ଏକ ମହିଳା ସଂଗଠନର କାର୍ଯ୍ୟକ୍ରମ ହେଉଥିଲା। ସେଥିରେ ମୁଖ୍ୟ ଅତିଥୀ ଭାବେ ଯୋଗ ଦେଇଥିଲେ ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀ। ଏଥିସହିତ ପ୍ରଖ୍ୟାତ ଅଭିନେତ୍ରୀ ନନ୍ଦିତା ଦାସଙ୍କ ସହିତ ବହୁ ବିଶିଷ୍ଠ ମହିଳା ଅତିଥୀ ମଧ୍ୟ ଥିଲେ। ସୌଭାଗ୍ୟ ମୋର ସେଦିନ ଛୁଟି ଥିବାରୁ ସେହି କାର୍ଯ୍ୟକ୍ରମରେ ଜଣେ ଦର୍ଶକ ଭାବେ ସାମିଲ ହୋଇପାରିଥିଲି।

ମୁଁ ପହଁଛିବାର କିଛି ସମୟ ପରେ ସଭା କାଯ୍ୟ ଆରମ୍ଭ ହୋଇଥିଲା। ଏଥିରେ ସମସ୍ତେ ସେମାନଙ୍କର ଭାଷଣ ଦେବା ବେଳେ ନନ୍ଦିନୀ ଶତପଥୀଙ୍କୁ ଓଡିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ଭାବେ ସମ୍ବୋଧିତ କରୁଥିଲେ। ଏପରି ସମ୍ବୋଧନ କରିବାରେ କିଛି ଭୁଲ ମଧ୍ୟ ନ ଥିଲା। କାରଣ ସେ ଥିଲେ ମହିଳା ଭାବେ ଓଡିଶାର ପ୍ରଥମ ମୁଖ୍ୟମନ୍ତ୍ରୀ। ତେବେ ଯେତେବେଳେ ନନ୍ଦିନୀ ଶତପଥୀଙ୍କ କହିବାର ପାଳି ଆସିଲା, ସେତେବେଳେ ସେ ପ୍ରଥମେ ଏହି ‘ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ’ ସମ୍ବୋଧନକୁ ନେଇ ବିରକ୍ତି ପ୍ରକାଶ କରିଥିଲେ। ନନ୍ଦିନୀ ଦେବୀଙ୍କ ଏପରି ବିରକ୍ତି ଭାବ ଦେଖି ଆୟୋଜକ ତଥା ସେଠାରେ ଥିବା ଦର୍ଶକମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ।

ନନ୍ଦିନୀଦେବୀ କହିଲେ ଯେ, ମୋତେ ସମସ୍ତେ ଓଡିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ଭାବେ ସମ୍ବୋଧିତ କଲ। ଭଲ କଥା। ହେଲେ ମୁଁ ଜାଣିପାରୁ ନାହିଁ ଆପଣମାନେ ମୋତେ ଓଡିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ବୋଲି କାହିଁକି କହୁଛନ୍ତି। ହଠାତ୍ ନନ୍ଦିନୀ ଦେବୀଙ୍କ ଏପରି ପ୍ରଶ୍ନରେ ସମସ୍ତେ ସ୍ତବ୍ଧ ହୋଇପଡିଥିଲେ। ତାପରେ ନନ୍ଦିନୀ ଦେବୀ କହିଲେ, ଯେଉଁମାନେ ମୋତେ ଏପରି ସମ୍ବୋଧନ କଲେ ସେହିମାନଙ୍କୁ ମୋର ପ୍ରଶ୍ନ ମୁଁ ଯଦି ପ୍ରଥମ ହେଲି ତେବେ ଓଡିଶାର ଦ୍ବିତୀୟ ମହିଳା ମୁଖ୍ୟମନ୍ତ୍ରୀ କିଏ ? ଯଦି କେହି ନାହାଁନ୍ତି ତେବେ ମୁଁ ପ୍ରଥମ କାହିଁକି ହେବି ? ପ୍ରେକ୍ଷାଳୟରେ ସମସ୍ତେ ପରସ୍ପରକୁ ଅନେଇଲେ। ଭାବିଲେ ସେମାନେ କଣ କିଛି ଭୁଲ କହିଛନ୍ତି କି ? କିଛି ସମୟ ପାଇଁ ଦର୍ଶକରେ ଭରପୁର ସେହି ପ୍ରେକ୍ଷାଳୟଟି ନିରବି ଯାଇଥିଲା। ନନ୍ଦିନୀଦେବୀ ମଧ୍ୟ ପ୍ରଶ୍ନଟି ଫୋପାଡି ଦେଇ କିଛି ସମୟ ପାଇଁ ଚୁପ ରହି ସମସ୍ତଙ୍କୁ ଅନାଉଥିଲେ।

କିଛି ସମୟର ନିରବତା ପରେ ନନ୍ଦିନୀଦେବୀ କହିଲେ ଯେ, ବର୍ତ୍ତମାନ ସୁଦ୍ଧା ଓଡିଶାରେ ଦ୍ବିତୀୟ କିମ୍ବା ତୃତୀୟ ମହିଳା ମୁଖ୍ୟମନ୍ତ୍ରୀ ନାହାଁନ୍ତି। ଯଦି ଥାଆନ୍ତେ ତେବେ ମୁଁ ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ହୋଇଥାଆନ୍ତି। ଯେ ପର୍ଯ୍ୟନ୍ତ ଓଡିଶାରେ କେହି ମହିଳା ମୁଖ୍ୟମନ୍ତ୍ରୀ ହୋଇ ନାହାଁନ୍ତି, ସେ ପର୍ଯ୍ୟନ୍ତ ମୁଁ ହେଉଛି ଓଡିଶାର ‘ଏକମାତ୍ର’ ମହିଳା ମୁଖ୍ୟମନ୍ତ୍ରୀ। ପ୍ରଥମ ନୁହଁ ଏକମାତ୍ର। ଏପରି ଉତ୍ତରରେ ସେଠାରେ ଉପସ୍ଥିତ ସମସ୍ତ ବିଜ୍ଞ ଅତିଥି ତଥା ଦର୍ଶକମାନେ ନିରବରେ ନିଜର ଭୁଲ ବୁଝି ନନ୍ଦିନୀଦେବୀଙ୍କ କଥାକୁ ସମର୍ଥନ କରିଥିଲେ। ସେଦିନର ନନ୍ଦିନୀ ଦେବୀ ସେହି ଭାଷଣ ମୋ ପାଇଁ ଏକ ସ୍ମରଣୀୟ ହୋଇ ରହିଛି।

( ଗତକାଲି ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କ ୧୫ ତମ ଶ୍ରାଦ୍ଧ ଦିବସ ଉପଲକ୍ଷେ ଏହି ଲେଖାଟି ବରିଷ୍ଠ ସାମ୍ବାଦିକ ଶରତ ପାଇକରାୟଙ୍କ ଫେସବୁକ ପୋଷ୍ଟରୁ ପ୍ରକାଶିତ କରାଯାଇଛି।)

Categories
ଆଜିର ଖବର ରାଜ୍ୟ ଖବର

ଓଡିଶାର ଏକମାତ୍ର ମହିଳା ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କ ଆଜି ହେଉଛି ଜନ୍ମଦିନ

ଭୁବନେଶ୍ବର, ଆଜି ହେଉଛି ଓଡିଶାର ଏକମାତ୍ର ମହିଳା ମୁଖ୍ୟମନ୍ତ୍ରୀ ତଥା ଲୌହମାନବୀ ନନ୍ଦିନୀ ଶତପଥୀଙ୍କ ଜନ୍ମ ଦିନ। ଜନ୍ମଦିନ ଉପଲକ୍ଷେ ରାଜଭବନ ଛକ ପାଖରେ ଥିବା ନନ୍ଦିନୀ ଦେବୀଙ୍କ ପ୍ରତିମୂର୍ତ୍ତିରେ ରାଜ୍ୟର ପ୍ରତିଷ୍ଠିତ ବ୍ୟକ୍ତିମାନେ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ। ତାଙ୍କର ପୁତ୍ରବଧୂ ତଥାଗତ ଶତପଥୀ ଏବଂ ଆଦ୍ୟାଶା ଶତପଥୀ ମଧ୍ୟ ପୁଷ୍ପମାଲ୍ୟ ପ୍ରଦାନ କରି ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଟୁଇଟ କରି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।

ଏହି ମହୀୟଷି ମହିଳା 1931 ମସିହା ଜୁନ 9 ତାରିଖରେ ଜନ୍ମ ଗ୍ରହଣ କରିଥିଲେ। ଛାତ୍ରୀ ଜୀବନରୁ ସେ ନେତୃତ୍ୟ ନେବା ସହିତ ସାହିତ୍ୟ ଅନୁରାଗି ମଧ୍ୟ ଥିଲେ। ସେ 1962 ମସିହାରେ ରାଜ୍ୟ ସଭାକୁ ନିର୍ବାଚିତ ହୋଇଥିଲେ। ଏହାପରେ 1972ରେ ସେ ଓଡିଶାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ଏହା ପରଠାରୁ ସ 1995 ମସିହା ପର୍ଯ୍ୟନ୍ତ ସାତ ଥର ବିଧାୟିକା ଭାବେ ନିର୍ବାଚିତ ହୋଇଆସୁଥିଲେ। ସେ ଭାରତର ବିଭିନ୍ନ ପ୍ରତିଷ୍ଠିତ ସାହିତ୍ୟିକଙ୍କ କୃତିକୁ ଓଡିଆ ଅନୁବାଦ ମଧ୍ୟ କରିଛନ୍ତି। ସେ 2006 ମସିହା ଅଗଷ୍ଟ 4 ତାରିଖରେ ମୃତ୍ୟୁବରଣ କରିଥିଲେ।