Categories
ଆଜିର ଖବର ରାଜ୍ୟ ଖବର

ନବମ ଓ ଦଶମ ଶ୍ରେଣୀ ଅର୍ଦ୍ଧବାର୍ଷିକ ପରୀକ୍ଷା ଦଶହରା ଛୁଟି ପରେ କରାଯିବ: ଓଷ୍ଟା

କଟକ: ଚଳିତ ବର୍ଷ ଅକ୍ଟୋବର ମାସ ୪ ତାରିଖରୁ ଅଷ୍ଟମ, ନବମ ଓ ଦଶମ ଶ୍ରେଣୀ ନିମନ୍ତେ ଅର୍ଦ୍ଧବାର୍ଷିକ ପରୀକ୍ଷା ଅନୁଷ୍ଠିତ ହେବାର ଥିଲା, କିନ୍ତୁ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ ଯଥା- ବ୍ଲକ୍‌ସ୍ତରୀୟ ସୁରଭି, ଜିଲ୍ଲା ଓ ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ତଥା ରାଜ୍ୟର ପ୍ରାଥମିକ ବିଦ୍ୟାଳୟମାନଙ୍କରେ ସ୍କିମାଟିକ୍ ଶିକ୍ଷକ ନିଯୁକ୍ତିମେଳା ଭୁବନେଶ୍ୱରରେ ଅନୁଷ୍ଠିତ ହେଉଥିବାରୁ ଏହି ଅର୍ଦ୍ଧବାର୍ଷିକ ପରୀକ୍ଷା ଦଶହରା ଛୁଟି ପରକୁ ଘୁଞ୍ଚାଇ ଦିଆଯାଇଛି। ରାଜ୍ୟର ପ୍ରାୟ ସମସ୍ତ ମାଧ୍ୟମିକ ବିଦ୍ୟାଳୟରେ ଏହି ପରୀକ୍ଷା ଅନୁଷ୍ଠିତ ହେବାକୁ ଯାଉଛି। ଏହି ପରୀକ୍ଷା ପାଇଁ ଓଷ୍ଟା ପ୍ରଶ୍ନପତ୍ର ପ୍ରସ୍ତୁତ କରି ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାରେ ଥିବା ପ୍ରଶ୍ନପତ୍ର ବିତରଣ କେନ୍ଦ୍ରଗୁଡ଼ିକୁ ପଠାଇବାର ବନ୍ଦୋବସ୍ତ କରିଛି ବୋଲି ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ(ଓଷ୍ଟା)ର ସାଧାରଣ ସଂପାଦକ ରଞ୍ଜନ କୁମାର ଦାଶ ଏକ ପ୍ରେସ୍ ବିବୃତି ମାଧ୍ୟମରେ ଜଣାଇଛନ୍ତି।

ସୂଚନାଥାଉକି, ଚଳିତ ବର୍ଷ ଓଷ୍ଟା ତରଫରୁ ନବମ ଓ ଦଶମ ଶ୍ରେଣୀ ପାଇଁ ଅର୍ଦ୍ଧବାର୍ଷିକ ପରୀକ୍ଷାର ପ୍ରଶ୍ନପତ୍ର ବୋର୍ଡ଼ ନିର୍ଦ୍ଧାରିତ ମୂଲ୍ୟାୟନ ପଦ୍ଧତିରେ ପ୍ରସ୍ତୁତ କରାଯାଇ ଓଡ଼ିଶାର ସମସ୍ତ ସ୍କୁଲକୁ ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଛି। ଏହି ପରୀକ୍ଷା ନିମନ୍ତେ ଇଣ୍ଡେଣ୍ଟ ପ୍ରୋଫର୍ମାକୁ ନିର୍ଭୁଲ ଭାବରେ ପୂରଣ କରି ଓଷ୍ଟା ୱେବ୍‌ସାଇଟ୍ ossta.org.in କିମ୍ବା ପରୀକ୍ଷା ମେଲ୍ [email protected] ରେ ପଠାଇବାକୁ ବିଦ୍ୟାଳୟମାନଙ୍କୁ ଅନୁରୋଧ କରାଯାଇଛି। ଯେଉଁ ବିଦ୍ୟାଳୟମାନେ ସେମାନଙ୍କର ପ୍ରଶ୍ନପତ୍ର ନେବା ପାଇଁ ଇଣ୍ଡେଣ୍ଟ୍ ବିଭିନ୍ନ ମାଧ୍ୟମରେ ଓଷ୍ଟା କାର୍ଯ୍ୟାଳୟକୁ ପଠାଇ ସାରିଛନ୍ତି ସେମାନେ ପୁନର୍ବାର ପଠାଇବାର ଆବଶ୍ୟକତା ନାହିଁ। ଅଷ୍ଟମ, ନବମ ଓ ଦଶମ ଶ୍ରେଣୀର ଅର୍ଦ୍ଧବାର୍ଷିକ ପରୀକ୍ଷା(Half-Yearly Examination) ର programme ଅକ୍ଟୋବର ମାସ ୫ ଓ ୬ ତାରିଖ ରେ ଅନୁଷ୍ଠିତ ହେବାକୁ ଥିବା କାର୍ଯ୍ୟକାରୀ କିମିଟି ବୈଠକର ନିଷ୍ପତ୍ତି ପରେ ବିଦ୍ୟାଳୟମାନଙ୍କୁ ଜଣାଇ ଦିଆଯିବ।

ଏହି ପରୀକ୍ଷାରେ ପ୍ରଶ୍ନପତ୍ର ପୂର୍ବବର୍ଷ ପରି Booklet ଆକାରରେ ଯୋଗାଇ ଦିଆଯିବ, ଯେଉଁଥିରେ ଛାତ୍ରଛାତ୍ରୀମାନେ ଉତ୍ତର ଲେଖିବେ। ନବମ ଓ ଦଶମ ଶ୍ରେଣୀ ନିମନ୍ତେ ପ୍ରଥମ ୧ ଘଣ୍ଟା OMR Answer Sheet ମାଧ୍ୟମରେ (କେବଳ ଗଣିତ ୧ଘଣ୍ଟା ୧୫ ମିନିଟ୍‌) ଏବଂ ପରବର୍ତ୍ତୀ ୧ ଘଣ୍ଟା ୩୦ ମିନିଟ୍ Subjective ବିଭାଗର ପରୀକ୍ଷା କରାଯିବ।

ପ୍ରତ୍ୟେକ ଶ୍ରେଣୀପାଇଁ ସେପ୍ଟେମ୍ବର ମାସ ଶେଷ ସୁଦ୍ଧା ବୋର୍ଡ଼ର ସିଲାବସ୍ ଅନୁଯାୟୀ ପଢ଼ାଯାଇଥିବା ପାଠ୍ୟକ୍ରମରୁ ପ୍ରଶ୍ନ ଆସିବ। ଚଳିତ ବର୍ଷ ହିନ୍ଦୀ ଓ ସଂସ୍କୃତର ପ୍ରଶ୍ନପତ୍ର ଗୋଟିଏ Booklet ରେ ରହିବ । Half-Yearly Examination ର ପ୍ରଶ୍ନପତ୍ର ପ୍ୟାକେଟ୍ ନିର୍ଘଣ୍ଟ ତାରିଖର ଦୁଇଦିନ ପୂର୍ବରୁ ପ୍ରଶ୍ନପତ୍ର ବିତରଣ କେନ୍ଦ୍ରମାନଙ୍କରେ ପହଞ୍ଚାଇ ଦିଆଯିବ। ସମସ୍ତ ଗୋପନୀୟତା, ସ୍ୱଚ୍ଛତା ଓ ସଫଳତା ପାଇଁ ପ୍ରଧାନ ଶିକ୍ଷକ, ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଅଭିଭାବକ ମାନଙ୍କର ସାହାଯ୍ୟ, ସହଯୋଗ ଓ ସଦିଚ୍ଛା କାମନା କରାଯାଉଛି ବୋଲି ଓଷ୍ଟା ପକ୍ଷରୁ ସର୍ବଶ୍ରୀ ସଭାପତି ଅକ୍ଷୟ କୁମାର ମିଶ୍ର, କାର୍ଯ୍ୟକାରୀ ସଭାପତି ନୀଳମଣି ପୁରୋହିତ, ସାଧାରଣ ସଂପାଦକ ରଞ୍ଜନ କୁମାର ଦାଶ, ଯୁଗ୍ମ ସାଧାରଣ ସଂପାଦକ ବ୍ରଜକିଶୋର ବିଶ୍ୱାଳ, କୋଷାଧ୍ୟକ୍ଷ ଅଶୋକ କୁମାର ମହାପାତ୍ର, ଶିକ୍ଷାପ୍ରଦୀପ ସଂପାଦକ ଶଙ୍କର କୁମାର ସୁବୁଦ୍ଧି ଏବଂ ପରୀକ୍ଷା ପରିଚାଳନା ସଂପାଦକ ଶ୍ରୀଯୁକ୍ତ ନିର୍ମଳ କୁମାର ଜେନା ପ୍ରମୁଖ ପ୍ରେସ୍ ବିବୃତି ମାଧ୍ୟମରେ ଜଣାଇଛନ୍ତି ।

Categories
StateBoard ଆଜିର ଖବର ରାଜ୍ୟ ଖବର

ନବମ ଓ ଦଶମ ଶ୍ରେଣୀର ପରୀକ୍ଷାର୍ଥୀଙ୍କ ପାଇଁ ଲାଗୁ ହେବ ସ୍କିମ ଅଫ ଆସେସମେଣ୍ଟ ବ୍ୟବସ୍ଥା

ଭୁବନେଶ୍ବର: ରାଜ୍ୟରେ ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କ ପାଇଁ ସ୍କିମ ଅଫ ଆସେସମେଣ୍ଟ ବ୍ୟବସ୍ଥା ଲାଗୁ ହେବାକୁ ଯାଉଛି। ଦଶମ ଶ୍ରେଣୀ ପରୀକ୍ଷାରେ ସଂସ୍କାର ଆଣିବା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ଏଭଳି ଯୋଜନା କରିଛି। ନବମ ଓ ଦଶମ ପାଠ୍ୟକ୍ରମରେ ୬ ଟି ପରୀକ୍ଷା ଆୟୋଜନ କରାଯିବ। ଏହି ୬ ଟି ପରୀକ୍ଷା ମଧ୍ୟରୁ ୪ ଟି ଛୋଟ ଛୋଟ ପରୀକ୍ଷା ଏବ ୨ ଟି ବଡ ପରୀକ୍ଷା ହେବ।

ବାର୍ଷିକ ପରୀକ୍ଷା ବାତିଲ ହେଲେ ଏହି ୬ ଟି ପରୀକ୍ଷା ଆଧାରରେ ପିଲାଙ୍କ ପରୀକ୍ଷା ଫଳ ନିର୍ଦ୍ଧାରଣ କରାଯିବ। ତେବେ ଶିକ୍ଷାବିତଙ୍କ ସହ ବହୁ ଆଲୋଚନା ପର୍ଯ୍ଯାଲୋଚନା ପରେ ବୋର୍ଡ ଏଭଳି ନିଷ୍ପତ୍ତି ଦେଇଛି। ଏହି ନିୟମ ଚଳିତ ବର୍ଷ ଶିକ୍ଷା ବର୍ଷରେ ଲାଗୁ କରିବାକୁ ଯୋଜନା ହୋଇଛି।

Categories
ଆଜିର ଖବର ରାଜ୍ୟ ଖବର

ଚଳିତ ବର୍ଷ ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ସିଲାବସ ୩୦ ପ୍ରତିଶତ କମିବ: ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ବର: କରୋନା ଯୋଗୁଁ ଚଳିତ ବର୍ଷ ମଧ୍ୟ ଛାତ୍ରଛାତ୍ରୀଙ୍କ ସିଲାବସକୁ ୩୦ ପ୍ରତିଶତ ହ୍ରାସ କରାଯିବ। ନବମ ଏବଂ ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ୩୦ ପ୍ରତିଶତ ସିଲାବସ କମିବ। ଏନେଇ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି।

ବର୍ତ୍ତମାନ ସାରା ରାଜ୍ୟରେ ଅନଲାଇନରେ ପାଠ ପଢା କାର୍ଯ୍ୟକ୍ରମ ଚାଲିଛି। ହେଲେ ରାଜ୍ୟରେ ସ୍କୁଲ କେବେ ଖୋଲିବ, ତାହା ନେଇ କୌଣସି ନିଷ୍ପତ୍ତି ହୋଇନାହିଁ। କରୋନା ସ୍ଥିତି ଦେଖି ଏହା ଉପରେ ବିଚାର କରାଯିବ ବୋଲି ଶ୍ରୀ ଦାଶ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଆସନ୍ତା ୧୭ ରୁ ଆରମ୍ଭ ହେବ ନବମ ଓ ଦଶମ ଶ୍ରେଣୀ ପିଲାଙ୍କ ପାଠ ପଢା: ଦିନକୁ ହେବ ୪ ଟି ପିରିୟଡ

ଭୁବନେଶ୍ବର: କରୋନା ସଂକ୍ରମଣ ଯୋଗୁଁ ରାଜ୍ୟରେ ସ୍କୁଲ କଲେଜ ବନ୍ଦ ରହିଥିବା ବେଳେ ଆସନ୍ତା ୧୭ ରୁ ଅନଲାଇନ ପାଠପଢା ଆରମ୍ଭ ହେବ। କେବଳ ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ୧୭ ତାରିଖରୁ ଅନଲାଇନ ମାଧ୍ୟମରେ ପାଠ ପଢା ହେବ। ସକାଳ ୧୦.୪୫ରୁ ୧ ଟା ପର୍ଯ୍ୟନ୍ତ ୟୁଟ୍ୟୁବ ଲାଇଭ ମାଧ୍ୟମରେ ପିଲାଙ୍କୁ ପାଠ ପଢାଯିବ। ଦିନକୁ ଚାରିଟି ପିରିୟଡର ପାଠପଢା ହେବାକୁ ଥିବା ବେଳେ ପ୍ରତି ପିରିୟଡ ପାଇଁ ୩୦ ମିନିଟ ଲେଖାଏଁ ସମୟ ରହିବ।

ତେବେ ସୋମବାର ଠାରୁ ଶୁକ୍ରବାର ପର୍ଯ୍ୟନ୍ତ ମୋଟ ୨୦ ଟି କ୍ଳାସ ଅନଲାଇନରେ ପିଲାଙ୍କୁ ପାଠ ପଢାଯିବ। ସେଥିପାଇଁ ଜିଲ୍ଲା ଶିକ୍ଷା ଅଧିକାରୀମାନେ ଏହାର ଆନୁଷଙ୍ଗିକ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି।