Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ମୁଖ୍ୟ ନିର୍ବାଚନ ଅଧିକାରୀଙ୍କର ନବରଙ୍ଗପୁର ଜିଲ୍ଲା ନିର୍ବାଚନ ପ୍ରସ୍ତୁତି ସମୀକ୍ଷା

ଭୁବନେଶ୍ୱର: ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ଆଜି ନବରଙ୍ଗପୁର ଜିଲ୍ଲାର ନିର୍ବାଚନ ପ୍ରସ୍ତୁତି ସମୀକ୍ଷା କରିଛନ୍ତି । ସେ ଅତିରିକ୍ତ ପୋଲିସ ଡିଜି ତଥା ରାଜ୍ୟ ପୋଲିସ ନୋଡ଼ାଲ ଅଧିକାରୀ ଶ୍ରୀ ସଂଜୟ କୁମାରଙ୍କ ସହ ମିଶି ନବରଙ୍ଗପୁର ଜିଲ୍ଲାର ନିର୍ବାଚନ ପ୍ରସ୍ତୁତିର ବିଭିନ୍ନ ଦିଗ ବିଷୟରେ ସମୀକ୍ଷା କରିଥିଲେ । ଏହି ସମୀକ୍ଷାରେ ଦକ୍ଷିଣ-ପଶ୍ଚିମାଞ୍ଚଳ ଡିଆଇଜି ଚରଣ ସିଂ ମୀନା ମଧ୍ୟ ଯୋଗଦେଇ ଆଇନଶୃଙ୍ଖଳା ନେଇ ସମୀକ୍ଷା କରିଥିଲେ ।

ଆଗାମୀ ଏକକାଳୀନ ସାଧାରଣ ନିର୍ବାଚନ-୨୦୨୪କୁ ଆଖି ଆଗରେ ରଖି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଧଳ ନବରଙ୍ଗପୁର ଜିଲ୍ଲାର ନିର୍ବାଚନ ପ୍ରସ୍ତୁତିର ବିଭିନ୍ନ ଦିଗ ଉପରେ ସମୀକ୍ଷା କରିଛନ୍ତି । ସମୀକ୍ଷା ବୈଠକରେ ସେ ନବରଙ୍ଗପୁର ଜିଲ୍ଲାର ନିର୍ବାଚନ କାର୍ଯ୍ୟରେ ନିୟୋଜିତ ହୋଇଥିବା ସମସ୍ତ ଅଧିକାରୀଙ୍କ ସହ ସବିଶେଷ ଆଲୋଚନା କରିଥିଲେ । ଏଥିରେ ନିର୍ବାଚନ ପରିଚାଳନାର ବିଭିନ୍ନ ଦିଗ ଯଥା-ଆଇନଶୃଙ୍ଖଳା ପରିସ୍ଥିତି, ମତଦାନ ହାର ବୃଦ୍ଧି, ମତଦାନ କେନ୍ଦ୍ର, ମତଦାତାଙ୍କ ସୁବିଧା, ରାଜନୈତିକ ଦଳମାନଙ୍କ ମତାମତ ଓ ପ୍ରସ୍ତାବ, ଭାରତ ନିର୍ବାଚନ କମିଶନଙ୍କ ପକ୍ଷରୁ ଜାରି ବିଭିନ୍ନ ଆପ୍ଲିକେସନ୍‌ର ବ୍ୟବହାର ଆଦି ବିଷୟରେ ଆଲୋଚନା କରିଥିଲେ । ଏହା ସହ ସେ ସମସ୍ତ ବିଭାଗର ଅଧିକାରୀମାନଙ୍କ ସହ ନିର୍ବାଚନ ପରିଚାଳନା ପାଇଁ ନିଆଯାଉଥିବା ପଦକ୍ଷେପଗୁଡ଼ିକ ବିଷୟରେ ପଚାରି ବୁଝିଥିଲେ । ଜଙ୍ଗଲ, ପରିବହନ, ପୋଲିସ, ଅବକାରୀ, ରାଜ୍ୟ ଜିଏସ୍‌ଟି ବିଭାଗ ପରସ୍ପର ମଧ୍ୟରେ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବାକୁ ସଂପୃକ୍ତ ବିଭାଗର ଅଧିକାରୀମାନଙ୍କୁ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଧଳ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲାର ନକ୍ସଲ ପ୍ରଭାବିତ ଅଞ୍ଚଳଗୁଡ଼ିକରେ ଯେପରି ଶାନ୍ତି, ଶୃଙ୍ଖଳାର ସହ ମତଦାନ ହୋଇପାରିବ ଏବଂ ମତଗଣନା ପର୍ଯ୍ୟନ୍ତ ପରିସ୍ଥିତି ନିୟନ୍ତ୍ରଣରେ ରହିବ ସେଥି ପାଇଁ ଏଡିଜି ଶ୍ରୀ ସଂଜୟ କୁମାର ଏବଂ ଡିଆଇଜି ଶ୍ରୀ ମୀନା ଏବଂ ନବରଙ୍ଗପୁର ଏସ୍‌ପି ଶ୍ରୀ ରୋହିତ ବର୍ମାଙ୍କ ସହ ଆଲୋଚନା କରିଥିଲେ ।

ପରେ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଧଳ ଜିଲ୍ଲାର ଇଭିଏମ୍‌ ଓ ଭିଭିପ୍ୟାଟ୍‌ େୱୟାରହାଉସ୍‌କୁ ଯାଇ ସେଠାକାର ସୁରକ୍ଷା ଅନ୍ୟ ଆନୁଷଙ୍ଗିକ ବ୍ୟବସ୍ଥାଗୁଡ଼ିକର ସମୀକ୍ଷା କରିଥିଲେ । ଗଣମାଧ୍ୟମର ପ୍ରତିନିଧିମାନଙ୍କ ସହ ଆଲୋଚନା କରି ସେ ମୁକ୍ତ, ଅବାଧ, ନିରପେକ୍ଷ ଓ ସମସ୍ତଙ୍କ ପାଇଁ ଅଂଶଗ୍ରହଣକାରୀ ନିର୍ବାଚନ ନିମନ୍ତେ ଜିଲ୍ଲା ପ୍ରଶାସନ ସମସ୍ତ ବ୍ୟବସ୍ଥା କରିଛନ୍ତି ଏବଂ ରାଜ୍ୟ ନିର୍ବାଚନ ଅଧିକାରୀ ଏସବୁର ତଦାରଖ କରୁଛନ୍ତି ବୋଲି ଶ୍ରୀ ଧଳ ମତଦେଇଥିଲେ । ମତଦାନ ନେଇ ଏକ ସାମାଜିକ ସଚେତନତା ସୃଷ୍ଟି ସହ ମତଦାନକୁ ଶାନ୍ତି-ଶୃଙ୍ଖଳାର ସହ ସଂପାଦନ ନିମନ୍ତେ ଶ୍ରୀ ଧଳ ଗଣମାଧ୍ୟମର ସହଯୋଗ କାମନା କରିଥିଲେ ।

ନବରଙ୍ଗପୁର ଜିଲ୍ଲା ଗସ୍ତ ପୂର୍ବରୁ ଶ୍ରୀ ଧଳ କୋରାପୁଟ ଜିଲ୍ଲାର ଜୟପୁରଠାରେ ଥିବା ବିକ୍ରମ ଦେବ ବିଶ୍ୱବିଦ୍ୟାଳୟଠାରେ ଥିବା ମତଗଣନା କେନ୍ଦ୍ର ପରିଦର୍ଶନ ସହ ସେଠାରେ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥାର କାର୍ଯ୍ୟ ନେଇ ସନ୍ତୋଷ ବ୍ୟକ୍ତ କରିଥିଲେ ।

ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଡକଫର ଏନ୍‌. ତିରୁମାଲା ନାୟକ ରାୟଗଡ଼ା ଜିଲ୍ଲାରେ ଏବଂ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଶତ୍ରୁଘ୍ନ କର ମାଲକାନଗିରି ଜିଲ୍ଲରେ ନିର୍ବାଚନ ପ୍ରସ୍ତୁତି ନେଇ ମଧ୍ୟ ସମୀକ୍ଷା କରିଥିଲେ ।

ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଧଳ ଏବଂ ରାଜ୍ୟ ପୋଲିସ ନୋଡ଼ାଲ ଅଧିକାରୀ ଶ୍ରୀ ସଂଜୟ କୁମାର କୋରାପୁଟ, ନବରଙ୍ଗପୁର, ରାୟଗଡ଼ା ଓ ମାଲକାନଗିରି ଜିଲ୍ଲରେ ଚାଲିଥିବା ନିର୍ବାଚନ ପ୍ରସ୍ତୁତି ନେଇ ସନ୍ତୋଷ ପ୍ରକଟ କରିଛନ୍ତି । ଆଜି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଧଳ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିଛନ୍ତି ।

Categories
ବିଶେଷ ଖବର

ନବରଙ୍ଗପୁରର ଝରିଗାଁ ଉମରକୋଟ ରାସ୍ତା ଦୁର୍ଘଟଣାରେ ମୃତକଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ବର: ଆଜି ଭୋର୍ ସମୟରେ ନବରଙ୍ଗପୁର ଜିଲ୍ଲା ଝରିଗାଁ ଉମରକୋଟ ରାସ୍ତାରେ ସଡକ ଦୁର୍ଘଟଣାରେ ୩ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ତିନି ଲକ୍ଷ ଟଙ୍କା ଅନୁକମ୍ପା ମୂଳକ ସହାୟତା ଘୋଷଣା କରିଛନ୍ତି। ଏବଂ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି।

ଏହି ଦୁର୍ଘଟଣାରେ ଆହତଙ୍କୁ ମାଗଣାରେ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେବା ସହିତ ସେମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି।

Categories
ଆଜିର ଖବର ଆଞ୍ଚଳିକ

ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ଦାବିପତ୍ର ପ୍ରଦାନ

କିଶୋର ପଟ୍ଟନାୟକ
ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାରେ ଶିକ୍ଷକ ମାନଙ୍କ ପଦୋନ୍ନତି ତାଲିକା ତ୍ରୁଟିପୂର୍ଣ୍ଣ ଥିବା ଦର୍ଶାଇ ଆଜି ନବରଙ୍ଗପୁର ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର କର୍ମକର୍ତ୍ତାମାନେ ନୂତନ ଓ ସଂଶୋଧନ ପଦୋନ୍ନତି ତାଲିକା ପ୍ରସ୍ତୁତ କରିବାକୁ ଦାବି କରି ଆଜି ନବରଙ୍ଗପୁର ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।

ବର୍ତ୍ତମାନ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଶିକ୍ଷା ବିଭାଗ ପ୍ରାଥମିକ ଶିକ୍ଷକ ମାନଙ୍କୁ ସ୍ତର ‘ପଞ୍ଚମ ଏ’ ରୁ ‘ପଞ୍ଚମ ବି’ ଏବଂ ସ୍ତର ଚତୁର୍ଥ ରୁ ତୃତୀୟ କର୍ମଚାରୀ ପାଇଁ ପଦୋନ୍ନତି କରିବାକୁ ନିର୍ଦ୍ଦେଶ ଆସିଛି। ଏଥି ପାଇଁ ରାଜ୍ୟ ସରକାର ପ୍ରତ୍ୟେକ ଜିଲ୍ଲାର ଶିକ୍ଷା ବିଭାଗକୁ ବିଜ୍ଞପ୍ତି ଜାରି କରିଛନ୍ତି। ଜିଲ୍ଲା ଶିକ୍ଷା ବିଭାଗ ସମସ୍ତ ଶିକ୍ଷକଙ୍କ ଶିକ୍ଷାଗତ ଯୋଗ୍ୟତା ତଥ୍ୟକୁ ଆଧାର କରି ପଦୋନ୍ନତି ଦିଆଯିବା ବ୍ୟବସ୍ଥା କରିଛି। କିନ୍ତୁ, ନବରଙ୍ଗପୁର ଜିଲ୍ଲାରେ ବରିଷ୍ଠ ଶିକ୍ଷକଙ୍କ ପଦୋନ୍ନତି ନଥିପତ୍ର ପ୍ରସ୍ତୁତି କରିବାରେ ତ୍ରୁଟି ରହିଥିବା ଅଭିଯୋଗ ହୋଇଛି। ଯେଉଁଠି ନବରଙ୍ଗପୁର ଶିକ୍ଷା ବିଭାଗ ଦ୍ୱାରା ତାଲିକା ପ୍ରସ୍ତୁତି କରିବାରେ ତ୍ରୁଟିପୂର୍ଣ୍ଣ କରିବା ସହ ସରକାରଙ୍କ ନିର୍ଦ୍ଦେଶନାମାକୁ ଉଲଂଘନ କରାଯାଇଥିବା ଅଭିଯୋଗ କରିଛି ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ।

ଏଥିସହ ରାଜ୍ୟ ଶିକ୍ଷା ବିଭାଗ ନିର୍ଦେଶକଙ୍କ ସ୍ପଷ୍ଟୀକରଣ ପତ୍ର ସଂଖ୍ୟା ୧୩୫୭, ତାରିଖ -୦୫.୦୫.୨୦ ପ୍ରକାରେ ପଦୋନ୍ନତି ତାଲିକା ପ୍ରସ୍ତୁତି କରିବାକୁ ଦାବି କରି ଆଜି ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ପାଖରେ ଅଭିଯୋଗ କରିଛି ଜିଲ୍ଲା ପ୍ରାଥମିକ ଶିକ୍ଷକ ସଙ୍ଘ। ଅନ୍ୟ ପଟେ ଜିଲ୍ଲା ଶିକ୍ଷା ଅଧିକାରୀ ନବରଙ୍ଗପୁର ଜିଲ୍ଲାର ସମସ୍ତ ଶିକ୍ଷକ ମାନଙ୍କ ନଥିପତ୍ର ତ୍ରୁଟି ରହି ଥିବାରୁ ପୁନର୍ବାର ସମୀକ୍ଷା କରାଯାଉଛି ବୋଲି ସୂଚନା ଦେଇଛନ୍ତି।