Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ସଚିବ ଭି କେ ପାଣ୍ଡିୟାନ ମୁଖ୍ୟମନ୍ତ୍ରୀଙ୍କୁ ପଚାରିଲେ ପ୍ରଶ୍ନ, ଉତ୍ତର ରଖିଥିବା ନବୀନଙ୍କ ଭିଡିଓ ଚର୍ଚ୍ଚାରେ

ଭୁବନେଶ୍ବର: ଗତ ବୁଧବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁମ୍ବାଇରେ ବିଭିନ୍ନ ଶିଳ୍ପପତିଙ୍କ ସହିତ ୱାନ ଟୁ ୱାନ ବୈଠକ କରିଥିଲେ। ଗୋଟିଏ ଦିନରେ ସେ ପ୍ରାୟ 18ଟି ବୈଠକ କରିଥିଲେ। ଏପରି ବୈଠକ ଦେଖି ସେଠାରେ ଥିବା ଓଡିଶା ଅଧିକାରୀମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ।

ଗୁରୁବାର ଦିନ ହୋଟେଲରେ ମୁଖ୍ୟମନ୍ତ୍ରୀ ଏକ ରିଲାକ୍ସ ମୁଡରେ ଥିବା ବେଳେ ତାଙ୍କର ବ୍ୟକ୍ତିଗତ ସଚିବ ତଥା 5ଟି ସଚିବ ଭି କେ ପାଣ୍ଡିୟାନ ଏକ ପ୍ରଶ୍ନ କଲେ। ଯାହାର ଓଡିଆ ହେଲା, ‘ଆପଣ ଗତକାଲି ଏକାଥରେ 18ଟି ବୈଠକ କଲେ, ଆପଣ କ୍ଲାନ୍ତ ଅନୁଭବ କଲେ ନାହିଁ ?’ ମୁଖ୍ୟମନ୍ତ୍ରୀ ଏହାର ଉତ୍ତର ଗୋଟିଏ ବାକ୍ୟରେ ଦେଲେ, ତାହା ହେଲା ‘ଲୋକଙ୍କ କାମ କରିବାରେ କ୍ଲାନ୍ତ ଲାଗେ ନାହିଁ। ‘

ଏହି ଭିଡିଓକୁ ଖୋଦ ପାଣ୍ଡିୟାନ୍ ତାଙ୍କର ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି। ଯାହା ସାଧାରଣରେ ବେଶ ଆଲୋଚନା ହେଉଛି। ଏଥିରେ ବିଭିନ୍ନ ଲୋକେ ନିଜର ମତ ମଧ୍ୟ ପ୍ରଦାନ କରିଛନ୍ତି। ସେମାନେ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟକୁ ବେଶ ପ୍ରଶଂସା କରିଛନ୍ତି। କେତେକ ଓଡିଶାରେ ନବୀନ ସୁନାମୀ ଚାଲିଛି, ଏଥିରେ ଅନ୍ୟ ଦଳ ଧରାଶାୟୀ ହୋଇପଡିଛନ୍ତି ବୋଲି କହିଛନ୍ତି।

ଇନଭେଷ୍ଟର ମିଟ ପାଇଁ ନବୀନ ପଟ୍ଟନାୟକ ଗତ ମଙ୍ଗଳବାର ଦିନ ମୁମ୍ବାଇ ଗସ୍ତ କରିଥିଲେ। ସେଦିନ ସେ ମୁମ୍ବାଇରେ ରାତ୍ରୀ ଯାପନ କରି ବୁଧବାର ସକାଳୁ ବିଭିନ୍ନ ଶିଳ୍ପପତିଙ୍କୁ ସାକ୍ଷାତ କରିଥିଲେ। ସେଥିରେ ଥିଲେ ଶିଳ୍ପପତି ଅନୀଲ ଅଗ୍ରୱାଲା, ଆନନ୍ଦ ମହିନ୍ଦ୍ରା, ବିମଲ ଖଣ୍ଡେଲୱାଲା, ଅରବିନ୍ଦ ଭୋରା, ରାକେଶ ଝା ଏବଂ ଧ୍ରୁବ କୋଟାକ ପ୍ରମୁଖ ଶିଳ୍ପପତି। ଏମାନଙ୍କ ସହିତ ମୁଖ୍ୟମନ୍ତ୍ରୀ ବୁଧବାର ଦିନ ତମାମ ୱାନ ଟୁ ୱାନ ସାକ୍ଷାତ କରିଥିଲେ।

ଏହାପରେ ସଂଧ୍ୟାରେ ଏକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ଯୋଗଦେଇ ଓଡିଶାର ଭିତ୍ତିଭୂମି ସଂପର୍କରେ ଉପସ୍ଥିତ ଶିଳ୍ପପତିମାନଙ୍କୁ ଅବଗତ କରାଇଥିଲେ। ସେଦିନ ସକାଳୁ ପୁରା ରାତ୍ରୀ ପର୍ଯ୍ୟନ୍ତ ନବୀନ ଶିଳ୍ପପତିଙ୍କ ଗହଣରେ କାମ କରି ଶେଷରେ ବିଶ୍ରାମ ନେଇଥିଲେ। ଏହି ବୟସରେ ଏପରି କାମ ଦେଖି ଖୋଦ ଭି କେ ପାଣ୍ଡିୟାନ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ସେଦିନ ମୁଖ୍ୟମନ୍ତ୍ରୀଙ୍କ ଏପରି କାର୍ଯ୍ୟ ବା ପରିଶ୍ରମ ଦେଖି ପାଣ୍ଡିୟାନ କୌଣସି ଆଲୋଚନା କରି ନ ଥିଲେ। ହେଲେ ସକାଳେ ସେ ମୁଖ୍ୟମନ୍ତ୍ରୀଙ୍କୁ ଏହି କଥା ପଚାରିଥିଲେ। ସେ କହିଥିଲେ ଯେ, ଆପଣ ଦିନ ତମାମ ଏପରି ପରିଶ୍ରମ କରୁଛନ୍ତି ହାଲିଆ ହୋଇଯିବା କଥା। ହେଲେ ମୁଖ୍ୟମନ୍ତ୍ରୀ ଯୁବ ସୁଲଭରେ କହିଥିଲେ ଲୋକଙ୍କ କାମ କରିବାରେ ହାଲିଆ ହେବାର ନାହିଁ।