Categories
ବିଶେଷ ଖବର

ବଡ କାର, ମୋଟା ସୁନାଚେନ ଓ ଦାମୀ ଘଣ୍ଟା ନ ପିନ୍ଧିଲେ ବିଜେଡି ବିଧାୟକଙ୍କ ଗାନ୍ଧୀଗିରି ସଫଳ ହୋଇଯିବ କି?

କେଦାର ମିଶ୍ର 

କିଛି ବର୍ଷ ତଳେ ଭୁବନେଶ୍ୱର ଚାରି ନମ୍ବର ସ୍ଥିତ ବିଧାୟକ କଲୋନୀରେ ବୁଲୁ ବୁଲୁ ଗୋଟେ ଲମ୍ବା କାର ଉପରେ ନଜର ପଡିଥିଲା। ଆଖି ଝଲସେଇ ଦେଲା ଭଳି ସେ କାରଟିକୁ ଦେଖି ତାର ଦାମ କେତେ ହୋଇଥିବ ବୋଲି ଆମେ ଗୁଗୁଲ ରେ ଖୋଜିଲୁ। ଗୁଗୁଲର ଉତ୍ତର ଆସିଲା ଏହି ମୋଡ଼େଲର ସର୍ବନିମ୍ନ ମୂଲ୍ୟ କୋଟିଏ ପଚିଶ ଲକ୍ଷ ଟଙ୍କା। ଓଡିଶାର କିଏ ସେ ବିଧାୟକ ଯେ କୋଟିଏ ପଚିଶ ଲକ୍ଷ ଟଙ୍କାର ଗାଡି ଚଢୁଛନ୍ତି, ଏ କୌତୁହଳ ମନକୁ ଆସିବା ସ୍ଵାଭାବିକ। ତେବେ ଖବର ମିଳିଲା ଯେ ଗାଡିର ମାଲିକ ଜଣେ ପ୍ରାକ୍ତନ ରାଜା। ଦକ୍ଷିଣ ଓଡିଶାର ଏକ ରାଜା ପରିବାରରୁ ଆସି ବିଧାୟକ ହୋଇଥିବା ଏହି ବ୍ୟକ୍ତିଙ୍କର ରାଜକୀୟ ସଉକି ମରି ନଥିଲା। ଏମିତି ଆମର ବହୁ ବିଧାୟକ ଅଛନ୍ତି, ଯେଉଁମାନେ କି ଗୋଟେ ଗୋଟେ ଛୋଟମୋଟ ରାଜା ବା ରାଣୀ। ଅନେକ ତ ପୁରୁଣା ରାଜା ପରିବାରରୁ ଆସିଛନ୍ତି, ତେଣୁ ସେମାନଙ୍କ ଭିତରେ ସାମନ୍ତବାଦୀ ବିଳାସର ମୋହ ସ୍ଵାଭାବିକ ଭାବରେ ରହିଛି। ଆଉ କିଛି ବାରମ୍ବାର କ୍ଷମତା ପାଇବା ଫଳରେ ନିଜକୁ ରାଜା ବୋଲି ଭାବି ନେଇଛନ୍ତି। ଏହି ନେତାମାନେ ଅସଲରେ ଗଣତାନ୍ତ୍ରିକ ଶାସନରେ ଯେ ସାଧାରଣ ଲୋକଙ୍କର ପ୍ରତିନିଧି ଏକଥା ତାଙ୍କର ମନେ ନଥାଏ। ତେବେ ଏମିତି ରାଜକୀୟ ବିଧାୟକ କେବଳ ଶାସକ ଦଳରେ ଅଛନ୍ତି, ତା ନୁହେଁ। ଏମାନେ ସବୁ ଦଳରେ, ସବୁ ରାଜ୍ୟରେ ଓ ସବୁ କ୍ଷେତ୍ରରେ ଅଛନ୍ତି।

ଦୁଇ ଦିନ ତଳେ ଓଡିଶା ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ମୁଖିଆ ନବୀନ ପଟ୍ଟନାୟକ ତାଙ୍କର ବିଧାୟକମାନଙ୍କୁ ଡାକି ଏକ ବୈଠକରେ ରୋକଠୋକ ଶୁଣାଇଦେଲେ ଯେ ଲୋକ ପ୍ରତିନିଧିମାନେ ବଡ କାର, ମୋଟା ସୁନାଚେନ ଓ ଦାମୀ ଘଣ୍ଟାର ମୋହ ଛାଡନ୍ତୁ। ଲୋକଙ୍କ ପାଖକୁ ଯାଆନ୍ତୁ ଓ ସରଳ ଜୀବନ ବଞ୍ଚନ୍ତୁ। କଥାଟି ନିହାତି ପ୍ରାସଙ୍ଗିକ। ଯେହେତୁ ନିଜେ ନବୀନ ପଟ୍ଟନାୟକ ଦାମୀ କାର ଓ ବ୍ରାଣ୍ଡେଡ ଲୁଗା ବ୍ୟବହାର କରନ୍ତି ନାହିଁ କିମ୍ବା ତାଙ୍କର ଆଚରଣରେ କେବେହେଲେ ସାମନ୍ତବାଦୀ ପ୍ରଭାବ ନଥାଏ, ତେଣୁ ତାଙ୍କ ଦଳର ନେତାମାନେ ସ୍ଵାଭାବିକ ଭାବରେ ସେହି ଆଦର୍ଶକୁ ଅନୁକରଣ କରିବା କଥା। ଏ କଥା ମୁଖ୍ୟମନ୍ତ୍ରୀଙ୍କୁ କହିବାକୁ ପଡିଲା କାହିଁକି? ୨୦ ବର୍ଷର ଶାସନ ପରେ ବିଜେଡି ନେତାଙ୍କ ଭିତରେ କ୍ଷମତାର ଅହଂକାର ଯେ ଆସିନାହିଁ, ସେକଥା କହିହେବା ନାହିଁ। ବିଜେଡି ର ଅନେକ ମନ୍ତ୍ରୀ ଓ ବିଧାୟକ ଅଛନ୍ତି ଯେଉଁମାନେ ନବୀନ ବାବୁଙ୍କ ଠିକ ଓଲଟା ଜୀବନ ପସନ୍ଦ କରନ୍ତି। କିଛି ପୂର୍ବତନ ନେତାଙ୍କ ପୁଅ ଓ ଝିଅ, ଯେଉଁମାନେ ନୂଆ ବିଧାୟକ ହୋଇଛନ୍ତି ସେମାନଙ୍କ ବେକ ଓ ହାତ ଗୋଟେ ଗୋଟେ ଟ୍ରେଜେରି ଭଳି ଲାଗେ। ଏମାନେ ଦାମୀ ବ୍ରାଣ୍ଡରୁ ତଳକୁ ଖସି ପାରିବେ ନାହିଁ। ନବୀନ ଏମାନଙ୍କୁ ପରୋକ୍ଷରେ ତାଗିଦ କରିନାହାନ୍ତି ତ!

କିଛି ବର୍ଷ ତଳେ ଦିଲ୍ଲୀର ଜଣେ ବିଶିଷ୍ଟ ସାମ୍ବାଦିକା ବିଜେଡ଼ିର ଜଣେ ଲୋକସଭା ସାଂସଦଙ୍କ ସାକ୍ଷାତ୍କାର ନେବାକୁ ଆସିଥିଲେ। ସାଂସଦ ଜଣେ ପୁରୁଣା ରାଜା ପରିବାରର ଲୋକ। ତାଙ୍କୁ ଦେଖି ସମ୍ବାଦିକଙ୍କର ପ୍ରଥମ ପ୍ରଶ୍ନ ଥିଲା- ଆରେ ବାଃ, ଆପକା ସବକୁଛ ବ୍ରାଣ୍ଡେଡ ହୈ। ପୋଷାକ, ଘଣ୍ଟା, ଜୋତା, ଚଷମା ଓ ମୋବାଇଲକୁ ମିଶେଇଦେଲେ ଜଣେ ଜଣେ ଲୋକ ୫୦ ଲକ୍ଷ ଟଙ୍କାର ଆଭୂଷଣ ପିନ୍ଧୁଛନ୍ତି। ଏହାକୁ ଆମେ ସାଧାରଣ ଜୀବନରେ ଗ୍ରହଣ ମଧ୍ୟ କରୁଛେ। ହେଲେ ଏଠି ମୂଳ ପ୍ରସଙ୍ଗ ଭିନ୍ନ। ମୁଖ୍ୟମନ୍ତ୍ରୀ ତାଗିଦ କଲାପରେ ହୁଏତ ବିଧାୟକମାନେ ଭୟରେ ସେସବୁ ପିନ୍ଧି ନ ପାରନ୍ତି। ଭୟରେ ବିଳାସ ଛାଡିବା ଓ ସ୍ଵାଭାବିକ ଭାବରେ ସରଳ ଜୀବନ ବଞ୍ଚିବା, ଦୁଇଟି ଭିନେ କଥା। ନବୀନ ବାବୁ ତାଙ୍କର ପାଞ୍ଚ ତାରକା ଜୀବନକୁ ଛାଡି ଦିଲ୍ଲୀରୁ ଆସିବା ପରେ କେବେହେଲେ ଆଉ ପଛକୁ ଲେଉଟି ଚାହିଁ ନାହାନ୍ତି। ଧଳା-ଢିଲା ପୋଷାକ ଓ ଶସ୍ତା ଚପଲ ତାଙ୍କ ଜୀବନର ଅଂଶ ହୋଇ ରହି ଯାଇଛି।

ନବୀନ ବାବୁ ଓ ତାଙ୍କ ଦଳର ନେତାଙ୍କ ଭିତରେ ଜୀବନ ଦର୍ଶନର ସାମ୍ୟ ଅବଶ୍ୟ ନାହିଁ। ସେଥିଲାଗି ବିଜେଡ଼ିର ବହୁ ନେତା ସୁଯୋଗ ପାଇଲେ ନବୀନଙ୍କୁ ବିରକ୍ତିମିଶା ଗାଳି କରିଥାନ୍ତି। (ହେଲେ ଖୋଲାଖୋଲି କିଛି କହିବାର ହାଡ କାହା ଜିଭରେ ନାହିଁ) ରାଜନୀତି  ବିଳାସ ନୁହେଁ ବରଂ ଲୋକସେବା, ଏକଥା ନବୀନ ବାବୁଙ୍କୁ ବୁଝାଇବାକୁ ପଡିଲା କାହିଁକି? ଦଳର ବିଧାୟକମାନେ ଲୋକସେବାର ଆଦର୍ଶରେ ନାହାନ୍ତି ବୋଲି ନବୀନଙ୍କ ପାଖରେ ଖବର ରହିଛି ନିଶ୍ଚୟ। ଏହାକୁ ଏକ ପ୍ରକାର ସତର୍କ ଘଣ୍ଟି ବୋଲି କୁହାଯାଇପାରେ। ୨୦୧୯ ନିର୍ବାଚନ ପୂର୍ବରୁ ଯେତେବେଳେ ବିଜେଡିର ଏକ ଆଭ୍ୟନ୍ତରୀଣ ରିପୋର୍ଟରୁ ଜଣାପଡିଥିଲା ଯେ, ନବୀନଙ୍କ ଲୋକପ୍ରିୟତା ବଜାୟ ରହିଥିଲେ ମଧ୍ୟ ଅନେକ ସାଂସଦ ଓ ବିଧାୟକଙ୍କ ବିରୋଧରେ ପ୍ରବଳ ଜନମତ ରହିଛି। ସେତେବେଳେ ହିଁ ଏ କଥା ନିଷ୍ପତ୍ତି ହୋଇଥିଲା ଯେ, ନୂଆ ବିଧାୟକ ଓ ସାଂସଦଙ୍କ ଉପରେ ଦଳର ମୁଖିଆ ତୀକ୍ଷ୍ନ ନଜର ରଖିବେ। ତାରି ଭିତରେ ପାଟଣାଗଡ ବିଧାୟକ ସରୋଜ ମେହେରଙ୍କ ଦୁର୍ବ୍ୟବହାର ପ୍ରସଙ୍ଗ ଆସିଲା। ସରୋଜଙ୍କୁ ଦଳ ତରଫରୁ କୌଣସି ସମର୍ଥନ ମିଳିଲା ନାହିଁ। ସରୋଜଙ୍କ ମାଧ୍ୟମରେ ବାକି ବିଧାୟକମାନଙ୍କୁ ମଧ୍ୟ ବାର୍ତ୍ତା ଦିଆଗଲା ଯେ ବାହୁବଳି ଆଚରଣ ଦେଖାଇଲେ ନବୀନ ବାବୁ କାହାକୁ ଛାଡିବେ ନାହିଁ।

ପରିଶେଷରେ ନିଜେ ନବୀନ ବାବୁ ବିଧାୟକମାନଙ୍କୁ ଡାକି ନିଜର ମତ ସ୍ପଷ୍ଟ ଭାବରେ ଜଣାଇ ଦେଇଛନ୍ତି। ଏବେ ବିଧାୟକମାନଙ୍କ ଜୀବନ ଧାରଣ ଓ ଆଚରଣ ପ୍ରସଙ୍ଗରେ ଲୋକେ ଅନ୍ତିମ ବିଚାରକ ହେବେ। ଦଳ ମୁଖିଆଙ୍କ ଉପଦେଶ/ତାଗିଦକୁ ଲୋକ ପ୍ରତିନିଧିମାନେ କେତେଦୂର ଅନୁପାଳନ କରୁଛନ୍ତି, ତାକୁ ଲୋକେ ଦେଖିବେ ଓ ଦେଖେଇଦେବେ!!