Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

ଫୋନରେ ଲୋକଙ୍କ ସହିତ କଥା ହେଲେ ନବୀନ ପଟ୍ଟନାୟକ, ଉତ୍ସାହିତ ହେଲେ ଜନତା

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ଲୋକଙ୍କ ସହିତ ଫୋନରେ କଥା ହୋଇଛନ୍ତି। ସେ ତାଙ୍କ ଅଞ୍ଚଳର ବିକାଶ କଥା ପଚାରି ବୁଝିଛନ୍ତି। କାହାକୁ ସ୍କୁଲ କାମ ଚାଲିଛି କି ନାହିଁ ପଚାରିଥିବା ବେଳେ କେଉଁଠି ମନ୍ଦିର କାମ କଣ ହେଲା ବୋଲି ପଚାରିଛନ୍ତି। ଏହିପରି ଭାବେ ଆଜି ସକାଳୁ ନବୀନ ଲୋକଙ୍କ ସମସ୍ୟା ଉପରେ ଅବଗତ ହୋଇଛନ୍ତି।

ନିର୍ବାଚନ ପାଖେଇ ଆସୁଥିବା ବେଳେ ଖୋଦ ମୁଖ୍ୟମନ୍ତ୍ରୀ ଲୋକଙ୍କ ସହିତ ଫୋନରେ କଥା ହେବାକୁ ନେଇ ବେଶ ଚହଳ ପଡିଯାଇଛି। ଯେଉଁମାନଙ୍କୁ ସେ ଫୋନ କରିଛନ୍ତି ସେଠାରେ ଲୋକଙ୍କ ମଧ୍ୟରେ ବେଶ ଉତ୍ସାହ ଖେଳିଯାଇଛି। ନିର୍ବାଚନ ପ୍ରଚାର ପାଇଁ ଏହି ନବୀନଙ୍କ ଏକ ଭିନ୍ନ କୌଶଳ କହିଲେ ଅତ୍ୟୁକ୍ତି ହେବ ନାହିଁ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ନୂଆ ବର୍ଷରେ ବଲାଙ୍ଗୀରରୁ ଗସ୍ତ ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ, ଲୋୟର ସୁକତେଲ ପ୍ରକଳ୍ପକୁ କଲେ ଲୋକାର୍ପଣ

ଭୁବନେଶ୍ବର: ନୂଆ ବର୍ଷରେ ମୋର ପ୍ରଥମ ଗସ୍ତ ବଲାଙ୍ଗୀରରୁ ଆରମ୍ଭ କରି ମୁଁ ବହୁତ ଖୁସି। ଆପଣମାନେ ଖୁସି ତ? ଲୋକଙ୍କ ଉତ୍ସସିତ ଧ୍ବନି, କରତାଳି ଓ ହୁଳହୁଳି ମଧ୍ୟରେ ମୁଖ୍ୟମନ୍ତ୍ରୀ ଆଜି ବଲାଙ୍ଗୀରରେ ଲୋୟର ସୁକତେଳ ଜଳସେଚନ ପ୍ରକଳ୍ପ ଲୋକାର୍ପିତ କରିଛନ୍ତି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଲୋୟର ସୁକତେଲ ପ୍ରକଳ୍ପ ଦ୍ବାରା ବଲାଙ୍ଗୀରର ଚାଷୀଭାଇମାନଙ୍କର ଜଳ କଷ୍ଟ ଦୂର ହେଲା। ସୁକତେଲ ପ୍ରକଳ୍ପ ବଲାଙ୍ଗୀରର ଜଳସେଚନ କ୍ଷେତ୍ରରେ, କୃଷି କ୍ଷେତ୍ରରେ ରୂପାନ୍ତର ଆଣିବ ବୋଲି ସେ ମତ ଦେବା ସହିତ କହିଥିଲେ ଯେ ଚାଷୀର ବିକାଶରେ ରାଜ୍ୟର ବିକାଶ। ବଲାଙ୍ଗୀର ଜିଲ୍ଲାର ବିକାଶରେ ଏହି ପ୍ରକଳ୍ପ ନୂଆ ଯୁଗ ଆଣିବ।

ସୂଚନାଯୋଗ୍ୟ ଯେ ଏହି ପ୍ରକଳ୍ପ ରାଜ୍ୟର ନବମ ସର୍ବବୃହତ ବନ୍ଧ। ଏହାର ଉଚ୍ଚତା ୩୧ ମିଟର। ଏହାଦ୍ବାରା ବଲାଙ୍ଗୀର ଓ ସୋନପୁର ଦୁଇ ଜିଲ୍ଲାର ୨୦୩ଟି ଗାଁ ର ଏକ ଲକ୍ଷ ଏକର ଜମିକୁ ପାଣି ମିଳିବ। 80ହଜାର ରୁ ଅଧିକ ଚାଷୀ ଉପକାର ପାଇବେ। ଜିଲ୍ଲାର 70ହଜାର ରୁ ଅଧିକ ଲୋକ ପିଇବା ପାଣି ସୁବିଧା ମଧ୍ୟ ପାଇବେ।

୨୦୧୯ ମସିହାରୁ 5T ଉପକ୍ରମରେ ଏହି ପ୍ରକଳ୍ପ ତ୍ବରାନ୍ବିତ କରାଯାଇ କାମ ସଂପୂର୍ଣ୍ଣ କରାଯାଇଛି । ନୂଆ ବୈଷୟିକ ଜ୍ଞାନ କୌଶଳକୁ ବ୍ୟବହାର କରାଯାଇ ଭୂତଳ ପାଇପଲାଇନ ଜରିଆରେ ଜଳସେଚନର ବ୍ୟବସ୍ଥା କରାଯାଇଛି। ଏହାଦ୍ବାରା ଜଳସେଚନ ପାଇଁ କୌଣସି ବିସ୍ଥାପନ ହେବ ନାହିଁ।

ଜନସାଧାରଣଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ ପୁଣି କହିଲେ ଯେ କୃଷକ ରାଜ୍ୟ ଅର୍ଥନୀତିର ସାରଥି। ଚାଷୀ ଭାଇ ମାନଙ୍କୁ ସାଥିରେ ଧରି ଆମେ ଆଗକୁ ବଢୁଛୁ। ମୁଁ ସବୁବେଳେ ଚାଷୀ ଭାଇମାନଙ୍କ ସାଥିରେ ଅଛି । ସେମାନଙ୍କ ପାଇଁ କାଳିଆ, ଏକ ଲକ୍ଷ ଟଙ୍କାର ବିନା ସୁଧରେ ଋଣ, ମାଗଣା ଫସଲ ବୀମା ଚାଷୀ ଘର ପିଲାଙ୍କ ପାଇଁ ବୃତ୍ତି ଏବଂ ଆହୁରି ଅନେକ ଯୋଜନା ଜାରି ରହିଛି।

ବିସ୍ଥାପିତ ଗାଁର ଲୋକମାନଙ୍କ ତ୍ୟାଗକୁ ମନେ ପକାଇ ମୁଖ୍ୟମନ୍ତ୍ରୀ କହିଲେ ଯେ ଏହି ପ୍ରକଳ୍ପ ପାଇଁ ୨୯ଟି ଗାଁର ଲୋକମାନେ ବହୁତ ବଡ ତ୍ୟାଗ କରିଛନ୍ତି। ସେମାନଙ୍କ ତ୍ୟାଗକୁ ମୁଁ ସମ୍ମାନ ଜଣାଉଛି। ବଲାଙ୍ଗୀର ବିକାଶ ପାଇଁ ସେମାନଙ୍କ ତ୍ୟାଗ ସବୁଦିନ ମନେ ରହିବ।

ଆଜି ମଧ୍ୟ ବଲାଙ୍ଗୀର ଜିଲ୍ଲାର ବିକାଶ ପାଇଁ ଅନେକ କାମ ଆରମ୍ଭ ହେଲା। ସ୍ବାସ୍ଥ୍ୟ ଭିତ୍ତିଭୂମିର ଉନ୍ନତି, ପର୍ଯ୍ୟଟନର ବିକାଶ, ଯୋଗାଯୋଗର ଉନ୍ନତି, କ୍ରୀଡାର ଉନ୍ନତି ସହିତ ଐତିହ୍ୟର ବିକାଶ ଓ ସୁରକ୍ଷା ପାଇଁ ଅନେକ ପ୍ରକଳ୍ପ ଆରମ୍ଭ ହେଲା ବୋଲି ସେ କହିଥିଲେ।

ସୂଚନାଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀ ବଲାଙ୍ଗୀର ପାଇଁ ୨୫୨୫ କୋଟି ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ କରିଥିଲେ। ୨୨୨୦ କୋଟି ଟଙ୍କା ବ୍ୟୟରେ ୧୧୨ଟି ଭିତ୍ତିଭୂମି ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ରଖାଯାଇଥିବା ବେଳେ, ୩୦୫ କୋଟି ଟଙ୍କା ବ୍ୟୟରେ ୬୯ଟି ଭିତ୍ତିଭୂମି ପ୍ରକଳ୍ପର ଉଦ୍‌ଘାଟନ କରାଯାଇଥିଲା।

ମୁଖ୍ୟମନ୍ତ୍ରୀ ପୁଣି କହିଲେ ଯେ 5T ଅଧ୍ୟକ୍ଷ ମୋ ନିର୍ଦ୍ଦେଶରେ ଅଗଷ୍ଟ ମାସରେ ଆସିଥିଲେ। ଆପଣମାନଙ୍କୁ ଭେଟିଥିଲେ। ଆପଣମାନଙ୍କ ସହିତ ବିକାଶ କାମ ବିଷୟରେ ଆଲୋଚନା କରିଥିଲେ। ଆପଣମାନଙ୍କ ମତକୁ ସମ୍ମାନ ଜଣାଇ ଆମେ କାମ କରୁଛୁ।

ବଲାଙ୍ଗୀରର ବିକାଶ ଉପରେ ଆଲୋକପାତ କରି ସେ କହିଲେ ଯେ, ଏବେ ବଲାଙ୍ଗୀର ଜିଲ୍ଲା ଶିକ୍ଷା, ସ୍ବାସ୍ଥ୍ୟ ଓ ଭିତ୍ତିଭୂମି କ୍ଷେତ୍ରରେ ଜୋରଦାର ଉନ୍ନତି କରୁଛି। ହରିଶଙ୍କର ପୀଠ ସହିତ ଜିଲ୍ଲାର ମଠ ମନ୍ଦିରର ରୂପାନ୍ତର କାମ ଚାଲିଛି। ଏବେ କୃଷି କ୍ଷେତ୍ରରେ ଉନ୍ନତି ସହିତ ଜିଲ୍ଲାରେ ରୂପାନ୍ତରର ଏକ ନୂଆ ଯୁଗ ଆସିବ। ମୋର ବିଶ୍ବାସ, ଆପଣମାନଙ୍କ ସହଯୋଗରେ, ବଲାଙ୍ଗୀର ରାଜ୍ୟର ବିକାଶରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବ ବୋଲି ସେ କହିଥିଲେ।

ଏହି ଅବସରରେ ଜଳସଂପଦ ବିଭାଗ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ କହିଲେ ଯେ ବଲାଙ୍ଗୀର ଜିଲ୍ଲାର ଜନସାଧାରଣଙ୍କ ବହୁ ଦିନର ସ୍ବପ୍ନକୁ ମୁଖ୍ୟମନ୍ତ୍ରୀ ଆଜି ପୂରଣ କରିଛନ୍ତି । ଲୋୟର ସୁକତେଲ ଆଜି ବଲାଙ୍ଗୀରବାସୀଙ୍କ ପାଇଁ ସୁଖର ସୁକତେଲରେ ପରିଣତ ହୋଇଛି । ଏହି ପ୍ରକଳ୍ପ କାର୍ଯ୍ୟାନ୍ବୟନକୁ ତ୍ବରାନ୍ବିତ କରିବା କ୍ଷେତ୍ରରେ 5T ଅଧ୍ୟକ୍ଷଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି ବୋଲି ସେ କହିଥିଲେ।

କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସହିତ 5T ତଥା ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ ଭି.କେ. ପାଣ୍ଡିଆନ ଉପସ୍ଥିତ ଥିଲେ।

ଏହି ଅବସରରେ ଅନ୍ୟ ମାନଙ୍କ ମଧ୍ୟରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ନିରଞ୍ଜନ ପୂଜାରୀ, ବଲାଙ୍ଗୀର ସାଂସଦ ଶ୍ରୀମତୀ ସଙ୍ଗୀତା କୁମାରୀ ସିଂହଦେଓ, ରାଜ୍ୟସଭା ସାଂସଦ ଶ୍ରୀ ନିରଞ୍ଜନ ବିଶି, ବଲାଙ୍ଗୀର ବିଧାୟକ ଶ୍ରୀ ନରସିଂହ ମିଶ୍ର, ପାଟଣାଗଡ ବିଧାୟକ ତଥା ବଲାଙ୍ଗୀର ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଶ୍ରୀ ସରୋଜ ମେହେର, ଲୋଇସିଂଘା ବିଧାୟକ ଶ୍ରୀ ମୁକେଶ ମହାଲିଙ୍ଗ, ରାଜ୍ୟ ଗୃହ ନିର୍ମାଣ ବୋର୍ଡର ଅଧ୍ୟକ୍ଷ ଶ୍ରୀ କଲିକେଶ ନାରାୟଣ ସିଂହଦେଓ, ବଲାଙ୍ଗୀର ଜିଲ୍ଲା ପରିଷଦ ସଭାପତି ଦେବକୀ ସାହୁ ପ୍ରମୁଖ ନିଜର ଅଭିଭାଷଣ ରଖିଥିଲେ।

ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗ ସ୍ବାଗତ ଭାଷଣ ଦେଇଥିଲେ ଏବଂ ଜିଲ୍ଲାପାଳ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ବୋରୱେଲ ଭିତରୁ ନବଜାତକ ଶିଶୁ ଉଦ୍ଧାର ଘଟଣା, ପୁରା ଟିମକୁ ଧନ୍ୟବାଦ ଦେଲେ ନବୀନ

ଭୁବନେଶ୍ବର: ଆଜି ସଂଧ୍ୟାରେ ସମ୍ବଲପୁର ରେଙ୍ଗାନି ନିକଟସ୍ଥ ଲାରିପାଲି ଜଙ୍ଗଲଭିତରେ ଥିବା ଏକ ବୋରୱେଲ ଭିତରୁ ଏକ ନବଜାତକୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ସ୍ଥାନୀୟ ପ୍ରଶାସନ, ପୋଲିସ, ଓଡ୍ରାଫ ଟିମ ଏବଂ ଅଗ୍ନିଶମ ବାହିନୀ ଉଦ୍ଧାର କାର୍ଯ୍ୟକରିଥିଲେ। ସେମାନେ ପ୍ରାୟ ୬ ଘଣ୍ଟା ଧରି ପରିଶ୍ରମ କରିବା ପରେ ଶିଶୁଟି ଜୀବନ୍ତ ଉଦ୍ଧାର ହୋଇଛି। କେହି ଏକ ଶିଶୁଟିଏ ଜନ୍ମ କରି ସେହି ବୋରୱେଲ ଭିତରେ ଫିଙ୍ଗି ଦେଇଥିଲା।

ଏହା ଉପରେ କ୍ଲିକ କରି ପଢନ୍ତୁ: ବୋରୱେଲରେ ଫିଙ୍ଗାଯାଇଥିବା ଏକ ନବଜାତକ ଶିଶୁ ଉଦ୍ଧାର, ୬ ଘଣ୍ଟା ଧରି ଚାଲିଥିଲା ଅପରେସନ

ତେବେ ଏହି ବଡ ଅପରେସ ସଫଳତାର ଶେଷ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍ଧାରକାରୀ ଦଳକୁ ଧନ୍ୟବାଦ ଦେଇଛନ୍ତି। ସେ କହିଛନ୍ତି ଯେ, ” ପ୍ରତିଟି ଜୀବନ ମୂଲ୍ୟବାନ ସମ୍ବଲପୁରର ରେଙ୍ଗାଲିରେ ନବଜାତକ ଶିଶୁ ସୁରକ୍ଷିତ ଉଦ୍ଧାର ହେବା ଅତ୍ୟନ୍ତ ଖୁସିର ବିଷୟ। ଅମୂଲ୍ୟ ଜୀବନଟିକୁ ରକ୍ଷା କରିବା ପାଇଁ ଉତ୍ସର୍ଗୀକୃତ ଓ ନିଷ୍ଠାପର ଭାବେ କାର୍ଯ୍ୟ କରିଥିବା ଅଗ୍ନିଶମ ବାହିନୀ, ଓଡ୍ରାଫ, ପୋଲିସ, ଜିଲ୍ଲା ପ୍ରଶାସନ ଓ ସ୍ଵାସ୍ଥ୍ୟକର୍ମୀଙ୍କୁ ହୃଦୟରୁ ସାଧୁବାଦ ଜଣାଉଛି।”

Categories
ଧର୍ମ ବିଶେଷ ଖବର ରାଜ୍ୟ ଖବର

ପୁରୀରେ ହବିଶ୍ୟାଳିଙ୍କ କାର୍ତ୍ତିକ ବ୍ରତ ସେବା କେନ୍ଦ୍ରର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର: ଆଜିଠାରୁ କାର୍ତ୍ତିକ ମାସ ଆରମ୍ଭ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କନଫ୍ରେସିଂ ଜରିଆରେ ପୁରୀରେ ହବିଶ୍ୟାଳି ମାନଙ୍କ ପାଇଁ କାର୍ତ୍ତିକ ବ୍ରତ ସେବା କେନ୍ଦ୍ରର ଶୁଭାରମ୍ଭ କରିଛନ୍ତି। ସାରା ରାଜ୍ୟରୁ ଏହି ଅବସରରେ କାର୍ତ୍ତିକ ବ୍ରତ କରିବା ପାଇଁ ହବିଶ୍ୟାଳି ମାନେ ଏକତ୍ରିତ ହୋଇଛନ୍ତି।

ବ୍ରତ ପାଇଁ ହବିଶ୍ୟାଳିମାନଙ୍କୁ ଶୁଭେଛା ଜଣାଇ ମୁଖ୍ୟମନ୍ତ୍ରୀ କହିଲେ ଯେ ଆପଣମାନେ ଭଲରେ ବ୍ରତ କରନ୍ତୁ, ଶାନ୍ତିରେ ବ୍ରତ କରନ୍ତୁ। ମହାପ୍ରଭୁଙ୍କ ଆଶୀର୍ବାଦ ଲାଭ କରନ୍ତୁ। ଆପଣମାନେ ଆଶୀର୍ବାଦ ପାଇଲେ, ସାରା ଓଡିଶାକୁ ଆଶୀର୍ବାଦ ମିଳିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

କାର୍ତ୍ତିକ ମାସ ଧର୍ମ ମାସ, ବହୁତ ପବିତ୍ର ବୋଲି ମତ ଦେଇ ସେ କହିଲେ ଯେ ଏ ମାସରେ ମା ମାନେ ଆନନ୍ଦରେ ବ୍ରତ ପାଳନ କରିବେ ବୋଲି ତାଙ୍କର ପୁରା ବିଶ୍ୱାସ।

ମା ମାନଙ୍କ ସୁବିଧା ପାଇଁ ସବୁ ବ୍ୟବସ୍ଥା କରାଯାଇଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ୩୦୦୦ରୁ ଅଧିକ ମା’ ଙ୍କ ପାଇଁ ବ୍ୟବସ୍ଥା କରାଯାଇଛି। ରହିବାଠାରୁ ଆରମ୍ଭ କରି ମହାପ୍ରଭୁଙ୍କ ଦର୍ଶନ, ମହାପ୍ରସାଦ ସେବନ ପ୍ରଭୃତି ସବୁ ବ୍ୟବସ୍ଥା ହୋଇଛି। ଆପଣମାନଙ୍କ ସେବା ପାଇଁ ଜିଲ୍ଲା ପ୍ରଶାସନ ପୁରା ପ୍ରସ୍ତୁତ ବୋଲି ସେ କହିଥିଲେ।

କାର୍ଯ୍ୟକ୍ରମରେ ଯୋଗ ଦେଇ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ପାତ୍ର କହିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ଦୂର ଦୃଷ୍ଟିରୁ ଆଜି ମା ମାନଙ୍କ ପାଇଁ ସବୁ ସୁବିଧା ହୋଇ ପାରିଛି। ଜିଲ୍ଲା ପ୍ରଶାସନ, ମନ୍ଦିର ପ୍ରଶାସନ, ସେବାୟତ, ସ୍ବେଛାସେବୀ ସମସ୍ତେ ସହଯୋଗ ଯୋଗାଇ ଦେଉଛନ୍ତି।

କ୍ରୀଡା ମନ୍ତ୍ରୀ ଶ୍ରୀ ତୁଷାର କାନ୍ତି ବେହେରା କହିଲେ ଯେ ମହିଳା କଲ୍ୟାଣକାରୀ ଯୋଜନାରେ ମୁଖ୍ୟମନ୍ତ୍ରୀ ସମସ୍ତଙ୍କ ପାଇଁ ଆଦର୍ଶ। ମୁଖ୍ୟମନ୍ତ୍ରୀଙ୍କ ଦୃଢ଼ ନେତୃତ୍ବ ଯୋଗୁ ଓଡ଼ିଶା ଆଜି ନାରୀ ଶକ୍ତିର ବିକାଶରେ ଅଗ୍ରଣୀ।

ଏହି କାର୍ଯ୍ୟକ୍ରମରେ କଟକର ଅହଲ୍ୟା ଆଚାର୍ଯ୍ୟ, ନବରଙ୍ଗପୁରର ପାର୍ବତୀ ହରିଜନ ଓ ଗଞ୍ଜାମର ରାଧା ଦେବୀ ପଣ୍ଡା ପ୍ରମୁଖ ହବିଶ୍ୟାଳି ମାନେ ନିଜର ଅଭିଜ୍ଞତା ବର୍ଣ୍ଣନା କରି କହିଲେ ଯେ ପୂର୍ବରୁ କାର୍ତ୍ତିକ ବ୍ରତ ପାଇଁ ସେମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିଲେ।

ଆଜି ମୁଖ୍ୟମନ୍ତ୍ରୀ ସେମାନଙ୍କ ପାଇଁ ସବୁ ସୁବିଧା କରିଛନ୍ତି। ରହିବା, ଖାଇବା, ଯିବା ଆସିବା, ଭଜନ କୀର୍ତ୍ତନ ସବୁ ସୁବିଧା କରିଛନ୍ତି । ମହାପ୍ରଭୁ ମୁଖ୍ୟମନ୍ତ୍ରୀଙ୍କୁ ଦୀର୍ଘାୟୁ କରନ୍ତୁ ବୋଲି ସେମାନେ କାମନା କରିଥିଲେ।

5T ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଶ୍ରୀ ଭି କେ ପାଣ୍ଡିଆନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସୂଚନା ଯୋଗ୍ୟ ଯେ ପୁରୀରେ କାର୍ତ୍ତିକ ମାସରେ ସାରା ରାଜ୍ୟରୁ ଏହି ଅବସରରେ କାର୍ତ୍ତିକ ବ୍ରତ କରିବା ପାଇଁ ହବିଶ୍ୟାଳି ମାନେ ଆସିଥାନ୍ତି। ସେମାନଙ୍କ ଅସୁବିଧାକୁ ଅନୁଭବ କରି ମୁଖ୍ୟମନ୍ତ୍ରୀ ୨୦୧୬ରୁ ହବିଶ୍ୟାଳି ଯୋଜନା ଆରମ୍ଭ କରିଛନ୍ତି। ଗତ ବର୍ଷ ଠାରୁ ସେମାନଙ୍କ ରହିବାର ସୁବିଧା ପାଇଁ ସାତ ମହଲା ବିଶିଷ୍ଟ ଏକ ଭବନ ନିର୍ମାଣ କରାଯାଇଛି।

ଏହା ବୃନ୍ଦାବତୀ ନିବାସ ନାମରେ ନାମିତ। ଏଠାରେ ରହି ମା ମାନେ ରାଇ ଦାମୋଦର ବ୍ରତ କରିଥାନ୍ତି। ପୁରୀରେ ହବିଶ୍ୟାଳି ମାନଙ୍କ ରହିବା ପାଇଁ ଏହା ସହିତ ବଗଲା ଧର୍ମଶାଳା, ବାଗିଡିଆ ଧର୍ମଶାଳା, ମୋଚି ସାହି କଲ୍ୟାଣ ମଣ୍ଡପ ଓ ଅକ୍ଷୟ ପାତ୍ର ଫାଉଣ୍ଡେସନ ରେ ମଧ୍ୟ ବ୍ୟବସ୍ଥା କରାଯାଇଛି।

ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ସ୍ଵାଗତ ଭାଷଣ ଦେଇଥିଲେ ଓ ଅତିରିକ୍ତ ଜିଲ୍ଲାପାଳ ଧନ୍ୟବାଦ୍ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ନିମାପଡା ବିଧାୟକ ସମୀର ରଞ୍ଜନ ଦାଶ, ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ସ୍ୱପ୍ନାରାଣୀ ସ୍ୱାଇଁ, କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ଡଃ ସୁରେଶ ଚନ୍ଦ୍ର ଦଳାଇ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ ଓ ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ୟ ଗଣ ଯୋଗ ଦେଇଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ନବୀନ ପଟ୍ଟନାୟକ ସର୍ବାଧିକ ସମୟ ମୁଖ୍ୟମନ୍ତ୍ରୀ ରହିବା ପଛରେ କଣ ରହିଛି ରହସ୍ୟ?

ଦିଲ୍ଲୀପ ହାଲି

ସାରା ଦେଶରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ରେକର୍ଡ ସୃଷ୍ଟି କରିଛନ୍ତି। ସେ ବର୍ତ୍ତମାନ ଭାରତର ଦୀର୍ଘ ସମୟ ଧରି ମୁଖ୍ୟମନ୍ତ୍ରୀ ପଦରେ ରହିଥିବା ଦ୍ବିତୀୟ ନେତା ହେଲେ। ଏହି ସ୍ଥାନରେ ପୂର୍ବରୁ ଥିଲେ ପଶ୍ଚିମବଂଗର ପୂର୍ବତନ ମୁଖ୍ୟମନ୍ତ୍ରୀ ଜ୍ୟୋତିବସୁ। ୨୨ ତାରିଖରେ ନବୀନ ତାଙ୍କ ସମକକ୍ଷ ହୋଇଥିଲେ। ଆଉ ୨୩ ତାରିଖରେ ସେ ସେହି ରେକର୍ଡ ଭାଙ୍ଗିଲେ। ଅର୍ଥାତ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୩ ବର୍ଷ ୧୩୯ ଦିନ ମୁଖ୍ୟମନ୍ତ୍ରୀ ପଦରେ ରହିଲେଣି। ଯାହା ଜ୍ୟୋତି ବସୁଙ୍କଠାରୁ ଆଜି ଦିନଟିଏ ଅଧିକା ହୋଇ ରେକର୍ଡ ଭାଙ୍ଗିଲେ।

ଏହାକୁ ନେଇ ସାରା ଦେଶର ରାଜନୀତିରେ ବେଶ ଚର୍ଚ୍ଚା ଚାଲିଛି। କାରଣ ପୂର୍ବରେ କେବେ ରାଜନୀତିରେ ନ ଥିବା ଜଣେ ବ୍ୟକ୍ତି ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇ ଏତେ ବର୍ଷ ଧରି ଶାସନ କରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ସେତିକି ନୁହେଁ ସେ ଆସିବା ପରେ ଓଡିଶା ପରି ଗରୀବ ରାଜ୍ୟର କିପରି ଉନ୍ନତି ହୋଇପାରିଛି ସେ ନେଇ ମଧ୍ୟ ଚାଲିଛି ଆଲୋଚନା ଓ ପ୍ରଶଂସା।

ବର୍ତ୍ତମାନ ନବୀନ ପଟ୍ଟନାୟକଙ୍କ ରାଜ୍ୟ ପାଇଁ ଯେଉଁ ବିକାଶ ମୁଳକ କାର୍ଯ୍ୟ କରିବାରେ ଲାଗିଛନ୍ତି ତାହା ଅନ୍ୟ ରାଜ୍ୟ ମଧ୍ୟ ଅନୁକରଣ କରିବାରେ ଲାଗିଛି। ଏହା ବର୍ତ୍ତମାନ ଜାତୀୟ ରାଜନୀତିରେ ‘ନବୀନ ମଡେଲ’ ଭାବେ ପରିଗଣିତ ହୋଇଛି। ଓଡିଶାର ଜଣେ ଗରିବ ଲୋକର ଛୁଆ ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ପ୍ରାୟ ଶତାଧିକ ଯୋଜନା ଖଂଜି ଦେଇଛନ୍ତି ନବୀନ। ଜନ୍ମ ହେଲେ ପଇସା, ରୋଗ ହେଲେ ମାଗଣା ଚିକିତ୍ସା, ମାଗଣା ଚାଉଳ, ମୃତ୍ୟୁବରଣ କଲେ ସହାୟତା, ସବୁକିଛି ବ୍ୟବସ୍ଥା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ସେତେକି ନୁହେଁ ରାଜ୍ୟର ଐତିହାସିକ ପିଠର ଉନ୍ନତି, ଧର୍ମପିଠର ନବୀକରଣ, ସ୍କୁଲ ରୂପାନ୍ତରୀକରଣ, ମୋ କଲେଜ, ମୋ ସ୍କୁଲ ଏପରିକି ଛାତ୍ରାଛାତ୍ରୀମାନେ ଆଇଏଏସ, ଡାକ୍ତର ହେବା ପାଇଁ ମାଗଣା ପ୍ରଶିକ୍ଷଣ ଦେବା ମଧ୍ୟ ନବୀନ ବ୍ୟବସ୍ଥା କରିଛନ୍ତି। ଯାହାକୁ ନେଇ ଗାଁ ଗହଳିଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ତାଙ୍କର ପ୍ରଶଂସା କରାଯାଉଛି। କାରଣ ଏପରି ଯୋଜନା ଅନ୍ୟ କେଉଁ ରାଜ୍ୟରେ ହେଉଥିବ କି ନାହିଁ ସନ୍ଦେହ।

ତେବେ ନବୀନ ପଟ୍ଟନାୟକଙ୍କ ସବୁଠାରୁ ବେଶ ଲୋକପ୍ରିୟ ଯୋଜନା ହେଲା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଆଉ ମିଶନ ଶକ୍ତି। ପୂର୍ବେ ଗରୀବ ଲୋକଟିଏ ଚିକିତ୍ସା ପାଇଁ ଘରଦ୍ବାର ବିକ୍ରି କରିଦେବା ପରି ଘଟଣା ଓଡିଶାରେ ଘଟୁଥିଲା। ହେଲେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ପରେ ଏହା ବର୍ତ୍ତମାନ ଲୋପ ପାଇଯାଇଛି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ଡାକ୍ତରଖାନାରେ କ୍ୟାସ ଲେସ ଚିକିତ୍ସା ଆଜି ଓଡିଶାର ଗରିବ ଲୋକଙ୍କର ଏକ ବଡ ସାହା ଭରସା ହୋଇପାରିଛି।

ସେହିପରି ମିଶନ ଶକ୍ତି ମାଧ୍ୟମରେ ଗାଁ ଗାଁରେ ଏସଏଚଜି ଗ୍ରୁପ ଆଜି ଅନ୍ୟ ଏକ ଲୋକପ୍ରିୟ ନବୀନ ଯୋଜନା। କାରଣ ଏହା ମାଧ୍ୟମରେ ଘରେ ଭିତରେ ବସି ରହିଥିବା ମହିଳାମାନେ ଆଜି ରୋଜଗାରକ୍ଷମ ହୋଇପାରିଛନ୍ତି। ସେମାନଙ୍କୁ ସରକାର ଆର୍ଥିକ ସହାୟତାଠାରୁ ଆରମ୍ଭ କରି ଋଣ ଯୋଗାଇ ଦେବାରେ ସାହାଯ୍ୟ କରୁଛନ୍ତି। ଯାହାଫଳରେ ସେମାନେ ଘରୁ ବାହାରି ଆଜି ହୋଇପାରିଛନ୍ତି ସ୍ବାବଲମ୍ବୀ। ଏବେ ସେମାନେ ସ୍କୁଟି କିଣିବା ପାଇଁ ନବୀନ ପଟ୍ଟନାୟକ ବିନା ସୁଧରେ ଋଣ ଯୋଗାଇ ଦେବାକୁ ମଧ୍ୟ ଘୋଷଣା କରିଛନ୍ତି।

ଏତେ ସବୁ ଜନହିତକର ଯୋଜନା ପାଇଁ ଓଡିଶାର ସବୁ ବିରୋଧୀ ଦଳ ଅଣ୍ଟା ସଳଖି ରାଜନୀତି କରିବାକୁ ସକ୍ଷମ ହୋଇପାରୁ ନାହାଁନ୍ତି। ବିଶେଷ କରି ବିରୋଧୀ ବିଜେପି, ପ୍ରତିିଟି କଥାରେ ନବୀନ ପଟ୍ଟନାୟକ ସମାଲୋଚନାଠାରୁ ଆରମ୍ଭ କରି ଗାଳି କରିବା ପରି କାମ କରୁଛନ୍ତି। ଯାହା ଲୋକଙ୍କର ପସନ୍ଦ ଯୋଗ୍ୟ ହୋଇପାରୁ ନାହିଁ। ଫଳରେ ସେମାନେ ଲୋକଙ୍କ ଦ୍ବାରା ବାରମ୍ବାର ପ୍ରତ୍ୟାଖାତ ହେବାରେ ଲାଗିଛନ୍ତି।

ଅନ୍ୟ ପକ୍ଷରେ ବିରୋଧୀଙ୍କ ପ୍ରବଳ ଆକ୍ରମଣକୁ ତିଳେ ମାତ୍ରେ ଖାତିରି କରୁ ନାହାଁନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନବୀନଙ୍କ ସଫା ସୁତୁରା ପଂଜାବୀରେ ଯେତେ ଦାଗ ଲଗାଇବାକୁ ବିରୋଧୀ ଚେଷ୍ଠା କଲେ ମଧ୍ୟ ବିଫଳ ହେଉଛନ୍ତି। ସେଥିପାଇଁ ନବୀନ ପଟ୍ଟନାୟକ ଓଡିଶାରେ ରାଜ୍ କରିବାରେ ଲାଗିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର ସଂସ୍କୃତି

ଏଥର ହୋଲି ଖେଳିବେ ନାହିଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କର୍ମିମାନଙ୍କୁ ନ ଆସିବା ପାଇଁ କଲେ ଅନୁରୋଧ

ଭୁବନେଶ୍ବର,ଏଥର ହୋଲି ଖେଳିବେ ନାହିଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତେବେ କଣ ପାଇଁ ଖେଳିବେ ନାହିଁ ସେ ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ କୌଣସି ସୂଚନା ଦିଆଯାଇ ନାହିଁ। ହେଲେ ବର୍ତ୍ତମାନ କରୋନା ଭାଇରସ ଯେପରି ଭାବେ ସାରା ଦେଶରେ ଏକ ଆତଙ୍କ ସୃଷ୍ଟି କରିଛି ସେଥିପାଇଁ ନବୀନ ହୋଲି ଖେଳିବେ ନାହିଁ ବୋଲି ଜଣାପଡିଛି। ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଚଳିତ ବର୍ଷ ହୋଲି ଖେଳିବେ ନାହିଁ ବୋଲି ଘୋଷଣା କରିଛନ୍ତି। କରୋନା ଭାଇରସ ପାଇଁ ସେ ଏହି ହୋଲି ପାଳିବେ ନାହିଁ ବୋଲି କହିଛନ୍ତି।

ସେହିପରି ଓଡିଶା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମଧ୍ୟ ହୋଲି ଖେଳିବେ ନାହିଁ ବୋଲି ରାଜଭବନ ତରଫରୁ ସୂଚନା ଦିଆଯାଇଛି। ସୂଚନା ଅନୁସାରେ ହୋଲି ହେଉଛି ମିଳନର ପର୍ବ। ହେଲେ ବର୍ତ୍ତମାନ କରୋନା ଭାଇରସ ସଂକ୍ରମଣ ହେବା ଏହି ମିଳନ ଅନ୍ୟ ଏକ କାରଣ। ସେଥିପାଇଁ ରାଜ୍ୟପାଳ ହୋଲି ପାଳନ କରିବେ ନାହିଁ ବୋଲି ଜଣାଇ ଦେଇଛନ୍ତି। ବର୍ତ୍ତମାନ କରୋନା ଭାଇରସ ଯୋଗୁଁ ଦେଶରେ ହୋଲି ପର୍ବ ପୁରା ଫିକା ପଡିଯିବ ବୋଲି ଜଣାପଡିଛି।

ମୁଖ୍ୟତଃ ଚୀନରୁ ପର୍ଯ୍ୟାପ୍ତ ପରିମାଣର ରଂଗ ଭାରତକୁ ଆମଦାନୀ ହୋଇଥାଏ। ଚାଇନା ବାଣ ପରି ଭାରତରେ ଚାଇନା ରଂଗର ମଧ୍ୟ ଏକ ବଡ ବଜାର ରହିଛି। ବର୍ତ୍ତମାନ କରୋନା ଭାଇରସର ଉତ୍ପତି ସ୍ଥଳ ଚୀନ ହୋଇଥିବାରୁ ଅନେକ ଏହି ରଂଗ କିଣି ବ୍ୟବହାର କରିବାକୁ ମଧ୍ୟ ଡରୁଛନ୍ତି। ପୋଲିସ ତରଫରୁ ହୋଲି ରଂଗ ବିକ୍ରି ଦୋକାନ ଉପରେ ମଧ୍ୟ ଚଢାଉ କରିବାରେ ଲାଗିଛନ୍ତି। ସେଥିପାଇଁ ଚଳିତ ବର୍ଷ କରୋନା ହୋଲିର ରଂଗକୁ ଉଡାଇ ନେବ ବୋଲି ଜଣାପଡିଛି।

Categories
ବିଶେଷ ଖବର

ଶପଥ ନେବେ ମୁଖ୍ୟମନ୍ତ୍ରଙ୍କ ସହ 11 କ୍ୟାବିନେଟ ଏବଂ 9 ଜଣ ରାଷ୍ଟ୍ରମନ୍ତ୍ରୀ, ଟୁକୁନି ସାହୁଙ୍କୁ କ୍ୟାବିନେଟ, ଅଶୋକ ପଣ୍ଡା ରାଷ୍ଟ୍ରମନ୍ତ୍ରୀ

ସମୀକ୍ଷା ବ୍ୟୁରୋ

ଶେଷରେ ବହୁ ଘଣ୍ଟା ଚକଟା ପରେ ମନ୍ତ୍ରୀ ତାଲିକା ଚୁଡାନ୍ତ ହୋଇଛି। ବିଜେଡି ତରଫରୁ ଏହି ତାଲିକା ରଜଭବନକୁ ପଠାଯିବା ପରେ ତାହା ସ୍ବୀକୃତ ହୋଇଛି। ନବୀନଙ୍କ ମହାସମାରୋହରେ ଏହି ନୂଆ ମନ୍ତ୍ରୀମାନେ ଶପଥ ଗ୍ରହଣ କରିବେ। ଏଥିରେ ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟ୍ଟନାୟକ ଶପଥ ନେବା ପରେ 11 ଜଣ କ୍ୟାବିନେଟ ମନ୍ତ୍ରୀ ଶପଥ ନେବେ। ଏହାପରେ 9 ଜଣ ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ନେବେ। ତେବେ ଏହି ମନ୍ତ୍ରୀ ତାଲିକାରୁ ଜଣାପଡିଛି ଯେ, ଅଶୋକ ଚନ୍ଦ୍ର ପଣ୍ଡା ଏଥର ରାଷ୍ଟ୍ରମନ୍ତ୍ରୀ ହୋଇଥିବା ବେଳେ ନୂଆକରି ମନ୍ତ୍ରୀ ହେବାକୁ ଯାଉଥିବା ଟୁକୁନି ସାହୁଙ୍କୁ ଦିଆଯାଇଛି କ୍ୟାବିନେଟ ପ୍ୟାହା। 11 ଜଣ କ୍ୟାବିନେଟ ମନ୍ତ୍ରୀଙ୍କ ମଧ୍ୟରୁ କେବଳ ଟୁକୁନି ସାହୁ ଏବଂ ନବ ଦାସଙ୍କୁ ଛାଡି ଦେଲେ ଅନ୍ୟ 9 ଜଣ ପୂର୍ବରୁ ନବୀନ ମନ୍ତ୍ରୀ ମଣ୍ଡଳରେ ସାମିଲି ଥିଲେ। ସେହିପରି 9 ଜଣ ରାଷ୍ଟ୍ରମନ୍ତ୍ରୀଙ୍କ ମଧ୍ୟରୁ କେବଳ ଅଶୋକ ପଣ୍ଡାଙ୍କୁ ଛାଡି ଦେଲେ ଅନ୍ୟ ସମସ୍ତେ ନୂଆ। ତେବେ ଯେଉଁମାନେଙ୍କ ତାଲିକା ପ୍ରକାଶ ପାଇଛି ସେମାନେ ହେଲେ

ମୁଖ୍ୟମନ୍ତ୍ରୀ- ନବୀନ ପଟ୍ଟନାୟକ

କ୍ୟାବିନେଟ ମନ୍ତ୍ରୀ

1-ରଣେନ୍ଦ୍ର ପ୍ରତାପ ସ୍ବାଇଁ

2-ବିକ୍ରମ କେଶରୀ ଆରୁଖ

3-ପ୍ରଫୁଲ ମଲ୍ଲିକ

4-ନିରଂଜନ ପୂଜାରୀ

5-ପଦ୍ନନାଭ ବେହେରା

6-ପ୍ରତାପ ଜେନା

7-ଅରୁଣ ସାହୁ

8-ସୁଦାମ ମାରଣ୍ଡି

9-ସୁଶାନ୍ତ ସିଂ

10-ନବ କିଶୋର ଦାସ

11-ଟୁକୁନି ସାହୁ

ରାଷ୍ଟ୍ରମନ୍ତ୍ରୀ

1-ଅଶୋକ ଚନ୍ଦ୍ର ପଣ୍ଡା

2-ସମୀର ରଂଜନ ଦାସ

3-ଜ୍ୟୋତି ପ୍ରକାଶ ପାଣିଗ୍ରାହୀ

4-ଦିବ୍ୟଶଙ୍କର ମିଶ୍ର

5-ପ୍ରେମାନନ୍ଦ ନାୟକ

6-ରଘୁନନ୍ଦନ ଦାସ

7-ପଦ୍ମନୀ ଦିଆନ୍

8-ତୁଷାରକାନ୍ତି ବେହେରା

9-ଜଗନ୍ନାଥ ସାରକା

ତେବେ ଏଥିରେ ନବୀନ ରଘୁନାନ୍ଦନ ଦାସଙ୍କୁ ପୁରସ୍କାର ଦେଇଛନ୍ତି ବୋଲି କହିଲେ ଅତ୍ୟୁକ୍ତି ହେବ ନାହି। କାରଣ ସେ ବାଲିକୁଦା ଏରସମା ନିର୍ବାଚନ ମଣ୍ଡଳୀରେ ବିଜେପି ପ୍ରାର୍ଥୀ ଦାମୋଦର ରାଉତଙ୍କୁ ହରାଇଛନ୍ତି। ସେହିପରି କାକଟପୁର ବିଧାୟକ ତୁଷାରକାନ୍ତି ବେହେରାଙ୍କୁ ମଧ୍ୟ ନବୀନ ପୁରସ୍କୃତ କରିଛନ୍ତି। କାରଣ ସେ କାକପୁଟପୁରର ବିଜେପି ଟିକେଟ ଫେରାଇ, ବିଜେଡିରୁ ଲଢି ଜିତିଛନ୍ତି। ଫଳରେ ଚଳିତ ମନ୍ତ୍ରୀ ମଣ୍ଡଳ ଏକ ନୂଆପୁରୁଣା ଫେଣ୍ଟାଫେଣ୍ଟି ମନ୍ତ୍ରୀମଣ୍ଡଳ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ତେବେ ଜଗତସିଂପୁର ଜିଲ୍ଲାର ଟାଣୁଆ ବିଧାୟକ ଥିଲେ ମଧ୍ୟ ତାଙ୍କୁ ମନ୍ତ୍ରୀ ମଣ୍ଡଳରେ ସାମିଲ କରାଯାଇ ନାହିଁ। ସେମାନେ ହେଲେ ଶଶିଭୂଷଣ ବେହେରା, ପ୍ରତାପ ଦେବ ଏବଂ ଅତନୁ ସବ୍ୟସାଚୀ ନାୟକ। ବୋଧହୁଏ ପାଟକୁରା ନିର୍ବାଚନ ପାଇଁ ଏମାନଙ୍କୁ ମନ୍ତ୍ରୀ ପଦ ଦିଆଯାଇ ନାହିଁ ବୋଲି ଜଣାପଡିଛି। ସେହିପରି ପୂର୍ବତ୍ତନ ମନ୍ତ୍ରୀ ଭାବେ ବଦ୍ରୀ ପାତ୍ର,ଦେବୀ ମିଶ୍ର, ଅନନ୍ତ ଦାସ, ପ୍ରଫୁଲ ସାମଲ,ପ୍ରଦୀପ ମହାରଥୀ,ପ୍ରଦୀପ ଆମାତ ଏବଂ ସ୍ନେହାଙ୍ଗିନୀ ଛୁରିଆ ଜିତିଥିଲେ ମଧ୍ୟ ମନ୍ତ୍ରୀ ପଦ ମିଳିପାରି ନାହିଁ।

Categories
ବିଶେଷ ଖବର

ପାଟକୁରାରୁ ବିଜେଡି ପ୍ରାର୍ଥୀ ହେବେ ସ୍ବର୍ଗତ ବେଦପ୍ରକାଶ ଅଗ୍ରୱାଲାଙ୍କ ପତ୍ନୀ ସାବିତ୍ରୀ ଅଗ୍ରୱାଲା, ଦଳ ସୁପ୍ରିମୋ କଲେ ଘୋଷଣା

ପାଟକୁରା ବିଧାନସଭା ପାଇଁ ବିଜେଡିର ପ୍ରାର୍ଥୀ ହେବେ ସାବିତ୍ରୀ ଅଗ୍ରୱାଲା। ସାବିତ୍ରୀ ହେଉଛନ୍ତି ସ୍ବର୍ଗତ ବେଦପ୍ରକାଶ ଅଗ୍ରୱାଲାଙ୍କ ପତ୍ନୀ। ଆଜି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏହି ଘେଷଣା କରିଛନ୍ତି। ଗତ ୨୦ ତାରିଖରେ ବେଦ ପ୍ରକାଶ ଅଗ୍ରୱାଲାଙ୍କ ପରଲୋକ ହୋଇଥିଲା। ଚଳିତ ନିର୍ବାଚନରେ ତାଙ୍କୁ ବିଜେଡି ତରଫରୁ ପାଟକୁରାରୁ ପ୍ରାର୍ଥୀ କରିଥିଲେ। ତାଙ୍କର ସ୍ବାସ୍ଥ୍ୟ ଖରାପ ଥିବାରୁ ସେ ବହୁଦିନ ଧରି ଭୁବନେଶ୍ବରର ଏକ ହସପିଟାଲରେ ଚିକିତ୍ସିତ ହେଉଥିଲେ। ସ୍ବାସ୍ଥ୍ୟରେ ସାମାନ୍ୟ ପରିବର୍ତ୍ତନ ଆସିବାରୁ ସେ ନାମାଙ୍କନ ପତ୍ର ଦଖଲ କରିଥିଲେ। ହେଲେ ନିର୍ବାଚନ ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଥିଲା। ଏହାପରେ ନିର୍ବାଚନ କମିଶନର ଏହି ନିର୍ବାଚନ ମଣ୍ଡଳୀର ନିର୍ବାଚନକୁ ଆସନ୍ତା ୧୯ ତାରିଖରେ ହେବ ବୋଲି ଘୋଷଣା କରିଥିଲେ। ଏହି ନିର୍ବାଚନ ମଣ୍ଡଳୀ ପାଇଁ ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ର ମଧ୍ୟ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ନିର୍ବାଚନ କମିଶନରଙ୍କ ନିର୍ଦ୍ଦେଶ ଅନୁସାରେ ପୂର୍ବରୁ ଯେଉଁମାନଙ୍କ ନାମାଙ୍କନ କାୟମ ରହିଛି ସେମାନଙ୍କର କୌଣସି ପରିବର୍ତ୍ତନ ହେବ ନାହିଁ। କେବଳ ବିଜେଡି ପ୍ରାର୍ଥୀ ଦେବ ବୋଲି ଘୋଷଣା କରିଥିଲେ। ସେହି ଅନୁସାରେ ବର୍ତ୍ତମାନ ବିଜେଡି ସ୍ବାର୍ଗତ ବେଦପ୍ରକାଶ ଅଗ୍ରୱାଲାଙ୍କ ପତ୍ନୀ ସାବିତ୍ରୀ ଅଗ୍ରୱାଲାଙ୍କୁ ପ୍ରାର୍ଥୀ କରିଛି। ଆସନ୍ତା ୧ ତାରିଖରେ ପ୍ରାର୍ଥୀ ପତ୍ରଦାଖଲ କରିବାର ଶେଷ ତାରିଖ ରହିଛି। ସେଥିପାଇଁ ବିଜେଡି ଆଜି ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ଏହି ଘୋଷଣା ପରେ ବର୍ତ୍ତମାନ ପାଟକୁରା ନିର୍ବାଚନ ମଣ୍ଡଳୀ ଚଳଞ୍ଚଳ ହୋଇ ଉଠିଛି। ଟିକେଟ ଘୋଷଣା ପରେ ସାବିତ୍ରୀ କହିଛନ୍ତି ଯେ, ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମୋ ଉପରେ ଆସ୍ଥା ରଖି ଟିକେଟ ଦେଇଛନ୍ତି। ମୋର ସ୍ବର୍ଗତ ପତି ବେଦପ୍ରକାଶ ଅଗ୍ରୱାଲଙ୍କ ଅଧୁରା ସ୍ବପ୍ନକୁ ପୁରଣ କରିବାରେ ଚେଷ୍ଠା କରିବି।

Categories
ବିଶେଷ ଖବର

ନିର୍ବାଚନ ପ୍ରଚାର, ସ୍ଲୋଗାନ ଯୁଦ୍ଧ ଓ ଓଡିଶାର ଆଗାମୀ ରାଜନୈତିକ ଚିତ୍ର- କେତୋଟି ଛୋଟ ଛୋଟ କାହାଣୀ

କେଦାର ମିଶ୍ର

ଆମ ରାଜ୍ୟରେ ନିର୍ବାଚନ ପ୍ରଚାର ସରିଛି। ନିର୍ବାଚନ ଘୋଷଣା ହେବା ପରର ଦେଢମାସ ଓ  ତା ପୂର୍ବର ତିନିମାସ, ଏମିତି ସାଢେ ଚାରି ମାସ ଧରି ରାଜନୈତିକ ଦଳମାନଙ୍କର ପ୍ରଚାର ସର୍କସ ଆମେ ଦେଖି ଆସିଛୁ। ଆଜିଠୁ ଆଉ ଆମ ଦାଣ୍ଡରେ ଜୋର ଜୋର ଚିତ୍କାର କରି ପ୍ରଚାର ଗାଡି ବୁଲିବାର ନାହିଁ। ସକାଳୁଆ ଖବର କାଗଜରେ ଲୋଭନୀୟ ପ୍ରତିଶୃତିର ମାୟାଜାଲ ଆଉ ବାହାରିବାର ନାଇଁ। ଲେଜର ବସ, ରୋଡ ସୋ, ଗାଳି ଗୁଲଜ, ଭାଇରାଲ ଭିଡିଓ, ଯୋଜନା ଘୋଷଣାର ଯୁଦ୍ଧ ଓ ପରସ୍ପରକୁ ନୀଚ କରି ଦେଖେଇବାର ରାଜନୀତି ଆଜିଠୁ କମିଯିବ। ଅନ୍ତତଃ ମେ ମାସ ୨୩ ତାରିଖ ଯାଏ ଟିକେ ଶାନ୍ତି। ଅନ୍ୟ  ରାଜ୍ୟମାନଙ୍କରେ ଆଉ ତିନୋଟି ଥାକରେ ନିର୍ବାଚନ ସରିବା ପର୍ୟନ୍ତ ଆମେ ଓଡିଶାରେ ଅନୁମାନ, ଆକଳନ ଓ ମିଶାଣ ଫେଡାଣ ଲାଗି ପ୍ରାୟ ୨୫ ଦିନ ସମୟ ପାଇବୁ। ଏବେ କୁହାଯାଇପାରେ, ରାଜନେତାଙ୍କ ଲାଗି ଏବେ ଛୁଟିର ସମୟ। ସେଇ ଛୁଟିର ସମୟ ଭିତରେ ନିର୍ବାଚନ ପ୍ରଚାରର କିଛି ଛୋଟ ଛୋଟ କାହାଣୀ ମନେ ପକେଇବା ଆସନ୍ତୁ।

କାହାଣୀ -୧ ; ପୋଡା ଟ୍ରାନ୍ସଫର୍ମର

ଏ ନିର୍ବାଚନରେ ସବୁଠୁ କଡା ଓ ବିଷାକ୍ତ ଭାଷା ଶୁଣିବାକୁ ମିଳିଥିଲା ବିଜେପି ସଭାପତି ଅମିତ ଶାହଙ୍କ ମୁହଁରୁ। ଶାହ ଯେତେଥର ଓଡିଶା ଆସିଲେ, ସେତେଥର କହିଲେ ଯେ ନବୀନ ସରକାର ଏକ ପୋଡା ଟ୍ରାନ୍ସଫର୍ମର ଓ ତାକୁ ଓପାଡି ସମୁଦ୍ରରେ ଫିଙ୍ଗିଦେବା ଦରକାର। ଶାହଙ୍କ କଥାରେ ତେଜ ଥିଲା, ହେଲେ ସରକାରକୁ ଓପାଡି ଫୋପାଡି ଦେବାକୁ ସେ ଯେଉଁ “ମିଶନ ୧୨୦+” ର ସ୍ଲୋଗାନ ଦେଇଥିଲେ, ସେଟା ଆଉ ନିର୍ବାଚନ ସମୟରେ ଶୁଣିବାକୁ ମିଳିନଥିଲା। ତେବେ କାହାଣୀ ରେ ସବୁଠୁ ବଡ ଟୁଇଷ୍ଟ ଆସିଥିଲା, ଯେତେବେଳେ ଖୋଦ ପ୍ରଧାନମନ୍ତ୍ରୀ ତାଙ୍କ ଅନୁଗତ ସଭାପତିଙ୍କୁ ଅନୁସରଣ କରି “ନବୀନ ସରକାର କା ଜାନା ତୟ ହୈ” ବୋଲି କହିଥିଲେ। ଗଣତନ୍ତ୍ରରେ ପ୍ରଧାନମନ୍ତ୍ରୀ ଓ ଶାସକ ଦଳର ସଭାପତିଙ୍କ ଭାଷଣରେ ମର୍ଯାଦାର ଅପମୃତ୍ୟୁ, ଏ କାହାଣୀର ସାରାଂଶ ବୋଲି ଆମେ କହି ପାରିବା।

କାହାଣୀ-୨; ଆପନ ମାନେ ଖୁସି ତ !

ପ୍ରଥମେ ପୁରୁଷ ବିଶ୍ଵ କପ ହକି ର ଉଦ୍ଘାଟନ ପର୍ବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମବେତ ଜନତାଙ୍କୁ ପଚାରିଥିଲେ- ଆପନ ମାନେ ଖୁସି ତ! ବାସ, ସେଇଠୁ ସେ କଥା ପଦକ, ନିର୍ବାଚନୀ ସ୍ଲୋଗାନ ପାଲଟିଗଲା। ମୁଖ୍ୟମନ୍ତ୍ରୀଙ୍କ ଖଣ୍ଡି ଓଡିଆରେ (ଆଜି ବି ୧୯ ବର୍ଷର ଶାସନ ପରେ ତାଙ୍କ ମୁହଁ ରେ ସେଇ ଖଣ୍ଡି ଓଡିଆ ରହିଛି) ସେ କଥା ପଦକ ନିର୍ବାଚନ ପରିବେଶର ସବୁଠୁ ବଡ ସ୍ଲୋଗାନ ହୋଇ ରହିଗଲା। କେହି କେହି ତାକୁ ବିଦୃପ କଲେ, ସୋସିଆଲ ମିଡିଆରେ ତାକୁ ନେଇ ଜୋକ୍ସ ତିଆରି ହେଲା, କିନ୍ତୁ ସବୁଠି ଶୁଣାଗଲା- ଆପନ ମାନେ ଖୁସି ତ! ଏ ଖୁସି ରେ ଟଙ୍କିକିଆ ଚାଉଳ, କାଳିଆ ଯୋଜନା, ମିଶନ ଶକ୍ତି ଓ ଆହୁରି ଅନେକ କାହାଣୀ ରହିଥିଲା। ତେବେ ସେ ଖୁସି ସତ କି ମିଛ, ତାହା ମେ ୨୩ ରେ ଜଣା ପଡିଯିବ।

କାହାଣୀ-୩; ବେଇମାନ ଓ ସ୍ବାଭିମାନ

ବିଜେଡ଼ିରୁ ବହିଷ୍କୃତ ହେବା ପରେ କେନ୍ଦ୍ରାପଡାର ଲୋକସଭା ସଦସ୍ୟ ବୈଜୟନ୍ତ ପଣ୍ଡା ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭିତରେ ଯେଉଁ ବ୍ୟକ୍ତିଗତ କଟୁତା ଦେଖିବାକୁ ମିଳିଥିଲା, ତାହା ଥିଲା ଏ ନିର୍ବାଚନର ସବୁଠୁ ଅରୁଚିକର କାହାଣୀ। ନିର୍ବାଚନର ଅନ୍ତିମ ପର୍ଯାୟ ଆସିଲା ବେଳକୁ ବୈଜୟନ୍ତ ବାବୁ ନିଜର ସ୍ଵର୍ଗତ ପିତା ବଂଶୀଧର ପଣ୍ଡା ଓ କିମ୍ବଦନ୍ତୀ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ମଧ୍ୟ ଏଇ ଝଗଡା ଭିତରକୁ ଟାଣି ଆଣିଥିଲେ। ବିଜୁ ବାବୁ ବଂଶୀ ପଣ୍ଡାଙ୍କ ଦୟାରେ ନିଜ ଘର ବଞ୍ଚାଇଥିଲେ ବୋଲି କହି ବୈଜୟନ୍ତ ବହୁ ତଳ ସ୍ତରକୁ ଖସି ଆସିଥିଲେ। ସେହିପରି ନବୀନ ବାବୁ ଆଜି ପର୍ଯନ୍ତ ରାଜନୀତିରେ କେବେ କାହା ବିରୋଧରେ କହିନଥିବା ବେଳେ ପ୍ରଥମଥର ଲାଗି ସେ ଖୋଲାଖୋଲି ବୈଜୟନ୍ତଙ୍କୁ ବେଇମାନ ବୋଲି କହିଥିଲେ, ଯାହାକି ତାଙ୍କ ବ୍ୟକ୍ତିତ୍ବର ପରିପନ୍ଥୀ ବୋଲି କୁହାଯାଇପାରେ।

କାହାଣୀ-୪: ମେ ୨୬ ଲାଗି ନିମନ୍ତ୍ରଣ ପତ୍ର   

ନିର୍ବାଚନ ସରିନି, ଫଳ ବାହାରିବାକୁ ଆହୁରି ୨୫ ଦିନ ବାକି ଅଛି। ହେଲେ ବିଜେଡି ଓ ବିଜେପି ତରଫରୁ ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣକୁ ଆସିବା ଲାଗି ନିମନ୍ତ୍ରଣ ବଣ୍ଟା ସରିଲାଣି। ବିଜେପିର ତ ମୁଖ୍ୟମନ୍ତ୍ରୀ ପାର୍ଥୀ ଘୋଷଣା ହୋଇନି। ହେଲେ ଧର୍ମେନ୍ଦ୍ର ପ୍ରଧାନ ମନେ ମନେ ମୁଖ୍ୟମନ୍ତ୍ରୀ ହୋଇ ସାରିଲେଣି। କେନ୍ଦ୍ରାପଡା ସଭାରେ ପ୍ରଧାନମନ୍ତ୍ରୀ ଯେତେବେଳେ କହିଲେ ଯେ ନବୀନ ବାବୁ ମୁଖ୍ୟମନ୍ତ୍ରୀ ପଦରୁ ଯିବା ନିଧାର୍ୟ, ତାରି ଉତ୍ତରରେ ଏକ ବିଦ୍ରୁପାତ୍ମକ ଉତ୍ତର ରଖି ନବୀନ ବାବୁ କହିଲେ ଯେ ମୁଁ ମୋର ଶପଥ ଗ୍ରହଣ ସମାରୋହକୁ ମୋଦୀଙ୍କୁ ନିମନ୍ତ୍ରଣ କରୁଛି। କଥାଟି ସେତିକି ମାତ୍ର। ସତ କହିବାକୁ ଗଲେ ମେ ୨୩ ପରେ ମୋଦୀ ଯେ ପ୍ରଧାନମନ୍ତ୍ରୀ ହୋଇ ରହିବେ ବା ନବୀନ ବାବୁ ମୁଖ୍ୟମନ୍ତ୍ରୀ ପଦର ଶପଥ ନେବେ, ତାର ଗ୍ୟାରେଣ୍ଟି କେହି ଦେଇ ପାରିବେ ନାଇଁ। ଏ ପ୍ରକାର ନିମନ୍ତ୍ରଣ ପତ୍ର ଦେଖିଲେ ଲାଗୁଛି, ସତରେ ଆମ ରାଜନୀତିର ସ୍ତର କେତେ ତଳକୁ ଖସି ସରିଲାଣି। ଏଠି ନିର୍ବାଚନ ପ୍ରକ୍ରିୟା ଓ ସମ୍ବିଧାନ ଉପରେ ବୋଧହୁଏ କାହାର ଆଉ ଭରସା ନାହିଁ।

ତେବେ ଏ ସବୁ କାହାଣୀ ଭିତରେ ଆମର କାହାଣୀ ହେଲା, ଯିଏ ବି ସରକାର ଗଢୁ, ଆମର କାମ ହେଲା ସେ ସରକାର ଉପରେ ସତର୍କ ପ୍ରହରୀର ନଜର ରଖିବା ଓ ଆମେ ସେଥିଲାଗି ବଦ୍ଧ ପରିକର।

(ମୋବାଇଲରେ ଚଟାପଟ୍ ଖବର ପଢିବା ପାଇଁ ଡାଉନଲୋଡ କରନ୍ତୁ SANKHIPTA ମୋବାଇଲ ଆପ, ଏହାପରେ ସ୍କ୍ରିନକୁ ଘଷି ଘଷି ପଢିଚାଲନ୍ତୁ ଖବର ପରେ ଖବର)

Categories
ଆଜିର ଖବର

କେନ୍ଦ୍ରର ଡବଲ ଇଂଜିନ ଫେଲ ମାରିବ, କେନ୍ଦ୍ରକୁ ତୀବ୍ର ସମାଲୋଚନା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

କେନ୍ଦ୍ରର ଡବଲ ଇଂଜିନ ଫେଲ ମାରିବ, ପୂର୍ବରୁ ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡରେ ଡବଲ ଇଂଜିନ ଲାଇନଚ୍ୟୁତ ହୋଇଯାଇଛି। ସେହିପରି ବର୍ତ୍ତମାନ ସାଧାରଣ ନିର୍ବାଚନରେ ମଧ୍ୟ ଏହି ଡବଲ ଇଂଜିନ ଫେଲ ମାରିବ। ଆଜି ମାରଥନ ପ୍ରଚାରରେ ଏହି କଥା କହିଛନ୍ତି ବିଜେଡି ସୁପ୍ରମୋ ନବୀନ ପଟ୍ଟନାୟକ। ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ପ୍ରଚାରରେ ଆଜି ନବୀନ ବାଲେଶ୍ବର, ଭଦ୍ରଖ, ଯାଜପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ମାରଥନ ପ୍ରଚାର କରି କେନ୍ଦ୍ର ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ନବୀନ କହିଛନ୍ତି ଯେ, ମୋଦି ଗତ 5 ବର୍ଷରେ ଲୋକଙ୍କ ଆସ୍ଥା ହରାଇଛନ୍ତି। ତାଙ୍କୁ ଲୋକମାନେ ଆଉ ଭୋଟ ଦେବେ ନାହିଁ ବୋଲି ନବୀନ କହିଛନ୍ତି। ଓଡିଶାର ବିଭିନ୍ନ ସମୟରେ ପ୍ରାକୃତିକ ଦୁର୍ବିପାକ ହେଲା, ସେତେବେଳେ କେନ୍ଦ୍ରର କାହାରି ଦେଖା ମିଲିଲା ନାହିଁ। ହେଲେ ଏବେ ଭୋଟ ମାଗିବାକୁ ସେମାନେ ବାରମ୍ବାର ଓଡିଶା ଗସ୍ତ କରିବାରେ ଲାଗିଛନ୍ତି। ଓଡିଶା ଲୋକେ ଜାଣିସାରିଲେଣି, ଆଉ ସେ ମୋଦୀଙ୍କୁ ଭୋଟ ଦେବେ ନାହିଁ ବୋଲି ନବୀନ ଜନସମାବେଶକୁ ଉଦବୋଧନ ଦେଇଛନ୍ତି।