Categories
ଆଜିର ଖବର ଜାତୀୟ ଖବର

ବିଜେପିରୁ ବହିଷ୍କୃତ ହେଲେ ନୁପୁର ଶର୍ମା ଏବଂ ନବୀନ ଜିନ୍ଦଲ: ଦେଲେ ସ୍ପଷ୍ଟିକରଣ

ନୂଆଦିଲ୍ଲୀ: ମହମ୍ମଦଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେବା ପରେ ବିଜେପି ମୁଖପାତ୍ର ନୁପୁର ଶର୍ମା ଏବଂ ନବୀନ କୁମାର ଜିନ୍ଦଲଙ୍କୁ ଭାରତୀୟ ଜନତା ପାର୍ଟିର ପ୍ରାଥମିକ ସଦସ୍ୟତାରୁ ନିଲମ୍ବିତ କରାଯାଇଛି। ଏହି ପ୍ରସଙ୍ଗରେ ବିଜେପି ମୁଖପାତ୍ରଙ୍କ ନୂଆ ପ୍ରତିକ୍ରିୟା ସାମ୍ନାକୁ ଆସିଛି।

ଦଳରୁ ନିଲମ୍ବିତ ହେବା ପରେ ନୁପୁର ତାଙ୍କ ସ୍ପଷ୍ଟୀକରଣରେ କହିଛନ୍ତି ଯେ, ମୁଁ ଗତ କିଛି ଦିନ ହେବ ଟିଭି ବିତର୍କରେ ଯାଉଥିଲି, ଯେଉଁଠାରେ ମୋର ଆରାଧ୍ୟ ଦେବତା ଶିବଙ୍କୁ ପ୍ରତିଦିନ ଅପମାନିତ କରାଯାଉଥିଲା। ଏହା ମୋ ସାମ୍ନାରେ କୁହାଯାଉଥିଲା ଯେ, ଦିଲ୍ଲୀର ପ୍ରତ୍ୟେକ ଫୁଟପାଥରେ ଅନେକ ଶିବଲିଙ୍ଗ ଅଛନ୍ତି, ଯାଇ ଏହାକୁ ପୂଜା କରନ୍ତୁ।

ମୁଁ ଆମ ମହାଦେବଙ୍କ ଅପମାନକୁ ବାରମ୍ବାର ମୋ ସାମ୍ନାରେ ସହି ପାରିଲି ନାହିଁ ଏବଂ ମୁଁ କ୍ରୋଧରେ କିଛି କହିଲି। ଯଦି ମୋର ଶବ୍ଦ କାହାର ଧାର୍ମିକ ଭାବନାକୁ ଆଘାତ ଦେଇଛି, ତେବେ ମୁଁ ମୋର ଶବ୍ଦକୁ ଫେରାଇ ନେଉଛି। କାହାକୁ ଆଘାତ ଦେବା ମୋର ଉଦ୍ଦେଶ୍ୟ ନୁହେଁ।

ଏହା ବ୍ୟତୀତ ନୁପୁର ତାଙ୍କର ଦ୍ୱିତୀୟ ଟ୍ୱିଟରେ ସମସ୍ତ ମିଡିଆ ହାଉସକୁ ନିବେଦନ କରିଛନ୍ତି ଯେ, ତାଙ୍କ ଘର ଠିକଣା ସାର୍ବଜନୀନ କରାଯିବା ଉଚିତ ନୁହେଁ। କାରଣ ଏହା ତାଙ୍କୁ ଏବଂ ପରିବାରକୁ ବିପଦରେ ପକାଇପାରେ।

ସେହିଭଳି ବିଜେପିରୁ ବହିଷ୍କୃତ ହୋଇଥିବା ନବୀନ ଜିନ୍ଦଲ ଦିଲ୍ଲୀ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି। ତାଙ୍କ ଅଭିଯୋଗରେ ସେ କହିଛନ୍ତି ଯେ, ସୋସିଆଲ ମିଡିଆରେ କେହି ଜଣେ ତାଙ୍କ ଘର ଠିକଣାକୁ ସାର୍ବଜନୀନ କରି ତାଙ୍କୁ ଏବଂ ତାଙ୍କ ପରିବାରକୁ ବିପଦରେ ପକାଇ ଦେଇଛନ୍ତି। ଏହା ବ୍ୟତୀତ ଜିନ୍ଦଲ ସୋସିଆଲ ମିଡିଆରେ ଦେଇଥିବା ବିବୃତ୍ତି ପାଇଁ କ୍ଷମା ପ୍ରାର୍ଥନା କରିଛନ୍ତି। ସେ କହିଛନ୍ତି ଯେ, ତାଙ୍କ ବିବୃତ୍ତି କାହାର ଧାର୍ମିକ ଭାବନାକୁ ଉତ୍ତେଜିତ କରିବା ନୁହେଁ। ଯଦି ତାଙ୍କ ବିବୃତ୍ତିରେ କାହାର ଭାବନା ଆଘାତ ପାଇଛି, ତେବେ ସେ ଏଥିପାଇଁ କ୍ଷମା ମାଗୁଛିନ୍ତି।