Categories
ବିଶେଷ ଖବର ରାଜ୍ୟ ଖବର

୫-ଟି ସଚିବଙ୍କ ଗଞ୍ଜାମ ଜିଲ୍ଲାଗସ୍ତ: ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର କଲେ ସମୀକ୍ଷା

ଭୁବନେଶ୍ଵର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ରେ ୫-ଟି ସଚିବ ଭି କାର୍ତ୍ତିକେୟ ପାଣ୍ଡିଆନ୍ ଆଜି ହିଞ୍ଜିଳି ଓ ଶେରଗଡ଼ ବ୍ଲକ ରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ପ୍ରକଳ୍ପ ଏବଂ ଉନ୍ନୟନମୂଳକ କାର୍ଯ୍ୟର ତଦାରଖ ଓ ସମୀକ୍ଷା କରିଛନ୍ତି।

ରବିବାର ସକାଳୁ ଶ୍ରୀ ପାଣ୍ଡିଆନ୍ ସର୍ବ ପ୍ରଥମେ ହିଞ୍ଜିଳିକାଟୁ ବ୍ଲକ୍ ଅନ୍ତର୍ଗତ ବୁରୁପଡା ଗ୍ରାମ ପଞ୍ଚାୟତ ସ୍ଥିତ ଶ୍ୟାମଳାଇ ମନ୍ଦିରରେ ପହଞ୍ଚି ମା ଙ୍କ ଆଶୀର୍ବାଦ ଗ୍ରହଣ ପୂର୍ବକ ମନ୍ଦିରର ଉନ୍ନୟନ କମିଟିସଭ୍ୟ ମାନଙ୍କ ସହ ଆଲୋଚନା କରି ଏହାର ଉନ୍ନତି ଦିଗରେ ଆବଶ୍ୟକୀୟ ଡିପିଆର୍ ପ୍ରସ୍ତୁତ କରିବା ନେଇ ଜିଲ୍ଲାପାଳଙ୍କୁ ପରାମର୍ଶ ଦେଇ ଆଗାମୀ ୬ ମାସ ମଧ୍ୟରେ କମିଟିର ଆବଶ୍ୟକତା ଅନୁଯାୟୀ ମାନ୍ୟବର ମୁଖ୍ଯମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ଅନୁପାଳନ କରି ରୂପାନ୍ତରୀତକରଣ କାର୍ଯ୍ୟ ଶେଷ କରିବାକୁ ଜଣାଇଥିଲେ। ବୁରୁପଡା ଗ୍ରାମ ପଞ୍ଚାୟତର ଜନ ପ୍ରତିନିଧି ଏବଂ ଗ୍ରାମ୍ୟ ଲୋକଙ୍କ ସହିତ ଗ୍ରାମ ପଞ୍ଚାୟତର ଉନ୍ନତିକଳ୍ପେ ଉନ୍ନୟନ ମୂଳକ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିଥିଲେ।

ଶେରଗଡ ବ୍ଲକ, ପିତ୍ତଳ ଗ୍ରାମ ପଞ୍ଚାୟତର ଉତ୍ତରେଶ୍ବର ମନ୍ଦିର, ଜଗନ୍ନାଥ ମନ୍ଦିର, ପିତ୍ତଳର କରଞ୍ଜାଇ ମନ୍ଦିର, କରଡାକଣା ସ୍ଥିତ ଜଗନ୍ନାଥ ମନ୍ଦିର, ଧବଳପୁର ସ୍ଥିତ ଝିଙ୍କାରିଆ ଶିବ ମନ୍ଦିର, ଗୋଠ ଗାଁ ସ୍ଥିତ ହନୁମାନ ମନ୍ଦିର, ଅଲାରିଗଡ ସ୍ଥିତ ଜଗନ୍ନାଥ ମନ୍ଦିର, କୁରେଇଶୁଣୀ ମନ୍ଦିର ଓ ଘୋଡେଇଶୁଣୀ ମନ୍ଦିର, ଗଣ୍ଡଳା ସ୍ଥିତ ଗୋପୀନାଥ ମନ୍ଦିର, ଇଶାଣେଶ୍ବର ମନ୍ଦିର ପ୍ରଭୃତି ଗସ୍ତ କରି ଠାକୁର ମାନଙ୍କ ଦର୍ଶନ କରିଥିଲେ। ତତ୍ପରେ ସମସ୍ତ ମନ୍ଦିର ପରିଚାଳନା କମିଟିର ସଦସ୍ୟ ଓ ଗ୍ରାମ୍ୟ ଲୋକଙ୍କ ସହିତ ଆଲୋଚନା କରି ମନ୍ଦିର ପରିସରର ସୌନ୍ଦର୍ଯ୍ୟୀକରଣ ଏବଂ ମନ୍ଦିରର ରୂପାନ୍ତରୀତ କାର୍ଯ୍ୟ ଗୁଡିକ ତ୍ବରାନ୍ବୀତ କରିବା ନେଇ ଡିପିଆର୍ ପ୍ରସ୍ତୁତ କରି କାର୍ଯ୍ୟ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ଉତ୍ତରେଶ୍ବର ମନ୍ଦିର ବୁଣାକାର ଗୋଷ୍ଠୀ ମାନଙ୍କ ଦ୍ବାରା ପ୍ରସ୍ତୁତ ହେଉଥିବା କୁଶଳୀ କାରିଗର ମାନଙ୍କ ଦକ୍ଷତା ବୃଦ୍ଧି, ସେମାନଙ୍କ ଜୀବନ ଜୀବିକାର ଉନ୍ନତି ଓ ବସ୍ତ୍ରର ବିକ୍ରିବଟା ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ। ପିତ୍ତଳ ସ୍ଥିତ ଯୁକ୍ତ-୨ ମହାବିଦ୍ୟାଳୟ, ଶେରଗଡ ସ୍ଥିତ ଆଇ.ଟି.ଆଇ ଏବଂ ଯୁକ୍ତ ୨ ମହାବିଦ୍ୟାଳୟ କଞ୍ଚୁରୁ ସରକାରୀ ଉଚ୍ଚ ବିଦ୍ୟାଳୟ ଏବଂ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଖମ୍ବେୟା ଦୋରା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ହିଞ୍ଜିଳିକାଟୁ ବିଜ୍ଞାନ ମହାବିଦ୍ୟାଳୟ, ଶାସନ ଆମ୍ବ ଗାଁ ଓଡିଶା ଆଦର୍ଶ ମହାବିଦ୍ୟାଳୟ, ବେଲଗାଁ ସ୍ଥିତ ବେଲେଶ୍ବର ଡିଗ୍ରୀ ମହାବିଦ୍ୟାଳୟ ପ୍ରଭୃତି ଗସ୍ତ କରି ମହାବିଦ୍ୟାଳୟର ଅଧ୍ୟକ୍ଷ/ଅଧ୍ୟକ୍ଷା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ/ପ୍ରଧାନ ଶିକ୍ଷୟିତ୍ରୀ, ଛାତ୍ର ଛାତ୍ରୀ, ଅଭିଭାବକ ମାନଙ୍କ ସହିତ ଆଲୋଚନା କରି ଶିକ୍ଷାର ଉନ୍ନତିକଳ୍ପେ କୋଠାଗୃହ, ଇ- ଲାଇବ୍ରେରୀ, ସ୍ମାର୍ଟ ଶ୍ରେଣୀଗୃହ, ସୌନ୍ଦର୍ଯ୍ୟୀକରଣ ଇତ୍ୟାଦି ସହିତ ଛାତ୍ରଛାତ୍ରୀ ମାନଙ୍କର ଗୁଣାତ୍ମକ ଶିକ୍ଷାର ମାନ କିଭଳି ଉନ୍ନତ ହେବ ସେ ଦିଗରେ ସମସ୍ତ ଭିତ୍ତିଭୂମିର ବିକାଶ ଦିଗରେ ପଦକ୍ଷେପ ନେବାପାଇଁ ଜିଲ୍ଲାପାଳ ଏବଂ ମୁଖ୍ୟ ଉନ୍ନୟନ ଅଧିକାରୀଙ୍କୁ ସହଯୋଗ କରିବା ପାଇଁ ପରାମର୍ଶ ଦେଇଥିଲେ।

ଥୁରୁବୁରାଇ ଗ୍ରାମ ପଞ୍ଚାୟତର ବ୍ରାହ୍ମଣଛାଇ, ତହଁର, ଗୋଠଗାଁ, ପିତ୍ତଳ, ଗୋବିନ୍ଦପୁର, ନରେନ୍ଦ୍ରପୁର ଅଞ୍ଚଳର ମହିଳା ସ୍ବୟଂ ସହିୟକ ଗୋଷ୍ଠୀଙ୍କ ଉତ୍ପାଦିତ ବିଭିନ୍ନ ସାମଗ୍ରୀ ଦେଖି ଖୁସି ପ୍ରକଟ କରିବା ସହିତ ସେମାନଙ୍କ କାର୍ଯ୍ୟ ଶୈଳୀକୁ ପ୍ରଶଂସା କରିଥିଲେ। ଜୋନ୍ ୫୮ ର ଲୋକପ୍ରତିନିଧି, ଗ୍ରାମବାସୀ, ମିଶନ୍ ଶକ୍ତିର କର୍ମକର୍ତ୍ତା ମାନଙ୍କ ସହିତ ଆଲୋଚନା କରିଥିଲେ। ଉତ୍ପାଦିତ ସାମଗ୍ରୀର ବିକ୍ରିବଟା କିଭଳି ଜିଲ୍ଲା ଓ ରାଜ୍ୟ ସ୍ତରରେ ହୋଇ ପାରିବ ସେ ଦିଗରେ ପଦକ୍ଷେପ ନେବା ପାଇଁ ନେବାପାଇଁ ଜିଲ୍ଲାପାଳ ଏବଂ ମୁଖ୍ୟ ଉନ୍ନୟନ ଅଧିକାରୀ, ଡିପିସି ମିଶନ୍ ଶକ୍ତି, ଜିଲ୍ଲା ଯୋଜନା ପରିଚାଳକ, ଓଡିଶା ଜୀବନ ଜୀବିକା ମିଶନ ଙ୍କୁ ସହଯୋଗ କରିବା ପାଇଁ ପରାମର୍ଶ ଦେଇଥିଲେ। ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟ ଠାରେ ମୋ ହସ୍ପିଟାଲ, ବ୍ଲକ୍ କାର୍ଯ୍ୟାଳୟ, ମିଶନ୍ ଶକ୍ତି

କେଫ୍, ମାର୍କେଟ କମ୍ପ୍ଲେକ୍ସ କାର୍ଯ୍ୟ ସମୀକ୍ଷା ଏବଂ ଅଗ୍ରଗତିର ତଦାରଖ କରିଥିଲେ। ଶେରଗଡ ଠାରେ ଚାଲିଥିବା ବସ୍ ଷ୍ଟାଣ୍ଡର କାର୍ଯ୍ୟ ସମୀକ୍ଷା କରିବା ସହିତ ନିର୍ଦ୍ଧାରୀତ ସମୟ ମଧ୍ୟରେ କାର୍ଯ୍ୟ ସମାପନ କରିବା ପାଇଁ ରାସ୍ତା ଓ କୋଠାବାଡି ନିର୍ବାହୀ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ନନ୍ଦିକ ଗ୍ରାମ ପଞ୍ଚାୟତର କଳାଗ୍ରାମ ଠାରେ ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାର ହିତାଧିକାରୀ ମାନଙ୍କ ସହିତ ଆଲେଚନା କରିଥିଲେ ଏବଂ ନନ୍ଦିକ ଛକର ସୌନ୍ଦର୍ଯ୍ୟୀକରଣ କାର୍ଯ୍ୟ ବୁଲି ଦେଖିଥିଲେ କରିଥିଲେ।

ଜୋନ୍ ୫୭ ଧନନ୍ତରା ଗ୍ରାମ ପଞ୍ଚାୟତର ଅଲାରିଗଡ, କୁର୍ଲା, ଡେଙ୍ଗାପଦର, ଧବଳପୁର, କୃଷ୍ଣଛାଇ, ତାକରଡା ଜୋନ୍-୬୭ ର ସାରୁ ଗ୍ରାମ ପଞ୍ଚାୟତର କଞ୍ଚୁରୁ, ପୋଚିଲିମା, ବଡଖଣ୍ଡି, ବୁରୁପଡା, ମକରଝୋଳ, ଜୋନ୍ ୬୮ ଦାରୁଭଦ୍ର ଗ୍ରାମ ପଞ୍ଚାୟତ ସ୍ଥିତ ଖରିଡା, ଚାନ୍ଦୁଲି, ଦାରୁଭଦ୍ର, ନନ୍ଦିକ, ରାଳବ, ଶାସନ ଆମ୍ବଗାଁ, ସିକିରି ଏବଂ ଜୋନ୍ ୬୯ ର ସାହାପୁର ଗ୍ରାମ ପଞ୍ଚାୟତ ର ଗଣ୍ଡଳା, ଦୟାପଲ୍ଲୀ, ଦୁର୍ବନ୍ଧ, ଧୋବାଡି, ପୁଟିଆ ପଦର, ବେଲଗାଁ, ଭାବନ୍ଧ, ସାହାପୁର ଅଞ୍ଚଳର ଲୋକପ୍ରତିନିଧି, ଗ୍ରାମବାସୀ, ମିଶନ୍ ଶକ୍ତିର କର୍ମକର୍ତ୍ତା ମାନଙ୍କ ସହିତ ଆଲୋଚନା କରିଥିଲେ ଏବଂ ସଂପୃକ୍ତ ସ୍ଥାନ ମାନଙ୍କରେ ଚାଲିଥିବା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ, ଗ୍ରାମ୍ୟ ପାର୍କ, ମିନି ଷ୍ଟାଡିୟମ୍, ଆଧୁନିକ ଟ୍ୟାଙ୍କ, ଗ୍ରାମ ପଞ୍ଚାୟତ ପାଠାଗାର, ମିଶନ୍ ଶକ୍ତି ଗୃହର ଉନ୍ନୟନମୂଳକ କାର୍ଯ୍ୟ ଗୁଡିକ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଶେଷ କରିବାକୁ ପରାମର୍ଶ ଦେଇଥିଲେ।

ଏହି ଗସ୍ତ ସମୟରେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ଓ୍ବ କୀର୍ତ୍ତି ଭାସନ ଭି ଏବଂ ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ଗଣ ଉପସ୍ଥିତ ଥିଲେ।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

MIO22: ମିଶନ ଶକ୍ତି ଜିଲ୍ଲା ପାଇଁ ଏକ କୋଟି ଟଙ୍କାର ପାଣ୍ଠି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର:  ଭୁବନେଶ୍ବରରେ ଚାଲିଥିବା ମେକ୍‌ ଇନ୍ ଓଡିଶା କନକ୍ଲେଭରେ ଆଜି ମହିଳା ଉଦ୍ୟୋଗୀ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ କହିଥିଲେ ଯେ 2001 ରେ ଆରମ୍ଭ ହୋଇଥିବା ମିଶନ ଶକ୍ତି, ଆଜି ଓଡ଼ିଶାର ସତୁରି ଲକ୍ଷ ସଶକ୍ତ ମା ମାନଙ୍କର ଏକ ମହାଶକ୍ତି ହୋଇଛି ।

ମୋ ସରକାର ପାଇଁ ମହିଳା ସଶକ୍ତିକରଣ କେବଳ ଏକ ସ୍ଲୋଗାନ୍ ନୁହେଁ, ଏହା ଏକ ପବିତ୍ର ଦାୟିତ୍ଵ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ମୋର ଦୃଢ ବିଶ୍ବାସ, ମା ମାନଙ୍କୁ ସଶକ୍ତ ନ କରି, କୌଣସି ପରିବାର, କୌଣସି ସାମାଜ, କୌଣସି ରାଜ୍ୟ ବା କୌଣସି ଦେଶ ଆଗକୁ ବଢ଼ି ପାରିବ ନାହିଁ।

ଓଡ଼ିଶାରେ ଆମର ଛଅ ଲକ୍ଷ ସ୍ବୟଂ ସହାୟକ ଗୋଷ୍ଠି କାମ କରୁଛନ୍ତି ବୋଲି ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ SHG ମାନଙ୍କୁ SME ରେ ରୂପାନ୍ତର କରିବା ରାଜ୍ୟ ସରକାରଙ୍କ ଲକ୍ଷ୍ୟ। ଏଥିପାଇଁ ଆମେ ସବୁ କିଛି କରିବାକୁ ପ୍ରସ୍ତୁତ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।

ମିଶନ ଶକ୍ତି ମା ମାନଙ୍କୁ ବିନା ସୁଧରେ ପାଞ୍ଚ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଦେବା ସଂକ୍ରାନ୍ତୀୟ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଦ୍ଵାରା ଓଡିଶାର ଲକ୍ଷ ଲକ୍ଷ ମା ଉପକାର ପାଇବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ପାଞ୍ଚ ବର୍ଷରେ ପାଞ୍ଚ ହଜାର କୋଟି ଟଙ୍କାର କାମ, ମା ମାନଙ୍କୁ ଦେବା ପାଇଁ ଓଡିଶା କ୍ୟାବିନେଟ ନିଷ୍ପତ୍ତି ନେଇଥିଲା ଓ ଏହାଦ୍ଵାରା ପ୍ରାୟ ଏକ ଲକ୍ଷ SHG ଉପକାର ପାଉଛନ୍ତି।

ମିଶନ ଶକ୍ତି ଫେଡେରେସନମାନଙ୍କୁ ଆହୁରି ମଜବୁତ କରିବା ଓ ସେମାନଙ୍କୁ ସକ୍ରିୟ ଆର୍ଥିକ କେନ୍ଦ୍ରରେ ପରିଣତ କରିବା ଆମର ଲକ୍ଷ୍ୟ ବୋଲି ଉଲ୍ଲେଖ କରି ପ୍ରତି ଜିଲ୍ଲା ଫେଡେରେସନ କୁ ଏକ କୋଟି ଟଙ୍କାର ରିଭଲ୍ଭିଂ ପାଣ୍ଠି, ପ୍ରତି ବ୍ଲକ ସ୍ତରରେ ଫେଡେରେସନକୁ ପଚାଶ ଲକ୍ଷ ଟଙ୍କାର ରିଭଲ୍ଭିଂ ପାଣ୍ଠି ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ।

ସେହିପରି ପଞ୍ଚାୟତ ସ୍ତରରେ ଥିବା ଫେଡେରେସନ ପାଇଁ ମାର୍କେଟ କଂପ୍ଲେକ୍ସ ସହ ସ୍ଵତନ୍ତ୍ର ଅଫିସ ଘର ମଧ୍ୟ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ମହିଳାମାନଙ୍କୁ ଉଦ୍ୟୋଗୀ କରିବା ଲକ୍ଷ୍ୟ କୁ ସାକାର କରିବା ପାଇଁ ତିରିଶ ଯାକ ଜିଲ୍ଲାରେ ମାଇକ୍ରୋ, ମିନି ଶିଳ୍ପ ପାର୍କ କରାଯିବ ବୋଲି ମଧ୍ୟ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ।

ଓଡିଶାର ରୂପାନ୍ତରଣରେ ମା ମାନଙ୍କର ବଡ ଭୂମିକା ରହିଛି ବୋଲି ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ ମା ମାନଙ୍କର ସାମଗ୍ରିକ ସଶକ୍ତିକରଣ ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ମିଶନ ଶକ୍ତି ବିଭାଗର ଏକ କଫି ଟେବୁଲ ବୁକ, Mission Shakti – Scaling Up ଉନ୍ମୋଚନ କରିଥିଲେ ଏବଂ କଟକ ମା ତାରେଣୀ ଏସଏଚଜିର କବିତା ସାହୁ, ସୁନ୍ଦରଗଡ଼ ଦିବ୍ୟଜ୍ୟୋତି ଏସଏଚଜିର ପ୍ରେମା ଦାସ ଓ ନୂଆପଡା ବନଦୁର୍ଗା ଏସଏଚଜିର ଗାୟତ୍ରୀ ସୁନାଇଙ୍କୁ ସମ୍ମାନିତ କରିଥିଲେ।.

ସେହିପରି ଏସଏଚଜି ମାନଙ୍କୁ ରୁଣ ଦେବା ରେ ଭଲ କାମ କରିଥିବା ଓଡିଶା ଗ୍ରାମ୍ୟ ବ୍ୟାଙ୍କ, ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଓ ୟୁକୋ ବ୍ୟାଙ୍କକୁ ସମ୍ବର୍ଦ୍ଧିତ କରିଥିଲେ। କାର୍ଯ୍ୟକ୍ରମରେ ମିଶନ ଶକ୍ତି ବିଭାଗ ମନ୍ତ୍ରୀ ଶ୍ରୀମତୀ ବାସନ୍ତୀ ହେମ୍ବ୍ରମ ତାଙ୍କ ଉଦବୋଧନରେ ମା ମାନଙ୍କ ବିକାଶ ପାଇଁ ନିଆଯାଇଥିବା ପଦକ୍ଷେପ ଉପରେ ଆଲୋକପାତ କରିଥିଲେ।

ମିଶନ ଶକ୍ତି ସଚିବ ଶ୍ରୀମତୀ ସୁଜାତା କାର୍ତ୍ତିକେୟ ସ୍ଵାଗତ ଭାଷଣ ଦେଇଥିଲେ। ବିଭାଗୀୟ ନିର୍ଦେଶକ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ମୁଖ୍ୟମନ୍ତ୍ରୀଙ୍କ ବନ୍ୟାଞ୍ଚଳ ପରିଦର୍ଶନ, କ୍ଷତିଗ୍ରସ୍ତ ଅଞ୍ଚଳ ପାଇଁ ଘୋଷଣା କଲେ ରିଲିଫ ସହାୟତା

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ଆଜି ଆକାଶ ମାର୍ଗରୁ କେନ୍ଦ୍ରାପଡା ଜିଲ୍ଲାର ଲୁଣା, ଚିତ୍ରୋତ୍ପଳା ନଦୀର ଦ୍ୱୀପାଞ୍ଚଳ, ମହାନଦୀର ଶାଖା ପାଇକା ନଦୀର ଦ୍ୱୀପାଞ୍ଚଳ, ଜଗତସିଂହପୁର ଜିଲ୍ଲାର କୁଜଙ୍ଗ, ନାଉଗାଁ ଓ ପୁରୀ ଜିଲ୍ଲାର ଗୋପ, ନିମାପଡା, ଅସ୍ତରଙ୍ଗ, ଡେଲାଙ୍ଗ, ପିପିଲି, କଣାସର ତଳିଆ ଅଞ୍ଚଳ ପରିଦର୍ଶନ କରି ବନ୍ୟା ପରିସ୍ଥିତି ଅନୁଧ୍ୟାନ କରିଥିଲେ ।

ବନ୍ୟାରେ ବ୍ୟାପକ ଅଞ୍ଚଳ, ଜଳମଗ୍ନ ହେଵା ସହିତ ଅନେକ ଚାଷ ଜମି ଓ ବାସଗୃହ କ୍ଷତିଗ୍ରସ୍ତ ହୋଇଥିବା ଘଟଣାରେ ରେ ମୁଖ୍ୟମନ୍ତ୍ରୀ ଚିନ୍ତାପ୍ରକଟ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସହିତ 5T ସଚିବ ଶ୍ରୀ ଭି କେ ପାଣ୍ଡିଆନ ମଧ୍ୟ ବନ୍ୟାଞ୍ଚଳ ପରିଦର୍ଶନରେ ଯାଇଥିଲେ।

ପ୍ରଭାବିତ ଅଞ୍ଚଳରେ ଚାଲିଥିବା ସମସ୍ତ ପ୍ରକାର ସହାୟତା ଯଥା; ରିଲିଫ୍ ଓ ରନ୍ଧା ଖାଦ୍ୟ ଯୋଗାଣ, ସ୍ୱାସ୍ଥ୍ୟସେବା, ପାନୀୟଜଳ ଯୋଗାଣକୁ ତ୍ୱରାନ୍ୱିତ କରିବା ସହିତ ପ୍ରଭାବିତ ଗୋରୁଗାଈମାନଙ୍କୁ ଆବଶ୍ୟକୀୟ ଗୋଖାଦ୍ୟ ଓ ପଶୁଚିକିତ୍ସା ଯୋଗାଇଦେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ବନ୍ୟାଂଚଳରୁ ଫେରିବା ପରେ ମୁଖ୍ୟମନ୍ତ୍ରୀ କ୍ଷତିଗ୍ରସ୍ତ ଅଞ୍ଚଳ ପାଇଁ ରିଲିଫ ସହାୟତା ଘୋଷଣା କରିଛନ୍ତି।  ଖୁରୁଧା , ପୁରୀ, କଟକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜ଼ିଲ୍ଲା ଯେଉଁ ଗାଁ ମାନଙ୍କ ରେ ପାଣି ପଶିଛି ସେଠାରେ ବିପନ୍ନ ଲୋକ ମାନଙ୍କୁ 15ଦିନ ରିଲିଫ ସହାୟତା ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

ସେହିପରି ସମ୍ବଲପୁର, ବରଗଡ଼, ସୋନପୁର, ବୌଦ୍ଧ ଓ ଅନୁଗୁଳ ଜ଼ିଲ୍ଲା ର ପାଣି ପଶିଥିବା ଗାଁର ଲୋକମାନଙ୍କୁ ସାତ ଦିନ ପାଇଁ ରିଲିଫ ଦିଆଯିବ। ପାଣି ଛାଡିବାର ସାତ ଦିନ ମଧ୍ୟ୍ୟ ରେ କ୍ଷୟକ୍ଷତି ଆକଳନ କରିବା ଏବଂ ତାର 15ଦିନ ଭିତରେ ଘରଭଙ୍ଗା ଓ ଫସଲ କ୍ଷତି ସହାୟତା ଯୋଗାଇଦେବାକୁ ମୁଖ୍ୟମନ୍ତ୍ରୀ, ପ୍ରଶାସନ କୁ ନିର୍ଦେଶ ଦେଇଛନ୍ତି।

Categories
ବିଶେଷ ଖବର

ନବନିର୍ବାଚିତ ମେୟର ଓ ପୌରାଧକ୍ଷ ମାନଙ୍କୁ ଲୋକସେବା ଭବନରେ ଭେଟିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ନିଜ ନିଜ ସହରକୁ ଶ୍ରେଷ୍ଠ କରିବା ପାଇଁ ନେତୃତ୍ୱ ନେଇ ନିଷ୍ଠାର ସହ କାମ କର। ଲୋକଙ୍କ ସାଥିରେ ରୁହ ସେମାନଙ୍କ ସମସ୍ୟା ସମାଧାନ ପାଇଁ ନିଷ୍ଠାର ସହ କାମ କର। ଆଜି ଲୋକସେବା ଭବନରେ ନବନିର୍ବାଚିତ ମେୟର ଓ ପୌରାଧକ୍ଷମାନଙ୍କ ପାଇଁ ଆୟୋଜିତ ପୌର ଶାସନ ପ୍ରଣାଳୀ ଓ ଉନ୍ନୟନ ପଦ୍ଧତି ଶୀର୍ଷକ କର୍ମଶାଳାକୁ ଉଦଘାଟନ କରି ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଏହି ପରାମର୍ଶ ଦେଇଛନ୍ତି।

ସହରାଞ୍ଚଳ ର ଉନ୍ନତି ପାଇଁ ରାଜ୍ୟ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ ଆଜି ଜାତୀୟ ଓ ଅନ୍ତର୍ଜାତୀୟ ସ୍ୱୀକୃତି ହାସଲ କରିଛି ବୋଲି ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଜାଗା ମିଶନ ବିକାଶ ମୁଖି ଦେଶ ମାନଙ୍କ ପାଇଁ ଏକ ମଡେଲ ହୋଇଛି। ସେହିପରି ଟ୍ୟାପରୁ ବିଶୁଦ୍ଧ ପିଇବା ପାଣି ଯୋଗାଣ ସୁଜଳ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରିବାରେ ଓଡିଶା ସାରା ଦେଶରେ ଏକ ମାତ୍ର ରାଜ୍ୟ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଜାଗା ମିଶନ, ସୁଜଳ,ପରିମଳ ଓ ବର୍ଜ୍ୟ ବସ୍ତୁ ପରିଚାଳନା ମୁକ୍ତା ଯୋଜନା,ଆହାର ଏବଂ ସ୍ମାର୍ଟ LED Light ଆଦି ସରକାରଙ୍କ flagship ପ୍ରୋଗ୍ରାମ ଉପରେ ମୁଖ୍ୟମନ୍ତ୍ରୀ ତାଙ୍କ ଭାଷଣରେ ଫୋକସ କରିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ବସ୍ତି ବିକାଶ ସମୟରେ ରାଜ୍ୟ ସରକାର ଜମି ଅପେକ୍ଷା ଲୋକଙ୍କୁ ଅଧିକ ଗୁରୁତ୍ୱ ଦେଇ ଜାଗା ମିଶନ ଆରମ୍ଭ କରିଛନ୍ତି। ଏ ପର୍ଯ୍ୟନ୍ତ ଏକ ଲକ୍ଷ ପଚସ୍ତରୀ ହଜ଼ାର ପରିବାରକୁ ଭୂମୀ ଅଧିକାର ଦିଆଯାଇଥିବାବେଳ ୫୮୫ ବସ୍ତିକୁ ଆଦର୍ଶ ବସ୍ତିରେ ପରିଣତ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇ ଥିଲେ। ସେହିପରି ସୁଜଳ କାର୍ଯ୍ୟକ୍ରମ ରେ ପୁରୀରେ ଟ୍ୟାପ ରୁ ବିଶୁଦ୍ଧ ପିଇବା ପାଣି ମିଳୁଥିବା ବେଳ ରାଜ୍ୟର କୋଡିଏ ଟି ସହରରେ ଏଥିପାଇଁ କାମ ଚାଲିଛି ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ।

ସେହିପରି କୋଭିଡ ସମୟରେ ସହରର ଗରିବ ଲୋକ ଓ ପ୍ରବାସୀ ଶ୍ରମିକମାନଙ୍କ ପାଇଁ ଆରମ୍ଭ ହୋଇ ଥିବା ମୁକ୍ତା ଯୋଜନା ଜାରି ରହିବ ଓ ଏଥିପାଇଁ ବଜେଟରେ ୫୦୦ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ମିଶନ ଶକ୍ତି ଓ slam development association ଜରିଆରେ ଚାଲିଥିବା ଏହି କାର୍ଯ୍ୟକ୍ରମ ବେଶ ଲୋକପ୍ରିୟ ବୋଲି ମୁଖ୍ୟମନ୍ତ୍ରୀ କହି ଥିଲେ। ପରିମଳ ସବୁଠାରୁ ଗୁରୁତ୍ୱ ପୂର୍ଣ୍ଣ ବୋଲି ମତ ଦେଇ ସ୍ୱଚ୍ଛତା ଓ ବର୍ଜ୍ୟ ବସ୍ତୁ ପରିଚାଳନା ଉପରେ ଅଧିକ ଗୁରୁତ୍ୱ ଦେଇ କାମ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।

ଚଳିତ ପୌର ନିର୍ବାଚନରେ ମା’ ମାନେ ବହୁସଂଖ୍ୟାରେ ଭାଗ ନେଇ ବିଜୟୀ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ଆନନ୍ଦ ପ୍ରକାଶ କରିବା ସହ ସେମାନଙ୍କୁ ବିଶେଷ ଅଭିନନ୍ଦନ ଜଣାଇଥିଲେ ଓ ଭଲ କାମ କରି ଲୋକଙ୍କ ଆସ୍ଥା ଜାରି ରଖିବାକୁ ପରାମର୍ଶ ଦେଇଥିଲେ।

ସହରାଞ୍ଚଳ ବିକାଶରେ ଆସିଥିବା ରୂପାନ୍ତର ରେ ୫-ଟି ନୀତିର ଗୁରୁତ୍ୱ ପୂର୍ଣ୍ଣ ଭୂମିକା ଥିବାରୁ ପ୍ରତ୍ୟେକ ସ୍ତରରେ ୫-ଟି ନୀତିକୁ ନିଷ୍ଠାର ସହ କାର୍ଯ୍ୟକାରୀ କରି ଲୋକଙ୍କୁ ଉତ୍ତମ ସେବା ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।

ନୂଆ ନେତୃତ୍ୱ ଓ ନୂଆ ପରିଚାଳନା କୌଶଳ ପୌର ସେବାକୁ ନୂତନ ଶିଖରରେ ପହଞ୍ଚାଇବାରେ ସଫଳ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଥିଲେ।

କର୍ମଶାଳାରେ ଉଦବୋଧନ ଦେଇ ନଗର ଉନ୍ନୟନ ପଞ୍ଚାୟତି ରାଜ ଓ ଆଇନ ମନ୍ତ୍ରୀ ପ୍ରତାପ ଜେନା ରାଜ୍ୟ ସରକାରଙ୍କ ବିଭିନ୍ନ ସହରାଞ୍ଚଳ ବିକାଶ କାର୍ଯ୍ୟକ୍ରମକୁ ସଫଳ ଭାବରେ କାର୍ଯ୍ୟକାରି କରିବା ଦିଗରେ ନିଷ୍ଠାପର ଉଦ୍ୟମ ଜାରି ରଖିବା ପାଇଁ ପରାମର୍ଶ ଦେଇଥିଲେ।
ଏହି କାର୍ଯ୍ୟକ୍ରମରେ ମୁଖ୍ୟଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଜି ମାଥି ଭାତ ନାନ ଓ ପୌର ନିର୍ଦେଶକ ସଂଗ୍ରାମଜୀତ ନାୟକ ପ୍ରମୁଖ ଯୋଗ ଦେଇଥିଲେ।