Categories
ଆଜିର ଖବର ଜାତୀୟ ଖବର

ନବୀ ମୁମ୍ବାଇଠାରେ ଇସ୍କନର ଶ୍ରୀ ଶ୍ରୀ ରାଧା ମଦନମୋହନଜୀ ମନ୍ଦିରକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ମୁମ୍ବାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନବୀ ମୁମ୍ବାଇର ଖାରଘରଠାରେ ଇସ୍କନଦ୍ୱାରା ନିର୍ମିତ ଶ୍ରୀ ଶ୍ରୀ ରାଧା ମଦନମୋହନଜୀ ମନ୍ଦିରକୁ ଉଦଘାଟନ କରିଛନ୍ତି। ଏହି ଅବସରରେ ଆୟୋଜିତ ଏକ ସଭାକୁ ସମ୍ବୋଧିତ କରି ସେ କହିଛନ୍ତି, ଏଭଳି ଏକ ଦିବ୍ୟ ସମାରୋହରେ ଯୋଗଦେବା ତାଙ୍କ ପାଇଁ ସୌଭାଗ୍ୟର ବିଷୟ ଏବଂ ଶ୍ରୀଲ ପ୍ରଭୁପାଦ ସ୍ୱାମୀଙ୍କ ଆଶୀର୍ବାଦ ଓ ଇସ୍କନର ସାଧୁସନ୍ଥମାନଙ୍କ ଅସୀମ ସ୍ନେହ ଓ ସୌହାର୍ଦ୍ୟର ଏହା ଏକ ନିଦର୍ଶନ ବୋଲି ସେ କହିଥିଲେ। ପ୍ରଧାନମନ୍ତ୍ରୀ ସମସ୍ତ ଶ୍ରଦ୍ଧାଳୁ ଓ ସନ୍ଥଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ। ଆଧ୍ୟାତ୍ମିକତା ଓ ଜ୍ଞାନର ସମ୍ପୂର୍ଣ୍ଣ ପରମ୍ପରାକୁ ପ୍ରତିଫଳିତ କରୁଥିବା ଶ୍ରୀ ରାଧା ମଦନମୋହନଜୀ ମନ୍ଦିର ପରିସରର ନିର୍ମାଣ ଶୈଳୀ ଓ ବିଚାରଧାରାକୁ ସେ ଏହି ଅବସରରେ ଆଲୋଚନା କରିଛନ୍ତି। ସେ କହିଛନ୍ତି ଯେ ଏଠାରେ ‘ଏକୋ ଅହମ ବହୁ ସ୍ୱୟଂ’ ଚିନ୍ତାଧାରା ପ୍ରସ୍ଫୁଟିତ ହୋଇଛି। ନୂଆ ପିଢ଼ିର ଆଗ୍ରହ ଓ ଆକର୍ଷଣକୁ ପୂରଣ କରିବା ପାଇଁ ରାମାୟଣ ଓ ମହାଭାରତ ଉପରେ ଆଧାରିତ ଏକ ସଂଗ୍ରହାଳୟ ନିର୍ମାଣ କରାଯାଉଛି ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ। ଏହାବ୍ୟତୀତ ବୃନ୍ଦାବନର ୧୨ଟି ଜଙ୍ଗଲରୁ ଅନୁପ୍ରାଣିତ ହୋଇ ଏଠାରେ ଏକ ବଗିଚା ନିର୍ମାଣ କରାଯାଇଛି ବୋଲି ସେ କହିଛନ୍ତି। ମନ୍ଦିର ପରିସର ବିଶ୍ୱାସ ସହିତ ଭାରତର ଚେତନାକୁ ସମୃଦ୍ଧ କରି ଏକ ପବିତ୍ର ଆଧ୍ୟାତ୍ମିକ କେନ୍ଦ୍ରରେ ପରିଣତ ହେବ ବୋଲି ଶ୍ରୀ ମୋଦୀ ବିଶ୍ୱାସ ବ୍ୟକ୍ତ କରିଥିଲେ। ଏହି ମହାନ ପ୍ରୟାସ ପାଇଁ ସେ ଇସ୍କନର ସମସ୍ତ ସାଧୁ, ସଦସ୍ୟ ଏବଂ ମହାରାଷ୍ଟ୍ରବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ଏହି ଅବସରରେ ପୂଜ୍ୟ ଗୋପାଳ କୃଷ୍ଣ ଗୋସ୍ୱାମୀ ମହାରାଜଙ୍କ ସ୍ମୃତିଚାରଣ କରି ଶ୍ରୀ ମୋଦୀ କହିଥିଲେ ଯେ ଭଗବାନ କୃଷ୍ଣଙ୍କ ପ୍ରତି ମହାରାଜଙ୍କ ଗଭୀର ଭକ୍ତି ଆଧାରିତ ଦର୍ଶନ ଏବଂ ଆଶୀର୍ବାଦ ଏହି ପ୍ରକଳ୍ପର ଅବିଚ୍ଛେଦ୍ୟ ଅଙ୍ଗ। ସେ ଆହୁରି ମଧ୍ୟ କହିଛନ୍ତି ଯେ ମହାରାଜ ଶାରୀରିକ ଭାବେ ଉପସ୍ଥିତ ନଥିଲେ ମଧ୍ୟ ତାଙ୍କ ଆଧ୍ୟାତ୍ମିକ ଉପସ୍ଥିତି ସମସ୍ତେ ଅନୁଭବ କରୁଛନ୍ତି। ମହାରାଜଙ୍କ ସ୍ନେହ ଓ ସ୍ମୃତି ତାଙ୍କ ଜୀବନରେ ସ୍ୱତନ୍ତ୍ର ସ୍ଥାନ ରକ୍ଷା କରେ ବୋଲି ପ୍ରଧାନମନ୍ତ୍ରୀ ଏହି ଅବସରରେ କହିଥିଲେ। ବିଶ୍ୱର ସର୍ବବୃହତ ଗୀତା ଉନ୍ମୋଚନ ପାଇଁ ମହାରାଜଙ୍କ ଦ୍ୱାରା ନିମନ୍ତ୍ରଣ ଏବଂ ଶ୍ରୀଲ ପ୍ରଭୁପାଦଜୀଙ୍କ ୧୨୫ତମ ଜୟନ୍ତୀରେ ତାଙ୍କର ମାର୍ଗଦର୍ଶନ ଗ୍ରହଣ କରିଥିବା କଥା ସେ ମନେ ପକାଇଥିଲେ। ମହାରାଜଙ୍କ ଆଉ ଏକ ସ୍ୱପ୍ନ ସାକାର ହେଉଥିବା ଦେଖି ପ୍ରଧାନମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରିଥିଲେ।

“ବିଶ୍ୱବ୍ୟାପୀ ଇସ୍କନ ଅନୁଗାମୀମାନେ ଭଗବାନ କୃଷ୍ଣଙ୍କ ପ୍ରତି ସେମାନଙ୍କର ଭକ୍ତି ଦ୍ୱାରା ହିଁ ଏକତ୍ରିତ ହୋଇଛନ୍ତି” ବୋଲି ଶ୍ରୀ ମୋଦୀ କହିଥିଲେ। ସେହିପରି ଶ୍ରୀଲ ପ୍ରଭୁପାଦ ସ୍ୱାମୀଙ୍କ ଶିକ୍ଷା, ଭକ୍ତମାନଙ୍କୁ 24/7 ମାର୍ଗଦର୍ଶନ କରିଥାଏ ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ। ଶ୍ରୀଲ ପ୍ରଭୁପାଦ ସ୍ୱାମୀ ଭାରତର ସ୍ୱାଧୀନତା ସଂଗ୍ରାମ ସମୟରେ ବେଦ, ବେଦାନ୍ତ ଏବଂ ଗୀତାର ମହତ୍ତ୍ୱକୁ ପ୍ରୋତ୍ସାହିତ କରିଥିଲେ ଏବଂ ଭକ୍ତି ବେଦାନ୍ତକୁ ସାଧାରଣ ଲୋକଙ୍କ ଚେତନା ସହିତ ଯୋଡ଼ିଥିଲେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ ୭୦ ବର୍ଷ ବୟସରେ ଯେତେବେଳେ ଅଧିକାଂଶ ଲୋକ ନିଜର କର୍ତ୍ତବ୍ୟ ପୂରଣ ହୋଇଗଲା ବୋଲି ଭାବନ୍ତି, ସେତେବେଳେ ଶ୍ରୀଲ ପ୍ରଭୁପାଦ ସ୍ୱାମୀ ଇସ୍କନ ମିଶନ ଆରମ୍ଭ କରିଥିଲେ ଏବଂ ଭଗବାନ ଶ୍ରୀକୃଷ୍ଣଙ୍କ ବାର୍ତ୍ତାକୁ କୋଣ ଅନୁକୋଣରେ ପହଞ୍ଚାଇଥିଲେ। ଶ୍ରୀଲ ପ୍ରଭୁପାଦ ସ୍ୱାମୀଙ୍କ ସକ୍ରିୟ ପ୍ରୟାସ ଆମକୁ ପ୍ରେରଣା ଦେବା ସହ ଆଜି ବି ବିଶ୍ୱର ଲକ୍ଷ ଲକ୍ଷ ଲୋକ ତାଙ୍କ ସମର୍ପଣଦ୍ୱାରା ଉପକୃତ ହେଉଛନ୍ତି ବୋଲି ପ୍ରଧାନମନ୍ତ୍ରୀ ଏହି ଅବସରରେ କହିଥିଲେ।

“ଭାରତ ଏକ ଅସାଧାରଣ ଏବଂ ଚମତ୍କାର ଭୂମି, କେବଳ ଭୌଗୋଳିକ ସୀମାରେ ବନ୍ଧା ଭୂମିର ଏକ ଅଂଶ ନୁହେଁ, ବରଂ ଏକ ଜୀବନ୍ତ ସଂସ୍କୃତି ଥିବା ଏକ ଜୀବନ୍ତ ଭୂମି” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଏହି ସଂସ୍କୃତିର ସାର ହେଉଛି ଆଧ୍ୟାତ୍ମିକତା ଏବଂ ଭାରତକୁ ବୁଝିବାକୁ ହେଲେ ପ୍ରଥମେ ଆଧ୍ୟାତ୍ମିକତାକୁ ଗ୍ରହଣ କରିବାକୁ ପଡ଼ିବ ବୋଲି ସେ କହିଥିଲେ।
ଯେଉଁମାନେ ବିଶ୍ୱକୁ କେବଳ ଭୌତିକ ଦୃଷ୍ଟିକୋଣରୁ ଦେଖନ୍ତି ସେମାନେ ଭାରତକୁ ବିଭିନ୍ନ ଭାଷା ଏବଂ ପ୍ରଦେଶର ଏକ ସମୂହ ଭାବରେ ଦେଖନ୍ତି । ତେବେ ଏହି ସାଂସ୍କୃତିକ ଚେତନା ସହିତ ନିଜ ଆତ୍ମାକୁ ସଂଯୋଗ କଲେ ସେମାନେ ପ୍ରକୃତରେ ଭାରତକୁ ଦେଖନ୍ତି ବୋଲି ସେ କହିଛନ୍ତି। ସୁଦୂର ପୂର୍ବରେ ପଶ୍ଚିମବଙ୍ଗରେ ଚୈତନ୍ୟ ମହାପ୍ରଭୁଙ୍କ ଭଳି ସନ୍ଥଙ୍କ ଆବିର୍ଭାବ ହୋଇଥିବା ବେଳେ ପଶ୍ଚିମରେ ନାମଦେବ, ତୁକାରାମ ଓ ଜ୍ଞାନେଶ୍ୱରଙ୍କ ଭଳି ସନ୍ଥ ମହାରାଷ୍ଟ୍ରରେ ଆବିର୍ଭାବ ହୋଇଥିଲେ। ଚୈତନ୍ୟ ମହାପ୍ରଭୁ ମହାବାକ୍ୟ ମନ୍ତ୍ରକୁ ଜନସାଧାରଣଙ୍କ ନିକଟରେ ପହଞ୍ଚାଇଥିବା ବେଳେ ମହାରାଷ୍ଟ୍ରର ସାଧୁମାନେ ‘ରାମକୃଷ୍ଣ ହରି’ ମନ୍ତ୍ର ମାଧ୍ୟମରେ ଆଧ୍ୟାତ୍ମିକ ଅମୃତ ବାଣ୍ଟିଥିଲେ ବୋଲି ଶ୍ରୀ ମୋଦୀ ମନ୍ତବ୍ୟ ଦେଇଥିଲେ। ସେ ଆହୁରି ମଧ୍ୟ କହିଛନ୍ତି ଯେ ସନ୍ଥ ଜ୍ଞାନେଶ୍ୱର ଜ୍ଞାନେଶ୍ୱରୀ ଗୀତା ମାଧ୍ୟମରେ ଭଗବାନ ଶ୍ରୀକୃଷ୍ଣଙ୍କ ଗଭୀର ଜ୍ଞାନକୁ ସାଧାରଣ ଶ୍ରଦ୍ଧାଳୁଙ୍କ ପାଖରେ ପହଞ୍ଚାଇଥିଲେ। ଅନୁରୂପକ ଭାବେ ଶ୍ରୀଲା ପ୍ରଭୁପାଦ ଇସ୍କନ୍ ମାଧ୍ୟମରେ ଗୀତାକୁ ଲୋକପ୍ରିୟ କରାଇବା ସହ ଏହାର ସାରମର୍ମକୁ ଟିପ୍ପଣୀ ମାଧ୍ୟରେ ପ୍ରକାଶ କରି ଲୋକଙ୍କୁ ଯୋଡ଼ିଛନ୍ତି। ବିଭିନ୍ନ ସ୍ଥାନ ଓ ସମୟରେ ଜନ୍ମ ଗ୍ରହଣ କରିଥିବା ଏହି ସାଧୁମାନେ ସମସ୍ତେ ନିଜ ନିଜ ଉପାୟରେ କୃଷ୍ଣ ଭକ୍ତିର ଧାରାକୁ ଆଗକୁ ବଢ଼ାଇଥିଲେ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ସେ ଆହୁରି ମଧ୍ୟ କହିଥିଲେ ଯେ ସେମାନଙ୍କ ଜନ୍ମ କାଳ, ଭାଷା ଓ ପଦ୍ଧତିରେ ପାର୍ଥକ୍ୟ ଥିଲେ ମଧ୍ୟ ସେମାନଙ୍କ ବୁଝାମଣା, ଚିନ୍ତାଧାରା ଓ ଚେତନା ଦ୍ୱାରା ସମାଜକୁ ଭକ୍ତିର ଆଲୋକ ଦେଖାଇ ନୂତନ ଦିଗ ଓ ଶକ୍ତି ପ୍ରଦାନ କରିଥିଲେ।
ଭାରତର ଆଧ୍ୟାତ୍ମିକ ସଂସ୍କୃତିର ମୂଳଦୁଆ ହେଉଛି ସେବା ବୋଲି ଶ୍ରୀ ମୋଦୀ କହିଛନ୍ତି। ଆଧ୍ୟାତ୍ମିକତାରେ ଭଗବାନଙ୍କ ସେବା କରିବା ଏବଂ ଲୋକଙ୍କ ସେବା କରିବା ଏକ ହୋଇଥାଏ । ଭାରତର ଆଧ୍ୟାତ୍ମିକ ସଂସ୍କୃତି ଏହାର ଅନୁସରଣକାରୀଙ୍କୁ ସମାଜ ସହିତ ଯୋଡିଥାଏ, ସ୍ନେହ, ଶ୍ରଦ୍ଧାକୁ ପ୍ରୋତ୍ସାହିତ କରେ ଏବଂ ସେମାନଙ୍କୁ ସେବା ଆଡ଼କୁ ଆଗେଇ ନେଇଥାଏ ବୋଲି ପ୍ରଧାନମନ୍ତ୍ରୀ ବକ୍ତବ୍ୟ ରଖିଛନ୍ତି । ଶ୍ରୀକୃଷ୍ଣଙ୍କଏ ଶ୍ଲୋକ ଉଦୃତକରି ପ୍ରକୃତ ସେବା ନିଃସ୍ୱାର୍ଥପର ବୋଲି ସେ କହିଛନ୍ତି। ସମସ୍ତ ଧାର୍ମିକ ଗ୍ରନ୍ଥ ଓ ଶାସ୍ତ୍ର ସେବା ଭାବନାରେ ଆଧାରିତ। ଏକ ବିଶାଳ ସଂଗଠନ ଇସ୍କନ୍ ଏହି ସେବା ଭାବନା ସହିତ କାର୍ଯ୍ୟ କରୁଛି ଏବଂ ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ପରିବେଶରେ ଯୋଗଦାନ କରୁଛି ବୋଲି ସେ ମନ୍ତବ୍ୟ ଦେଇଥିଲେ। କୁମ୍ଭମେଳାରେ ଇସ୍କନ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି ବୋଲି ସେ କହିଥିଲେ।
ସରକାର ସମାନ ସେବା ଭାବନା ସହିତ ନାଗରିକଙ୍କ କଲ୍ୟାଣ ପାଇଁ ନିରନ୍ତର କାର୍ଯ୍ୟ କରୁଥିବାରୁ ପ୍ରଧାନମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରିଥିଲେ । ପ୍ରତିଘରେ ଶୌଚାଳୟ ନିର୍ମାଣ, ଉଜ୍ଜ୍ୱଳା ଯୋଜନା ମାଧ୍ୟମରେ ଗରିବ ମହିଳାଙ୍କୁ ଗ୍ୟାସ ସଂଯୋଗ ଦେବା, ପ୍ରତ୍ୟେକ ଘରେ ଟ୍ୟାପ୍ ପାଣି ସୁନିଶ୍ଚିତ କରିବା, ପ୍ରତ୍ୟେକ ଗରିବଙ୍କୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ପ୍ରଦାନ, ୭୦ ବର୍ଷରୁ ଅଧିକ ବୟସ୍କ ପ୍ରତ୍ୟେକ ବୟସ୍କ ବ୍ୟକ୍ତିଙ୍କୁ ମଧ୍ୟ ଏହି ସୁବିଧା ପ୍ରଦାନ କରିବା ଏବଂ ପ୍ରତ୍ୟେକ ବାସହୀନଙ୍କୁ ପକ୍କା ଘର ଯୋଗାଇଦେବା ପ୍ରଭୃତି ସେବା ଭାବନା ଦ୍ୱାରା ପରିଚାଳିତ । ଏହି ସେବା ଭାବନା ପ୍ରକୃତ ସାମାଜିକ ନ୍ୟାୟ ଆଣିଥାଏ ଏବଂ ଏହା ପ୍ରକୃତ ଧର୍ମନିରପେକ୍ଷତାର ପ୍ରତୀକ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

କ୍ରିଷ୍ଣା ସର୍କିଟ୍ ଜରିଆରେ ଦେଶର ବିଭିନ୍ନ ତୀର୍ଥସ୍ଥଳ ଓ ଧାର୍ମିକ ସ୍ଥଳ ଯୋଡ଼ି ହୋଇଥିବା ଉଲ୍ଲେଖ କରି ଶ୍ରୀ ମୋଦୀ କହିଥିଲେ ଯେ ଏହି ସର୍କିଟ୍ ଗୁଜରାଟ, ରାଜସ୍ଥାନ, ହରିୟାଣା, ଉତ୍ତରପ୍ରଦେଶ ଏବଂ ଓଡ଼ିଶା ପର୍ଯ୍ୟନ୍ତ ବ୍ୟାପିଛି। ସ୍ୱଦେଶ ଦର୍ଶନ ଓ ପ୍ରସାଦ ଯୋଜନାରେ ଏହି ସ୍ଥାନଗୁଡ଼ିକର ବିକାଶ କରାଯାଉଛି ବୋଲି ସେ କହିଛନ୍ତି। ଏହି ମନ୍ଦିରଗୁଡ଼ିକରେ ଭଗବାନ କୃଷ୍ଣଙ୍କୁ କୁନି ପିଲାଟିଏ ଠାରୁ ଆରମ୍ଭ କରି ରାଧାରାଣୀଙ୍କ ସହ ପୂଜା କରାଉଥିବା ଯେ କହିଥିଲେ। ତାଙ୍କ କର୍ମଯୋଗୀ ରୂପ ଏବଂ ରାଜା ଭାବରେ ତାଙ୍କର ପୂଜା ପର୍ଯ୍ୟନ୍ତ ବିଭିନ୍ନ ରୂପ ଏହି ମନ୍ଦିରଗୁଡ଼ିକରେ ପ୍ରଦର୍ଶିତ ହୋଇଥାଏ। ଏଥିପାଇଁ ସ୍ବତନ୍ତ୍ର ଟ୍ରେନ୍ ଚଳାଚଳ କରାଯିବା ସହ ଭଗବାନ ଶ୍ରୀକୃଷ୍ଣଙ୍କ ଜୀବନ ସହ ଜଡ଼ିତ ବିଭିନ୍ନ ସ୍ଥାନ ଓ ମନ୍ଦିର ପରିଦର୍ଶନକୁ ସହଜ କରିବା ଲକ୍ଷ୍ୟ ରଖାଯାଇଛି ବୋଲି ସେ କହିଥିଲେ। କୃଷ୍ଣ ସର୍କିଟ ସହ ଜଡ଼ିତ ଏହି ଆସ୍ଥା କେନ୍ଦ୍ରଗୁଡ଼ିକୁ ଭକ୍ତମାନଙ୍କୁ ଆକର୍ଷିତ କରିବାରା ଇସ୍କନ ସହଯୋଗ କରିପାରିବ ବୋଲି ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଥିଲେ । ସେ ଇସ୍କନକୁ ଅନୁରୋଧ କରିଛନ୍ତି ଯେ ସେମାନେ ସେମାନଙ୍କ କେନ୍ଦ୍ର ସହିତ ଜଡ଼ିତ ସମସ୍ତ ଶ୍ରଦ୍ଧାଳୁଙ୍କୁ ଭାରତର ଅତିକମରେ ପାଞ୍ଚଟି ସ୍ଥାନକୁ ଯିବା ପାଇଁ ଉତ୍ସାହିତ କରନ୍ତୁ ।

ବିଗତ ଦଶନ୍ଧିରେ ଦେଶର ସାମଗ୍ରିକ ବିକାଶ ହୋଇଛି। ବିକାଶ ଓ ଐତିହ୍ୟ ଏକ ସଙ୍ଗେ ଅଗ୍ରଗତି କରିଛନ୍ତି ବୋଲି ଶ୍ରୀ ମୋଦୀ କହିଛନ୍ତି। ଏହି ଯାତ୍ରାରେ ଇସ୍କନ୍ ଭଳି ଅନୁଷ୍ଠାନର ଗୁରୁତ୍ୱପୂର୍ଣ୍ଣ ଅବଦାନ ଉପରେ ଆଲୋକପାତ କରିଥିଲେ । ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ମନ୍ଦିର ଏବଂ ଧାର୍ମିକ ସ୍ଥଳଗୁଡ଼ିକ ଶତାବ୍ଦୀ ଧରି ସାମାଜିକ ଚେତନାର କେନ୍ଦ୍ର ପାଲଟିଛନ୍ତି। ଏଠାରେ ଥିବା ଗୁରୁକୁଳ ଶିକ୍ଷା ଓ ଦକ୍ଷତା ବିକାଶକୁ ପ୍ରୋତ୍ସାହିତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି । ଇସ୍କନ୍ ଏହାର କାର୍ଯ୍ୟକ୍ରମ ମାଧ୍ୟମରେ ଆଧ୍ୟାତ୍ମିକତାକୁ ସେମାନଙ୍କ ଜୀବନର ଏକ ଅଂଶ କରିବା ପାଇଁ ଯୁବକମାନଙ୍କୁ ପ୍ରେରଣା ଦେଇଥାଏ। ଇସ୍କନର ଯୁବ ଅନୁସରଣକାରୀମାନେ କିପରି ସେମାନଙ୍କ ପରମ୍ପରାକୁ ଅନୁସରଣ କରି ଆଧୁନିକ ଜ୍ଞାନକୌଶଳକୁ ଗ୍ରହଣ କରିବେ ଏବଂ ସେମାନଙ୍କ ସୂଚନା ନେଟୱାର୍କକୁ ଅନ୍ୟମାନଙ୍କ ପାଇଁ ଏକ ଆଦର୍ଶରେ ପରିଣତ କରିବେ ସେ ବିଷୟରେ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଥିଲେ । ଇସ୍କନର ମାର୍ଗଦର୍ଶନରେ ଯୁବଗୋଷ୍ଠୀ ସେବା ଓ ସମର୍ପଣ ଭାବନା ସହ ଜାତୀୟ ସ୍ୱାର୍ଥ ପାଇଁ କାର୍ଯ୍ୟ କରିବେ ବୋଲି ସେ ବିଶ୍ୱାସ ବ୍ୟକ୍ତ କରିଥିଲେ। ମନ୍ଦିର ପରିସରରେ ସ୍ଥାପିତ ଭକ୍ତିବେଦନ୍ତ ଆୟୁର୍ବେଦିକ ଚିକିତ୍ସା କେନ୍ଦ୍ର ଓ ବୈଦିକ ଶିକ୍ଷା ମହାବିଦ୍ୟାଳୟ ସମାଜ ତଥା ସମଗ୍ର ଦେଶ ପାଇଁ ଲାଭଦାୟକ ହେବ ବୋଲି ଶ୍ରୀ ମୋଦୀ ଆଶା ପ୍ରକାଶ କରିଛନ୍ତି। ‘ହିଲ୍ ଇନ୍ ଇଣ୍ଡିଆ’ ବା ’ଭାରତରେ ଉପଶମ’ ଆହ୍ୱାନ ଉପରେ ମଧ୍ୟ ସେ ଗୁରୁତ୍ୱାରୋପ କରିଥିଲେ।

ସମାଜ ଯେତିକି ଆଧୁନିକ ହେଉଛି, ସେଥିରେ ଅଧିକ କରୁଣା ଓ ସମ୍ବେଦନଶୀଳତାର ମଧ୍ୟ ଆବଶ୍ୟକତା ରହିଛି ବୋଲି ଶ୍ରୀ ମୋଦୀ କହିଥିଲେ। ଏହାକୁ ଦୃଷ୍ଟିରେ ରଖି ମାନବିକତା ଓ ସମ୍ବେଦନଶୀଳ ବ୍ୟକ୍ତିଙ୍କୁ ନେଇ ଏକ ସମାଜ ଗଠନର ଆବଶ୍ୟକତା ଉପରେ ଶ୍ରୀ ମୋଦୀ ଗୁରୁତ୍ୱାରୋପ କରିଥିଲେ। ଇସ୍କନ୍ ଏହାର ଭକ୍ତି ବେଦାନ୍ତ ମାଧ୍ୟମରେ ବିଶ୍ୱ ସମ୍ବେଦନଶୀଳତା ଏବଂ ବିଶ୍ୱବ୍ୟାପୀ ମାନବିକ ମୂଲ୍ୟବୋଧକୁ ବିସ୍ତାର କରିବାରେ ନୂତନ ଜୀବନ ଦେଇପାରିବ ବୋଲି ଶ୍ରୀ ମୋଦୀ ଆଶାବ୍ୟକ୍ତ କରିଛନ୍ତି। ନିଜର ଅଭିଭାଷଣ ଶେଷରେ ଇସ୍କନର ନେତୃତ୍ୱ ନେଉଥିବା ଶୀର୍ଷ ବ୍ୟକ୍ତିମାନେ ଶ୍ରୀଲ ପ୍ରଭୁପାଦ ସ୍ୱାମୀଙ୍କ ଆଦର୍ଶକୁ ବଜାୟ ରଖିବେ ବୋଲି ଆଶା ପ୍ରକଟ କରିଛନ୍ତି। ରାଧା ମଦନମୋହନଜୀ ମନ୍ଦିର ଉଦଘାଟନ ଅବସରରେ ସେ ପୁଣି ଥରେ ସମଗ୍ର ଇସ୍କନ ପରିବାର ଓ ସମସ୍ତ ନାଗରିକଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ଏହି ଉଦଘାଟନୀ ସମାରୋହରେ ମହାରାଷ୍ଟ୍ରର ରାଜ୍ୟପାଳ ସିପି ରାଧାକ୍ରିଷ୍ଣନନ୍‍, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଏବଂ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ପ୍ରମୁଖ ଉପସ୍ଥିତ ଥିଲେ ।

ପୃଷ୍ଠଭୂମି

ନବୀ ମୁମ୍ବାଇର ଖାରଘରଠାରେ ଥିବା ଇସ୍କନ ନିର୍ମିତ ଶ୍ରୀଶ୍ରୀ ରାଧା ମଦନମୋହନଜୀ ମନ୍ଦିର ୯ ଏକର ପରିମିତ ଅଞ୍ଚଳରେ ଅବସ୍ଥିତ। ଏଠାରେ ଅନେକ ଦେବଦେବୀଙ୍କ ମନ୍ଦିର, ବୈଦିକ ଶିକ୍ଷା କେନ୍ଦ୍ର, ପ୍ରସ୍ତାବିତ ସଂଗ୍ରହାଳୟ ଓ ଅଡିଟୋରିୟମ, ଚିକିତ୍ସା କେନ୍ଦ୍ର ଆଦି ରହିଛି। ବୈଦିକ ଶିକ୍ଷା ମାଧ୍ୟମରେ ବିଶ୍ୱ ଭାଇଚାରା, ଶାନ୍ତି ଏବଂ ସଦ୍ଭାବନାକୁ ପ୍ରୋତ୍ସାହିତ କରିବା ଏହାର ଲକ୍ଷ୍ୟ।