Categories
ଆଜିର ଖବର ରାଜ୍ୟ ଖବର

ଏସସିଏସଟିଆରଟିଆଇ ପକ୍ଷରୁ ‘ଜନଜାତୀୟ ଗୌରବ ଦିବସ’ ପାଳନ

ଭୁବନେଶ୍ୱର: ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ଭାରତୀୟ ଆଦିବାସୀ ଜୀବନର ପ୍ରେରଣା ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ଅବସରରେ ନଭେମ୍ବର ୧୫କୁ ଦେଶବ୍ୟାପି ‘ଜନଜାତୀୟ ଗୌରବ ଦିବସ’ ଭାବେ ପାଳନ କରାଯାଉଛି। ଏହି ଅବସରରେ ଭୁବନେଶ୍ୱରସ୍ଥିତ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ (ଏସସିଏସଟିଆରଟିଆଇ) ପକ୍ଷରୁ ବ୍ୟାପକ କାର୍ଯ୍ୟକ୍ରମର ଶୁଭାରମ୍ଭ  କରାଯାଇଛି।

ଭାରତ ସରକାରଙ୍କ ଜନଜାତି ବ୍ୟାପାର ମନ୍ତ୍ରାଳୟ ସହଯୋଗରେ, ରାଜ୍ୟ ସରକାରଙ୍କ ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସଂପ୍ରଦାୟ ଏବଂ ପଛୁଆବର୍ଗ କଲ୍ୟାଣ ବିଭାଗର ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ କରାଯାଉଛି। ଏହି ଅବସରରେ ଆୟୋଜିତ ବିଶେଷ ସମାରୋହରେ ମୁଖ୍ୟଅତିଥି ଭାବେ ଯୋଗଦେଇ ବିଭାଗୀୟ ମନ୍ତ୍ରୀ ଜଗନ୍ନାଥ ସାରକା ଏହି ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ।

‘‘ବିଳ୍ପବୀ ବିର୍ସା ମୁଣ୍ଡାଙ୍କ ବଳିଦାନ କେବଳ ଜନଜାତି ସଂପ୍ରଦାୟ ଲାଗି ପ୍ରେରଣା ନୁହେଁ, ବରଂ ସେ ସାରା ଦେଶ ପାଇଁ ଗର୍ବ ଓ ଗୌରବ। ତେଣୁ ତାଙ୍କ ବିଷୟରେ ଆଗାମୀ ପିଢ଼ିଙ୍କୁ ଜଣାଇବା ସହ ଏହି ଅବସରରେ ଆମ ଜନଜାତିଙ୍କ ଜୀବନ ତଥା ସେମାନଙ୍କ ଅନନ୍ୟ କଳା ଓ ସଂସ୍କୃତି ବିଷୟରେ ସମସ୍ତଙ୍କୁ ସଚେତନ କରାଇବା ପାଇଁ ଜନଜାତୀୟ ଗୌରବ ଦିବସ ପାଳନ କରାଯାଉଛି। ଏଭଳି କାର୍ଯ୍ୟକ୍ରମ ଦ୍ୱାରା ଆମେ ଜନଜାତି ବର୍ଗର ସମୃଦ୍ଧ ସଂସ୍କୃତି ଓ ପରମ୍ପରାକୁ ସଂରକ୍ଷଣ ଓ ପ୍ରସାର କରିପାରିବା”, କହିଛନ୍ତି ମନ୍ତ୍ରୀ ଜଗନ୍ନାଥ ସାରକା।

ଓଡ଼ିଶା ଜନଜାତି ଐତିହ୍ୟର ପ୍ରଚାର ପ୍ରସାର କରିବା ଉଦ୍ଦେଶ୍ୟରେ ନଭେମ୍ବର ୧୫ରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ୨୬ ତାରିଖ ଯାଏଁ ଚାଲିବ। ଏଥିରେ ଆଦିବାସୀ କଳା ଓ କଳାକୃତିର ଲାଇଭ୍‌ ଡେମୋ ସହିତ ଚିତ୍ରକଳା ପ୍ରତିଯୋଗିତା ଓ ପ୍ରଦର୍ଶନୀ ଏବଂ ଜନଜାତି କବି ସମ୍ମିଳନୀ ଆଦି କାର୍ଯ୍ୟକ୍ରମ କରାଯାଉଛି।

ଉଦଘାଟନୀ କାର୍ଯ୍ୟକ୍ରମରେ ବିଭାଗୀୟ ସଚିବ ରୁପାରୋଶନ ସାହୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଓଡ଼ିଶାର ଜନଜାତି ବର୍ଗଙ୍କ ଜୀବନ ଓ ସାଂସ୍କୃତିକ ବିକାଶ ପାଇଁ ସରକାରଙ୍କ ପକ୍ଷରୁ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ବିଷୟରେ ସେ କହିଥିଲେ।

ଏହି କାର୍ଯ୍ୟକ୍ରମରେ ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଏବଂ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦର ପୂର୍ବତନ ନିର୍ଦ୍ଦେଶକ ନିହାର ରଞ୍ଜନ ପଟ୍ଟନାୟକ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ। ସେ କହିଥିଲେ ଯେ, ‘‘ସ୍ୱାଧୀନତା ଆନ୍ଦୋଳନ ବେଳେ ଓଡ଼ିଶାର ଜନଜାତିଙ୍କ ଯୋଗଦାନ ସାରା ଦେଶରେ ଅଗ୍ରଣୀ ଥିଲା। ଜମି, ଜଙ୍ଗଲ ଓ ଜଳ ପାଇଁ ସେମାନଙ୍କ ଉତ୍ସର୍ଗୀକୃତ ଆନ୍ଦୋଳନ ଆଜି ସମସ୍ତଙ୍କ ପାଇଁ ସ୍ମରଣୀୟ ହୋଇ ରହିଛି।’’ ଏହି ଅବସରରେ ସେ ବିର୍ସା ମୁଣ୍ଡାଙ୍କ ଜୀବନୀ ଉପରେ ଆଲୋଚନା କରିଥିଲେ।

ଏସସିଏସଟିଆରଟିଆଇ ତଥା ବିଭାଗୀୟ ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀ ସ୍ୱାଗତ ଭାଷଣ ଦେଇଥିଲେ। ଜନଜାତିଙ୍କ କଳା, ସାହିତ୍ୟ ଓ ସଂସ୍କୃତିର ପ୍ରସାର ଲାଗି ଜନଜାତୀୟ ଗୌରବ ଦିବସ ଅବସରରେ ବିଭାଗ ପକ୍ଷରୁ କରାଯାଉଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସେ ସୂଚନା ଦେଇଥିଲେ।

ଏହି ଅବସରରେ ମନ୍ତ୍ରୀ ଓ ଅନ୍ୟ ଅତିଥିମାନେ ରାଜ୍ୟ ଜନଜାତି ସଂଗ୍ରହାଳୟ ବୁଲି ଦେଖିବା ସହ ଏହା ପରିସରରେ ଚାଲିଥିବା ହସ୍ତକଳା ଓ ହସ୍ତତନ୍ତ ସାମଗ୍ରୀ ପ୍ରସ୍ତୁତିର ଲାଇଭ୍‌ ଡେମୋ ଦେଖି ଆଦିବାସୀ ଶିଳ୍ପୀଙ୍କ ସହ କଥା ହୋଇଥିଲେ। ଶେଷରେ ଅନସୂଚିତ ଜାତି (କଲ୍ୟାଣ) ନିର୍ଦ୍ଦେଶକ ଲକ୍ଷ୍ମଣ କୁମାର ମଲ୍ଲିକ ଧନ୍ୟବାଦ ଦେଇଥିଲେ।

କାର୍ଯ୍ୟକ୍ରମରେ ଗଣ୍ଡ ଓ ପରଜା ଜନଜାତି ଉପରେ ଆଧାରିତ ଦୁଇଟି ପ୍ରାମଣିକ ପୁସ୍ତକ ଉନ୍ମୋଚନ କରାଯାଇଥିଲା। ଜନଜାତୀୟ ଗୌରବ ଦିବସ ଉପଲକ୍ଷେ ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀମାନଙ୍କୁ ନେଇ କରାଯାଇଥିବା ରାଜ୍ୟସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯରାଇଥିଲା।

ବରିଷ୍ଠ ବର୍ଗରେ ହୋଇଥିବା ପ୍ରତିଯୋଗିତାରେ ବାଲେଶ୍ୱର ଜିଲ୍ଲା ଟେଣ୍ଡା ସରକାରୀ ହାଇସ୍କୁଲର ଛାତ୍ରୀ ମାଣିକ ସିଂ ପ୍ରଥମ ହୋଇଛନ୍ତି। ସେହିପରି ସୁନ୍ଦରଗଡ଼ ମେଘଡେଗା ସରକାରୀ ହାଇସ୍କୁଲର ଛାତ୍ରୀ ଜେନମଣି ମିଞ୍ଜ ଦ୍ୱିତୀୟ ଏବଂ ରାୟଗଡ଼ା କୁମ୍ଭିକୋଟା ସରକାରୀ ହାଇସ୍କୁଲର ଛାତ୍ର ନିଲୁ ପଡ଼ିଙ୍ଗି ତୃତୀୟ ସ୍ଥାନ ଅଧିକାର କରିଛନ୍ତି।

ସେହିପରି କନିଷ୍ଠ ବର୍ଗରେ ସମ୍ବଲପୁର ସୁଣ୍ଢିମୁଣ୍ଡି ସରକାରୀ ହାଇସ୍କୁଲର ଛାତ୍ରୀ ଗାଙ୍ଗୀ ସଠ ପ୍ରଥମ, କୋରାପୁଟ ପୋଡ଼ାଗଡ଼ ସରକାରୀ ହାଇସ୍କୁଲର ଛାତ୍ରୀ ଲୀଲାବତୀ ମୁଦୁଲି ଦ୍ୱିତୀୟ ଏବଂ ବାଲେଶ୍ୱର ଢେଲିପାଳ ସରକାରୀ ହାଇସ୍କୁଲର ଛାତ୍ର ରାଜେନ୍ଦ୍ର ମୁର୍ମୁ ତୃତୀୟ ସ୍ଥାନ ଅଧିକାର କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ନଭେମ୍ବର ୧୫ରେ ନିଲାମ ହେବ ଅଷ୍ଟମ ପର୍ଯ୍ୟାୟ ବ୍ୟାବସାୟିକ କୋଇଲା ଖଣି

ନୂଆଦିଲ୍ଲୀ: ଚଳିତ ନଭେମ୍ବର ମାସ ୧୫ତାରିଖରେ ଭାରତ ସରକାରଙ୍କ କୋଇଲା ମନ୍ତ୍ରଣାଳୟ ଅଷ୍ଟମ ପର୍ଯ୍ୟାୟ ବ୍ୟାବସାୟିକ କୋଇଲା ଖଣି ନିଲାମ କରିବ। ଏଥିରେ ଓଡିଶା ସମେତ ପାଂଚଟି ରାଜ୍ୟର ୩୯ଟି କୋଇଲା ଖଣି ରହିଛି। ଅନ୍ୟ ଚାରିଟି ରାଜ୍ୟ ହେଲା ବିହାର, ଝାଡଖଣ୍ଡ, ମହାରାଷ୍ଟ୍ର ଓ ପଶ୍ଚିମବଙ୍ଗ। କୋଇଲା କ୍ଷେତ୍ରରେ ଦେଶକୁ ଆତ୍ମନିର୍ଭରଶୀଳ କରିବାକୁ ଏହି ସବୁ କୋଇଲା ଖଣିର ବ୍ୟାବସାୟିକ ନିଲାମ କରାଯିବ।

ସୂଚନାଯୋଗ୍ୟ ଯେ ଦେଶର କୋଇଲା ଖଣିଗୁଡିକରୁ ବ୍ୟାବସାୟିକ ଭିତ୍ତିରେ କୋଇଲା ପରିବହନ ପ୍ରକ୍ରିୟା ୨୦୨୦ରେ ଆରମ୍ଭ ହୋଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ପ୍ରକ୍ରିୟାରେ ୨୦୨୦ ଜୁନ ୧୮ତାରିଖରେ ପ୍ରଥମ ପର୍ଯ୍ୟାୟ ବ୍ୟାବସାୟିକ କୋଇଲା ଉତ୍ତୋଳନ ପାଇଁ ଖଣି ନିଲାମର ଶୁଭାରମ୍ଭ କରିଥିଲେ। ତା’ପରଠାରୁ କୋଇଲା ମନ୍ତ୍ରଣାଳୟ ସାତ ପର୍ଯ୍ୟାୟରେ ବିଭିନ୍ନ ରାଜ୍ୟରେ ଥିବା କୋଇଲା ଖଣିଗୁଡିକର ବ୍ୟବସାୟିକ ନିଲାମ କାର୍ଯ୍ୟ ଶେଷ କରିଛନ୍ତି। ସଫଳ ନିଲାମଧାରୀ ଏହିସବୁ ଖଣିରୁ ବ୍ୟାବସାୟିକ ଭିତ୍ତିରେ କୋଇଲା ଉତ୍ପାଦନ କରୁଛନ୍ତି। ଏହି ସାତ ପର୍ଯ୍ୟାୟରେ ଦେଶର ୯୧ଟି କୋଇଲା ଖଣିକୁ ନିଲାମ ଦିଆଯାଇଛି। ଏସବୁ ଖଣିରୁ ବାର୍ଷିକ ସର୍ବୋଚ୍ଚ ୨୨୧ ନିୟୁତ ଟନ୍ କୋଇଲା ଉତ୍ତୋଳିତ ହେଉଛି।

ସରକାର ଖଣିଜ ଆଇନର ସଂଶୋଧନ କରିବା ଫଳରେ କୋଇଲା କ୍ଷେତ୍ରରେ ଖଣିର ବ୍ୟାବସାୟିକ ନିଲାମ ପ୍ରକ୍ରିୟା ସହଜ ହୋଇଛି। ଏହା ଫଳରେ ଉଭୟ ଘରୋଇ ଓ ସରକାରୀ ସଂସ୍ଥାମାନେ ନିଲାମରେ ଭାଗ ନେଇ ଖଣିରୁ କୋଇଲା ଉତ୍ତୋଳନ ଅଧିକାର ପାଉଛନ୍ତି। ଏହି ପ୍ରକ୍ରିୟାରେ ଦେଶରେ କୋଇଲା ଉତ୍ପାଦନ ବଢିଛି ଏବଂ ଏ କ୍ଷେତ୍ରରେ ଆତ୍ମନିର୍ଭର ହେବାକୁ ସରକାର ଉଦ୍ୟମ ଅବ୍ୟାହତ ରଖିଛନ୍ତି। ଏହି ନିଲାମ ଓ ଉତ୍ତୋଳନ /ଖନନ ପ୍ରକ୍ରିୟାରେ ଉଭୟ ସରକାରୀ ଏବଂ ବେସରକାରୀ ସଂସ୍ଥାଙ୍କୁ ସମାନ ସୁବିଧା ସୁଯୋଗ ପ୍ରଦାନ କରାଯାଉଛି। ସେମାନଙ୍କୁ ସରକାର ଏହି ନିଲାମ ମାଧ୍ୟମରେ କୋଇଲାର ନିଜସ୍ୱ ବ୍ୟବହାର, ବିକ୍ରିବଟା ଓ ଅନ୍ୟାନ୍ୟ ଉପଯୋଗ ନିମନ୍ତେ ଅନୁମତି (ପରମିଟ୍ )ପ୍ରଦାନ କରୁଛନ୍ତି।

ବ୍ୟାବସାୟିକ କୋଇଲା ଖନନ ଦ୍ୱାରା ବିଭିନ୍ନ ପ୍ରକାର ଲାଭ ମିଳୁଛି। ଏହା ଫଳରେ ଏ କ୍ଷେତ୍ରରେ ସୁସ୍ଥ ପ୍ରତିଯୋଗିତା ସୃଷ୍ଟି ହେବା ସହିତ ସରକାରଙ୍କ ରାଜସ୍ୱ ବଢୁଛି। ସର୍ବୋପରି ଘରୋଇ ସହଯୋଗରେ ଦେଶର କୋଇଲା ଯୋଗାଣ ବୃଦ୍ଧି ପାଉଛି।

ଆହୁରି ମଧ୍ୟ ଏଭଳି ନିଲାମ ଫଳରେ କୋଇଲା ଖଣି ସମୃଦ୍ଧ ରାଜ୍ୟଗୁଡିକର ରାଜସ୍ୱ ବୃଦ୍ଧି ପାଉଛି । ସେମାନେ ଉତ୍ତୋଳିତ ହେଉଥିବା କୋଇଲା ଉପରେ ରୟାଲଟି ବା ରାଜଭାଗ ପାଉଛନ୍ତି । ରାଜସ୍ୱ ବୃଦ୍ଧି ଫଳରେ ଆଞ୍ଚଳିକ ବିକାଶ ପ୍ରକ୍ରିୟା ତ୍ୱରାନ୍ୱିତ ହେଉଛି । ଏହା ଦ୍ୱାରା ଅଧିକ ଲୋକଙ୍କୁ ମଧ୍ୟ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ତଥା ରୋଜଗାର ସୁବିଧା ମିଳୁଛି ।

ଅଷ୍ଟମ ପର୍ଯ୍ୟାୟ କୋଇଲା ଖଣିରେ ବ୍ୟାବସାୟିକ ନିଲାମ ପ୍ରକ୍ରିୟା କୋଇଲା ମନ୍ତ୍ରଣାଳୟର ପୂର୍ବ ବର୍ତ୍ତୀ ସଫଳ ନିଲାମର ଏକ ପରିବର୍ଦ୍ଧିତ ପଦକ୍ଷେପ । ଏହି କ୍ଷେତ୍ରକୁ ଆଗକୁ ବଢାଇ ଏହାର ଆୟ ବୃଦ୍ଧି କରିବାକୁ ମନ୍ତ୍ରଣାଳୟ ଅଙ୍ଗୀକାରବଦ୍ଧ ହୋଇ କାମ କରୁଛି । ଅଷ୍ଟମ ପର୍ଯ୍ୟାୟରେ ଓଡିଶା ସମେତ ପାଞ୍ଚୋଟି ରାଜ୍ୟର ମୋର ୩୯ଟି ଖଣି ନିଲାମ ହେବାକୁ ଥିବା ବେଳେ ବାସ୍ତବରେ ନୂଆ କରି ୩୫ଟି ଖଣିକୁ ନିଲାମ ଦିଆଯିବ । ଅବଶିଷ୍ଟ ୪ଟି ଖଣି ଯାହା ସପ୍ତମ ପର୍ଯ୍ୟାୟରେ ନିଲାମ ହୋଇପାରି ନ ଥିଲା ତାହାକୁ ଦ୍ୱିତୀୟ ଥର ନିଲାମ ପାଇଁ ବୋଲିରେ ଲଗାଯିବ । ଏହି ନୂଆ ୩୫ଖଣି ମଧ୍ୟରୁ ୧୧ଟି ଖଣି ସିଏମ୍ ଏସ୍‌ପି) ଆଇନ ୨୦୧୫, ୨୪ଟି ଏମ୍‌ଏମ୍‌ଡିଆର୍ ଆଇନ ୧୯୫୭ର ଅନ୍ତର୍ଭୁକ୍ତ ହୋଇଥିବା ବେଳେ ୧୪ଟି ଖଣି ଉତ୍ତୋଳନ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅବସ୍ଥାରେ ଅଛି । ଏହା ଛଡା ଅନ୍ୟ ୨୧ଟି ଖଣି ଆଂଶିକଭାବେ ବିକଶିତ ହୋଇଛି। ଗତଥର ନିଲାମରେ ରହିଯାଇଥିବା ଚାରିଟି ଖଣିକୁ ମଧ୍ୟ ଏହି ନିଲାମରେ ସାମିଲ କରାଯାଇଛି। ସେଗୁଡିକ ସିଏମ୍‌ଏସ୍‌ପି ଓ ଏମ୍‌ଏମ୍‌ଡି ଖଣିର ଅନ୍ତର୍ଭୁକ୍ତ। ସେଥିରୁ ଗୋଟିଏ ସମ୍ପୂର୍ଣ୍ଣ ଖନନ ଯୋଗ୍ୟ ଅବସ୍ଥାରେ ଥିବାବେଳେ ଅନ୍ୟ ତିନିଟି ଆଂଶିକ ବିକଶିତ ଓ ଖନନ ଯୋଗ୍ୟ।

ଓଡିଶାରେ ନିଲାମ ହେବାକୁ ଥିବା ସର୍ବାଧିକ ୧୯ଖଣି ମଧ୍ୟରୁ ସିଏମ୍‌ଏସ୍‌ପି ୨୦୧୫ ଓ ଏମ୍‌ଏମ୍‌ଡିଆର ୧୯୫୭ ଆଇନ ଅନୁସାରେ ଯଥାକ୍ରମେ ଆଠ ଓ ୧୧ଟି କୋଇଲା ଖଣି ରହିଛି । ଏହିସବୁ ଖଣି ମଧ୍ୟରୁ ଆଠଟି ସମ୍ପୂର୍ଣ୍ଣ ଖନନଯୋଗ୍ୟ ଅବସ୍ଥାରେ ରହିଛି । ତେଣୁ ନିଲାମଧାରୀ ଅଳ୍ପ ଖର୍ଚ୍ଚରେ ଅବଶିଷ୍ଟ୧୧ଟି ଆଂଶିକ ଖନନ ଯୋଗ୍ୟ ଖଣିର ବିକାଶ କରି ସେଥିରୁ କୋଇଲା ଉତ୍ତୋଳନ କରିପାରିବେ ।

ନିଲାମ ହେବାକୁ ଥିବା ଖଣିଗୁଡିକର ସୀମାରେଖା ନିର୍ଣ୍ଣିତ ହୋଇଛି । ଡ୍ରୋନ ସହାୟତାରେ ଉତ୍ତୋଳନ କରାଯାଇଥିବା ଖଣିର ସୀମା ସରହଦର ଫଟୋଚିତ୍ର ନିଲାମ ଦେବା ବାଲାକୁ ଯୋଗାଇ ଦିଆଯିବ । ସବୁ ଖଣି ବିବାଦମୁକ୍ତ ଏବଂ ଏହାର ବିକାଶ ତଥା କୋଇଲା ଉତ୍ତୋଳନ ପାଇଁ କୌଣସି ଅସୁବିଧା ନାହିଁ ।

କୋଇଲା ଖଣିର ବ୍ୟାବସାୟିକ ନିଲାମରେ ନିଲାମଧାରୀଙ୍କ କୋଇଲା ବ୍ୟବହର ଓ ବିକ୍ରିବଟା ଉପରେ କୌଣସି କଟକଣା ନାହିଁ । ଆହୁରି ମଧ୍ୟ ନିଲାମ ପ୍ରକ୍ରିୟାରେ କୌଣସି ଟେକ୍‌ନିକାଲ (ବୈଷୟିକ) ଓ ଆର୍ଥିକ ଯୋଗ୍ୟତା ସର୍ତ୍ତାବଳୀ ନ ଥିବାରୁ ଯେ କେହି ଏଥିରେ ସାମିଲ ହୋଇପାରିବେ ।

କୋଇଲା ମନ୍ତ୍ରଣାଳୟ ବିଭିନ୍ନ ସମ୍ପୃକ୍ତ ପକ୍ଷଙ୍କ ସହ ବ୍ୟାପକ ବିଚାର ଆଲୋଚନା ପରେ ସେମାନଙ୍କ ପରାମର୍ଶରେ ଭାରତରେ ବ୍ୟବସାୟିକ କୋଇଲା ଖଣି ପାଇଁ ଅର୍ଥ ଯୋଗାଣ ଅବସ୍ଥାକୁ ପ୍ରୋତ୍ସାହନ ଦେବାକୁ ରାଜି ହୋଇଛି । ଏଥି ପାଇଁ କେଉଁ କେଉଁ ସମ୍ଭାବ୍ୟ ସୂତ୍ରରୁ ଋଣ ମିଳିପାରିବ ସେଥି ପାଇଁ ମଧ୍ୟ ବିଚାର ଆଲୋଚନା ହୋଇଛି । ବିଭିନ୍ନ ବଡ ବଡ ଉଦ୍ୟୋଗକୁ ଏହି ଅର୍ଥ ଲଗାଣ ବ୍ୟବସ୍ଥାକୁ ସାମିଲ କରିବାକୁ ଉଦ୍ୟମ କରାଯାଉଛି । ଏଠାରେ ସୂଚନାଯୋଗ୍ୟ ଯେ ଗୋଟିଏ ବ୍ୟାବସାୟିକ କୋଇଲା ଖଣି ପାଇଁ ଅର୍ଥ ଯୋଗାଣ ବ୍ୟବସ୍ଥା ଇତିମଧ୍ୟରେ ଶେଷ ହୋଇଥିବାବେଳେ ଅନ୍ୟ ଦୁଇଟିର ପ୍ରକ୍ରିୟା ଚାଲିଛି ।

ଯେଉଁମାନେ ନିଲାମ ଡକାରେ ସଫଳ ହେବେ ସେମାନଙ୍କ ପାଇଁ କୋଇଲା ମନ୍ତ୍ରଣାଳୟ ଏକ ‘ସିଙ୍ଗଲ ଉଇଣ୍ଡୋ କ୍ଲିୟରାନ୍ସ ସିଷ୍ଟମ’ ପୋର୍ଟାଲ ପ୍ରସ୍ତୁତ କରିଛି । ସେମାନଙ୍କୁ ଏହି ପୋର୍ଟାଲ ମାଧ୍ୟମରେ ଖଣି ନିଲାମ ଅଧିକାର ଓ ଅନୁମତିପତ୍ର ପ୍ରଦାନ କରାଯିବ । ସଫଳ ବିଡରମାନଙ୍କୁ ଆବଶ୍ୟକ ସାହାଯ୍ୟ ସହଯୋଗ କରିବାକୁ ପ୍ରକଳ୍ପ ମନିଟରିଂ ୟୁନିଟ୍ (ପିଏମ୍‌ୟୁ) ନିଯୁକ୍ତ କରାଯାଇଛି ।

ଅଷ୍ଟମ ପର୍ଯ୍ୟାୟ କୋଇଲା ଖଣି ବ୍ୟାବସାୟିକ ନିଲାମ କାର୍ଯ୍ୟକ୍ରମରେ କେନ୍ଦ୍ର କୋଇଲା, ଖଣି ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ଶ୍ରୀ ପ୍ରହଲ୍ଲାଦ ଜୋଶୀ ମୁଖ୍ୟ ଅତିଥିଭାବେ ଯୋଗଦେଇ ଏହାର ଶୁଭାରମ୍ଭ କରିବେ । ଦେଶରୁ କୋଇଲା ଅଭାବ ଦୂର କରି ଏ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବାକୁ ସରକାର ଏହି ନିଲାମ ବ୍ୟବସ୍ଥା ଆରମ୍ଭ କରିଛନ୍ତି । ଏଥିରେ ଘରୋଇ କ୍ଷେତ୍ରକୁ ସାମିଲ କରି ଉତ୍ପାଦନ ବୃଦ୍ଧି କରିବାକୁ ଉଦ୍ୟମ କରାଯାଉଛି । ଏହି ଅଷ୍ଟମ ପର୍ଯ୍ୟାୟ ନିଲାମରେ ବହୁ ନୂଆ ଉଦ୍ୟୋଗ ଓ ପୁଞ୍ଜିପତି ଭାଗ ନେବେ ବୋଲି ଆଶା କରାଯାଉଛି ।

ଏହି ଖଣି ନିଲାମର ସବିଶେଷ ତଥ୍ୟ, ନିଲାମ ସର୍ତ୍ତାବଳୀ, ସମୟ ସୀମା ଓ ଅନ୍ୟାନ୍ୟ ସୂଚନା ଏମ୍‌ଏସ୍‌ଟିସି ଅକ୍ସନ ପ୍ଲାଟଫର୍ମରୁ ମିଳିପାରିବ । ନିଲାମ କାର୍ଯ୍ୟ ଅନଲାଇନ ବ୍ୟବସ୍ଥାରେ ହେବ । ଏଥି ପାଇଁ ଏକ ସ୍ୱଚ୍ଛ ପ୍ରକ୍ରିୟା ପ୍ରସ୍ତୁତ କରାଯାଇଛି । ରାଜସ୍ୱ ଭାଗର ଶତକଡା ହିସାବରେ ନିଲାମର ଭିତ୍ତି ପ୍ରସ୍ତୁତ ହୋଇଛି ।

Categories
ଧର୍ମ ବିଶେଷ ଖବର ସଂସ୍କୃତି

ନଭେମ୍ବର ୧୫, ସୋମବାର: ଆଜି ଏହି ୪ ଟି ରାଶିର ଲୋକଙ୍କୁ ମିଳିବ ଖୁସି ଖବର, ପଢନ୍ତୁ ଦୈନିକ ରାଶିଫଳ

ମେଷ ରାଶି: ବୈବାହିକ ପ୍ରସ୍ତାବ ଗ୍ରହଣ କରାଯାଇପାରେ | ବ୍ୟବସାୟ-କାରବାର ଅନୁକୂଳ ଲାଭ ଦେବ | ଜରୁରୀ ଜିନିଷକୁ ଠିକ୍ ସମୟରେ ନ ପାଇବାରୁ ଦୁଃଖ ଆସିବ | ବିନିଯୋଗ ଭଲ ହେବ | ଏହାର ପ୍ରଭାବ ଚାକିରିରେ ବୃଦ୍ଧି ପାଇବ | ଆୟ ବୃଦ୍ଧି ପାଇବ | ସମୟ ଅନୁକୂଳ ହେବ | ଘରେ ସୁଖ ଏବଂ ଶାନ୍ତି ରହିବ | ଉପକୃତ ହେବେ।

ବୃଷ ରାଶି: ସମୟ ଖୁସି ପ୍ରଦାନ କରିବ | ବ୍ୟବସାୟ ବୃଦ୍ଧି ପାଇବ | ବିନିଯୋଗ ଭଲ ହେବ | ରୋଜଗାର ବୃଦ୍ଧି ପାଇବ | ଲାଭ ସୁଯୋଗ ଆସିବ | ଘର ବାହାରେ ସୁଖ ମିଳିବ | ଜମି ଏବଂ ନିର୍ମାଣ କ୍ରୟ ଏବଂ ବିକ୍ରୟ ଲାଭଦାୟକ ହେବ | ପ୍ରଗତିର ରାସ୍ତା ଖୋଲାଯିବ। ମେଳ ଖାଇବା ଠାରୁ ଦୂରେଇ ରୁହନ୍ତୁ | ବିପଦ ଏବଂ ବନ୍ଧକ କାର୍ଯ୍ୟରୁ ଦୂରେଇ ରୁହନ୍ତୁ | ଆପଣ କିଛି ବଡ କାମରେ ହାତ ରଖିବାକୁ ସକ୍ଷମ ହେବେ।

ମିଥୁନ ରାଶି: ଏକ ଆନନ୍ଦ ଉତ୍ସବରେ ଅଂଶଗ୍ରହଣ କରିବାର ସୁଯୋଗ ମିଳିବ | ସୁଖ ଏବଂ ମନୋରଞ୍ଜନର ମାଧ୍ୟମ ଉପଲବ୍ଧ ହେବ | ବ୍ୟବସାୟ ଲାଭଦାୟକ ହେବ | ସୃଜନଶୀଳ କାର୍ଯ୍ୟ ସଫଳ ହେବ | ଭାଇମାନଙ୍କ ସହଯୋଗ ମିଳିବ | କୁସଙ୍ଗତି ଯୋଗୁଁ କ୍ଷତି ହେବ | କର୍ମକ୍ଷେତ୍ରରେ ପ୍ରଶଂସା ପାଇବେ | ତତ୍ପରତା ଦେଖାନ୍ତୁ ନାହିଁ | ବିପଦପୂର୍ଣ୍ଣ ଏବଂ ବନ୍ଧକ କାର୍ଯ୍ୟ କରନ୍ତୁ ନାହିଁ।

କର୍କଟ ରାଶି: ଲାଭ ପାଇଁ ସୁଯୋଗ ସ୍ଥଗିତ ରଖାଯିବ | ଠିକ୍ ସମୟରେ ବାହାରୁ ଟଙ୍କା ନ ପାଇବାରୁ ନିରାଶ ହେବେ | ଥଟ୍ଟା ମଜା ଠାରୁ ଦୂରେଇ ରୁହନ୍ତୁ | କର୍ମକ୍ଷେତ୍ରରେ ଅଧିକାରୀମାନେ ଅଧିକ ଆଶା କରିବେ | ଖରାପ ଖବର ଗ୍ରହଣ କରାଯାଇପାରେ | କଠିନ ପରିଶ୍ରମ ଅଧିକ ହେବ | ଆପଣ ଅଧସ୍ତନଙ୍କ ସମର୍ଥନ ପାଇବେ ନାହିଁ | ଥକ୍କା ଲାଗିବ | ବ୍ୟବସାୟରୁ ଅନୁକୂଳ ଲାଭ ହେବ।

ସିଂହ ରାଶି: ବ୍ୟବସାୟ-କାରବାର ଅନୁକୂଳ ଲାଭ ଦେବ | ସାମାଜିକ ପ୍ରତିଷ୍ଠା ବୃଦ୍ଧି ପାଇବ | ଘର ବାହାରେ ସହଯୋଗ ମିଳିବ। ଧନ ପାଇବା ସହଜ ହେବ | ଲାଭ ସୁଯୋଗ ଆସିବ | ଚାକିରିରେ ଠିକ୍ ସମୟରେ ସମସ୍ତ କାର୍ଯ୍ୟ କରିବା ଦ୍ୱାରା ପ୍ରଶଂସା ମିଳିବ | ସମୟର ଅନୁକୂଳତାର ସୁଯୋଗ ନିଅନ୍ତୁ | ପାରିବାରିକ ଚିନ୍ତା ହ୍ରାସ ପାଇବ | ପ୍ରଲୋଭିତ ହୁଅନ୍ତୁ ନାହିଁ।

କନ୍ୟା ରାଶି: ଖୁସିର ଖବର ଗ୍ରହଣ କରାଯିବ | ସମ୍ମାନ ବୃଦ୍ଧି ହେବ | ଆପଣ ଏକ ନୂତନ ଉଦ୍ୟମ ଆରମ୍ଭ କରିବାକୁ ଚିନ୍ତା କରିବେ | ଦୀର୍ଘ ଦୂରତା ଯାତ୍ରା କରିବାକୁ ଇଚ୍ଛା କରିବେ | ବ୍ୟବସାୟରୁ ଅନୁକୂଳ ଲାଭ ହେବ | ପୁରୁଣା ବନ୍ଧୁ ଏବଂ ସମ୍ପର୍କୀୟଙ୍କୁ ଭେଟିବା ଆନନ୍ଦଦାୟକ ହେବ | ବିପଦ ଏବଂ ବନ୍ଧକ କାର୍ଯ୍ୟରୁ ଦୂରେଇ ରୁହନ୍ତୁ | ତତ୍ପରତା ଦେଖାନ୍ତୁ ନାହିଁ।

ତୁଳା ରାଶି: ଭ୍ରମଣ ଅନୁକୂଳ ଲାଭ ଦେବ | ନୂତନ ଚାକିରି ମିଳିପାରିବ | କାର୍ଯ୍ୟରେ ସନ୍ତୁଷ୍ଟ ହେବେ | ନୂତନ ପୋଷାକ ପାଇଁ ଖର୍ଚ୍ଚ ହେବ | ପରୀକ୍ଷା ଏବଂ ସାକ୍ଷାତକାର ଇତ୍ୟାଦିରେ ଆପଣ ସଫଳତା ପାଇବେ | ସୁଖ ଏବଂ ଉତ୍ସାହର ପରିବେଶ ରହିବ | ବ୍ୟବସାୟ ଲାଭଦାୟକ ହେବ | ବିନିଯୋଗ ଏବଂ ଚାକିରି ଅନୁକୂଳ ଲାଭ ଦେବ | ଶୀଘ୍ର କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ।

ବିଛା ରାଶି: ବ୍ୟବସାୟ-କାରବାର ଲାଭଦାୟକ ହେବ | ଆୟରେ ନିଶ୍ଚିତତା ରହିବ | ପରିବାରରେ ସୁଖ ଏବଂ ଶାନ୍ତି ରହିବ | ଅନାବଶ୍ୟକ ଖର୍ଚ୍ଚ ହେବ | ଶତ୍ରୁମାନଙ୍କଠାରୁ ସତର୍କତା ଆବଶ୍ୟକ | ସ୍ୱାସ୍ଥ୍ୟ ଦୁର୍ବଳ ହେବ | କୌଣସି ନିଷ୍ପତ୍ତି ନେବାକୁ ତତ୍ପର ହୁଅନ୍ତୁ ନାହିଁ | ବକ୍ତବ୍ୟକୁ ନିୟନ୍ତ୍ରଣ କରନ୍ତୁ | କାମ କରିବା ଭଳି ଅନୁଭବ କରିବେ ନାହିଁ | ଇଚ୍ଛାକୁ ମଜବୁତ କରନ୍ତୁ।

ଧନୁ ରାଶି: ଯାତ୍ରା ଅନୁକୂଳ ହେବ | ନୂତନ କାର୍ଯ୍ୟଗୁଡ଼ିକ ଆସିବ | ବ୍ୟବସାୟ ଅଭିବୃଦ୍ଧିରେ ଖୁସି ହେବେ | ସମୟର ଅନୁକୂଳତାର ସୁଯୋଗ ନିଅନ୍ତୁ | ଆପଣ ଅଧସ୍ତନମାନଙ୍କ ସାହାଯ୍ୟ ପାଇବେ | ଲାଭ ସୁଯୋଗ ଆସିବ | ହରେଇଥିବା ଟଙ୍କା ପୁନରୁଦ୍ଧାର ହୋଇପାରିବ | ଅଜ୍ଞାତର ଭୟ ରହିବ | ପାରିବାରିକ ସହଯୋଗରେ ସୁଖ ମିଳିବ | ତତ୍ପରତା ଦେଖାନ୍ତୁ ନାହିଁ।

ମକର ରାଶି: ଯୋଜନା ଫଳପ୍ରଦ ହେବ | କାର୍ଯ୍ୟପ୍ରଣାଳୀରେ ଉନ୍ନତି ହେବ | ଲାଭ ସୁଯୋଗ ଆସିବ | ସମ୍ମାନ ପାଇବେ | ବ୍ୟବସାୟ ଅନୁକୂଳ ଲାଭ ଦେବ | ସେୟାର ବଜାରରେ ଦ୍ରୁତ ଗତିରେ ଦୂରେଇ ରୁହନ୍ତୁ | ବିବେକ ବ୍ୟବହାର କରନ୍ତୁ | ଭାଗ୍ୟ ଆପଣଙ୍କୁ ସମର୍ଥନ କରିବ | ସଫଳତା ସହିତ ସୁଖ ମିଳିବ | କଠିନ ପରିଶ୍ରମ ସଫଳ ହେବ | ବରିଷ୍ଠମାନଙ୍କଠାରୁ ମାର୍ଗଦର୍ଶନ ମିଳିବ।

କୁମ୍ଭ ରାଶି: ସୁଖ ଏବଂ ଶାନ୍ତି ରହିବ | ବ୍ୟବସାୟ ସୁରୁଖୁରୁରେ ଚାଲିବ | ସାଙ୍ଗମାନଙ୍କ ସହଯୋଗ ଲାଭ ବୃଦ୍ଧି କରିବ | ବିଚାରାଧୀନ କାର୍ଯ୍ୟ ସମାପ୍ତ ହେବ | ବିନିଯୋଗ ଭଲ ହେବ | ସୁଖର ପରିବେଶ ରହିବ, ଭଲ ଖବର ପାଇବେ | ବିପଦ ଏବଂ ବନ୍ଧକ କାର୍ଯ୍ୟରୁ ଦୂରେଇ ରୁହନ୍ତୁ | ପ୍ରଲୋଭିତ ହୁଅନ୍ତୁ ନାହିଁ | ଆଧ୍ୟାତ୍ମିକତା ପାଇଁ ଆଗ୍ରହୀ ହେବେ | ଆପଣ ଏକ ଧାର୍ମିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାର ସୁଯୋଗ ପାଇବେ।

ମୀନ ରାଶି: ବ୍ୟବସାୟ ଲାଭଦାୟକ ହେବ | ବିନିଯୋଗ କରିବାକୁ ତତ୍ପର ହୁଅନ୍ତୁ ନାହିଁ | ଆୟ ଜାରି ରହିବ | ଥକ୍କା ଏବଂ ଦୁର୍ବଳତା ହୋଇପାରେ | ଅଜ୍ଞାତର ଭୟ ରହିବ | ଦୁର୍ଘଟଣାର ସମ୍ଭାବନା ରହିବ | ଯାନ, ଯନ୍ତ୍ରପାତି ଏବଂ ଅଗ୍ନି ଇତ୍ୟାଦି ବ୍ୟବହାରରେ ସତର୍କ ରୁହନ୍ତୁ। ବକ୍ତବ୍ୟରେ କଡା ଶବ୍ଦ ବ୍ୟବହାର କରିବା ଠାରୁ ଦୂରେଇ ରୁହନ୍ତୁ | କୌଣସି ବ୍ୟକ୍ତିର ଉତ୍ତେଜନାରେ ଶିକାର ହୁଅନ୍ତୁ ନାହିଁ।

Categories
ବିଶେଷ ଖବର

ନଭେମ୍ବର ୧୫କୁ ଜନଜାତୀୟ ଗୌରବ ଦିବସ ଘୋଷଣା ପାଇଁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି (ତା୧୦-୧୧-୨୧) ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ନଭେମ୍ବର ୧୫ତାରିଖକୁ ଜନଜାତୀୟ ଗୌରବ ଦିବସଭାବେ ପାଳନ କରିବା ପ୍ରସ୍ତାବ ଅନୁମୋଦିତ ହୋଇଛି। ମହାନ୍ ପରାକ୍ରମୀ ଆଦିବାସୀ ସ୍ୱାଧୀନତା ସଂଗ୍ରାମୀମାନଙ୍କ ପାଇଁ ଏହି ଦିବସକୁ ଉତ୍ସର୍ଗ କରାଯାଇଛି। ଏହାଫଳରେ ଆଗାମୀ ପିଢି ଦେଶ ପାଇଁ ଏହି ମହାନ୍ ଆଦିବାସୀ ସଂଗ୍ରାମୀମାନଙ୍କର ବଳିଦାନ ସମ୍ପର୍କରେ ଅବଗତ ହୋଇପାରିବେ। ଭାରତୀୟ ସ୍ୱାଧୀନତା ସଂଗ୍ରାମର ମୂଳଦୁଆ ଅନେକ ଆଦିବାସୀ ଗୋଷ୍ଠୀ ଯେପରିକି ସାନ୍ତାଳ, ତମାର, କୋହ୍ଲ, ଭିଲ, ଖାସୀ ଓ ମିଜୋ ଯୋଗୁଁ ମଜବୁତ ହୋଇଥିଲା। ବିଭିନ୍ନ ଆଦିବାସୀ ଗୋଷ୍ଠୀଙ୍କ ଦ୍ୱାରା ବୈପ୍ଲବିକ ଆନ୍ଦୋଳନ ସେମାନଙ୍କ ଅସୀମ ପରାକ୍ରମ ଓ ଚରମ ତ୍ୟାଗ ଯୋଗୁଁ ସମ୍ଭବ ହୋଇଥିଲା। ଦେଶର ବିଭିନ୍ନ ପ୍ରାନ୍ତରେ ବ୍ରିଟିଶ ଉପନିବେଶୀୟ ଶାସନ ବିରୁଦ୍ଧରେ ହୋଇଥିବା ଆଦିବାସୀ ଆନ୍ଦୋଳନ ସ୍ୱାଧୀନତା ସଂଗ୍ରାମ ସହ ଯୋଡି ହୋଇ ଦେଶବ୍ୟାପୀ ଭାରତୀୟମାନଙ୍କୁ ଉତ୍ସାହିତ କରିଥିଲା। ତେବେ ଅଧିକାଂଶ ଆଦିବାସୀ ବୀରମାନଙ୍କ ସମ୍ପର୍କରେ ବିଶେଷ ଜାଣନ୍ତି ନାହିଁ। ୨୦୧୬ ମସିହା ସ୍ୱାଧୀନତା ଦିବସରେ ପ୍ରଧାନମନ୍ତ୍ରୀଙ୍କ ପ୍ରତିଶ୍ରୁତି ଅନୁସାରେ ଭାରତ ସରକାର ଦେଶବ୍ୟାପୀ ଦଶଟି ଆଦିବାସୀ ସ୍ୱାଧୀନତା ସଂଗ୍ରାମୀ ସଂଗ୍ରହାଳୟ ସ୍ଥାପନ ପାଇଁ ମଞ୍ଜୁରି ପ୍ରଦାନ କରିଛନ୍ତି।

ଏହି ଦିବସଟି ହେଉଛି ବିର୍ସା ମୁଣ୍ଡାଙ୍କ ଶତବାର୍ଷିକୀ ଯାହାଙ୍କୁ ଦେଶବ୍ୟାପୀ ଆଦିବାସୀମାନେ ଭଗବାନଭାବେ ମାନନ୍ତି। ବିର୍ସାମୁଣ୍ଡା ବ୍ରିଟିଶ ଉପନିବେଶୀୟ ଶୋଷଣ ବିରୁଦ୍ଧରେ ଅସୀମ ସାହସର ସହ ସୁଦୀର୍ଘ ସଂଗ୍ରାମର ନେତୃତ୍ୱ ନେଉଥିଲେ ଯାହା ଉଲଗୁଲାନ(ବିପ୍ଳବ) ନାମରେ ପ୍ରସିଦ୍ଧି ଲାଭ କରିଥିଲା। ଜନଜାତୀୟ ଗୌରବ ଦିବସ ଘୋଷଣା ଆଦିବାସୀ ଜନମାନସର ଗୌରବମୟ ଇତିହାସ ଓ ସାଂସ୍କୃତିକ ଐତିହ୍ୟର ଏକ ସ୍ୱୀକୃତି। ଏହି ଦିବସ ପ୍ରତିବର୍ଷ ପାଳିତ ହୋଇ ଆଦିବାସୀମାନଙ୍କ ସାଂସ୍କୃତିକ ଐତିହ୍ୟର ସଂରକ୍ଷଣ, ଭାରତୀୟ ମୂଲ୍ୟବୋଧ ଓ ଶୌର୍ଯ୍ୟ, ସେବା ଓ ଜାତୀୟ ଗର୍ବ ଲୋକଲୋଚନକୁ ଆଣିବ । ବିର୍ସା ମୁଣ୍ଡା ଶେଷ ନିଶ୍ୱାସ ତ୍ୟାଗ କରିଥିବା ରାଞ୍ଚିର ଜନଜାତି ସ୍ୱାଧୀନତା ସଂଗ୍ରାମୀ ସଂଗ୍ରହାଳୟକୁ ପ୍ରଧାନମନ୍ତ୍ରୀ ଉଦ୍‌ଘାଟନ କରିବେ।

ଭାରତ ସରକାର ନଭେମ୍ବର ୧୫ରୁ ୨୨, ୨୦୨୧ ପର୍ଯ୍ୟନ୍ତ ସାତଦିନ ଧରି ଆଦିବାସୀମାନଙ୍କ ୭୫ବର୍ଷର ଗୌରବମୟ ଇତିହାସ ସଂସ୍କୃତି ଓ ସାଫଲ୍ୟକୁ ଉତ୍ସବଭାବେ ପାଳନ କରିବାକୁ ସ୍ଥିର କରିଛନ୍ତି।

ଏହି ଉତ୍ସବ ପାଳନର ଅଂଶସ୍ୱରୂପ ଅନେକ କାର୍ଯ୍ୟକ୍ରମ କେନ୍ଦ୍ର ଓ ରାଜ୍ୟ ସରକାର ହାତକୁ ନେଇଛନ୍ତି। ପ୍ରତ୍ୟେକ କାର୍ଯ୍ୟକ୍ରମ ମୂଳରେ ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଆଦିବାସୀମାନଙ୍କ ଅବଦାନ ଭାରତ ସରକାରଙ୍କ ଦ୍ୱାରା ଶିକ୍ଷା, ସ୍ୱାସ୍ଥ୍ୟ, ଜୀବିକା, ଭିତ୍ତିଭୂମି ଓ କୌଶଳ ବିକାଶ କ୍ଷେତ୍ରରେ ନିଆଯାଉଥିବା କଲ୍ୟାଣ ମୂଳକ ପଦକ୍ଷେପ ସମ୍ପର୍କରେ ବର୍ଣ୍ଣନା ରହିବ। କାର୍ଯ୍ୟକ୍ରମ ଗୁଡିକରେ ଅନନ୍ୟ୍ୟ ଆଦିବାସୀ  ସାଂସ୍କୃତିକ ଐତିହ୍ୟ, ସ୍ୱାଧୀନତା ସଂଗ୍ରାମରେ ସେମାନଙ୍କ ଅବଦାନ, ଅଧିକାର ଚଳଣି, ପରମ୍ପରା, ସ୍ୱାସ୍ଥ୍ୟ, ଶିକ୍ଷା, ଖାଦ୍ୟପେୟ ଓ ଜୀବନଜୀବିକାର ଝଲକ ରହିବ।