Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଅକ୍ଟୋବର ୨୦ରୁ ନଭେମ୍ବର ୬ ପର୍ଯ୍ୟନ୍ତ ଓଡ଼ିଶାରେ ପରିକ୍ରମା କରିବ ‘ସ୍ବର୍ଣ୍ଣିମ ବିଜୟ ବର୍ଷ’ ମଶାଲ

ନୂଆଦିଲ୍ଲୀ: ୧୯୭୧ ଭାରତ-ପାକ୍ ଯୁଦ୍ଧରେ ଭାରତର ଐତିହାସିକ ବିଜୟର ୫୦ ବର୍ଷ ପୂର୍ତ୍ତି ସମାରୋହକୁ ‘ସ୍ବର୍ଣ୍ଣିମ ବିଜୟ ବର୍ଷ’ ଭାବେ ଦେଶବ୍ୟାପୀ ପାଳନ କରାଯାଉଛି। ଏହି ଉପଲକ୍ଷେ ଏକ ବିଜୟ ମଶାଲ ସାରା ଦେଶ ପରିକ୍ରମା କରୁଛି। ୧୬ ନଭେମ୍ବର ୨୦୨୦ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ମଶାଲରେ ଅଗ୍ନି ସଂଯୋଗ କରିଥିଲେ।

ଏହି ବିଜୟ ମଶାଲ ପ୍ରଥମ ଥର ପାଇଁ ଆସନ୍ତା ୨୦ ତାରିଖରେ ଓଡ଼ିଶାରେ ପହଞ୍ଚିବ। ଏହା ଅକ୍ଟୋବର ୨୦ ତାରିଖରେ ଛତିଶଗଡ଼ର ରାୟପୁରରୁ ଆସି ଗଞ୍ଜାମ ଜିଲ୍ଲାର ଗୋପାଳପୁର ଠାରେ ପହଞ୍ଚିବ। ୨୧ରୁ ୨୬ ଅକ୍ଟୋବର ପର୍ଯ୍ୟନ୍ତ ଏହା ଗୋପାଳପୁରରେ ରହିବ। ଏହାପରେ ୨୭ ଅକ୍ଟୋବରରେ ଗୋପାଳପୁରରୁ ବାହାରି ଚିଲିକାରେ ପହଞ୍ଚିବ। ୨୮ ଅକ୍ଟୋବରରେ ଏହା ଆଇଏନଏସ ଚିଲିକାରେ ରହିବ।

ଏହାପରେ ଅକ୍ଟୋବର ୨୯ ତାରିଖରେ ମଶାଲ ଭୁବନେଶ୍ବର ଅଭିମୁଖେ ବାହାରିବ। ୩୦ ଅକ୍ଟୋବର ଠାରୁ ନଭେମ୍ବର ୫ ତାରିଖ ପର୍ଯ୍ୟନ୍ତ ମଶାଲ ଭୁବନେଶ୍ବରରେ ରହିବ। ଭୁବନେଶ୍ବରରେ ଭାରତୀୟ ସେନାର ଷ୍ଟେସନ ମୁଖ୍ୟାଳୟ, ରାଜଭବନ ଆଦି ବିଭିନ୍ନ ଅନୁଷ୍ଠାନ ପରିସରରେ ମଶାଲକୁ ରଖାଯିବ। ମଶାଲ ଭୁବନେଶ୍ବରରେ ରହିବା ସମୟରେ ୧୯୭୧ ଯୁଦ୍ଧରେ ଭାରତୀୟ ସେନାର ବୀରତ୍ବର ସ୍ମୃତିରେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଆୟୋଜନ କରାଯିବ। ପରେ ନଭେମ୍ବର ୬ ତାରିଖରେ ମଶାଲ ବାଲେଶ୍ବର ଅଭିମୁଖେ ଯାତ୍ରା କରିବ। ସେଠାରୁ ନଭେମ୍ବର ୭ ତାରିଖରେ ଜାମଶେଦପୁର ଅଭିମୁଖେ ଯିବାର କାର୍ଯ୍ୟକ୍ରମ ରହିଛି।