Categories
ଆଜିର ଖବର ରାଜ୍ୟ ଖବର

ଚିଲିକାରେ କେନ୍ଦ୍ରୀୟ ବିଶେଷଜ୍ଞ ଦଳ: ବାର୍ଡ଼ ଫ୍ଲୁ ରୋକିବା ଲାଗି ପକ୍ଷୀମାନଙ୍କଠାରୁ କଲେ ନମୁନା ସଂଗ୍ରହ

ସୀତାରାମ ଅଗ୍ରୱାଲ

ଚିଲିକା: ବାର୍ଡ଼ ଫ୍ଲୁ କୁ ରୋକିବା ପାଇଁ କେନ୍ଦ୍ର ସରକାରଙ୍କ ଆଗୁଆ ପଦକ୍ଷେପ ସ୍ୱରୂପ ବିଭିନ୍ନ ପକ୍ଷୀମାନଙ୍କ ନମୁନା ସଂଗ୍ରହ ନିମନ୍ତେ ଏକ କେନ୍ଦ୍ରୀୟ ବିଶେଷଜ୍ଞ ଦଳ ଆଜି ଦୁଇ ଦିନିଆ ଚିଲିକା ଗସ୍ତରେ ଆସିଛନ୍ତି। ଉକ୍ତ ଟିମରେ ଭୋପାଳ ସ୍ଥିତ ଏଚ.ଏସ.ଏ.ଡ଼ି.ଏଲ ର ବୈଜ୍ଞାନିକ ଡ଼ା ଚକ୍ରଧର ତୋଷ, କଟକ ସ୍ଥିତ ଏ.ଡ଼ି.ଆର.ଆଇ ର ବୈଜ୍ଞାନିକ ଡ଼ା ଜ୍ୟୋତି ମିଶ୍ର, ବାଲୁଗାଁ ଅତିରିକ୍ତ ପ୍ରାଣୀଧନ ଅଧିକାରିଣୀ ଡ଼ା ସମାପିକା ମହାପାତ୍ର ଏବଂ ଚିଲିକା ବ୍ଲକ ପ୍ରାଣୀଧନ ବିଶେଷଜ୍ଞ ଡ଼ା ଦେବାଶିଷ ଦାସ ଆଦି ସାମିଲ ଥିଲେ।

ତେବେ ଆଜି ପ୍ରଥମ ଦିନରେ ଉକ୍ତ ଟିମ ଚିଲିକା ବନ୍ୟପ୍ରାଣୀ ଡିଭିଜନ ଅଧିକାରୀଣି ଆଇଏଫଏସ ଜ୍ୟୋତି କୋଟାଲଙ୍କ ଉପସ୍ଥିତିରେ ନଳବଣ ଅଞ୍ଚଳରୁ ୬୯ ଗୋଟି ବିଭିନ୍ନ ପ୍ରଜାତିର ପକ୍ଷୀ ମାନଙ୍କ ନମୁନା ସଂଗ୍ରହ କରିଥିଲେ। ସେହିପରି ଭାବେ ଚିଲିକା ତଟବର୍ତ୍ତୀ ଅଞ୍ଚଳରୁ ପ୍ରାଣୀସମ୍ପଦ ବିଭାଗ ପକ୍ଷରୁ ୧୬୦ ଗୋଟି ପକ୍ଷୀମାନଙ୍କ ନାସିକାରୁ ନମୁନା ସଂଗ୍ରହ କରାଯାଇଥିଲା।

ତେବେ ଉକ୍ତ କାର୍ଯ୍ୟକ୍ରମଟି ଜିଲ୍ଲା ମୁଖ୍ୟ ପ୍ରାଣୀ ସମ୍ପଦ ଅଧିକାରୀ ଡ଼ା ଆଶିଷ କୁମାର ଶତପଥୀଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିବାବେଳେ ଉକ୍ତ ଟିମ ଆସନ୍ତାକାଲି ଟାଙ୍ଗୀ, ମଙ୍ଗଳାଯୋଡି ଯାଇ ସେଠାରୁ ବିଭିନ୍ନ ପକ୍ଷୀଙ୍କ ନମୁନା ସଂଗ୍ରହ କରିବ ବୋଲି ସୂଚନା ମିଳିଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଏଣିକି ବରିଷ୍ଠ ନାଗରିକଙ୍କ ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା: ଫୋନ କଲେ ଘରକୁ ଆସିବ ନମୁନା ସଂଗ୍ରହ ଗାଡି

ଭୁବନେଶ୍ବର: ଭୁବନେଶ୍ବର ମହାନଗର ନିଗମ ଆଜି ବରିଷ୍ଠ ନାଗରିକଙ୍କ ପାଇଁ ଏକ ସ୍ଵତନ୍ତ୍ର ବ୍ୟବସ୍ଥା କରିଛି। ଲକ୍ଷଣ ଦେଖାଯାଉଥିବା କୌଣସି ବରିଷ୍ଠ ନାଗରିକ ଯଦି କରୋନା ପରୀକ୍ଷା କେନ୍ଦ୍ରକୁ ଆସିବା ପାଇଁ ଅସମର୍ଥ ଅଛନ୍ତି। ସେମାନଙ୍କ ପାଇଁ ବିଏମସି ଏକ ଭଲ ବ୍ୟବସ୍ଥା କରିଛି। ଘରୁ ଆସିପାରୁନଥିବା ବରିଷ୍ଠ ନାଗରିକ ମାନେ ଏବେ ଫୋନ କଲେ ନମୁନା ସଂଗ୍ରହ ଗାଡି ତାଙ୍କ ଘରେ ପହଞ୍ଚିବ। ସେଠାରେ ଏହି ଗାଡି ତାଙ୍କର ନମୁନା ସଂଗ୍ରହ କରିବ।

ତେବେ ଏଥିପାଇଁ କୋଭିଡ ପରୀକ୍ଷା କରିବାକୁ ଆଗ୍ରହ ପ୍ରକାଶ କରୁଥିବା ବରିଷ୍ଠ ନାଗରିକମାନେ ୧୯୨୯ ନମ୍ବରକୁ ଫୋନ କରିବାକୁ ପଡିବ। ଏହି ବ୍ୟବସ୍ଥା ଆସନ୍ତା ସୋମବାରଠାରୁ କାର୍ଯ୍ୟକ୍ଷମ ହେବ ବୋଲି ବିଏମସି କମିଶନର ସଞ୍ଜୟ କୁମାର ସିଂହ କହିଛନ୍ତି।

ସେହିଭଳି ଟୀକା ପାଇଁ ମଧ୍ୟ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଛି। ଟୀକା ପାଇଁ ଯେଉଁ ବରିଷ୍ଠ ନାଗରିକମାନେ ସମସ୍ୟାରେ ପଡୁଥିବେ, ସେମାନଙ୍କ ପାଇଁ ମଧ୍ୟ ବିଏମସି ପ୍ରଶଂସନୀୟ ପଦକ୍ଷେପ ନେଇଛି। ଏକା ରହୁଥିବା ବରିଷ୍ଠ ନାଗରିକମାନେ ଫୋନ କରି ନିଜର ତଥ୍ୟ ଦେଲେ, ଘରେ ଗାଡି ପହଞ୍ଚିବ। ୧୯୨୯କୁ ଫୋନ କଲେ ସମ୍ପୃକ୍ତ ବ୍ୟକ୍ତିଙ୍କ ଘରେ ଗାଡି ପହଞ୍ଚିବ। ତାଙ୍କୁ ଟୀକାକରଣ କେନ୍ଦ୍ରକୁ ନେଇ ଟୀକା ଦେବା ପରେ ପୁନଶ୍ଚ ଘରେ ଛାଡିବାର ବ୍ୟବସ୍ଥା ମଧ୍ୟ କରାଯିବ। ଏନେଇ  ବିଏମସି କମିଶନର ସଞ୍ଜୟ କୁମାର ସିଂହ ଘୋଷଣା କରିଛନ୍ତି।