Categories
ବିଶେଷ ଖବର

ସାମ୍ନାକୁ ଆସିଲା ରାହୁଲ ଗାନ୍ଧିଙ୍କ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରାର ପ୍ରକୃତ କାରଣ: ପୂରା କଥା କହିଲେ କଂଗ୍ରେସ ଅଧ୍ୟକ୍ଷ

ନୂଆଦିଲ୍ଲୀ: ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା ବାହାରିବା ପଛର କାରଣ ସ୍ପଷ୍ଟ କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ। ସରକାର ଆମକୁ ସଂସଦରେ ଆମର ପ୍ରସଙ୍ଗ ଉଠାଇବାକୁ ସୁଯୋଗ ଦେଇନଥିବାରୁ କଂଗ୍ରେସ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା କରୁଛି ବୋଲି ଖଡଗେ କହିଛନ୍ତି। ଏହି ପ୍ଲାଟଫର୍ମ ଜରିଆରେ ଆମେ ଲୋକଙ୍କ କଥା ଶୁଣିବୁ। ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଆୟୋଜିତ ହେବାକୁ ଥିବା ଏହି ଯାତ୍ରା ମଣିପୁର ରାଜଧାନୀ ଇମ୍ଫାଲରୁ ଆରମ୍ଭ କରି ୬୬ ଦିନ ମଧ୍ୟରେ ୧୧୦ଟି ଜିଲ୍ଲା, ୧୦୦ଟି ଲୋକସଭା ନିର୍ବାଚନ ମଣ୍ଡଳୀ ଏବଂ ୩୩୭ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ପରିକ୍ରମା କରିବ। ଏଥିରେ ସାମିଲ ଲୋକମାନେ ବସ୍ ଓ ପାଦରେ ଯାତ୍ରା କରିବେ।

ଖଡଗେ କହିଛନ୍ତି ଯେ, ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା ଦେଶର ମୌଳିକ ସାମାଜିକ, ରାଜନୈତିକ ଏବଂ ଅର୍ଥନୈତିକ ପ୍ରସଙ୍ଗ ଉପରେ ଧ୍ୟାନ ଦେବ। ଏହି ପଦଯାତ୍ରାରେ ସାମିଲ ହେବା ପାଇଁ ବିରୋଧୀ ଇଣ୍ଡି ମେଣ୍ଟର ନେତା ଏବଂ ନାଗରିକ ସମାଜର ସଦସ୍ୟମାନଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି ବୋଲି ସେ କହିଛନ୍ତି। ପୂର୍ବରୁ କଂଗ୍ରେସ କହିଥିଲା ଯେ ପୂର୍ବରୁ ପଶ୍ଚିମ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା କନ୍ୟାକୁମାରୀରୁ କାଶ୍ମୀର ପର୍ଯ୍ୟନ୍ତ ପୂର୍ବର ‘ଦକ୍ଷିଣରୁ ଉତ୍ତର ଭାରତ ଯୋଡ଼ୋ ଯାତ୍ରା’ ପରି ପ୍ରଭାବଶାଳୀ ଏବଂ ପରିବର୍ତ୍ତନକାରୀ ସାବ୍ୟସ୍ତ ହେବ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରି ଖଡଗେ କହିଛନ୍ତି ଯେ ମଣିପୁରରେ ଦୁର୍ଭାଗ୍ୟଜନକ ଘଟଣା ଘଟିଛି ଏବଂ ସବୁଠି କଥାବାର୍ତ୍ତା କରୁଥିବା ଏବଂ ଫଟୋ ଉଠାଇଥିବା ପ୍ରଧାନମନ୍ତ୍ରୀ ଏପର୍ଯ୍ୟନ୍ତ ହିଂସା ପ୍ରଭାବିତ ରାଜ୍ୟକୁ ଯାଇ ନାହାନ୍ତି। କେନ୍ଦ୍ରର ବିଜେପି ନେତୃତ୍ୱାଧୀନ ସରକାର ବିରୋଧୀ ନେତାଙ୍କୁ ଧମକ ଦେବା ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏବଂ ଆୟକର ବିଭାଗ ଭଳି ଏଜେନ୍ସିର ଅପବ୍ୟବହାର କରୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।

ଜାନୁଆରୀ ୨୨ରେ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ସମାରୋହରେ ଯୋଗ ଦେବେକି ବୋଲି ପଚରାଯିବାରୁ ଖଡଗେ କହିଛନ୍ତି ଯେ ତାଙ୍କୁ ଏହି ସମାରୋହ ପାଇଁ ନିମନ୍ତ୍ରଣ ମିଳିଛି ଏବଂ ସେ ଖୁବ୍ ଶୀଘ୍ର ଏହା ଉପରେ ନିଷ୍ପତ୍ତି ନେବେ। ନୂଆ ଶ୍ରମ ଆଇନ ଓ ଅପରାଧିକ ଆଇନ ସମ୍ପର୍କରେ ଉଲ୍ଲେଖ କରି କଂଗ୍ରେସ ଅଧ୍ୟକ୍ଷ କହିଛନ୍ତି ଯେ ସରକାର ଆଣିଥିବା ଆଇନ ଏକଛତ୍ରବାଦର ସଙ୍କେତ ଦେଉଛି।

Categories
ଆଜିର ଖବର

ଏନସିଆରଏଫ ଖସଡ଼ାକୁ ସର୍ବୋତ୍ତମ କରିବା ପାଇଁ ଜନ ପରାମର୍ଶର ଶୁଭାରମ୍ଭ କଲେ କେନ୍ଦ୍ର ମନ୍ତ୍ରୀ

ନୂଆଦିଲ୍ଲୀ/ଭୁବନେଶ୍ୱର: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ନୂଆଦିଲ୍ଲୀ ଠାରେ ସ୍କୁଲ ଶିକ୍ଷା, ଉଚ୍ଚ ଶିକ୍ଷା ଏବଂ ସ୍କିଲିଂ ପାଇଁ ନ୍ୟାସନାଲ କ୍ରେଡ଼ିଟ୍ ଫ୍ରେମଓ୍ୱାର୍କ (ଏନସିଆରଏଫ) ଖସଡ଼ାକୁ ସର୍ବୋତ୍ତମ କରିବା ପାଇଁ ଜନ ପରାମର୍ଶର ଶୁଭାରମ୍ଭ କରିଛନ୍ତି। ଛାତ୍ରଛାତ୍ରୀ ଏବଂ ଯୁବବର୍ଗଙ୍କୁ ସଶକ୍ତ କରିବା ପାଇଁ ଜାତୀୟ ଶିକ୍ଷା ନୀତି (ଏନଇପି) ଅନ୍ତର୍ଗତ ନ୍ୟାସନାଲ କ୍ରେଡିଟ୍ ଫ୍ରେମଓ୍ୱାର୍କ ଏକ ବହୁମୁଖୀ ଉପକରଣ ବୋଲି ସେ କହିଛନ୍ତି।

ଜନଭାଗିଦାରୀ ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶାସନର ପ୍ରମୁଖ ସ୍ତମ୍ଭ। ଜାତୀୟ ଶିକ୍ଷା ନୀତି-୨୦୨୦କୁ ଜନଭାଗିଦାରୀରେ ପରିଣତ କରିବା ପାଇଁ ମଧ୍ୟ ମୋଦି ସରକାରଙ୍କ ପ୍ରଚେଷ୍ଟା ରହିଛି। ଜନସାଧାରଣଙ୍କ ସ୍ୱୀକୃତି ଅନୁସାରେ ପଲିସି ତିଆରି କରିବା ଉପରେ ଗୁରୁତ୍ୱ ଦିଆଯାଉଛି। ନ୍ୟାସନାଲ କ୍ରେଡିଟ୍ ଫ୍ରେମଓ୍ୱାର୍କକୁ ସର୍ବୋତ୍ତମ କରିବା ପାଇଁ ଆସନ୍ତା ୪୦ ଦିନ ପର୍ଯ୍ୟନ୍ତ ଏହି ଜନପରାମର୍ଶ ଲୋଡାଯାଇଛି। ଶ୍ରୀ ପ୍ରଧାନ ଦେଶର ସବୁ ଶିକ୍ଷାନୁଷ୍ଠାନ, ସ୍କୁଲ, ଆଇଟିଆଇ, ବୈଷୟିକ ଶିକ୍ଷାନୁଷ୍ଠାନ, କେନ୍ଦ୍ରୀୟ ଅନୁଦାନ ପ୍ରାପ୍ତ ଉଚ୍ଚ ଶିକ୍ଷାନୁଷ୍ଠାନ, ରାଜ୍ୟ ବିଶ୍ୱବିଦ୍ୟାଳୟକୁ ନିଜ ଓ୍ୱେବସାଇଟରେ ନ୍ୟାସନାଲ କ୍ରେଡିଟ୍ ଫ୍ରେମଓ୍ୱାର୍କ ପାଇଁ ନାଗରିକଙ୍କ ଠାରୁ ମତାମତ ନେବା ପାଇଁ ଅପିଲ୍ କରିଛନ୍ତି।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ନ୍ୟାସନାଲ କ୍ରେଡିଟ୍ ଫ୍ରେମଓ୍ୱାର୍କ ହେଉଛି ଆଗାମୀ ଭବିଷ୍ୟତ ପାଇଁ ଏବଂ ଜାତୀୟ ଶିକ୍ଷା ନୀତି ଅଧୀନରେ ଏହା ହେଉଛି ଏକ ବହୁମୁଖୀ ଉପକରଣ। ଭାରତ ସରକାର ଧନ୍ଦାମୂଳକ ଓ ସାଧାରଣ ଶିକ୍ଷା ପାଇଁ ଏକ ଜାତୀୟ କ୍ରେଡିଟ୍ ଆକ୍ୟୁମୁଲେସନ ଓ ଟ୍ରାନ୍ସଫର ଫ୍ରେମୱାର୍କ ବିକଶିତ କରିବାକୁ ଉଚ୍ଚ ସ୍ତରୀୟ କମିଟି ଗଠନ ପାଇଁ ମଞ୍ଜୁରୀ ଦେଇଥିଲେ। ଏହି କ୍ରେଡିଟ୍ ଫ୍ରେମୱାର୍କ ଶିକ୍ଷା ସହ ଧନ୍ଦାମୂଳକ ଶିକ୍ଷା ଅନୁସାରେ ଛାତ୍ରଛାତ୍ରୀ ମାନଙ୍କୁ କ୍ରେଡିଟ୍ ପ୍ରଦାନ କରିବ। ଛାତ୍ରଛାତ୍ରୀଙ୍କ ବିକାଶ, ସ୍କୁଲ, ଉଚ୍ଚ  ଶିକ୍ଷାନୁଷ୍ଠାନ ସହ ଧନ୍ଦାମୂଳକ  ଶିକ୍ଷା ଏବଂ ଅଭିଜ୍ଞତା ଆଧାରିତ ପାଠପଢ଼ା ମଧ୍ୟରେ ଏକତ୍ରିକରଣ କରାଯାଇ ଦକ୍ଷତା ବିକାଶ ଓ ଧନ୍ଦାମୂଳକ ଶିକ୍ଷାକୁ ମୁଖ୍ୟ ସ୍ରୋତକୁ ଆଣିବାରେ ନ୍ୟାସନାଲ କ୍ରେଡିଟ ଫ୍ରେମଓ୍ୱାର୍କ ଗେମ୍ ଚେଞ୍ଜର ହେବ।

ଅଧାରୁ ପାଠପଢା ଛାଡି ଦେଇଥିବା ଛାତ୍ରଛାତ୍ରୀଙ୍କୁ ପୁଣି ଥରେ ଶିକ୍ଷା ସହ ଯୋଡ଼ିବାରେ ସାହାଯ୍ୟ କରିବ। ଶିକ୍ଷାନୁଷ୍ଠାନ, ଦକ୍ଷତା ବିକାଶ ଅନୁଷ୍ଠାନ ଏବଂ କାର୍ଯ୍ୟ କ୍ଷେତ୍ରରେ ଥିବା ଲୋକଙ୍କୁ ସ୍କିଲି, ରି-ସ୍କିଲିଂ, ଅପ ସ୍କିଲିଂ, ସ୍ୱୀକୃତି ଏବଂ ମୂଲ୍ୟାଙ୍କନରେ ଅନ୍ତର୍ଭୃକ୍ତ କରିବା ପାଇଁ ନ୍ୟାସନାଲ କ୍ରେଡିଟ୍ ଫ୍ରେମଓ୍ୱାର୍କ ସହାୟକ ହେବ। ପୂର୍ବରୁ ଏ ନେଇ ରାଜ୍ୟ ସରକାର, ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ଏବଂ ଶିକ୍ଷା ଓ ଦକ୍ଷତା କ୍ଷେତ୍ରର ବ୍ୟକ୍ତିବିଶେଷଙ୍କ ସହ ପୂର୍ବରୁ ଅନେକ ଥର ଚର୍ଚ୍ଚା ଆଲୋଚନା ହୋଇଛି। ଶିକ୍ଷା, ଦକ୍ଷତା ବିକାଶ ଏବଂ ଅଭିଜ୍ଞତାକୁ ପ୍ରୋତ୍ସାହିତ କରିବା ପାଇଁ ସଂସ୍କାର ଆଣିବାକୁ ହେବ ବୋଲି କେନ୍ଦ୍ରମନ୍ତ୍ରୀ ମତପ୍ରକାଶ କରିଛନ୍ତି।

ଏହି କାର୍ଯ୍ୟକ୍ରମରେ ଶିକ୍ଷା ରାଷ୍ଟ୍ର ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ରାଷ୍ଟ୍ର ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର, ଉଚ୍ଚ ଶିକ୍ଷା ସଚିବ ଓ ଦକ୍ଷତା ବିକାଶ, ଉଦ୍ୟମିତା ବିଭାଗର ସଚିବ ଉପସ୍ଥିତ ଥିଲେ।