Categories
ଆଜିର ଖବର ଜାତୀୟ ଖବର

୭୭ତମ ସ୍ୱାଧୀନତା ଦିବସରେ ନର୍ସ, ଡାକ୍ତର ଏବଂ ଅନ୍ୟମାନଙ୍କ ପ୍ରୟାସକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ସ୍ୱାଧୀନତା ଦିବସ ପାଳନ ଉପଲକ୍ଷେ ଲାଲକିଲା ପ୍ରାଚୀରରୁ ୫୦ ଜଣ ନର୍ସ ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କୁ ସ୍ୱତନ୍ତ୍ର ଅତିଥି ଭାବେ ନିମନ୍ତ୍ରଣ କରାଯାଇଥିଲା। ବିଭିନ୍ନ ବର୍ଗର ୧୮୦୦ ସ୍ୱତନ୍ତ୍ର ଅତିଥି ମାନଙ୍କ ମଧ୍ୟରେ ସରପଞ୍ଚ, ଶିକ୍ଷକ, କୃଷକ ଓ ମତ୍ସ୍ୟଜୀବୀମାନେ ସାମିଲ ଥିଲେ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦେଶର ଭାଗ୍ୟ ବଦଳାଇବା ପାଇଁ ନର୍ସ, ଡାକ୍ତର ଏବଂ ଅନ୍ୟମାନଙ୍କ ପ୍ରୟାସକୁ ପ୍ରଶଂସା କରିଥିଲେ । ସେ କହିଥିଲେ ଯେ କୋଭିଡ୍ ଆମକୁ ଶିଖାଇଛି ଯେ ମାନବ କେନ୍ଦ୍ରିତ ଆଭିମୁଖ୍ୟ ବିନା ବିଶ୍ୱର ବିକାଶ ସମ୍ଭବ ନୁହେଁ।

ଦେଶର ସାର୍ବଜନୀନ ସ୍ୱାସ୍ଥ୍ୟ କଭରେଜରେ ଉନ୍ନତି ଆଣିବା ପାଇଁ ସରକାରଙ୍କ ପ୍ରୟାସକୁ ଗୁରୁତ୍ୱ ଦେଇ ସେ କହିଛନ୍ତି ଯେ ଆୟୁଷ୍ମାନ ଭାରତରେ ସରକାର ୭୦,୦୦୦ କୋଟି ଟଙ୍କା ବିନିଯୋଗ କରିଛନ୍ତି ଯାହା ବିପିଏଲ ପରିବାରମାନଙ୍କୁ ବାର୍ଷିକ ୫ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ଗ୍ୟାରେଣ୍ଟି ପ୍ରଦାନ କରିଥାଏ।

ଦେଶବାସୀଙ୍କୁ ସମ୍ବୋଧିତ କରି ଶ୍ରୀ ମୋଦୀ କହିଥିଲେ, ୨୦୦ କୋଟିରୁ ଅଧିକ କୋଭିଡ୍ ଟିକାକରଣର ମାଇଲଖୁଣ୍ଟ ହାସଲ କରିବାରେ ସ୍ୱାସ୍ଥ୍ୟକର୍ମୀ ବିଶେଷ କରି ଅଙ୍ଗନବାଡ଼ି କର୍ମୀ ଓ ଆଶା କର୍ମୀଙ୍କ ନିଷ୍ଠା ଓ ନିରନ୍ତର ପ୍ରୟାସ ରହିଥିଲା। ସେମାନଙ୍କ ଉଲ୍ଲେଖନୀୟ ଅବଦାନକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ। “କୋଭିଡ୍ ସମୟରେ ଏବଂ ଏହାପରେ ବିଶ୍ୱକୁ ସାହାଯ୍ୟ କରିବା ଦ୍ୱାରା ଭାରତ ବିଶ୍ୱର ବନ୍ଧୁ ଭାବରେ ପ୍ରତିଷ୍ଠିତ ହୋଇପାରିଛି”, ସେ ଉଲ୍ଲେଖ କରିଥିଲେ ।

ଏକ ବିଶ୍ୱ, ଏକ ସ୍ୱାସ୍ଥ୍ୟ ଏବଂ ଏକ ଭବିଷ୍ୟତର ଲକ୍ଷ୍ୟ ଉପରେ ଆଲୋକପାତ କରି ସେ କହିଥିଲେ ଯେ ଜନ ଔଷଧୀ କେନ୍ଦ୍ରଗୁଡ଼ିକ ୨୦,୦୦୦ କୋଟି ଟଙ୍କା ସଞ୍ଚୟ କରି ଦେଶର ମଧ୍ୟବିତ୍ତ ବର୍ଗଙ୍କୁ ନୂତନ ଶକ୍ତି ପ୍ରଦାନ କରିଛି। ଜନ ଔଷଧି କେନ୍ଦ୍ରସଂଖ୍ୟା ବର୍ତ୍ତମାନର ୧୦,୦୦୦ରୁ ୨୫,୦୦୦କୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖି ଆଗାମୀ ଦିନରେ ଦେଶ କାର୍ଯ୍ୟ କରିବାକୁ ଯାଉଛି ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଡାକ୍ତର, ନର୍ସ, ପାରାମେଡିକାଲ୍‌ କର୍ମଚାରୀଙ୍କୁ ତାଲିମ କାର୍ଯ୍ୟକ୍ରମ ଆୟୋଜନ କରିବ ଏମ୍‌ସ ଭୁବନେଶ୍ବର

ଭୁବନେଶ୍ୱର: ପ୍ରାଥମିକ ଚିକିତ୍ସା ସେବା ପ୍ରଦାନ କରୁଥିବା ଡାକ୍ତର, ନର୍ସ, ପାରାମେଡିକାଲ୍‌ କର୍ମଚାରୀମାନେ ମଧୁମେହଜନିତ ପାଦର ଘା, ଦୀର୍ଘକାଳୀନ ଚାପଯୁକ୍ତ ଘା, ଆଘାତଜନିତ କ୍ଷତ, ଭେନସ୍ ଅଲସର ଆଦି କ୍ଷତର ଯତ୍ନ ନେଇଥାଆନ୍ତି। ମାତ୍ର ଏହି କ୍ଷତଗୁଡ଼ିକର ସୁପରିଚାଳନା ନିମନ୍ତେ ଘରୋଇ ଭାବେ ଉପଲବ୍ଧ ବ୍ୟବସ୍ଥାର ଉପଯୋଗ କରିବା ସମୟର ଆହ୍ବାନ। ସାମଗ୍ରୀକ ଭାବେ ଏହା ସମାଜ ପାଇଁ ଉପଯୋଗୀ ସାବ୍ୟସ୍ତ ହେବ। ତେଣୁ ଉପରୋକ୍ତ ବିଭିନ୍ନ ଆଘାତଜନିତ ଏବଂ ଦୀର୍ଘକାଳୀନ କ୍ଷତର ଉତ୍ତମ ସେବାଯତ୍ନ ନିମନ୍ତେ ଏମ୍‌ସ ଭୁବନେଶ୍ବରର ଟ୍ରମା ଏବଂ ଜରୁରୀକାଳୀନ, ଜେନେରାଲ୍ ସର୍ଜରୀ ବିଭାଗ ଏବଂ ନର୍ସିଂ କଲେଜ୍ର ବିଶେଷଜ୍ଞଙ୍କୁ ନେଇ ଗଠିତ ଏକ ଟିମ୍ ନିକଟ ଭବିଷ୍ୟତରେ ଭୁବନେଶ୍ୱର ଏବଂ ଏହାର ପାର୍ଶ୍ବବର୍ତ୍ତୀ ସ୍ୱାସ୍ଥ୍ୟ କେନ୍ଦ୍ରର ପ୍ରାଥମିକ ଚିକିତ୍ସା ସେବା ପ୍ରଦାନ କରୁଥିବା କର୍ମଚାରୀଙ୍କ ନିମନ୍ତେତ ଉନ୍ନତ ତାଲିମ କାର୍ଯ୍ୟକ୍ରମ ଆୟୋଜନ କରିବାର ଯୋଜନା ରଖିଥିବା ଏମ୍‌ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ବାସ ସୂଚନା ଦେଇଛନ୍ତି। ଟ୍ରମା ଏବଂ ଜରୁରୀକାଳୀନ ବିଭାଗ, ଜେନେରାଲ୍ ସର୍ଜରୀ ଏବଂ କଲେଜ ଅଫ୍ ନର୍ସିଂ ଦ୍ୱାରା ଗଭୀର ଏବଂ ଦୀର୍ଘକାଳୀନ କ୍ଷତର ସୁପରିଚାଳନା ନେଇ ଆୟୋଜିତ ଏକ କର୍ମଶାଳା ଅବସରରେ ଏପରି ମତବ୍ୟକ୍ତ କରିଛନ୍ତି ଏମ୍‌ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ବିଶ୍ବାସ।

ଉନ୍ନତ କ୍ଷତ ଚିକିତ୍ସା ସମ୍ପର୍କିତ ଏହି କର୍ମଶାଳାରେ ଏମ୍‌ସ ସମେତ ସିଆର୍‌ପିଏଫ, କିମ୍‌ସ ଆଦି ଏକାଧିକ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ବ୍ୟକ୍ତିବିଶେଷ ଅଂଶଗ୍ରହଣ କରିଥିଲେ। ଏହି ଦିନିକିଆ କର୍ମଶାଳାକୁ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ବାସ ଉଦ୍‌ଘାଟନ କରିଥିଲେ। ଏମ୍‌ସ ଡିନ୍‌ ଡ. ପି ଆର୍‌ ମହାପାତ୍ର, ମେଡିକାଲ୍‌ ଅଧୀକ୍ଷକ ଡ. ଦିଲ୍ଳୀପ କୁମାର ପରିଡ଼ା, ନର୍ସିଂ କଲେଜ୍‌ ଅଧୀକ୍ଷକ ଡ. ଆଶା ପି ସେଟ୍ଟୀ, ଟ୍ରମା ଏବଂ ଏମ୍‌ରଜେନ୍ସୀ ବିଭାଗ ମୁଖ୍ୟ ଡ. ଚିତ୍ତରଂଜନ ମହାନ୍ତି, ସର୍ଜରୀ ବିଭାଗ ମୁଖ୍ୟ ଡ. ମାନସ ରଂଜନ ସାହୁ ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ।

ଆଘାତଜନିତ ଏବଂ ଦୀର୍ଘକାଳୀନ କ୍ଷତଗୁଡିକର ଆକଳନ କରିବା ଏବଂ ଆରୋଗ୍ୟ ପାଇଁ ଉପଯୁକ୍ତ ଚିକିତ୍ସା ନିମନ୍ତେ ଯତ୍ନ ନେବାରେ ନର୍ସମାନଙ୍କର ଭୂମିକା ବେଶ୍‌ ଗୁରୁତ୍ୱପୂର୍ଣ୍ଣ। ସମସ୍ତ ସ୍ୱାସ୍ଥ୍ୟ ସେବା କର୍ମଚାରୀମାନେ କ୍ଷତର ସୁସ୍ଥ ଆରୋଗ୍ୟ ପାଇଁ ସଂକ୍ରମଣ ନିରାକରଣ ସହିତ ଅନ୍ୟାନ୍ୟ ସମସ୍ତ ବ୍ୟବସ୍ଥାକୁ ନିଶ୍ଚିତ କରିବାକୁ ପଦକ୍ଷେପ ନେବା ଆବଶ୍ୟକ ବୋଲି ବିଶେଷଜ୍ଞମାନେ ମତଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜେପିଏନ୍‌ଏଟିସି ଦିଲ୍ଲୀରୁ ଡ. ସୁଷମା ସାଗର, ଏମ୍‌ସ ନୂଆଦିଲ୍ଲୀରୁ ଶିଜୋମୋଲ ଏମ ଜୋସେଫ ଏବଂ ଭେନିଲା ଆର ପ୍ରମୁଖ ଏହି କର୍ମଶାଳାରେ ଉପସ୍ଥିତ ରହି ଉନ୍ନତ ଜ୍ଞାନକୌଶଳ ସମ୍ପର୍କିତ ତାଲିମ ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଡ. ପଙ୍କଜ କୁମାର (ଜେନେରାଲ ସର୍ଜରୀ), ଡ. ରିତେଶ ପଣ୍ଡା(ଟ୍ରମା ଏବଂ ଏମ୍‌ରଜେନ୍ସୀ-ପ୍ଲାଷ୍ଟିକ୍ ସର୍ଜରୀ), ଡ. ସରୋଜ ପାତ୍ର (ଅର୍ଥୋପେଡିକ୍ସ), ଏସ୍‌ ସୁଭ୍ରତା, ସୀମାରାଣୀ ପଣ୍ଡା ଏବଂ ସୁହଦ୍ରା ଯାଦବ (ବରିଷ୍ଠ ନର୍ସିଂ ଅଧିକାରୀ) ପ୍ରମୁଖଙ୍କୁ ନେଇ ଗଠିତ କମିଟି ବିଭିନ୍ନ କୌଶଳ ଏବଂ ପ୍ରକ୍ରିୟା ଉପରେ ଗୁରୁତ୍ବାରୋପ କରିଥିଲେ।

Categories
ଆଜିର ଖବର ସ୍ବାସ୍ଥ୍ୟ

ଆୟୁଷ୍ମାନ ଭାରତ ଡିଜିଟାଲ ମିଶନରେ ଅନ୍ତର୍ଭୁକ୍ତ ହେବେ ନର୍ସ

ନୂଆଦିଲ୍ଲୀ: ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ କାର୍ଯ୍ୟକ୍ରମରେ ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣ ନର୍ସମାନଙ୍କର ବୃତ୍ତିଗତ ସ୍ୱାସ୍ଥ୍ୟ ପଞ୍ଜିକରଣ ଆରମ୍ଭ କରିଛି। ପୂର୍ବରୁ ପାରମ୍ପରିକ ଚିକିତ୍ସା ପଦ୍ଧତି ସମେତ ସମସ୍ତ ପଦ୍ଧତିରେ ଡାକ୍ତରମାନଙ୍କର ବୃତ୍ତିଗତ ସ୍ୱାସ୍ଥ୍ୟ ମଡ୍ୟୁଲ ପଞ୍ଜୀକରଣ ହୋଇସାରିଛି। ବର୍ତ୍ତମାନ ସମଗ୍ର ଦେଶରେ ନର୍ସମାନଙ୍କୁ ଏହି ମଡ୍ୟୁଲରେ ଅନ୍ତର୍ଭୁକ୍ତ କରାଯାଇଛି। ସମସ୍ତ ପଦ୍ଧତିର ଚିକିତ୍ସା ବୃତ୍ତିରେ ନିୟୋଜିତ ନର୍ସମାନେ ବୃତ୍ତିଗତ ସ୍ୱାସ୍ଥ୍ୟ ପଞ୍ଜିକାରେ ଏଣିକି ଅନ୍ତର୍ଭୁକ୍ତ ହୋଇପାରିବେ। ଏହି ପଞ୍ଜୀକରଣ ସହିତ ସମ୍ପୃକ୍ତ କାଉନସିଲ ମାନେ ଆବେଦନଗୁଡିକର ଯାଞ୍ଚ କରିବେ। ଆହୁରି ମଧ୍ୟ ପାରା ମେଡିକାଲ, ତୃଣମୂଳ ସ୍ତରରେ ସ୍ୱାସ୍ଥ୍ୟସେବା ବୃତ୍ତିରେ ଥିବା ଆଶା, ସ୍ୱାସ୍ଥ୍ୟସେବାରେ ସହାୟତା କରୁଥିବା କର୍ମଚାରୀମାନଙ୍କର ମଧ୍ୟ ପଞ୍ଜୀକରଣ ହେବ।

ପାରମ୍ପରିକ ଏବଂ ଆଧୁନିକ ଚିକିତ୍ସା ପ୍ରଣାଳୀରେ ସମ୍ପୃକ୍ତ ଥିବା ସମସ୍ତ ବୃତ୍ତିଗତ ବ୍ୟକ୍ତିମାନଙ୍କର ବିସ୍ତୃତ ସୂଚନା, ବୃତ୍ତିଗତ ସ୍ୱାସ୍ଥ୍ୟ ପଞ୍ଜିକାରେ ଅନ୍ତର୍ଭୁକ୍ତ କରାଯାଇଥାଏ। ଆୟୁଷ୍ମାନ ଭାରତ ଡିଜିଟାଲ ମିଶନର  ମୂଳ ଭିତ୍ତିଭୂମି ହେଉଛି ବୃତ୍ତିଗତ ସ୍ୱାସ୍ଥ୍ୟ ପଞ୍ଜିକା। ଏହା ମାଧ୍ୟମରେ ଦେଶରେ ଡିଜିଟାଲ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ଭିତରେ ରୋଗୀ ସହ ସ୍ୱାସ୍ଥ୍ୟକର୍ମୀ କିମ୍ବା ସ୍ୱାସ୍ଥକର୍ମୀଙ୍କ ସହ ରୋଗୀ ସମ୍ପର୍କ ସ୍ଥାପନ କରିପାରିବେ। ଏହି ବ୍ୟବସ୍ଥାରେ ସବୁଠାରୁ ବଡ ଲାଭ ହେଲା- ନିର୍ଭର ଯୋଗ୍ୟ ପରିଚୟ ସହିତ ଅନ୍‌ଲାଇନ ବ୍ୟବସ୍ଥାରେ ଟେଲି ମେଡିସିନ୍ ଭଳି ଡିଜିଟାଲ ସ୍ୱାସ୍ଥ୍ୟ ସେବା ରୋଗୀ ପାଇପାରିବେ।

ସ୍ୱାସ୍ଥ୍ୟ ସେବା ଯୋଗାଇ ଥିବା ବୃତ୍ତିଗତ ସେବା ପ୍ରଦାନକାରୀ ବୃତ୍ତିଗତ ସ୍ୱାସ୍ଥ୍ୟ ପଞ୍ଜିକାର ଏକ ଅଙ୍ଗ ହୋଇପାରିବେ । ଏଥିପାଇଁ ଆଧାର ନମ୍ବର କିମ୍ବା ଡ୍ରାଇଭିଙ୍ଗ ଲାଇସେନ୍ସ ବ୍ୟବହାର କରି ୱେବସାଇଟ୍ ((https:// hpr.abdm.gov.in)) ରେ ପଞ୍ଜୀକରଣ କରିପାରିବେ।

ଦେଶର ବିଭିନ୍ନ୍ ମନ୍ତ୍ରଣାଳୟ, ବିଭାଗ, ରାଜ୍ୟ ସରକାରଙ୍କ ବିଭାଗ, ଘରୋଇ କ୍ଷେତ୍ର, ସମାଜସେବୀ ଅନୁଷ୍ଠାନ ଆଦି ଆୟୁଷ୍ମାନ ଭାରତ ଡିଜିଟାଲ ମିଶନରେ ସହଯୋଗୀ ଭାବରେ କାର୍ଯ୍ୟ କରିବା କ୍ଷେତ୍ରରେ ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣ ହେଉଛି ସର୍ବୋଚ୍ଚ ନୟନ୍ତ୍ରକ ସଂସ୍ଥା। ଡିଜିଟାଲ ବ୍ୟବସ୍ଥା  ମାଧ୍ୟମରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ସୃଷ୍ଟି ହେଉଥିବା ବିଭିନ୍ନ ଶୂନ୍ୟସ୍ଥାନ କିମ୍ବା ଦୂରତାକୁ ହଟାଇ ଏହା ସମସ୍ତ ଆବଶ୍ୟକତାର ସଂଯୋଗକାରୀ ଭୂମିକା ନେଉଛି। ସ୍ୱାସ୍ଥ୍ୟସେବା ସମ୍ପର୍କୀତ ସମସ୍ତଙ୍କର ବ୍ୟକ୍ତିଗତ ସୂଚନାକୁ ଗୋପନ ରଖିବା, ନିରାପତ୍ତା ଯୋଗାଇବା, ଉଚ୍ଚମାନର ସେବା ଯୋଗାଇବା, ତଥ୍ୟ, ସୂଚନା ଆଦି ଜଣାଇବା, ଭିତ୍ତିଭୂମି ସେବା ଯୋଗାଇବା ଭଳି ବିଭିନ୍ନ ପ୍ରକାରର ସେବା କ୍ଷେତ୍ରରେ ଅନଲାଇନ କ୍ଷେତ୍ର ପ୍ରସ୍ତୁତ କରିବା ପାଇଁ ଆୟୁଷ୍କାନ ଭାରତ ଡିଜିଟାଲ ମିଶନ ଉଦ୍ୟମ କରୁଛି। ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣ ମଧ୍ୟ ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଭଳି କଲ୍ୟାଣକାରୀ ଯୋଜନାଗୁଡିକୁ ଦେଶରେ କାର୍ଯ୍ୟକାରୀ କରୁଛି।

Categories
ଆଜିର ଖବର ରାଜ୍ୟ ଖବର

ନୟାଗଡରେ ନର୍ସଙ୍କୁ କରୋନା

ନୟାଗଡ : ନୟାଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ଷ୍ଟାଫ୍‌ ନର୍ସଙ୍କୁ କରୋନା ସଂକ୍ରମିତ ହୋଇଥିବର ଖବର ମିଳିଛି ।  ଷ୍ଟାଫ୍‌ ନର୍ସ କରୋନାରେ ଆକ୍ରାନ୍ତ ନେଇ ସିଡିଏମ୍‌ଓ ସୂଚନା ଦେଇଛନ୍ତି । କରୋନା ଆକ୍ରାନ୍ତ ସଂସ୍ପର୍ଶରେ ଆସିଥିବାରୁ ତାଙ୍କର କରୋନା ପଜିଟିଭ୍‌ ବାହାରିଛି । ସଂପୃକ୍ତ ଷ୍ଟାଫ୍‌ ନର୍ସଙ୍କୁ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି ବୋଲି ସୂଚନା ରହିଛି। ସେହିପରି ମେଡ଼ିକାଲର ସବୁ ଓ୍ବାର୍ଡକୁ ଭଲ ଭାବେ ସାନିଟାଇଜ୍‌ କରାଯାଇଛି ।

ପୂର୍ବରୁ କେନ୍ଦ୍ରାପଡାର ଅଙ୍ଗନଓ୍ବାଡି କର୍ମୀ, ଆଶା କର୍ମୀ ଓ ସଫେଇ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଥିବାର ଖବର ରହିଥିଲା । ସେହିପରି ବାଲେଶ୍ବରରେ ମଧ୍ୟ ଜଣେ ସରପଞ୍ଚ କରୋନାରେ ଆକ୍ରାନ୍ତ ହୋଇଥିବାର ସୂଚନା ରହିଛି ।