Categories
ଅପରାଧ ଆଜିର ଖବର ରାଜ୍ୟ ଖବର

୧ କୋଟି ଟଙ୍କାର ଅଫିମ ଗଛ ନଷ୍ଟ କଲା ଅବକାରୀ ବିଭାଗ

କନ୍ଦର୍ପ ବେହେରା
ରେଢାଖୋଲ: ରେଢାଖୋଲ ସବଡିଭିଜନର ନାକଟି୍‌ଦେଉଳ ବ୍ଲକ୍‌ର ବିଭିନ୍ନ ଗ୍ରାମ ଗଞେଇ ଚାଷ ପାଇଁ ବେଶ୍ ପରିଚିତ ଥିବା ବେଳେ ଅତୀତରେ ଏଇ ଚାଷ କରୁଥିବା ଚାଷୀ ତଥା ଚୋରା ବେପାରୀମାନଙ୍କୁ ପୋଲିସ୍ ତଥା ଅବକାରୀ ବିଭାଗ ଗିରଫ କରିଥିଲା। ବାରମ୍ବାର ଜନସଚେତନତା ସହ ଯେଉଁ ମାନେ ଏହି ଚାଷରେ ସଂପୃକ୍ତି ସେମାନଙ୍କୁ ଗିରଫ କରିବା ଫଳରେ ଗଞେଇ ଚାଷରୁ ଲୋକମାନେ ଅପସରି ଯାଇ ଥିବା ବେଳେ ପୁଣି ଏହି ବ୍ଲକ୍‌ର ଡଇଁଚା ପଂଚାୟତ ଗୋପାଳପୁର ଗ୍ରାମରେ ପ୍ରଥମ ଥର ପାଇଁ ଅଫିମ୍ ଚାଷ ହୋଇଥିବା ଜଣା ପଡିଛି। ଆଜି ଅବକାରୀ ବିଭାଗ , ପୋଲିସ୍ , ରାଜସ୍ୱ ତଥା ବନବିଭାଗ ମିଳିତ ଚଢଉ କରି ୧ କୋଟି ଟଙ୍କାର ଅଫିମ ଗଛ ନଷ୍ଟ କରାଯାଇଥିବା ବେଳେ ୨ ଜଣଙ୍କୁ ଅଟକ ରଖାଯାଇଥିବା ଜଣା ପଡିଛି।

ଖବରରୁ ଜଣାପଡିଛି ଯେ, ନାକଟିଦେଉଳ ବ୍ଲକ୍ ଡଇଁଚା ପଂଚାୟତର ବଣପାହାଡ ଘେରା ଆଦିବାସୀ ଅଧୁଷିତ ଗ୍ରାମ ଗୋପାଳପୁର ଗ୍ରାମର ପାଶ୍ୱର୍ବର୍ତୀ ନାଳର ୫ ଟି ସ୍ଥାନରେ -ପ୍ରାୟ ୪୦ ଡିସିମିଲ୍ ଜାଗାରେ ବେଆଇନ୍ ଅଫିମ ଚାଷ ହୋଇଥିବା ସମ୍ବଲ-ପୁର ଅବକାରୀ ବିଭାଗ ଜାଣିପାରିଥିଲା। ଏହି ଚାଷ ଜଣା ପଡିବା ପରେ ଚଢଉ କରି ୧୦ ହଜାର ଅଫିମ ଗଛ ନଷ୍ଟ କରାଯାଇଛି ବୋଲି ଅବକାରୀ ବିଭାଗ କହିଛି। ଉପୁଡା ଯାଇଥିବା ଅଫିମ ଗଛର ଆନୁମାନିକ ମୁଲ୍ୟ ପାଖାପାଖି ୧ କୋଟି ବୋଲି ଅବକାରୀ ବିଭାଗ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି।

ଏହି ଚଢଉରେ ମାଜିଷ୍ଟେଟ୍ ଦାୟିତ୍ୱରେ ନାକଟିଦେଉଳ ତହସିଲ୍‌ଦାର ଇଂ ସୁକାନ୍ତ କୁମାର ନାଏକ, ଅବକାରୀ ଅଧିକ୍ଷକ ପବିତ୍ର ମୋହନ ମିଶ୍ର ତଥା ଅବକାରୀ ବିଭାଗର ବରିଷ୍ଟ ଅଧିକାରୀ ସମେତ ନାକଟିଦେଉଳ ଆର୍ ଆଇ ଅଶୋକ କୁମାର ନାଏକ, ଏଏସଆଇ ବିନୋଦିନୀ ବେହେରା, ମୋହନ ବେହେରା ପ୍ରମୁଖ ସାମିଲ୍ ହୋଇଥିଲେ। ଏଇ ଚାଷ କରିବା ଅଭିଯୋଗରେ ପୋଲିସ୍ ଦୁଇଜଣଙ୍କୁ ଅଟକ ରଖି ପଚରାଉଚୁରା କରୁଥିବା ଜଣା ପଡିଛି।

ଏଇ ଚାଷ ରେ ଆହୁରି ବହୁତ ଜଣ ସଂପୃକ୍ତ ଥିବା ବିଶ୍ୱସ୍ତ ସୂତ୍ରରୁ ଜଣା ପଡିଛି। ଗୋପାଳପୁର ଅଂଚଳକୁ ଝାଡଖଣ୍ଡ ଅଂଚଳରୁ ବହୁ ଆଦିବାସୀ ଆସି ଜଙ୍ଗଲକୁ ସଫାକରି ବସତି ସ୍ଥାପନ କରିବା ସହ ଜଙ୍ଗଲରୁ ମୁଲ୍ୟବାନ ଗଛ ବାହାର ରାଜ୍ୟକୁ ଚାଲାଣ କରୁଥିବା ବେଳେ ଅଂଚଳରେ ଗଞେଇ ଚାଷ କରୁଥିବା ଜଣା ପଡିଛି। ଏଇ ଚାଷ ବହୁ ଦିନରୁ କରିଆସୁଥିଲେ ମଧ୍ୟ ବନବିଭାଗ କିମ୍ବା ରାଜସ୍ୱ ବିଭାଗ କିପରି ଜାଣି ପାରିଲା ନାହିଁ ସନ୍ଦେହ ସୃଷ୍ଟି କରୁଛି।

ବନବିଭାଗ ତଥା ରାଜସ୍ୱ ବିଭାଗ ସେଇ ଆଦିବାସୀ ମାନଙ୍କ ଠାରୁ ମୋଟା ଅଙ୍କର ଫାଇଦା ପାଇ ଜଙ୍ଗଲ ଜମିକୁ ପଟ୍ଟା କରିଦେବା ଦ୍ୱାରା ଆଦିବାସୀ ମାନେ ଏଠାରେ ବେଆଇନ୍ ଗଞେଇ ଚାଷ କରିଆସୁଥିବା ବେଳେ ରେଢାଖୋଲ ସବ୍‌ଡିଭିଜନରେ ଅଫିମ ଚାଷ କରିବା ଏହା ପ୍ରଥମ ଘଟଣା।