Categories
ଆଜିର ଖବର ରାଜ୍ୟ ଖବର

ସୋଆ ଛାତ୍ରଛାତ୍ରୀଙ୍କ ଷ୍ଟାର୍ଟ ଅପ୍‌କୁ କେନ୍ଦ୍ରମନ୍ତ୍ରୀ ଓ ନାକ୍ ଅଧ୍ୟକ୍ଷଙ୍କ ପ୍ରଶଂସା

ଭୁବନେଶ୍ୱର: ଆଇଏମଏମ୍‌ଟି ପରିସରରେ ଚାଲିଥିବା ଜି-୨୦ ଶିକ୍ଷା ୱାର୍କିଂ ଗ୍ରୁପ୍ ବୈଠକ ପରିପ୍ରେକ୍ଷୀରେ ଆୟୋଜିତ “ଭବିଷ୍ୟତର କାର୍ଯ୍ୟଶୈଳୀ ଓ ଦକ୍ଷତା” ପ୍ରଦର୍ଶନୀର ଚତୁର୍ଥ ଦିନରେ ଶିକ୍ଷା ଓ ଅନୁସନ୍ଧାନ(ସୋଆ) ଛାତ୍ରଛାତ୍ରୀଙ୍କ ଷ୍ଟାର୍ଟ ଅପ୍‌କୁ ବୁଲି ଦେଖିବା ସହ ଉଚ୍ଚ ପ୍ରଶଂସା କରିଛନ୍ତି କେନ୍ଦ୍ର ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ଡକ୍ଟର ସୁଭାଷ ସରକାର, ନ୍ୟାସ୍‌ନାଲ୍ ଆସେସ୍‌ମେଂଟ ଆଣ୍ଡ ଆକ୍ରେଡିଟେସନ୍ କାଉନ୍‌ସିଲ୍ (ନାକ୍‌) କାର୍ଯ୍ୟକାରୀ କମିଟିର ଅଧ୍ୟକ୍ଷ ଡକ୍ଟର ଅନୀଲ୍ ସହସ୍ରବୁଦ୍ଧେ ଏବଂ ନ୍ୟାସ୍‌ନାଲ୍ କାଉନ୍‌ସିଲ୍ ଫର୍ ଭୋକେସ୍ନାଲ୍ ଏଜୁକେସନ୍ ଆଣ୍ଡ ଟ୍ରେନିଂର ଅଧ୍ୟକ୍ଷ ଡକ୍ଟର ନିର୍ମଲଜୀତ ସିଂ କଲ୍‌ସି।

ଡକ୍ଟର ସହସ୍ରବୁଦ୍ଧେ ସୋଆର ସିଆଇଆଇ ଏଗଜିବିଟର ବୁଥ୍ ବୁଲି ଦେଖିବା ସହ ଛାତ୍ରଛାତ୍ରୀମାନଙ୍କ ଷ୍ଟାର୍ଟ ଅପ୍‌କୁ ଉଚ୍ଚ ପ୍ରଶଂସା କରିବା ସହ ପ୍ରଥମ ଏବଂ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀ ଏଭଳି ଦକ୍ଷତା ପ୍ରଦର୍ଶନ କରୁଥିବା ବେଳେ ସେମାନଙ୍କ ପାଠପଢ଼ା ଶେଷ ବେଳକୁ ସେମାନେ ଖୁବ୍ ଉଚ୍ଚକୋଟୀର କାର୍ଯ୍ୟ କରି ଦେଖାଇବେ ବୋଲି କହିଛନ୍ତି।

ବିଦେଶରୁ ଆସିଥିବା ଅନେକ ପ୍ରତିନିଧି ମଧ୍ୟ ସୋଆର ଷ୍ଟଲ୍‌ଗୁଡ଼ିକୁ ବୁଲି ଦେଖିଥିଲେ। ଏହି ଅବସରରେ ସୋଆର ଆଡିସ୍‌ନାଲ ଡିନ୍ (ଷ୍ଟୁଡେଂଟସ୍ ଆଫେୟାର୍ସ) ଆଇଟିଇଆର ପ୍ରଫେସର ରେଣୁ ଶର୍ମା ଓ ସୋଆ ସଭାପତିଙ୍କ ଓଏସ୍‌ଡି ଶ୍ରୀ ପ୍ରୀତମ୍ ନାୟକଙ୍କ ସମେତ ସୋଆର ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର

ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକର ମୂଲ୍ୟାଙ୍କନ ଓ ମାନ୍ୟତା ପ୍ରଦାନରେ ବିସଙ୍ଗତି ପ୍ରସଙ୍ଗ: ନାକ୍‌ର ସ୍ପଷ୍ଟୀକରଣ

ନୂଆଦିଲ୍ଲୀ: ଜାତୀୟ ମୂଲ୍ୟାଙ୍କନ ଏବଂ ମାନ୍ୟତା ପରିଷଦ (ନାକ୍‌) ଦ୍ବାରା ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକୁ ମାନ୍ୟତା ପ୍ରଦାନ କରାଯିବା କ୍ଷେତ୍ରରେ କେତେକ ବିସଙ୍ଗତିକୁ ନେଇ ନିକଟରେ କିଛି ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ତେବେ ଏ ସମ୍ପର୍କରେ ନାକ୍‌ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି। ନାକ୍‌ ଦ୍ବାରା ଜାରି ଏକ ପ୍ରେସ୍‌ ବିବୃତ୍ତିରେ କୁହାଯାଇଛି ଯେ, ଗଣମାଧ୍ୟମରେ ପ୍ରକାଶ ପାଇଥିବା ସିଏଜିଙ୍କ ରିପୋର୍ଟ ଚୁଡ଼ାନ୍ତ ନୁହେଁ। କାରଣ ନାକ୍‌ ନିର୍ଦ୍ଦେଶକଙ୍କ ପକ୍ଷରୁ ଡ୍ରାଫ୍ଟ ଅନୁପାଳନର ଜବାବ ସିଏଜିଙ୍କ ନିକଟକୁ ପଠାଯାଇଛି ଯାହାକି ବର୍ତ୍ତମାନ ବିଚାରାଧୀନ ରହିଛି। ସିଏଜିଙ୍କ କାର୍ଯ୍ୟାଳୟଙ୍କ ପକ୍ଷରୁ କେତେକ ପରିବର୍ତ୍ତନ ପାଇଁ ଦିଆଯାଇଥିବା ପରାମର୍ଶକୁ ମଧ୍ୟ କାର୍ଯ୍ୟକାରୀ କରାଯାଉଛି ଏବଂ ଏକ ସଂଶୋଧିତ ଡ୍ରାଫ୍ଟ ପ୍ରସ୍ତୁତ କରାଯାଉଛି।

ପ୍ରଥମ ମାମଲାରେ ନଷ୍ଟ ହେବା ଯୋଗ୍ୟ ଏବଂ ନଷ୍ଟ ହେଉନଥିବା ଆବର୍ଜନା ପରିଚାଳନା ପାଇଁ ୧୦୦୦ ପଏଣ୍ଟରୁ ନାକ୍‌ ୧୬ ପଏଣ୍ଟ ଦିଆଯିବା ନେଇ ଯେଉଁ ପ୍ରଶ୍ନ ଉଠିଛି ସେ ସମ୍ପର୍କରେ ମଧ୍ୟ ସ୍ପଷ୍ଟୀକରଣ ଦିଆଯାଇଛି। କଲେଜ ପକ୍ଷରୁ ଏନଏସଏସ ସ୍ବେଚ୍ଛାସେବୀଙ୍କ ଦ୍ବାରା ଉଚିତ ବର୍ଜ୍ୟବସ୍ତୁ ପରିଚାଳନା କରାଯାଇ କ୍ୟାମ୍ପସକୁ ସଫା ରଖାଯାଇଛି। ପରିସରରେ ଗଛ ଲଗାଯିବା ସହିତ ସେଥିରେ କ୍ୟୁଆର କୋଡ୍ ଦିଆଯାଇଛି। ସେହିପରି ବର୍ଷା ଜଳ ପରିଚାଳନା ଏବଂ ଜୈବିକ ଖତ ପ୍ରସ୍ତୁତି ମଧ୍ୟ କରାଯାଇଛି। ଅନାବଶ୍ୟକ ବର୍ଜ୍ୟବସ୍ତୁକୁ ନଜଳାଇବାକୁ ନାକ୍‌ ପକ୍ଷରୁ ଦିଆଯାଇଥିବା ପରାମର୍ଶକୁ କଲେଜ୍‌ ଗ୍ରହଣ କରିଛି।

ଦ୍ବିତୀୟ ମାମଲାରେ କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କ ଦ୍ବାରା କରାଯାଇଥିବା ସବୁଜ ପ୍ରୟାସ ନିମନ୍ତେ ୧୦୦୦ ପଏଣ୍ଟରୁ ୨ ପଏଣ୍ଟ ଦିଆଯାଇଛି। ଛଅଟି ମାପଦଣ୍ଡକୁ ଆଧାର କରି ପ୍ଲାଷ୍ଟିକ ମୁକ୍ତ କ୍ୟାମ୍ପସ୍‌ ଗଠନ ପାଇଁ ପଦକ୍ଷେପ ସ୍ବରୂପ ଏହି ମାନ୍ୟତା ଦିଆଯାଇଛି। କଲେଜ କ୍ୟାମ୍ପସକୁ ପ୍ଲାଷ୍ଟିକ ମୁକ୍ତ କରିବା ଏବଂ କାଗଜମୁକ୍ତ କାର୍ଯ୍ୟାଳୟ ପାଇଁ ପଦକ୍ଷେପ ନେବା ନିମନ୍ତେ ଏଭଳି ମୂଲ୍ୟାଙ୍କନ କରାଯାଇଛି। ତେବେ ସବୁଜ ଅଭ୍ୟାସର ଅନ୍ୟ ମାପଦଣ୍ଡଗୁଡ଼ିକ କ୍ଷେତ୍ରରେ ସେଭଳି ପଦକ୍ଷେପ ଗ୍ରହଣ କରାଯାଇନାହିଁ।

ତୃତୀୟ ମାମଲାଟି ଉଚ୍ଚ ଶିକ୍ଷାନୁଷ୍ଠାନର ଶିକ୍ଷାବର୍ଷ ପରିଚାଳନା ସହିତ ଜଡ଼ିତ। ଏଥିରେ କଲେଜ ଦ୍ବାରା ନିୟମିତ ଇଣ୍ଟରନାଲ ଆୟୋଜନ ସହିତ ଶିକ୍ଷାବର୍ଷ ପରିଚାଳନା ଆଧାରରେ ଗୁଣବତ୍ତା ଅନୁଯାୟୀ ମୂଳ୍ୟାଙ୍କନ କରାଯାଇଛି। ନାକ୍‌ ଦଳ କ୍ଷେତ୍ର ପରିଦର୍ଶନ କରିବା ସହିତ ସ୍ଥିତି ଅନୁଧ୍ୟାନ କରି ମୂଲ୍ୟାଙ୍କନ କରିଛନ୍ତି। ସାମଗ୍ରିକ ଜ୍ଞାନ ଓ ବୁଦ୍ଧିମତା ଏବଂ ଉଚ୍ଚ ଶିକ୍ଷାନୁଷ୍ଠାନ ପକ୍ଷରୁ ଦିଆଯାଇଥିବା ଦସ୍ତାବିଜ ଆଧାରରେ ମାନ୍ୟତା ପ୍ରଦାନ କରାଯାଇଛି।

ଚତୁର୍ଥରେ ନାକ୍‌ ପକ୍ଷରୁ କୁହାଯାଇଛି ଯେ, ସବୁ ମାପଦଣ୍ଡ ବା ମେଟ୍ରିକ୍ସ ପାଇଁ ଶିକ୍ଷାନୁଷ୍ଠାନଗୁଡ଼ିକୁ ଦସ୍ତାବିଜ ଦାଖଲ କରିବା ଆବଶ୍ୟକ। କ୍ବାଲିଟେଟିଭ ମେଟ୍ରିକ୍ସ ବା ଗୁଣବତ୍ତା ମାପଦଣ୍ଡ ପାଇଁ ୫୦୦ ଶବ୍ଦ ମଧ୍ୟରେ ବିବରଣୀ ସହିତ ଅତିରିକ୍ତ ଦସ୍ତାବିଜ ଦାଖଲ କରାଯିବା ଉଚିତ୍‌। ସେହିପରି ପରିମାଣ ଆଧାରିତ ମାପଦଣ୍ଡ ବା କ୍ବାଣ୍ଟିଟେଟିଭ ମେଟ୍ରିକ୍ସ କ୍ଷେତ୍ରରେ  ସଂଖାତ୍ମକ ମୂଲ୍ୟ ସହିତ ଅତିରିକ୍ତ ଦସ୍ତାବିଜ ଦାଖଲ କରାଯିବା ଆବଶ୍ୟକ।ଏହାକୁ ଅନଲାଇନ ବ୍ୟବସ୍ଥାରେ ବିଭାଜିତ କରାଯାଇଛି।

ସୂଚନାଯୋଗ୍ୟ ଯେ, ଗତ ତିନି ଦଶନ୍ଧି ଧରି ନାକ୍‌ ବିଶ୍ବର ଅନ୍ୟତମ ସବୁଠୁ ବଡ଼ ଉଚ୍ଚ ଶିକ୍ଷା ବ୍ୟବସ୍ଥାର ଗୁଣବତ୍ତା ସୁନିଶ୍ଚିତ କରିବା କ୍ଷେତ୍ରରେ କାର୍ଯ୍ୟ କରି ଆସୁଛି । ନାକ ସବୁବେଳେ ସମୟ ପରିକ୍ଷୀତ ପଦ୍ଧତି ଏବଂ ଢାଞ୍ଚା ବ୍ୟବହାର କରି ବିଭିନ୍ନ ବ୍ୟବସ୍ଥା ଓ ମତବିନିୟମ ଆଧାରିତ ପ୍ଲାଟଫର୍ମ ଜରିଆରେ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକର ମୂଲ୍ୟାଙ୍କନ ଏବଂ ମାନ୍ୟତା ପ୍ରଦାନ କାର୍ଯ୍ୟ କରିଥାଏ।ଉଚ୍ଚ ଶିକ୍ଷାନୁଷ୍ଠାନର ମାନ ବୃଦ୍ଧି ପ୍ରକ୍ରିୟାରେ ନାକ୍‌ ସବୁବେଳେ ସମସ୍ତ ଅଂଶୀଦାରମାନଙ୍କୁ ନେଇ କାର୍ଯ୍ୟ କରିଥାଏ। ‘‘ଉନ୍ନତମାନର ମୂଲ୍ୟାଙ୍କନ ଜରିଆରେ ଗୁଣବତ୍ତା ସୁନିଶ୍ଚିତ କରିବା’’ ନାକ୍‌ର ସଂକଳ୍ପ ଓ ଲକ୍ଷ୍ୟ। ଏହା ସବୁବେଳେ ଉତ୍ତରଦାୟୀ, ପାରଦର୍ଶୀ ଓ ନୈତିକ ପ୍ରକ୍ରିୟାରେ ମୂଲ୍ୟାଙ୍କନ ଓ ମାନ୍ୟତା ପ୍ରଦାନ କାର୍ଯ୍ୟ ସମ୍ପାଦନ କରିଥାଏ।

Categories
ଆଜିର ଖବର ରାଜ୍ୟ ଖବର

ନିଜର ଉତ୍କର୍ଷ ପୁଣି ବଜାୟ ରଖିଲା ସୋଆ: ନାକ୍ ରୁ ସର୍ବୋଚ୍ଚ ଏ++ ଗ୍ରେଡ୍ ହାସଲ

ଭୁବନେଶ୍ୱର: ଉଚ୍ଚଶିକ୍ଷା କ୍ଷେତ୍ରରେ ନିଜର ଉତ୍କର୍ଷ ବଜାୟ ରଖି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ନ୍ୟାସ୍‌ନାଲ୍ ଆସେସ୍‌ମେଂଟ ଆଣ୍ଡ ଆକ୍ରେଡିଟେସନ୍ କାଉନ୍‌ସିଲ୍ (ନାକ୍‌)ର ତୃତୀୟ ପର୍ଯ୍ୟାୟ ମୂଲ୍ୟ ନିର୍ଦ୍ଧାରଣ ପ୍ରକ୍ରିୟାରେ ସର୍ବୋଚ୍ଚ ଏ++ ଗ୍ରେଡ୍ ହାସଲ କରିଛି । ମୋଟ ୪.୦୦ ସ୍କୋର୍‌ରୁ ସର୍ବାଧିକ ୩.୮୮ କ୍ୟୁମୁଲେଟିଭ୍ ଗ୍ରେଡ ପଏଂଟ ଆଭରେଜ (ସିଜିପିଏ) ହାସଲ କରି ଏହି କୃତିତ୍ୱ ହାସଲ କରିଛି ସୋଆ।

ମେ ୧୦, ୨୦୨୨ରୁ ଆଗାମୀ ୭ ବର୍ଷ ପର୍ଯ୍ୟନ୍ତ ନାକ୍‌ର ଏହି ସ୍ୱୀକୃତି ବଳବତର ରହିବ।
ପାଠ୍ୟକ୍ରମର ଦିଗ, ଶିକ୍ଷା ପ୍ରଦାନ ଓ ଶିକ୍ଷା ଗ୍ରହଣ ଏବଂ ମୂଲ୍ୟାୟନ, ଗବେଷଣା, ନବୀକରଣ ଓ ବିସ୍ତାର, ଭିତିଭୂମୀ ଓ ଶିକ୍ଷା ଗ୍ରହଣ ସଂଶାଧନ, ଛାତ୍ରଙ୍କ ସହଯୋଗ ଏବଂ ପ୍ରଗତି, ପ୍ରଶାସନ, ନେତୃତ୍ୱ ଏବଂ ପରିଚାଳନା, ଶୈକ୍ଷିକ ମୂଲ୍ୟବୋଧ ଏବଂ ସର୍ବୋତମ ଅଭ୍ୟାସ ଭଳି ସାତଟି ମାନଦଣ୍ଡକୁ ନେଇ ମୂଲ୍ୟାଙ୍କନ କରାଯାଇଥିଲା।

ଗତ ମେ ୪ ତାରିଖରୁ ୬ ତାରିଖ ପର୍ଯ୍ୟନ୍ତ ତିନି ଦିନ ଧରି ନାକ୍‌ର ଏକ ୭ ଜଣିଆ ପିୟର୍ ଟିମ୍ ସଦସ୍ୟମାନେ ସୋଆର କ୍ୟାମ୍ପସ୍ ପରିଦର୍ଶନ କରି ବିଶ୍ୱବିଦ୍ୟାଳୟର ମୂଲ୍ୟାଙ୍କନ କରିଥିଲେ।

୨୦୦୯ ଏବଂ ୨୦୧୫ ରେ ଲଗାତର ଦୁଇ ଥର ସୋଆ ନାକ୍‌ର ସର୍ବୋଚ୍ଚ ‘ଏ’ ଗ୍ରେଡ ହାସଲ କରିଥିଲା। ମାତ୍ର ମୂଲ୍ୟାଙ୍କନ ନିମନ୍ତେ ପରିବର୍ତିତ ମାନଦଣ୍ଡ ୨୦୧୭ ଏପ୍ରିଲ୍ ମାସରୁ ଲାଗୁ ହୋଇଥିଲା।

ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁସ୍‌ନାଲ୍ ର‌୍ୟାଙ୍କିଙ୍ଗ ଫ୍ରେମ୍‌ୱାର୍କ (ଏନ୍‌ଆଇଆର୍‌ଏଫ୍‌) ୨୦୨୧ ର‌୍ୟାଙ୍କିଙ୍ଗ୍‌ରେ ସୋଆ ଦେଶର ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡ଼ିକ ମଧ୍ୟରେ ୨୦ତମ ସ୍ଥାନ ହାସଲ କରିଥିଲା। ସେହିପରି ବିଶ୍ୱସ୍ତରରେ ସମ୍ମାନଜନକ କ୍ୟୁଏସ୍ ୱାର୍ଲ୍ଡ ୟୁନିଭର୍ସିଟି-୨୦୨୩ ର‌୍ୟାଙ୍କିଙ୍ଗ୍ ଓ ଟାଇମ୍ସ ହାୟର ଏଜୁକେସନ୍ (ଟିଏଚ୍‌ଇ) ୨୦୨୨ ର‌୍ୟାଙ୍କିଙ୍ଗ୍‌ରେ ମଧ୍ୟ ସୋଆ ସ୍ଥାନ ପାଇଛି।