Categories
ଆଞ୍ଚଳିକ

ନାଚୁଣୀ ବାଇପାସ ଠାରେ ଓଲଟିଲା ଗ୍ୟାସ ଟାଙ୍କି ବୋଝେଇ ଟ୍ରକ: ଚାଳକ ସୁରକ୍ଷିତ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ନାଚୁଣୀ ବାଇପାସ ଠାରେ ଏକ ଗ୍ୟାସ ଟାଙ୍କି ବୋଝେଇ ଗାଡ଼ିଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ସୂଚନା ମୁତାବକ କିଛି ସମୟ ପୁର୍ବରୁ ବ୍ରହ୍ମପୁରରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ଏକ ଗ୍ୟାସ ଟାଙ୍କି ବୋଝେଇ ଗାଡ଼ି ଭାରସାମ୍ୟ ହରାଇ ନାଚୁଣୀ ବାଇପାସ ନିକଟରେ ଲେଉଟି ପଡିଥିଲା। ଫଳରେ ଗାଡିଟି ରାସ୍ତା ତଳକୁ ଖସି ପଡ଼ିଛି।

ଖବର ପାଇ ବର୍ତ୍ତମାନ ନାଚୁଣୀ ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ଗାଡ଼ି ଚାଳକ ସୁରକ୍ଷିତ ଥିବା ଜଣାପଡିଛି। ତେବେ ଉକ୍ତ ଗାଡ଼ିରେ ପାଖାପାଖି ୪୦୦ ଗୋଟି ଖାଲି ଗ୍ୟାସ ଟାଙ୍କି ଥିବାରୁ ସୌଭାଗ୍ୟବଶତଃ କୌଣସି କ୍ଷୟକ୍ଷତି ହୋଇନଥିବା ଜଣାପଡିଛି।

Categories
ଆଜିର ଖବର ରାଜ୍ୟ ଖବର

ନାଚୁଣୀ ବାଇପାସ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଟ୍ରକରେ ନିଆଁ ଲାଗି ଡ୍ରାଇଭର ଜୀବନ୍ତ ଦଗ୍ଧ

ସୀତାରାମ ଅଗ୍ରୱାଲ 

ଚିଲିକା: ଆଜି ସକାଳେ ବାଣପୁର ଥାନା ଅନ୍ତର୍ଗତ ନାଚୁଣୀ ବାଇପାସ ନିକଟସ୍ଥ ହରିକୁଣ୍ଡ ବରଡି ଢ଼ାବା ସମ୍ମୁଖରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଅଛି। ଯେଉଁଥିରେ ଜଣେ ଟ୍ରକ ଚାଳକ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳ ପାଖାପାଖି ୬ ଘଟିକା ସମୟରେ ବେଙ୍ଗାଲୁରୁରୁ କୋଲକାତା ଯାଉଥିବା ଏକ ବନ୍ଧାକୋବି ବୋଝେଇ ପରିବା ଟ୍ରକ(ଏ.ପି ୧୬ ଟି.ଏଚ.୧୩୯୮) ନାଚୁଣୀ ବାଇପାସ ନିକଟସ୍ଥ ହରିକୁଣ୍ଡ ବରଡି ଢ଼ାବା ସମ୍ମୁଖରେ ଗତି ଧୀର କରି ରହିବା ପାଇଁ ତତ୍ପର ହେଉଥୁବା ବେଳେ ସେହି ସମୟରେ ଅନୁରୂପ ଭାବେ ବିଶାଖାପାଟଣାରୁ ଝାରଖଣ୍ଡ ଯାଉଥିବା ଏକ କୋଇଲା ବୋଝେଇ କଣ୍ଟେନର(ବି.ଆର.୨୪ ଜି.ବି.୪୦୫୩) ଦ୍ରୁତ ଗତିରେ ଆସି ବନ୍ଧା କୋବି ବୋଝେଇ ଟ୍ରକକୁ ପଛପଟୁ ଧକା ଦେଇଥିଲା।

ଫଳରେ ଘଟଣାସ୍ଥଳରେ କୋଇଲା ବୋଝେଇ କଣ୍ଟେନରର କ୍ୟାବିନରେ ନିଆଁ ଲାଗିଯାଇଥିଲା ଏବଂ ଗାଡି ଚାଳକ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ। ସୂଚନା ପାଇ ତୁରନ୍ତ ଘଟଣାସ୍ଥଳରେ ବାଲୁଗାଁ ଏବଂ ଗଙ୍ଗାଧରପୁର ଅଗ୍ନିଶମ ବିଭାଗ ପହଁଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ମୃତ ଡ୍ରାଇଭରଙ୍କୁ କ୍ୟାବିନ କାଟି ବାହାର କରାଯାଇଛି ଏବଂ ଶବ ବ୍ୟବେଚ୍ଛେଦ ପାଇଁ ପଠାଇଦିଆଯାଇଛି। କଣ୍ଟେନରର ହେଲ୍ପର ଆହତ ହୋଇଥିବାସ୍ଥଳେ ତାଙ୍କୁ ମେଡିକାଲ କୁ ପଠାଯାଇଛି ଏବଂ ବନ୍ଧା କୋବି ଟ୍ରକର କିଛି ଅଂଶ ନଷ୍ଟ ହୋଇଯାଇଛି।

ମୃତ ଡ୍ରାଇଭର ଜଣକ ମହାରାଷ୍ଟ୍ର ଔରାଙ୍ଗାବାଦର ମେହେନ୍ଦୀନଗରର ଏବଂ ତାଙ୍କ ନାମ ଉପେନ୍ଦ୍ର ରାଓ ବୋଲି ଜଣାପଡିଛି। ଦୁର୍ଘଟଣାସ୍ଥଳରେ ବାଲୁଗାଁ ଉପଖଣ୍ଡ ଆରକ୍ଷୀ ଅଧିକାରୀ ସୁରେଶ କୁମାର ଦାସଙ୍କ ସହ ବାଲୁଗାଁ ଆଇ ଆଇ ସି ରମାକାନ୍ତ ମାହାଲିକ, ବାଣପୁର ଆଇ ଆଇ ସି ସଞ୍ଜୟ କୁମାର ପଟ୍ଟନାୟକ, ନାଚୁଣୀ ଫାଣ୍ଡି ଅଧିକାରୀ ଉମାକାନ୍ତ ସାହୁ ଏବଂ କୁହୁଡି ଫାଣ୍ଡି ଅଧିକାରୀ ନିରଞ୍ଜନ ରାଉତ ଆଦି ଉପସ୍ଥିତ ରହି ଉଭୟ ଗାଡିକୁ ଜବତ କରି ତଦନ୍ତ ଚଳାଇଛନ୍ତି।