Categories
ଅପରାଧ ଆଜିର ଖବର ରାଜ୍ୟ ଖବର

୩୦ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କାର ବ୍ରାଉନ ସୁଗାର ଜବତ କଲା ଖୋର୍ଦ୍ଧା ଟାଉନ ଥାନା ପୋଲିସ, ନାବାଳିକାଙ୍କ ସମେତ ୪ ଗିରଫ

ଖୋର୍ଦ୍ଧା: ଖୋର୍ଦ୍ଧା ଟାଉନ ଥାନା ପୋଲିସକୁ ଆଜି ବଡ଼ ସଫଳତା ମିଳିଛି। ୩୦ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କାର ବ୍ରାଉନ ସୁଗାର ଜବତ ସହ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ।

ସୂଚନା ମୁତାବକ ଗୁରୁଜଙ୍ଗ ଗ୍ରାମ କୋଚିଲାକନ ସାହିରେ ଆଜି ବ୍ରାଉନ ସୁଗାର କାରବାର ଚାଲିଥିବାର ଏସପି ସିଦ୍ଧାର୍ଥ କଟାରିଆ ଖବର ପାଇଥିଲେ। ସଙ୍ଗେସଙ୍ଗେ ଏସପିଙ୍କ ନିର୍ଦ୍ଦେଶକ୍ରମେ ଖୋର୍ଦ୍ଧା ଏସଡିପିଓ ସୁଶୀଲ ମିଶ୍ର ଏବଂ ଟାଉନ ଥାନା ଇନଚାର୍ଜ ଡ଼ିଏସପି ସଞ୍ଜୟ ପଟ୍ଟନାୟକଙ୍କ ତତ୍ୱାବଧାନରେ ସ୍ୱତନ୍ତ୍ର ସ୍କ୍ୱାର୍ଡର ସହଯୋଗରେ ଏକ ଟିମ ଗଠନ କରାଯାଇ ଉକ୍ତ ସ୍ଥାନରେ ଚଢ଼ାଉ କରାଯାଇଥଲା।

ଚଢ଼ାଉ ସମୟରେ ଗୋଟିଏ ଘରୁ ୩୧୦ ଗ୍ରାମ ବ୍ରାଉନ ସୁଗାର ଜବତ କରିବା ସହ ଅଭିଯୁକ୍ତ ନନ୍ଦ କିଶୋର ସାହୁ, ସଂଗ୍ରାମ ସାମନ୍ତରାୟ, ସୋମନାଥ ବରାଳ ଏବଂ ଜଣେ ନାବାଳିକାଙ୍କୁ ପୋଲିସ ଗିରଫ କରିଛି। ଅପରପକ୍ଷେ ଏମାନଙ୍କୁ ବ୍ରାଉନ ସୁଗାର ଯୋଗାଉଥିବା ବେପାରି ସଂଜୀବ ସାହୁ ଘଟଣାସ୍ଥଳରୁ ଫେରାର ହେବାରେ ସକ୍ଷମ ହୋଇଛନ୍ତି।

ସେହିପରି ଭାବେ ଅଭିଯୁକ୍ତଙ୍କ ନିକଟରୁ ପୋଲିସ ୨ ଗୋଟି ବାଇକ ଏବଂ ଗୋଟେ ମାରୁତି ୮୦୦ କାର ଜବତ କରିଛି। ଜବତ ବ୍ରାଉନସୁଗାର ମୂଲ୍ୟ ୩୧ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି।

ଗିରଫ ଅଭିଯୁକ୍ତଙ୍କ ବିରୋଧରେ ଏନଡ଼ିପିଏସ ଅଧିନିୟମ ୨୧(ଗ)/୨୯ ଅନୁଯାୟୀ ଟାଉନ ଥାନା କେଶ ନମ୍ବର ୨୩୭/୨୨ ରେ ମାମଲା ରୁଜୁ କରାଯାଇ କୋର୍ଟଚାଲାଣ କରାଯାଇଥିବାର ସୂଚନା ମିଳିଛି। ଉକ୍ତ ଚଢ଼ାଉରେ ଏସଆଇ ସୁକାନ୍ତ ଦଳାଇ, ପଦ୍ମଲୋଚନ ବେହେରା, ସସ୍ମିତା ବେହେରା, ଏଏସଆଇ ରାମଚନ୍ଦ୍ର ମିଶ୍ର ଏବଂ ସ୍ୱତନ୍ତ୍ର ସ୍କ୍ୱାର୍ଡ ଆଦି ସାମିଲ ଥିଲେ।