Categories
ଅପରାଧ ଆଜିର ଖବର ଜାତୀୟ ଖବର

ସିସିଟିଭିରେ କଏଦ୍: ହୋଟେଲର ତୃତୀୟ ମହଲାରୁ ଡେଇଁ ନାବାଳିକାଙ୍କ ଆତ୍ମହତ୍ୟା

ଉଜ୍ଜୈନ: ମଧ୍ୟପ୍ରଦେଶର ଉଜ୍ଜୈନର ମହାକାଳ ମନ୍ଦିର ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ହୋଟେଲର ତୃତୀୟ ମହଲାରୁ ଡେଇଁ ଜଣେ ନାବାଳିକା ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ରବିବାର ରାତି ୧୧.୪୮ ମିନିଟରେ ଏହି ଘଟଣା ଘଟିଛି। ଝିଅଟି ପ୍ରେମିକ ସହିତ ହୋଟେଲରେ ରହୁଥିଲା ଏବଂ ସେପ୍ଟେମ୍ବର ୪ ତାରିଖରୁ ନିଖୋଜ ଥିଲା।

ପୋଲିସ ଖବର ମୁତାବାକ, ପ୍ରେମିକ ସହିତ ଝଗଡା ହେବା ପରେ ନାବାଳିକା ଜଣଙ୍କ ଏହି ପଦକ୍ଷେପ ନେଇଥିଲା। ଉଭୟ ବିବାହିତ ଦମ୍ପତି ଭାବରେ ହୋଟେଲରେ ରହୁଥିଲେ। ଏହା ବ୍ୟତୀତ ସେ ହୋଟେଲକୁ ନକଲି ପରିଚୟପତ୍ର ଦେଇଥିଲେ। ମହାକାଳ ପୋଲିସ ଷ୍ଟେସନ କହିଛି ଯେ, ଝିଅଟି ହୋଟେଲର ତୃତୀୟ ମହଲାରୁ ଡେଇଁପଡିଥିଲା। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା ଏବଂ ହୋଟେଲ ମାଲିକ ଏବଂ ଦୁଇ ପୁଅଙ୍କୁ ଗିରଫ କରିଥିଲା। ନାବାଳିକା ଜୁଡୋ କରାଟେରେ ଅଂଶଗ୍ରହଣ କରୁଥିଲା ଏବଂ ଏକାଦଶ ଶ୍ରେଣୀର ଛାତ୍ରୀ ଥିଲା।

ପୋଲିସର ସୂଚନାନୁସାରେ, ଝିଅଟି ରହୁଥିବା ହୋଟେଲର ସେହି କୋଠରୀରେ ପ୍ରେମିକ ଏବଂ ଅନ୍ୟ ସାଙ୍ଗମାନଙ୍କ ମଧ୍ୟ ଉପସ୍ଥିତି ଥିବା ସୂଚନା ମିଳିଛି। ବର୍ତ୍ତମାନ ପୋଲିସ ଏହି ଘଟଣାର ତଦନ୍ତ କରୁଛି। ନାବାଳିକାଙ୍କ ମୃତ୍ୟୁ ଘଟଣାର ସିସିଟିଭି ଫୁଟେଜ ମଧ୍ୟ ପୋଲିସ ପାଇଛି। ଯେଉଁଥିରେ ସେ ତଳେ ପଡ଼ିଥିବାର ଦେଖାଯାଉଛି।