Categories
ଆଜିର ଖବର ରାଜ୍ୟ ଖବର

ଶୀଘ୍ର ଆରମ୍ଭ ହେବ ଦୁଇ ବର୍ଷିଆ ବିଏଡ, ଏମଏଡ ଏବଂ ବିଏଚଏଡ ପାଠ୍ୟକ୍ରମରେ ନାମଲେଖା ପ୍ରକ୍ରିୟା

ଭୁବନେଶ୍ଵର: ଆଗାମୀ ଶିକ୍ଷାବର୍ଷ ନିମନ୍ତେ ଦୁଇ ବର୍ଷିଆ ବିଏଡ, ଏମଏଡ ଏବଂ ବିଏଚଏଡ ପାଠ୍ୟକ୍ରମରେ ନାମଲେଖା ପ୍ରକ୍ରିୟା ଶୀଘ୍ର ଆରମ୍ଭ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ଶିକ୍ଷା ବର୍ଷ – ୨୦୨୫-୨୬ ପାଇଁ ଖୁବ୍‌ଶୀଘ୍ର ନାମଲେଖା ପ୍ରକ୍ରିୟା ଆରମ୍ଭ ହେବ।

ଆବେଦନକାରୀଙ୍କ ପାଇଁ ଚଳିତ ମାସ ୨୪ ତାରିଖଠାରୁ କମନ ଆପ୍ଲିକେସନ ଫର୍ମ ପୂରଣ ପ୍ରକ୍ରିୟା ଆରମ୍ଭ ହେବ। ପ୍ରବେଶିକା ପରୀକ୍ଷା ଆସନ୍ତା ଜୁନ ମାସ ପ୍ରଥମ ସପ୍ତାହରେ ଅନୁଷ୍ଠିତ ହେବ।

Categories
ଆଜିର ଖବର ରାଜ୍ୟ ଖବର

ଆଇଆଇଏମ୍‌ସି ଢେଙ୍କାନାଳରେ ଓଡ଼ିଆ ସାମ୍ବାଦିକତା ପାଠ୍ୟକ୍ରମ ପାଇଁ ନାମଲେଖା ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର: ଢେଙ୍କାନାଳସ୍ଥିତ ଭାରତୀୟ ଜନ ସଞ୍ଚାର ସଂସ୍ଥାନ (ଆଇଆଇଏମ୍‌ସି)ଠାରେ  ‘ଓଡ଼ିଆ ସାମ୍ବାଦିକତାରେ ସ୍ନାତକୋତ୍ତର ଡିପ୍ଲୋମା ପାଠ୍ୟକ୍ରମ’ ପାଇଁ ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ବର୍ଷିକିଆ ପାଠ୍ୟକ୍ରମରେ ଓଡ଼ିଆ ଭାଷାକୁ ଅଧିକ ଗୁରୁତ୍ୱ ଦିଆଯିବା ସହିତ ଛାତ୍ରଛାତ୍ରୀଙ୍କୁ ସାମ୍ବାଦିକତା, ଗଣମାଧ୍ୟମ ଲିଖନ, ରିପୋର୍ଟିଂ, ସମ୍ପାଦନା, ଡିଜିଟାଲ ଯୋଗାଯୋଗ ଓ ଲୋକସମ୍ପର୍କ ଆଦି ବିଭିନ୍ନ ବିଷୟରେ ଶିକ୍ଷା ପ୍ରଦାନ କରାଯିବ।

ଏନେଇ ସଂସ୍ଥାନର ଆଞ୍ଚଳିକ ନିର୍ଦ୍ଦେଶକ ଡ. ଆନନ୍ଦ ପ୍ରଧାନ କହିଛନ୍ତି, ୨୦୨୫ ମାର୍ଚ୍ଚ ୩ ତାରିଖଠାରୁ ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇଛି। ଆଶାୟୀ ଛାତ୍ରଛାତ୍ରୀ ଉଭୟ ଅନ୍‌ଲାଇନ୍ ଓ ଅଫ୍‌ଲାଇନ୍ ମାଧ୍ୟମରେ ଏଥିପାଇଁ ଆବେଦନ କରିପାରିବେ। ଆବେଦନ ଫର୍ମ ପହଞ୍ଚିବାର ଶେଷ ତାରିଖ ହେଉଛି ଏପ୍ରିଲ ୩୦ ତାରିଖ। ପ୍ରବେଶିକା ପରୀକ୍ଷା ମେ’ ୧୮ ତାରିଖ ଦିନ ଭୁବନେଶ୍ୱର, ଢେଙ୍କାନାଳ, ବ୍ରହ୍ମପୁର, ସମ୍ବଲପୁର ଓ ବାଲେଶ୍ୱରରେ ଅନୁଷ୍ଠିତ ହେବାକୁ ସ୍ଥିର କରାଯାଇଛି। ପ୍ରବେଶିକା ପରୀକ୍ଷାରେ ଶିକ୍ଷାର୍ଥୀଙ୍କ ଓଡ଼ିଆ ଭାଷାରେ ବ୍ୟବହାରିକ ପାରଦର୍ଶିତା, ଲିଖନ ଦକ୍ଷତା, ସାଧାରଣ ଜ୍ଞାନ ଓ ସାମ୍ବାଦିକତା ପ୍ରତି ଆଗ୍ରହ ଆଦିର ମୂଲ୍ୟାୟନ କରାଯିବ ବୋଲି ସେ ସୂଚନା ଦେଇଛନ୍ତି। ଡ. ପ୍ରଧାନ ଆହୁରି କହିଛନ୍ତି, ଓଡ଼ିଆ ସାମ୍ବାଦିକତା ପାଠ୍ୟକ୍ରମ ୨୫ ବର୍ଷରେ ପହଞ୍ଚିଛି। ଏହି ସମୟରେ ସଂସ୍ଥାନରୁ ଶତାଧିକ ଶିକ୍ଷାର୍ଥୀ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇ ରାଜ୍ୟ ତଥା ଦେଶ ବିଦେଶର ବିଭିନ୍ନ ଗଣମାଧ୍ୟମ ସଂସ୍ଥା, କର୍ପୋରେଟ୍ ସଂସ୍ଥା ଏବଂ ସରକାରୀ ସଂସ୍ଥାନର ବିଭିନ୍ନ ପଦପଦବୀରେ ପ୍ରତିଷ୍ଠିତ ହୋଇପାରିଛନ୍ତି। ଆଗାମୀ ଦିନରେ ମଧ୍ୟ ସାମ୍ବାଦିକତା ଓ ଗଣଯୋଗାଯୋଗ କ୍ଷେତ୍ରରେ ଅନେକ ନିଯୁକ୍ତି ସୁଯୋଗ ରହିବ ବୋଲି ସେ ପ୍ରକାଶ କରିଛନ୍ତି।

ଏହି ପାଠ୍ୟକ୍ରମ ପାଇଁ ମୋଟ ୩୦ଟି ଆସନ ରହିଛି। ଏଥିମଧ୍ୟରୁ ଭାରତ ସରକାରଙ୍କ ନିୟମାନୁସାରେ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି, ଅନ୍ୟାନ୍ୟ ପଛୁଆ ବର୍ଗ, ଆର୍ଥିକ ଅନଗ୍ରସର ବର୍ଗ, ଦିବ୍ୟାଙ୍ଗ ବର୍ଗ ପାଇଁ ଆସନ ସଂରକ୍ଷିତ ରହିଛି। ଯେଉଁ ଆଶାୟୀ ଛାତ୍ରଛାତ୍ରୀ ସ୍ନାତକ ସମାପ୍ତ କରିସାରିଥିବେ କିମ୍ବା ସ୍ନାତକ ଶେଷ ବର୍ଷରେ ଅଧ୍ୟୟନରତ ରହିଛନ୍ତି ସେମାନେ ଏହି ପାଠ୍ୟକ୍ରମରେ ନାମଲେଖା ପାଇଁ ଆବେଦନ କରିପାରିବେ।

ଆବେଦନକାରୀ ଆଇଆଇଏମ୍‌ସିର ୱେବ୍‌ସାଇଟ୍ https://iimc.gov.in/language-courses-25-26 ରୁ ନାମଲେଖା ଫର୍ମ ଡାଉନ୍‌ଲୋଡ୍ କରିପାରିବେ କିମ୍ବା ୱେବ୍‌ସାଇଟ୍‌ରେ ଦିଆଯାଇଥିବା ଗୁଗୁଲ୍ ଫର୍ମ ଲିଙ୍କ୍ https://forms.gle/ZzU1Ftf7UCe9kFr37 କୁ କ୍ଲିକ୍‍ କରି ଫର୍ମରେ ନିଜର ବିବରଣୀ ଦାଖଲ କରିପାରିବେ। ଏହାସହ ଢେଙ୍କାନାଳସ୍ଥିତ ଆଇଆଇଏମ୍‌ସି ଢେଙ୍କାନାଳ କ୍ୟାମ୍ପସ୍ କାର୍ଯ୍ୟାଳୟ, ଭୁବନେଶ୍ୱରସ୍ଥିତ ରେଳସଦନ ପଛପଟେ ଥିବା ଏନଏବିଏମ-ପ୍ରସାର ଭାରତୀ (ତୃତୀୟ ମହଲା) ଏବଂ କଟକ, ବକ୍ସି ବଜାର ଚଳଚ୍ଚିତ୍ର ଭବନରେ ଥିବା ସିବିଏଫ୍‌ସି ଆଞ୍ଚଳିକ କାର୍ଯ୍ୟାଳୟରେ ମଧ୍ୟ ଫର୍ମ  ଉପଲବ୍ଧ ହେଉଛି। ଶିକ୍ଷାର୍ଥୀମାନେ ସିଧାସଳଖ ଉପରୋକ୍ତ ସ୍ଥାନକୁ ଆସି ଫର୍ମ ନେଇପାରିବେ। ପାଠ୍ୟକ୍ରମ ସମ୍ପର୍କରେ ଯଦି କିଛି ଦ୍ୱନ୍ଦ୍ୱ ବା ପ୍ରଶ୍ନଥାଏ, ତେବେ ଶିକ୍ଷା ସଂଯୋଜକ ଜିତେନ୍ଦ୍ର ପତିଙ୍କୁ ୯୪୩୭୪୪୪୨୦୦ ମୋବାଇଲ ନମ୍ବରରେ ଯୋଗାଯୋଗ କରିପାରିବେ।