Categories
ବିଶେଷ ଖବର

୧୭ରେ ନାମାଙ୍କନ ପତ୍ର ଦାଖଲ କରିବେ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ

ଭୁବନେଶ୍ଵର: ଝାରସୁଗୁଡା ଉପନିର୍ବାଚନ ପାଇଁ ଆସନ୍ତା ୧୭ ତାରିଖ ଦିନ ଦଳୀୟ ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ପାର୍ଥୀପତ୍ର ଦାଖଲ କରିବେ। ଏହି ଅବସରରେ ରାଜ୍ୟ ସଭାପତି ମନମୋହନ ସାମଲ, ସ୍ଥାନୀୟ ସାଂସଦ ସୁରେଶ ପୁଜାରୀ, ଜୁଏଲ ଓରାମ, ବସନ୍ତ ପଣ୍ଡା, ସଙ୍ଗୀତା ସିଂହଦେଓ, ନିତେଶ ଗଙ୍ଗଦେବ, ବିଧାୟକ ଶଂକର ଓରାମ, ଭବାନୀ ଭୋଇ, କୁସୁମ ଟେଟେ, ସୁବାଷ ପାଣିଗ୍ରାହୀ, ନାଉରୀ ନାୟକ, ଡ.ମୁକେଶ ମହାଲିଙ୍ଗ, ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି, କେ.ଭି.ସିଂହଦେଓ ପ୍ରମୁଖଙ୍କ ସମେତ ବହୁ ପଦାଧିକାରୀ ସାମିଲ ହେବେ ବୋଲି ଶ୍ରୀ ମହାପାତ୍ର ସୁଚନା ଦେଇଛନ୍ତି।

ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାପାତ୍ର କହିଛନ୍ତି ଯେ, ଆର୍ଥିକ ଦୃଷ୍ଟିକୋଣରୁ ଝାରସୁଗୁଡା ଜିଲ୍ଲା ଗୋଟିଏ ସମୃଦ୍ଧଶୀଳ ଜିଲ୍ଲା। ତଥାପି ବିକାଶ ପହଂଚିପାରିନାହିଁ। ଜିଲ୍ଲାରେ ଆଇନଶୃଙ୍ଖଳା, ସ୍ୱାସ୍ଥ୍ୟବସ୍ଥା, ରାସ୍ତାଘାଟ, ପାନୀୟ ଜଳ, ଭଳି ବିଭିନ୍ନ ସମସ୍ୟା ଘେରରେ ରହିଥିବାବେଳେ ପ୍ରଦୁଷଣ ବର୍ତମାନ ଚିନ୍ତାର କାରଣ ସାଜିଛି। ଏହି କାରଣରୁ ଝାରସୁଗୁଡା ଜିଲ୍ଲା ବର୍ତମାନ ରାଜ୍ୟ ତଥା ଦେଶର ଉତପ୍ତ ଜିଲ୍ଲା ଭାବେ ରେକର୍ଡ ସୃଷ୍ଟି କରିଛି । ଜିଲ୍ଲାର ଜଣେ ଛୋଟ ପିଲାକୁ ଦିନଦ୍ୱିପହରରେ ଅପହରଣ କରାଯାଇ ନିର୍ମମ ଭାବେ ହତ୍ୟା କରାଯିବା ହେଉଛି ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାର ଆଉ ଏକ ନଗ୍ନ ଉଦାହରଣ। ସେହିପରି ଓଡ଼ିଶାର ଅନ୍ୟତମ ପ୍ରଦୂଷିତ ଜିଲ୍ଲା ହେଉଛି ଝାରସୁଗୁଡା। ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଲ୍ୟାଣ ପାଣ୍ଠୀରୁ ଅର୍ଥ ଯୋଗାଯାଉଛି, କିନ୍ତୁ ତାକୁ ରାଜ୍ୟ ସରକାର ବାଟମାରଣା କରୁଛନ୍ତି। ଫଳରେ ରାଜ୍ୟ ସରକାର ପ୍ରଦୂର୍ଷଣ ନିୟନ୍ତ୍ରଣ କରିବାରେ ଫେଲ ମାରିଛନ୍ତି । ସେହିପରି ଝାରସୁଗୁଡାରେ ଜଳସେଚନ ବଡ ସମସ୍ୟା ହୋଇଛି। ଜିଲ୍ଲାର ଗ୍ରାମାଂଚଳରେ ଆଜି ବି ଶୁଦ୍ଧ ପାନୀୟ ଜଳ ପାଇଁ ସ୍ଥାନୀୟବାସିନ୍ଦା ହନ୍ତସନ୍ତ ହେଉଛନ୍ତି। ଏଭଳି ଅନେକ ସମସ୍ୟା ଘେରରେ ଝାରସୁଗୁଡା ଜିଲ୍ଲା ରହିଛି ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶାସନ ଭାର ସମ୍ଭାଳିବା ଶିଳ୍ପ ଜିଲ୍ଲା ଭାବେ ପରିଚିତ ଝାରସୁଗୁଡା ଜିଲ୍ଲାରେ ବିମାନ ସେବା ଆରମ୍ଭ ହୋଇଛି। ଭାରତର ଯଶସ୍ୱୀ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ସ୍ଥାନୀୟ ସାଂସଦ ସୁରେଶ ପୂଜାରୀ ଏବଂ ବିଜେପି କାର୍ଯ୍ୟକର୍ତ୍ତାମାନେ ଜିଲ୍ଲାର ବିକାଶ ପାଇଁ ଅନେକ କାର୍ଯ୍ୟ କରିଛନ୍ତି। ମାତ୍ର ରାଜ୍ୟ ଓ ସ୍ଥାନୀୟ ଜିଲ୍ଲା ପ୍ରଶାସନର ସ୍ଥାଣୁତା ପାଇଁ ଜିଲ୍ଲାର ବିକାଶମୁଳକ କାର୍ଯ୍ୟ ଅତ୍ୟନ୍ତ ମନ୍ଥର ଗତିରେ ଚାଲିଛି ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

ପ୍ରଧାନମନ୍ତ୍ରୀ କ୍ଷେତ୍ରୀୟ ଖଣିଜ କଲ୍ୟାଣ ପାଣ୍ଠି ଜରିଆରେ ଜିଲ୍ଲାକୁ ୯୦୦ଶହ କୋଟି ଟଙ୍କା ମୋଦି ସରକାର ଦେଇଛନ୍ତି। ଜିଲ୍ଲାବାସୀଙ୍କ ପାନୀୟ ଜଳ ସମସ୍ୟାର ସମାଧାନ ପାଇଁ ୨୦୨୦ ଭିତରେ ସମସ୍ତ ପ୍ରକଳ୍ପ କାମ ଶେଷ ହେବାର ଧାର୍ଯ୍ୟ ଲକ୍ଷ୍ୟ ରାଜ୍ୟ ସରକାରଙ୍କ ଅପାରଗତା କାରଣରୁ ଆଜି ବିଫଳ ହୋଇଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଯେଉଁ ଘର ଆସିଛି ବିଜେଡିର ଧନୀ ନେତାମାନେ ବାପା, ମା ଓ ସ୍ତ୍ରୀ ନାଁ ବଦଳାଇ ପାଂଚ ପାଂଚଟି ଘର ହାତେଇବାର ଚକ୍ରାନ୍ତ କରିଛନ୍ତି। ପ୍ରକୃତ ହିତାଧିକାରୀଙ୍କ ପାଖରେ ଆବାସ ପଂହଚି ପାରୁନାହିଁ। ବିସ୍ଥାପିତଙ୍କୁ ଥଇଥାନ କରିବାରେ ରାଜ୍ୟ ସରକାରଙ୍କ କୈାଣସି ଆନ୍ତରିକତା ନାହିଁ। ସେହିପରି ଜିଲ୍ଲାରେ ପ୍ରତିଷ୍ଠା ହୋଇଥିବା ବିଭିନ୍ନ ଶିଳ୍ପାନୁଷ୍ଠାନରେ ସ୍ଥାନୀୟ ଯୁବକଙ୍କୁ ନିଯୁକ୍ତି ମିଳୁନାହିଁ। ଏଥି ପାଇଁ ବିଜେଡି ସରକାର ଦାୟୀ। ଝାରସୁଗୁଡା ଜିଲ୍ଲାର ସାମଗ୍ରିକ ବିକାଶ ପାଇଁ ବିଜେପି ପ୍ରତିଶୃତିବଦ୍ଧ ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ସଭାପତି ମଙ୍ଗଳ ସାହୁ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସୁନୀଲ ପଣ୍ଡା, ଜିଲ୍ଲା ସାଧାରଣ ସଂପାଦକ ପ୍ରେମସେନ୍ ରାୟ, ଅନୁସୁଚିତ ଜାତି ମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଲଲିତ୍ ମଗର୍ ପ୍ରମୁଖ ଉପସ୍ଥିତ ଥିଲେ।

Categories
ବିଶେଷ ଖବର

ରାଷ୍ଟ୍ରପତି ନିର୍ବାଚନ ପାଇଁ ୯୮ ଜଣ ଭରିଲେ ନାମାଙ୍କନ, କେବଳ ଦୁଇଜଣ ଯୋଗ୍ୟ, ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନ ୨୦୨୨ ପାଇଁ ୯୮ ଜଣ ନାମାଙ୍କନ ପତ୍ର ଭରିଛନ୍ତି, ସେଥିମଧ୍ୟରୁ କେବଳ ୨ ଜଣ ପ୍ରାର୍ଥୀ ଯୋଗ୍ୟ ହୋଇଛନ୍ତି। ନାମାଙ୍କନ ଏବଂ ଯାଞ୍ଚ ପ୍ରକ୍ରିୟା ଶେଷ ହେବା ପରେ ଅବଶିଷ୍ଟ ଲୋକଙ୍କ ନାମାଙ୍କନ ପତ୍ର ପ୍ରତ୍ୟାଖ୍ୟାନ କରାଯାଇଛି। ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ଜୁଲାଇ ୨ ତାରିଖ ପର୍ଯ୍ୟନ୍ତ ରହିଛି। ନିର୍ବାଚନର ପ୍ରିଜାଇଡିଂ ଅଫିସରଙ୍କ ଦ୍ଵାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ଜୁନ୍ ୨୯ ତାରିଖରେ ନାମାଙ୍କନପତ୍ରର ଶେଷ ତାରିଖ ଶେଷ ହେବା ପର୍ଯ୍ୟନ୍ତ ମୋଟ ୯୮ ଜଣ ଲୋକ ୧୧୫ ସେଟ୍ ନାମାଙ୍କନପତ୍ର ପୂରଣ କରିଥିଲେ। ଏଥିମଧ୍ୟରୁ ୨୬ ଜଣଙ୍କ ନାମାଙ୍କନ ବୈଷୟିକ କାରଣ ହେତୁ ବାତିଲ କରାଯାଇଥିଲା। ଗୁରୁବାର ଦିନ ଅବଶିଷ୍ଟ ୭୨ ଜଣଙ୍କ ନାମାଙ୍କନପତ୍ର ଯାଞ୍ଚ କରାଯାଇଥିଲା, ସେଥିମଧ୍ୟରୁ କେବଳ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଏବଂ ୟୁପିଏ ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କ ନାମାଙ୍କନ ସଠିକ୍ ବୋଲି ଜଣାପଡିଛି।

ଏଥର ରାଜ୍ୟସଭା ସଚିବ ପିସି ମୋଦୀଙ୍କୁ ନିର୍ବାଚନର ପ୍ରିଜାଇଡିଂ ଅଫିସର କିମ୍ବା ରିଟର୍ଣ୍ଣିଂ ଅଫିସର କରାଯାଇଛି। ତଥ୍ୟ ଅନୁଯାୟୀ, ଦିଲ୍ଲୀ ସମେତ ୧୭ଟି ରାଜ୍ୟରୁ ନାମାଙ୍କନ ପତ୍ର ପୂରଣ କରାଯାଇଥିଲା। ଏଥିମଧ୍ୟରୁ ସର୍ବାଧିକ ୧୯ ଜଣ ଦିଲ୍ଲୀରୁ ନାମାଙ୍କନ ଦାଖଲ କରିଥିବାବେଳେ ଉତ୍ତରପ୍ରଦେଶର ୧୬ ଜଣ ନାମାଙ୍କନ ଦାଖଲ କରିଥିଲେ। ସେହିଭଳି ମହାରାଷ୍ଟ୍ରର ୧୧ ଜଣ ଏବଂ ତାମିଲନାଡୁର ୧୦ ଜଣ ଏହି ଫର୍ମ ପୂରଣ କରିଥିଲେ। ନାମାଙ୍କନପତ୍ର ଦାଖଲ କରିଥିବା ବ୍ୟକ୍ତିଙ୍କ ମଧ୍ୟରେ ଦ୍ରୌପଦୀ ମୁର୍ମୁଙ୍କ ସମେତ ୧୦ ଜଣ ମହିଳା ମଧ୍ୟ ଥିଲେ।

ଅଧିକାଂଶ ପ୍ରତ୍ୟାଖ୍ୟାନ ନାମାଙ୍କନପତ୍ରରେ ଯଥେଷ୍ଟ ସଂଖ୍ୟକ ପ୍ରସ୍ତାବକ ଏବଂ ସେକେଣ୍ଡର ନଥିବା ଏବଂ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ୧୫ ହଜାର ଟଙ୍କା ଜମା ନହେବା ଭଳି କାରଣ ଅନ୍ତର୍ଭୁକ୍ତ। ୬୨ ଜଣଙ୍କ ଦ୍ୱାରା ୯ ଲକ୍ଷ ୩୦ ହଜାର ଟଙ୍କା ଜମା ରୂପେ ଗ୍ରହଣ କରାଯାଇଛି। ତଥାପି, ଜମା ହୋଇଥିବା ରାଶି ଏକ ଆବେଦନ ମାଧ୍ୟମରେ ପ୍ରତ୍ୟାହାର କରାଯାଇପାରିବ।

ଲୋକସଭା ଓ ରାଜ୍ୟସଭାର ନିର୍ବାଚିତ ସାଂସଦଙ୍କ ବ୍ୟତୀତ ରାଜ୍ୟର ନିର୍ବାଚିତ ବିଧାୟକମାନେ ରାଷ୍ଟ୍ରପତି ନିର୍ବାଚନରେ ​​ଭୋଟ୍ ଦେଇପାରିବେ। ୨୮ ଟି ରାଜ୍ୟ ବ୍ୟତୀତ ଦିଲ୍ଲୀ ଏବଂ ପୁଡୁଚେରୀର ବିଧାନସଭା ସଦସ୍ୟମାନେ ମଧ୍ୟ ଏହି ନିର୍ବାଚନରେ ​​ଭୋଟ୍ ଦେବେ। ଏହି ନିର୍ବାଚନରେ ​​ଲୋକସଭା ଓ ରାଜ୍ୟସଭାର ୭୭୬ ସାଂସଦ ଭୋଟ୍ ଦେବାକୁ ଯୋଗ୍ୟ ହେବେ ଏବଂ ପ୍ରତ୍ୟେକ ସାଂସଦଙ୍କ ଭୋଟର ମୂଲ୍ୟ ୭୦୦ ରଖାଯାଇଛି। ଏହାର ଅର୍ଥ ସାଂସଦମାନଙ୍କର ମୋଟ ଭୋଟର ମୂଲ୍ୟ ୫ ଲକ୍ଷ ୪୩ ହଜାର ୨୦୦ ହେବ।

ବିଧାୟକଙ୍କ ଭୋଟର ମୂଲ୍ୟ:

ଏହା ବ୍ୟତୀତ ବିଭିନ୍ନ ରାଜ୍ୟରୁ ମୋଟ ୪୦୩୩ ବିଧାୟକ ମଧ୍ୟ ଭୋଟ୍ ଦେବାକୁ ସମର୍ଥ ହେବେ। ପ୍ରତ୍ୟେକ ରାଜ୍ୟର ଜଣେ ବିଧାୟକଙ୍କ ଭୋଟର ମୂଲ୍ୟ ଭିନ୍ନ ହୋଇଥାଏ। ଉତ୍ତରପ୍ରଦେଶର ଜଣେ ବିଧାୟକଙ୍କ ମୁଖ୍ୟ ଭୋଟ୍ ହେଉଛି ୨୦୮, ଯାହା ଦେଶରେ ସର୍ବାଧିକ। ଦ୍ୱିତୀୟ ନମ୍ବରରେ ଝାଡଖଣ୍ଡ ଏବଂ ତାମିଲନାଡୁ, ଯେଉଁଠାରେ ଜଣେ ବିଧାୟକଙ୍କ ଭୋଟର ମୂଲ୍ୟ ୧୭୬ ରେ ସ୍ଥିର କରାଯାଇଛି। ସେହିଭଳି ମହାରାଷ୍ଟ୍ରରେ ଜଣେ ବିଧାୟକଙ୍କ ଭୋଟର ମୂଲ୍ୟ ୧୭୫ ରେ ରଖାଯାଇଛି। ସିକ୍କିମର ବିଧାୟକଙ୍କ ଭୋଟ୍ ମୂଲ୍ୟ ସର୍ବନିମ୍ନ ଅଟେ ଯାହା ୬ ଅଟେ। ଦିଲ୍ଲୀରୁ ଜଣେ ବିଧାୟକଙ୍କ ଭୋଟର ମୂଲ୍ୟ ୫୮ ରେ ସ୍ଥିର ହୋଇଥିବାବେଳେ ପୁଡୁଚେରୀର ଜଣେ ବିଧାୟକଙ୍କ ମୂଲ୍ୟ ୧୬ ରେ ସ୍ଥିର କରାଯାଇଛି।

Categories
ଆଞ୍ଚଳିକ

ୱାର୍ଡ଼ ନଂ ୨୮ରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କଲେ ସମାଜସେବୀ ପ୍ରଭାତୀ ସାହୁ

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମର ୱାର୍ଡ଼ ନଂ୨୮ରୁ କର୍ପୋରେଟର ପଦବୀ ପାଇଁ ସ୍ୱାଧୀନ ପ୍ରାର୍ଥୀଭାବେ ସମାଜସେବୀ ପ୍ରଭାତୀ ସାହୁ ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଦୀର୍ଘବର୍ଷ ଧରି ନିଜକୁ ସମାଜସେବାରେ ନିୟୋଜିତ କରିଥିବା ଏବଂ ୱାର୍ଡ଼ ନଂ-୨୮ରେ ଥିବା ମୌଳିକ ସମସ୍ୟାଗୁଡ଼ିକର ସମାଧାନ କରି ଲୋକଙ୍କୁ ସେବା ଯୋଗାଇ ଆସୁଥିବା ପ୍ରଭାତୀ ତାଙ୍କର ନାମାଙ୍କନ ପତ୍ର ଦାଖଲ ପରେ ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଥିଲେ ଯେ, ଜଣେ ସମାଜସେବୀ ହିସାବରେ ଲୋକଙ୍କୁ ସେବା ଯୋଗାଇବା ମୋର ପ୍ରଥମ କର୍ତ୍ତବ୍ୟ। ବାତ୍ୟା, ବନ୍ୟା, ମହାମାରୀ କରୋନା ଓ ଅନ୍ୟାନ୍ୟ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ମୁଁ ଲୋକଙ୍କୁ ସେବା ଯୋଗାଇ ଆସୁଛି। ରାଜଧାନୀ ଭୁବନେଶ୍ୱରକୁ ଏକ ନମ୍ବର ସହରରେ ପରିଣତ କରିବା ମୋର ପ୍ରଥମ ଲକ୍ଷ୍ୟ।

ଏଥିସହିତ ରାଜଧାନୀରେ ବସବାସ କରୁଥିବା ବସ୍ତିବାସିନ୍ଦାମାନଙ୍କ ସମସ୍ୟାକୁ ଦୂର କରି ସେମାନଙ୍କ ପାଇଁ ଆଦର୍ଶ କଲୋନୀ ପ୍ରତିଷ୍ଠା କରିବା, ଡ୍ରେନେଜ ସମସ୍ୟାକୁ ଦୂର କରିବା ସହିତ ରାଜଧାନୀରେ ବଢି ଚାଲିଥିବା ଚୋରି, ଡ଼କାୟତି, ଚୋରା ମଦ, ଗଞ୍ଜେଇ ଓ ଧଳା ଜହର କାରବାରକୁ ବନ୍ଦ କରିବା ଏବଂ ରାଜଧାନୀର ଗରିବ, ଅସହାୟ ଓ ନିଷ୍ପେସିତ ଲୋକମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ମୁଁ ଆଜି ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଛି। ମୋର ସମାଜସେବା ଓ ତ୍ୟାଗ ପାଇଁ ୱାର୍ଡ଼ ନଂ-୨୮ ସାଧାରଣ ଜନତା ମୋତେ ବିଜୟୀ କରିବେ ବୋଲି ମୋର ଆଶା ଓ ବିଶ୍ୱାସ।

ପ୍ରଭାତୀଙ୍କ ନାମାଙ୍କନ ପତ୍ର ଦାଖଲ ସମୟରେ ସମାଜସେବୀ ବିବେକାନନ୍ଦ ବାରିକ, ଅମ୍ଲେଶ ଦାସ, ରଞ୍ଜନ ମହାନ୍ତି, ଅନୁଜା ଦାସ, ଅମୂଲ୍ୟ ପଣ୍ଡା, ପ୍ରଶାନ୍ତ ମହାନ୍ତି, ଶିବିର କୁମାର ପରିଡ଼ା, ଧରଣୀଧର ସାହୁ, ସରୋଜ ସାହୁ, ଆଶୁତୋଷ ଦତ୍ତ, ଶାନ୍ତିଲତା ପ୍ରଧାନ, ମଣ୍ଟୁଙ୍କ ସମେତ ଶତାଧିକ ସମର୍ଥକ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଆଜି ପ୍ରାର୍ଥୀପତ୍ର ଦାଖଲ କଲେ କଂଗ୍ରେସ ପ୍ରାର୍ଥୀ ହିମାଂଶୁ ମଲ୍ଲିକଙ୍କ ସମେତ ଦୁଇଜଣ ସ୍ୱାଧୀନ ପ୍ରାର୍ଥୀ

ରମେଶ ମହାନ୍ତି

ଜଗତସିଂହପୁର : ଆଜି ନାମାଙ୍କନ ପତ୍ର ଦାଖଲର ସପ୍ତମ ଦିନରେ ତିର୍ତ୍ତୋଲ ନିର୍ବାଚନମଣ୍ଡଳୀର ଉପନିର୍ବାଚନ ନିମନ୍ତେ କଂଗ୍ରେସ ଦଳ ପକ୍ଷରୁ ହିମାଂଶୁ ଭୂଷଣ ମଲ୍ଲିକ ଓ ସ୍ୱାଧୀନ ପ୍ରାର୍ଥୀ ଭାବେ ରମେଶ ଚନ୍ଦ୍ର ମଲ୍ଲିକ ଏବଂ ରବିନ୍ଦ୍ର ନାଥ ସେଠୀ ନିଜର ନାମାଙ୍କନପତ୍ର ଦାଖଲ କରିଛନ୍ତି।  ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିବା ପରେ ପ୍ରାର୍ଥୀମାନେ ଅତିରିକ୍ତ ଜିଲ୍ଲାପାଳ ତଥା ରିଟର୍ଣ୍ଣିଂ ଅଧିକାରୀ ସଚ୍ଚିଦାନନ୍ଦ ସାହୁଙ୍କ ନିକଟରେ ନିଜର ନାମାଙ୍କନପତ୍ର ଦାଖଲ କରିଛନ୍ତି।

ସେହିପରି ପୂର୍ବରୁ ବିଜେପି ପ୍ରାର୍ଥୀ ରାଜକିଶୋର ବେହେରା ନିଜର ନାମାଙ୍କନପତ୍ର ଦାଖଲ କରିସାରିଛନ୍ତି। ଗତକାଲି ଭାରତୀୟ କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ବିଜୟ କୁମାର ଭୋଇ ଓ ସ୍ୱାଧୀନ ପ୍ରାର୍ଥୀ ଭାବେ ଅର୍ଜୁନ ଚରଣ ବେହେରା ନିଜର ନାମାଙ୍କନପତ୍ର ଦାଖଲ କରିଥିଲେ। ଗତକାଲି ସୁଦ୍ଧା ମୋଟ୍ ୩ଜଣ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଥିବା ବେଳେ ଆଜି ୩ଜଣ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଛନ୍ତି।ଆଜି ସୁଦ୍ଧା ସମୁଦାୟ ୬ଜଣ ପ୍ରାର୍ଥୀ ନିଜର ନାମାଙ୍କନପତ୍ର ଦାଖଲ କରିଛନ୍ତି ବୋଲି ଜିଲ୍ଲା ନିର୍ବାଚନ କାର୍ଯ୍ୟାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।