Categories
ଆଜିର ଖବର ଜାତୀୟ ଖବର

ନାରଦା ମାମଲାରେ ୪ ଜଣ ତୃଣମୂଳ ନେତା ଗିରଫ: ସିବିଆଇ ଅଫିସ୍ ପହଞ୍ଚି ବିରୋଧ କଲେ ମମତା

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ପୁଣିଥରେ ରାଜନୈତିକ ବିବାଦ ଆରମ୍ଭ ହୋଇଯାଇଛି। ମମତା ବାନାର୍ଜୀଙ୍କ ଦୁଇ ମନ୍ତ୍ରୀ ଫରହଦ ହକିମ ଏବଂ ସୁବ୍ରତ ମୁଖାର୍ଜୀଙ୍କୁ ନାରଦା ଷ୍ଟିଙ୍ଗ ଅପରେସନ ମାମଲାରେ ସିବିଆଇ ଆଜି ଗିରଫ କରିଛି। ସେହି ଦୁଇଜଣଙ୍କ ବ୍ୟତୀତ ବରିଷ୍ଠ ବିଧାୟକ ମଦନ ମିତ୍ରା ଏବଂ ପୂର୍ବତନ ମେୟର ଶୋଭନ ଚାଟର୍ଜୀଙ୍କୁ ମଧ୍ୟ ସିବିଆଇ ଗିରଫ କରିଛି। ନିଜ ମନ୍ତ୍ରୀ ଏବଂ ବିଧାୟକଙ୍କ ଗିରଫ ପରେ ସିବିଆଇ କାର୍ଯ୍ଯାଳୟରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପହଞ୍ଚି ବିରୋଧ କରିଛନ୍ତି। ଏବଂ ଏହି ଘଟଣାରେ ତାଙ୍କୁ ଗିରଫ କରିବା ପାଇଁ ମଧ୍ୟ ସିବିଆଇକୁ କହିଛନ୍ତି। ମମତା ପାଖାପାଖି ୪୫ ମିନିଟ ପର୍ଯ୍ୟନ୍ତ ସିବିଆଇ କାର୍ଯ୍ଯାଳୟରେ ରହି ବିରୋଧ କରିଥିଲେ।

ଉଲ୍ଲେଖ ଯୋଗ୍ୟ ଯେ, ନାରଦା ଷ୍ଟିଙ୍ଗ ଅପରେସନ ମାମଲାରେ କାର୍ଯ୍ୟାନୁଷ୍ଠାନ ପାଇଁ ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନଖଡଙ୍କ ଠାରୁ ସିବିଆଇ ଅନୁମତି ମାଗିଥିଲା। ନିର୍ବାଚନ ପରେ ରାଜ୍ୟପାଳ ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ ପାଇଁ ଅନୁମତି ଦେଇଥିଲେ। ଏହାପରେ ସିବିଆଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।