Categories
ଅପରାଧ ଆଜିର ଖବର ଜାତୀୟ ଖବର

ରାସ୍ତା ପାର ହେଉଥିବା ବେଳେ ମହିଳାଙ୍କୁ ଧକ୍କା ଦେଲା ଏସୟୁଭି, ପାଞ୍ଚ ମୃତ

ମୁମ୍ବାଇ: ମହାରାଷ୍ଟ୍ରର ପୁଣେ ଜିଲ୍ଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ନାଶିକ୍-ପୁଣେ ରାଜପଥ ଅତିକ୍ରମ କରୁଥିବା ମହିଳାମାନଙ୍କୁ ଦ୍ରୁତ ଗତିରେ ଆସୁଥିବା ଏସୟୁଭି ଧକ୍କା ଦେଇଛି। ଏହି ଦୁର୍ଘଟଣାରେ ୫ ଜଣ ମହିଳାଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ତିନି ଜଣ ଆହତ ହୋଇଛନ୍ତି। ପୁଣେ ସହରଠାରୁ ପ୍ରାୟ ୫୦ କିଲୋମିଟର ଦୂରରେ ଥିବା ଶିରୋଲି ଗ୍ରାମ ନିକଟରେ କ୍ୟାଟରିଂ କାମ ପାଇଁ ୧୭ ଜଣ ମହିଳା ଗୋଷ୍ଠୀ ରାଜପଥ ପାର ହେଉଥିଲେ। ରାତି ୧୧.୪୫ ସମୟରେ ଏହି ଘଟଣା ଘଟିଥିବା ପୋଲିସ କହିଛି।

ଖେଡ ପୋଲିସ ଷ୍ଟେସନର ଜଣେ ପୋଲିସ ଅଧିକାରୀ କହିଛନ୍ତି, “ଏହି ମହିଳାମାନେ ପୁଣେ-ନାଶିକ ରାଜପଥରେ ଅବସ୍ଥିତ ଏକ ବିବାହ ହଲରେ କ୍ୟାଟରିଂ କାମ ପାଇଁ ପୁଣେ ସହରରୁ ଆସିଥିଲେ। ସେମାନେ ରାଜପଥ ପାର ହେଉଥିବା ବେଳେ ଏକ ଏସୟୁଭି ସେମାନଙ୍କୁ ଧକ୍କା ଦେଇଥିଲା।” ଦୁର୍ଘଟଣା ପରେ ଏସୟୁଭି ଡ୍ରାଇଭର ପୁଣେ ଆଡକୁ ଚାଲିଯାଇଥିଲା।

ସେ କହିଛନ୍ତି ଯେ, ଦୁଇଜଣ ମହିଳା ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିବାବେଳେ ଅନ୍ୟ ତିନିଜଣ ଡାକ୍ତରଖାନାରେ ମୃତ୍ୟୁ ବରଣ କରିଛନ୍ତି। ସେ କହିଛନ୍ତି ଯେ, ତିନିଜଣ ମହିଳାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅଜ୍ଞାତ ଏସୟୁଭି ଡ୍ରାଇଭରଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି ଏବଂ ତଦନ୍ତ ଚାଲିଛି ବୋଲି ଅଧିକାରୀ କହିଛନ୍ତି।