Categories
ଆଜିର ଖବର ରାଜ୍ୟ ଖବର

ପାଇକ ଦିବସରେ ‘ପାଇକ ଆଖଡ଼ା’କୁ ରାଜ୍ୟ କ୍ରୀଡ଼ାର ଦାବି ଜଣାଇଲା ପାଇକ ମହାସଂଘ

ଭୂବନେଶ୍ୱର: ରାଜ୍ୟ ସରକାର ମାର୍ଚ୍ଚ ୨୯ ତାରିଖକୁ ‘ପାଇକ ବିଦ୍ରୋହ ଦିବସ’ ଭାବେ ଘୋଷଣା କରିବା ସହିତ ରାଜ୍ୟବ୍ୟାପୀ ପାଳନ କରିବା ଏବଂ ଖୁବ୍ ଶୀଘ୍ର ‘ପାଇକ ଆଖଡ଼ା’କୁ ରାଜ୍ୟ କ୍ରୀଡ଼ାର ମାନ୍ୟତା ଦେବାକୁ ନିଖିଳ ଓଡ଼ିଶା ପାଇକ ମହାସଂଘର ରାଜ୍ୟ ସଭାପତି ଅଶୋକ କୁମାର ପାଲଟାସିଂହ ଦାବି କରିଛନ୍ତି।

ପାଇକ ଦିବସ ପାଳନ ଅବସରରେ ‘ବକ୍ସି ଜଗବନ୍ଧୁ’ଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହିତ ପାଇକ ଦିବସ ପାଳିତ ହୋଇଯାଇଛି। କିନ୍ତୁ ଦୁଃଖ ଓ ପରିତାପର ବିଷୟ କେନ୍ଦ୍ର ସରକାରଙ୍କ ରାଜନୈତିକ ମନୋଭାବ ପାଇଁ ଆଜି ପାଇକ ବିଦ୍ରୋହ ଭାରତବର୍ଷର ପ୍ରଥମ ସ୍ୱାଧୀନତା ସଂଗ୍ରାମ ମାନ୍ୟତା ପାଇବାରୁ ବଞ୍ôଚତ ହୋଇଛି। ନିଜ ମାତୃଭୂମିର ସୁରକ୍ଷା ପାଇଁ ଯେଉଁ ପାଇକ ଢାଲ, ତରବାରୀ ଗର୍ଜି ଉଠିଥିଲା, ଠିକ୍ ଆଜି ମଧ୍ୟ ପାଇକ ବିଦ୍ରୋହକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ଦେବା ସହିତ ‘ପାଇକ ରେଜିମେଣ୍ଟ’ ଗଠନ ଦାବିରେ ଆଉ ଏକ ପାଇକ ବିଦ୍ରୋହକୁ ପାଇକ ମହାସଂଘ ଆହ୍ୱାନ କରୁଛି। ଅନ୍ୟାୟ ବିରୁଦ୍ଧରେ ଲଢେଇ କରିବା ପାଇକ ବା କ୍ଷତ୍ରିୟର ଧର୍ମ। ରଣରଙ୍କା ପାଇକମାନେ ନିଜ ମାତୃଭୂମିର ସୁରକ୍ଷା ପାଇଁ ଇଂରେଜ ବିରୁଦ୍ଧରେ ରଣହୁଙ୍କାର ଡ଼ାକରା ଦେଇଥିଲେ।

ପରନ୍ତୁ ଆଜି କିଛି ଅଣପାଇକ, ଚିଟ୍‌ଫଣ୍ଡ ଦଲାଲ, ଜମି ଦଲାଲ ଯେଉଁମାନଙ୍କ ପୂର୍ବପୁରୁଷ ଇଂରେଜମାନଙ୍କ ସହିତ ସାମିଲ୍ ହୋଇ ପାଇକ ବୀରମାନଙ୍କୁ ଇଂରେଜ ହାତରେ ଧରାଇ ଦେଇଥିଲେ, ସେହିମାନେ ଆଜି ନିଜର ରାଜନୈତିକ ସ୍ୱାର୍ଥ ପାଇଁ ପାଇକମାନଙ୍କ ପାଇଁ କୁମ୍ଭିର କାନ୍ଦଣା କାନ୍ଦି ପୁଣି ପାଇକମାନଙ୍କୁ ପଶାପାଲିରେ ବାଜି ଲଗାଇବାକୁ ଉଦ୍ୟମ କରୁଛନ୍ତି। ସେମାନଙ୍କୁ ନିଖିଳ ଓଡିଶା ପାଇକ ମହାସଂଘ ପକ୍ଷରୁ କଡ଼ା ଚେତାବନୀ ଦିଆଯାଇଛି। ମା’କୁ ଭଲପାଅ, ମାଟିକୁ ଭଲପାଅ, ଏହି ବାର୍ତ୍ତା ପ୍ରଦାନ କରିଛି ମହାସଂଘ।

ଏହି କାର୍ଯ୍ୟକ୍ରମରେ ରାଜ୍ୟ ଉପଦେଷ୍ଟା ବିଭୂତ ଭୂଷଣ ସ୍ୱାଇଁ, ମୁଖପାତ୍ର ରାଜୀବ ନୟନ ରଥ, ଇଂ. ଶିବ ପ୍ରସାଦ ମିଶ୍ର, କାକଟପୁର ପାଇକ ସର୍ଦ୍ଦାର ସୁଧାକର ନାୟକ ପମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

‘ପାଇକ ବିଦ୍ରୋହ’କୁ ନେଇ କେନ୍ଦ୍ର ବିରୋଧରେ ଆଉ ଏକ ପାଇକ ବିଦ୍ରୋହ ଆବଶ୍ୟକ: ମହାସଂଘ

ଭୂବନେଶ୍ୱର: ରଣରଙ୍କା ପାଇକମାନଙ୍କର ‘ପାଇକ ବିଦ୍ରୋହ’ ଭାରତବର୍ଷର ପ୍ରଥମ ଇଂରେଜ ବିରୁଦ୍ଧ ସ୍ୱାଧୀନତା ସଂଗ୍ରାମ ନୁହେଁ। ଏଭଳି ଏକ ଭ୍ରମାତ୍ମକ ବିବୃତ୍ତି ଦେଇ କେନ୍ଦ୍ର ସରକାର ହୀନ ରାଜନୀତି କରୁଛନ୍ତି ବୋଲି ନିଖିଳ ଓଡ଼ିଶା ପାଇକ ମହାସଂଘର ରାଜ୍ୟ ସଭାପତି ଅଶୋକ କୁମାର ପାଲଟାସିଂହ କ୍ଷୋଭ ପ୍ରକାଶ କରିଛନ୍ତି। ୧୮୧୭ ମସିହାରେ ଇଂରେଜ ସରକାର ବିରୁଦ୍ଧରେ ନିଜ ମାଟି, ମାଆର ସୁରକ୍ଷା ପାଇଁ ଖୋର୍ଦ୍ଧା ମାଟିରୁ ଆରମ୍ଭ ହୋଇଥିବା ପାଇକ ବିଦ୍ରୋହ ଭାରତବର୍ଷ ସର୍ବପ୍ରଥମ ସ୍ୱାଧୀନତା ସଂଗ୍ରାମ।

ଐତିହାସିକ ପାଇକ ବିଦ୍ରୋହର ୨୦୦ବର୍ଷ ପୂର୍ତ୍ତି ପାଳନ ଅବସରରେ ତତ୍କାଳୀନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବର୍ତ୍ତମାନ ଭାରତବର୍ଷର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ନୂଆଦିଲ୍ଲୀ ବିଜ୍ଞାନ ଭବନରେ ଏହା ପ୍ରକାଶ କରିଥିଲେ। କେନ୍ଦ୍ର ବଜେଟରେ ପାଇକ ବିଦ୍ରୋହର ସ୍ମାରକୀ ନିର୍ମାଣ ପାଇଁ ବ୍ୟୟବରାଦ କରାଯାଇଥିଲା। ପାଇକ ମହାସଂଘର ଦାବୀ ପରେ ମାନ୍ୟବର ଓଡ଼ିଆପୁଅ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉଦ୍ୟମରେ ଉତ୍କଳ ବିଶ୍ୱବିଦ୍ୟାଳୟରେ ‘ବକ୍ସି ଜଗବନ୍ଧୁ’ ପାଇକ ଚେୟାର ପ୍ରତିଷ୍ଠା କରାଯାଇ ଏହା ଉପରେ ଗବେଷଣା ପାଇଁ ସୁଯୋଗ ସୃଷ୍ଟି କରାଯାଇଥିଲା। ଏପରିକି ମହା ଆଡ଼ମ୍ବରରେ ୨୦୧୯ରେ ପାଇକ ବିଦ୍ରୋହର ସ୍ମାରକୀ ନିର୍ମାଣ ପାଇଁ ବରୁଣେଇ ପାହାଡ଼ ପାଦଦେଶରେ ମାନ୍ୟବର ରାଷ୍ଟ୍ରପତି ରାମନାଥ କୋବିନ୍ଦ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ।

ପ୍ରଧାନମନ୍ତ୍ରୀ ଓଡ଼ିଶା ଆଗମନ ସମୟରେ ପାଇକ ବିଦ୍ରୋହରେ ସାମିଲ ହୋଇ ସହୀଦ ହୋଇଥିବା ପାଇକ ପରିବାରର ଦାୟଦମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ସେହି ସମୟରେ କେନ୍ଦ୍ରମନ୍ତ୍ରୀ ଉଚ୍ଚସ୍ୱରରେ ପ୍ରକାଶ କରିଥିଲେ, ଇତିହାସକୁ ପୁନରୁଦ୍ଧାର କରାଯାଇ ପାଇକ ବିଦ୍ରୋହ ଭାରତବର୍ଷର ପ୍ରଥମ ସ୍ୱାଧୀନତା ସଂଗ୍ରମ ବୋଲି ପାଠ୍ୟପୁସ୍ତକରେ ସ୍ଥାନ ପାଇବ, ଆଗାମୀ ପିଢି ପାଇଁ ଏହା ଏକ ବାର୍ତ୍ତା ହେବ।

ବହୁ ଆଡ଼ମ୍ବର ଲଘୁକ୍ରିୟା ଭଳି ପୁନରାୟ କେନ୍ଦ୍ରର ହୀନ ରାଜନୈତିକ ମନୋଭାବ, ଫମ୍ପା ପ୍ରତିଶ୍ରୁତି, ମିଥ୍ୟା ବାର୍ତ୍ତା ମାଧ୍ୟମରେ ‘ପାଇକ ବିଦ୍ରୋହ’କୁ ପଦଦଳିତ କରି ପାଇକମାନଙ୍କୁ ଉପହାସ ବ୍ୟତୀତ ଆଉ କିଛି ନୁହେଁ। ପାଇକମାନେ ସ୍ୱାଭିମାନୀ, ଅସତ୍ୟ ଉପରେ ସତ୍ୟର ଜୟକୁ ବିଶ୍ୱାସ କରନ୍ତି। ନିଜ ମାଟି, ମା ପାଇଁ ପ୍ରାଣବଳୀ ପ୍ରଦାନ କରିପାରନ୍ତି। ଯେଉଁ ବାଜି ରାଉତ ୧୨ ବର୍ଷର ବାଳକ ନିଜ ମାଟି ପାଇଁ ପ୍ରାଣବଳୀ ପ୍ରଦାନ କରିଥିଲେ। ବେଜେଲ ଗେଟ୍‌କୁ ରଣପୁରଠାରେ ଠେଙ୍ଗାରେ ପିଟି ପିଟି ଯେଉଁ ପାଇକ ପୁଅ ହତ୍ୟା କରିଥିଲେ, ସେହି ରଣରଙ୍କା ପାଇକମାନଙ୍କର ପୁଣି ଢାଲ, ତରବାରୀ ଗର୍ଜି ଉଠିବ। ନିଜର ହକ୍ ପାଇଁ ରାଜରାସ୍ତାକୁ ବାହାରିବ। କେନ୍ଦ୍ର ସରକାରଙ୍କ କୁଶ୍ଚିତ ରାଜନୀତି ଓ ଓଡ଼ିଶା ସରକାରଙ୍କ ଅପାରଙ୍ଗମତା ବିରୁଦ୍ଧରେ ଆଉ ଏକ ‘ପାଇକ ବିଦ୍ରୋହ’ ଆରମ୍ଭ ହେବ ବୋଲି ପାଇକ ସର୍ଦ୍ଦାରମାନେ ଚେତାବନୀ ଦେଇଛନ୍ତି। କେନ୍ଦ୍ର ସରକାର ଏହା ଉପରେ ତୁରନ୍ତ ପଦକ୍ଷେପ ଗ୍ରହଣ କରି ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମ ବୋଲି ଘୋଷଣା କରି ପାଠ୍ୟପୁସ୍ତକରେ ସ୍ଥାନ ଦିଅନ୍ତୁ।

ଆଜିର ଏହି ଗୁପ୍ତ ବୈଠକରେ ପ୍ରଫେସର ଗାୟନ ସାମଲ, ପାଇକଗୁରୁ କୋଦର ଦାସ, ଦଳବେହେରା ମନୋରଞ୍ଜନ ପଶ୍ଚିମ କବାଟ, ବରିଷ୍ଠ ପାଇକଗୁରୁ ଭାସ୍କର ସୁନ୍ଦରାୟ, ଖୋର୍ଦ୍ଧାଜିଲ୍ଲା ସଭାପତି ପୂର୍ଣ୍ଣଚନ୍ଦ୍ର ପାଟ୍ଟଶାଣୀ, କଟକ ସଭାପତି ରାଜକିଶୋର ବେହେରା, ଅନୁଗୁଳ ସଭାପତି ସୁବୋଧ ସିଂହ, ରାଜ୍ୟ ଉପସଭାପତି ଭୀମସେନ ପାଇକରାୟ, ରଞ୍ଜନ ବିଶୋଇ, ଢେଙ୍କାନାଳସ ସଭାପତି ନବ ସାମଲ, ଜଗତସିଂହପୁର ସଭାପତି ବିଦ୍ୟାଧର ନାଏକ, ବାଣପୁର ପାଇକ ସର୍ଦ୍ଦାର ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ନୟାଗଡ଼ର ଭରତ ଜେନା, ପାଇକ ମହାସଂଘର ଉପଦେଷ୍ଟା ବିଭୂତି ସ୍ୱାଇଁ, ଜଗତସିଂହପୁର ପାଇକ ସର୍ଦ୍ଦାର ଭୀମସେନ ବିଶ୍ୱାଳ, ଭୁବନେଶ୍ୱର ସଭାପତି ଅଜୟ ନାୟକ, ପାଇକ ମହାସଂଘର ମୁଖପାତ୍ର ଯୁବ ସାମ୍ବାଦିକ ରାଜୀବ ନୟନ ରଥ, ଉତ୍କଳ ବିଶ୍ୱବିଦ୍ୟାଳୟର ସଭାପତି ହିମାଂଶୁ ଲେଙ୍କା ପ୍ରମୁଖ ଉପସ୍ଥିତ ରହି କେନ୍ଦ୍ର ସରକାରଙ୍କୁ ତୀବ୍ର ସମାଲୋଚନା କରିଥିଲେ।