Categories
ଆଜିର ଖବର ରାଜ୍ୟ ଖବର

ନିଖୋଜ ଝିଅ ୧୦ ବର୍ଷ ପରେ ଘରକୁ ଫେରିଲା: ଅପହରଣ କରି ନେଇଥିବା ମହିଳା ନାମରେ ଥାନାରେ ଅଭିଯୋଗ

କନ୍ଦର୍ପ ବେହେରା
ରେଢାଖୋଲ: ନିଖୋଜ ହେବାର ଦଶବର୍ଷ ପରେ ଜଣେ ଏଗାର ବର୍ଷ ବୟସର ବାଳିକା ନିଜର ଜନ୍ମ ମାଟିକୁ ଫେରିଛନ୍ତି। ଅପହରଣ କରିନେଇଥିବା ମହିଳାଙ୍କ ନାମରେ ଏନେଇ ରେଢାଖୋଲ ଥାନାରେ ଏକ ଗୁରୁତର ଅଭିଯୋଗ ହୋଇଛି। ସମ୍ବଲପୁର ଜିଲ୍ଲା ରେଢାଖୋଲ ଥାନା ଅନ୍ତର୍ଗତ ଲୁହାପଙ୍କ ପଂଚାୟତର ଖରସାଳି ଗ୍ରାମରେ ଏପରି ଘଟଣା ସାମ୍ନା ଆସିଛି।

ପୋଲିସ୍ ସୂତ୍ରରୁ ପ୍ରକାଶ ଯେ, ଲୁହାପଙ୍କ ପଂଚାୟତର ଖରସାଳି ଗ୍ରାମର ଆଦିବାସୀ ବାଳିକା ସବିତା କିସାନ୍। ସେ ୧୦ ବର୍ଷ ତଳେ ରେଢାଖୋଲ ବଜାରକୁ ଯାଇଥିବା ବେଳେ ତାଙ୍କର ଜଣେ ସଂପର୍କିୟା ମହିଳା ନିଶା ବଟିକା ଦେଇ ତାଙ୍କୁ ଅପହରଣ କରିନେଇଥିଲେ। ସେ ବାଳିକାକୁ ଗୋପାଳ ସାହୁ ନାମକ ବ୍ୟକ୍ତିଙ୍କ ଠାରେ କିଛି ଟଙ୍କା ବିନିମୟରେ ବିକ୍ରି କରିଥିଲେ ବୋଲି ବାଳିକା ଜଣଙ୍କ ଅଭିଯାଗ କରିଛନ୍ତି। ସେଇ ସମୟରେ ନାବାଳିକାର ବୟସ ମାତ୍ର ୧୧ ବର୍ଷ ହୋଇଥିଲା। ବାଳିକାର ପରିବାର ଲୋକେ ବହୁ ଯାଗା ଖୋଜା ଖୋଜି କରିଥିଲେ ମଧ୍ୟ ଝିଅକୁ ପାଇ ନ ଥିଲେ। ଏପରିକି ଥାନାରେ ମଧ୍ୟ ଅଭିଯୋଗ କରି ନ ଥିବା ଜଣା ପଡିଛି। ନିଖୋଜ ବାଳିକାର ପରିବାର ଲୋକେ ଝିଅ ନିଖୋଜ ସଂପର୍କରେ କାହିଁକି ଥାନାରେ ଅଭିଯୋଗ କରି ନ ଥିଲେ ତାହା ହିଁ ବଡ ପ୍ରଶ୍ନ !

ବାଳିକାଟି ଥାନାରେ କରିଥିବା ଅଭିଯୋଗ ଅନୁଯାୟୀ ସେ ଏବଂ ଆଉ ଚାରିଜଣ ଝିଅ କୁ ମଧ୍ୟ ଗୋପାଳ ତାମିଲନାଡୁରେ ରଖି କୌଣସି ଏକ ଜାଗାରେ କାମ କରାଉଥିଲେ ବୋଲି ବାଳିକା ପ୍ରକାଶ କରିଛି। ଗୋପାଳର ଘର ସୋନପୁର ଜିଲ୍ଲାରେ ବୋଲି ଜଣା ପଡିଛି। ସେ ଅସୁସ୍ଥତା କାରଣରୁ ଓଡିଶା ଫେରିଆସିଥିବା ବେଳେ ଗତ କିଛିଦିନ ତଳେ ତାର ମୃତ୍ୟୁ ହୋଇଯାଇଥିବା ଜଣା ପଡିଛି। ବାଳିକାକୁ ଗୋପାଳର ମାଆ ନିଜ ଗାଁକୁ ଫେରିଯିବାକୁ କହିଥିଲେ ମଧ୍ୟ ତାର ସାହାସ ନ ଥିବାରୁ ଶନିବାର ଦିନ ଜନୈକ ବ୍ୟକ୍ତିଙ୍କ ସହାୟତାରେ ସେ ଓଡିଶାକୁ ଫେରି ଆସିଥିଲେ। ଏନେଇ ଗତକାଲି ସେରେଢାଖୋଲ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି।

ପୋଲିସ୍ ଏକ ମାମଲା ରୁଜୁ କରି ତଦନ୍ତ କରୁଛି ବୋଲି ଜଣାପଡିଛି। ଖାଲି ଯେ ସବିତା ଭଳି ଝିଅ ନିଖୋଜ ହୋଇଯାଉଛନ୍ତି ତା ନୁହଁ ଏମିତି ଅଗୋଚରରେ ଅନେକ ଝିଅ ରେଢାଖୋଲ ଅଂଚଳରୁ ନିଖୋଜ ହେଇଯାଉଥିବା ଶୁଣିବାକୁ ମିଳୁଛି। ଥାନାରେ ମଧ୍ୟ ନିଖୋଜ ସଂପର୍କରେ କୌଣସି ଅଭିଯୋଗ ନ ଥିବାରୁ ପୋଲିସ୍ କିଛି କରିପାରୁ ନ ଥିବା ଜଣା ପଡିଛି। ବାହର ରାଜ୍ୟକୁ ଯାଇ ବହୁ ଝିଅ ବହୁ ଅପରାଧିକ କାର୍ଯ୍ୟକଳାପରେ ସାମିଲ ହେଉଛନ୍ତି। ଏପରିକି ଅନୈତିକ କାର୍ଯ୍ୟକଳାପରେ ଲିପ୍ତ ରହି ଟଙ୍କା ରୋଜଗାର ମଧ୍ୟ କରୁଛନ୍ତି। ହେଲେ ଏସବୁର ତଥ୍ୟ ପୋଲିସ୍ ପାଖରେ ନାହିଁ। କେତେକ ସ୍ଥଳରେ ପରିବାର ଲୋକେ ମଧ୍ୟ ଝିଅକୁ ବାହାର ରାଜ୍ୟକୁ ପଠାଇ ଦେଉଛନ୍ତି ଟଙ୍କା ରୋଜଗାର ପାଇଁ।