Categories
ଆଜିର ଖବର ରାଜ୍ୟ ଖବର

ଚିଲିକାରେ ନିଖୋଜ ବ୍ୟକ୍ତିଙ୍କ ଉଦ୍ଧାର କାର୍ଯ୍ୟ ହେଲା ତ୍ୱରାନ୍ୱିତ, ପଦାରେ ପଡ଼ିଲା ସ୍ଥାନୀୟ ପ୍ରଶାସନର ବିଫଳତା

ସୀତାରାମ ଅଗ୍ରୱାଲ

ଚିଲିକା: ଗତକାଲି ଅପରାହ୍ନରେ ଚିଲିକାରେ ଡ଼ଙ୍ଗାବୁଡି ଘଟଣାରେ ୧୧ ଯାତ୍ରୀ ଉଦ୍ଧାର ହୋଇଥିବା ବେଳେ ଜଣେ ବ୍ୟକ୍ତି ନିଖୋଜ ଅଛନ୍ତି। ନିଖୋଜ ବ୍ୟକ୍ତି ଜଣକ ବାଲୁଗାଁ ନିକଟବର୍ତ୍ତୀ କୋଦପୁର ଗ୍ରାମର ରାଜକିଶୋର ଖୁଣ୍ଟିଆ ଯିଏ କି ମା’ କାଳିଜାଇ ପୀଠରେ ଅବସ୍ଥିତ ଥିବା ଏକ ଦୋକନରେ ସହକାରୀ କର୍ମଚାରୀ ଥିବା ଜଣାପଡିଛି। ତେବେ ଗତକାଲି ରାତିତମାମ ସ୍ଥାନୀୟ ବୋଟ ଆସୋସିଏସନର କର୍ମକର୍ତ୍ତା, ଅଗ୍ନିଶମ ବାହିନୀ ଏବଂ ଓଟିଡ଼ିସି କର୍ମଚାରୀମାନେ ଚିଲିକା ଭିତରେ ନିଖୋଜ ବ୍ୟକ୍ତିଙ୍କୁ ଖୋଜିବା ଜାରି ରଖିଥିବା ବେଳେ ଆଜି ସକାଳୁ ଆଇଏନଏସ ଚିଲିକା ସର୍ଚ୍ଚ ଅପେରସନ ଆରମ୍ଭ କରିଛି।

ବର୍ତ୍ତମାନ ବାଣପୁର ଅଗ୍ନିଶମ ଅଧିକାରୀଙ୍କ ନେତୃତ୍ୱରେ ଦୁଇ ଗୋଟି ଟିମ ପୁନଶ୍ଚ ଚିଲିକାରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିବାର ଜିଲ୍ଲା ସହକାରୀ ଅଗ୍ନିଶମ ଅଧିକାରୀ ସନାତନ ମହାପାତ୍ର ସୂଚନା ଦେଇଛନ୍ତି। ସେହିପରି ଭାବେ ଗୋଟାଏ ଓଡ୍ରାଫ ଟିମ ମଧ୍ୟ ଉକ୍ତ କାର୍ଯ୍ୟରେ ନିୟୋଜିତ ହୋଇଥିବାର ବାଲୁଗାଁ ଏସଡ଼ିପିଓ ମାନସ ରଞ୍ଜନ ବାରିକ କହିଛନ୍ତି। ହେଲେ କାଳବୈଶାଖୀ ସମୟରେ କିପରି ବୋଟ ବୁକିଙ୍ଗ କରାଯାଉଛି ବୋଲି ମା’ କାଳିଜାଇ ମୋଟର ବୋଟ ଆସୋସିଏସନର ସମ୍ପାଦକ କୃଷ୍ଣ ଚନ୍ଦ୍ର ବେହରାଙ୍କୁ ପଚାରିବାରୁ କାଲି ଶେଷ ବୁକିଙ୍ଗ ଦିନ ଗୋଟାଏ ବେଳେ ହୋଇଥିଲା ଏବଂ ତାହାପରେ ବୁକିଙ୍ଗ ବନ୍ଦ କରାଯାଇଥିଲା।

ହେଲେ କାଳବୈଶାଖୀ ସମୟରେ ଡ଼ଙ୍ଗା ଚଳାଚଳ ଗାଇଡଲାଇନ ବିଷୟରେ ସଂଘକୁ ସ୍ଥାନୀୟ ତହସିଲଦାର ସୁରେଶ ଚନ୍ଦ୍ର ପଣ୍ଡାଙ୍କ ପକ୍ଷରୁ କୌଣସି ସୂଚନା ମିଳିନଥିବାର କହିଛନ୍ତି ଶ୍ରୀ ବେହେରା। ତେବେ ଏଠି ପ୍ରଶ୍ନ ଉଠୁଛି ତହସିଲଦାର କିପରି ଏତେ ଗୁରୁତ୍ୱପୂର୍ଣ ପ୍ରସଙ୍ଗକୁ ପୁର୍ବରୁ ଧ୍ୟାନ ଦେଲେନାହିଁ? ଚିଲିକାରେ ପ୍ରତିବର୍ଷ ଗ୍ରୀଷଦିନେ ଏପରି ଡ଼ଙ୍ଗାବୁଡ଼ି ଘଟଣା ଘଟୁଥିବା ବେଳେ ସ୍ଥାନୀୟ ପ୍ରଶାସନ ଆଗୁଆ ପଦକ୍ଷେପ କଣ ପାଇଁ ନେଲାନାହିଁ?

ବର୍ତ୍ତମାନ ସୁଦ୍ଧା ମଧ୍ୟ ସ୍ଥାନୀୟ ତହସିଲଦାର ବୋଟ ଆସୋସିଏସନ ସହିତ ଏ ବାବଦରେ କୌଣସି କଥା ହୋଇନଥିବାର କହିଛନ୍ତି ସମ୍ପାଦକ କୃଷ୍ଣ ଚନ୍ଦ୍ର ବେହେରା। ସୌଭାଗ୍ୟବଶତଃ ଗତକାଲି ପୋଲିସ ଠିକ ସମୟରେ ଉପସ୍ଥିତ ବୁଦ୍ଧି ଖଟାଇ ୧୧ ଜଣ ଯାତ୍ରୀଙ୍କୁ ଜୀବନ୍ତ ଉଦ୍ଧାର କରିଥିବାରୁ ସ୍ଥାନୀୟ ପ୍ରଶାସନ ପାଇଁ ତାହା ବଡ଼ ଆଶ୍ବସ୍ତିକର ବିଷୟ ହୋଇଛି।

କିନ୍ତୁ ଏତେ ସବୁ ଘଟିଗଲା ପରେ ମଧ୍ୟ ସ୍ଥାନୀୟ ତହସିଲଦାର ଘଟଣାକୁ ହାଲୁକାରେ ନେବା ସାଧାରଣରେ ନାପସନ୍ଦ କରାଯାଇଛି। ଗୋଟାଏ ପଟେ ଖୋର୍ଦ୍ଧା ଜିଲ୍ଲାପାଳ ଜିଲ୍ଲାର ଉନ୍ନତି ତଥା ଜିଲ୍ଲାବାସିଙ୍କ ସୁରକ୍ଷା ପାଇଁ ଦିନ ରାତି କାର୍ଯ୍ୟ ଜାରି ରଖିଥିବା ବେଳେ ଅପରପକ୍ଷେ ସ୍ଥାନୀୟ ପ୍ରଶାସନର ଖାମଖିଆଲ ନିତି ଲାଗି ଜନସାଧାରଣ ବିପଦ ମୁଖରେ ପଡ଼ୁଛନ୍ତି।

ତେବେ ଏ ନେଇ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଯୋଗାଯୋଗ କରାଯାଇଥିଲେ ସୁଦ୍ଧା ତାହା ସମ୍ଭବ ହୋଇପାରିନାହିଁ।