Categories
ଆଞ୍ଚଳିକ

ଚିଲିକା: ପଦ୍ମ ଛାଡି ଶଙ୍ଖ ଧରିଲେ ନିମିକ୍ଷେତା ପଞ୍ଚାୟତର ପୂର୍ବତନ ସରପଞ୍ଚ, କହିଲେ ଦଳ ଛାଡିବାର କାରଣ

ସୀତାରାମ ଅଗ୍ରୱାଲ

ଚିଲିକା: ଚିଲିକା ବ୍ଲକର ଟାଣୁଆ ବିଜେପି ନେତ୍ରୀ ତଥା ତିନି ତିନି ଥର ବିଜେପି ସମର୍ଥିତ ନିମିକ୍ଷେତା ସରପଞ୍ଚ ଅଞ୍ଜଳି ସ୍ୱାଇଁ ପଦ୍ମ ଛାଡି ଶଙ୍ଖ ଧରିଛନ୍ତି। ସେ ଗତକାଲି ବିଧିବଦ୍ଧ ଭାବେ ସ୍ଥାନୀୟ ଜିଲ୍ଲା ପରିଷଦ ସଭ୍ୟଙ୍କ ପ୍ରତିନିଧିଙ୍କ ଉପସ୍ଥିତିରେ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି।

ତେବେ ଏ ନେଇ ଶ୍ରୀମତୀ ସ୍ୱାଇଁଙ୍କୁ ପଚାରିବାରୁ ସେ ଦଳୀୟ ନେତୃତ୍ଵ ଉପରେ ଗୁରୁତର ଅଭିଯୋଗ ଆଣିଥିଲେ। ଶ୍ରୀମତୀ ସ୍ୱାଇଁଙ୍କ ଅଭିଯୋଗ ମୁତାବକ, ସେ ଦୀର୍ଘ ବର୍ଷ ଧରି ଭାରତୀୟ ଜନତା ପାର୍ଟିର ସକ୍ରିୟ ସଦସ୍ୟ ଥିଲେ ଏବଂ ଦଳର ସମର୍ଥନରେ ସେ ନିମିକ୍ଷେତା ଗ୍ରାମ ପଞ୍ଚାୟତର ଲଗାତର ୩ ଥର ସରପଞ୍ଚ ଭାବେ ନିର୍ବାଚିତ ହୋଇ ଜନସେବା ଜାରି ରଖିଥିଲେ। କିନ୍ତୁ ଚଳିତ ପଞ୍ଚାୟତ ନିର୍ବାଚନରେ ମଧ୍ୟ ସେ ନିମିକ୍ଷେତା ପଞ୍ଚାୟତ ନିମନ୍ତେ ବିଜେପି ସମର୍ଥିତ ସରପଞ୍ଚ ପ୍ରାର୍ଥୀ ହେବାର ଆଶା ରଖି ନିର୍ବାଚନ ମୈଦାନକୁ ଓହ୍ଲାଇଥିଲେ। ଏବଂ ସେ ଦଳୀୟ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ପାଇଁ ପ୍ରଚାର ମଧ୍ୟ କରୁଥିଲେ। ହେଲେ ଦଳୀୟ ନେତୃବୃନ୍ଦ ତାଙ୍କୁ ଟିକେଟ ଦେବେ ବୋଲି ପ୍ରତିଶୃତି ଦେଇ ଶେଷ ମୁହୂର୍ତ୍ତରେ ଅନ୍ୟ ଜଣେ ପ୍ରାର୍ଥୀଙ୍କୁ ଟିକେଟ ଦେଲେ ଏବଂ ଅଞ୍ଜଳି ଅଳ୍ପ ଭୋଟ ବ୍ୟବଧାନରେ ପରାଜୟ ବରଣ କଲେ।

ସେବେଠାରୁ ଅଞ୍ଜଳି ନିରବ ରହିଥିବା ବେଳେ ଅଦ୍ୟାବଧି ତାଙ୍କୁ ବିଜେପି ନେତୃବୃନ୍ଦଙ୍କ ପକ୍ଷରୁ କୌଣସି ସାନ୍ତ୍ୱନା ମିଳୁନାହିଁ କି କୌଣସି ନେତୃବୃନ୍ଦ ତାଙ୍କୁ କୌଣସି ଦଳୀୟ କାର୍ଯ୍ୟକ୍ରମରେ ଡାକୁନାହାନ୍ତି। ତେଣୁ ଜନସେବା ଜାରି ରଖିବା ପାଇଁ ଏକ ରାଜନୈତିକ ଦଳର ସହଯୋଗ ନିହାତି ଦରକାର ବୋଲି ହୃଦୟଙ୍ଗମ କରିବା ସହ ବିଜେଡି ରେ ଯୋଗଦାନ କରିଥିବାର ଶ୍ରୀମତୀ ସ୍ଵାଇଁ କହିଛନ୍ତି।

ତେବେ ଅଞ୍ଜଳିଙ୍କ ଏଭଳି ନିଷ୍ପତ୍ତି ଯୋଗୁଁ ଚିଲିକା ବିଜେପି ପାଇଁ ଏକ ବଡ କ୍ଷତି ହେବ ବୋଲି କୁହାଯାଉଛି। ଯଦି ଦଳୀୟ ନେତୃତ୍ଵ ଏହା ପ୍ରତି ଧ୍ୟାନ ନ ଦିଅନ୍ତି, ତେବେ ଆଗାମୀ ଦିନରେ ବିଜେପିର ଅନେକ ପୁରୁଖା କର୍ମୀମାନେ ଦଳ ଛାଡିବେ ବୋଲି ଅଞ୍ଜଳିଙ୍କ ସମର୍ଥକମାନେ ସତର୍କ କରାଇଦେଇଛନ୍ତି।