Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

୨ ଲକ୍ଷ କୋଟି ଟଙ୍କାର ବଜେଟ, କୃଷି, ଶିକ୍ଷା ଓ ସ୍ବାସ୍ଥ୍ୟକୁ ଅଗ୍ରାଧିକାର, ଜାଣନ୍ତୁ କେଉଁ ବିଭାଗକୁ କେତେ

ଭୁବନେଶ୍ବର: ଅର୍ଥମନ୍ତ୍ରୀ ନିରଂଜନ ପୂଜାରୀ ଆଜି ବିଧାନସଭାରେ ରାଜ୍ୟ ବଜେଟ ଉପସ୍ଥାପିତ କରିଛନ୍ତି।  ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ମୋଟ୍ ୨ ଲକ୍ଷ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି । ତେବେ ଏଥର ବଜେଟରେ ସେ କୃଷି ଏବଂ ସ୍ବାସ୍ଥ୍ୟ ପାଇଁ ଅଧିକ ବ୍ୟୟ ବରାଦ କରିଛନ୍ତି।

ଏଥର କୃଷି ପାଇଁ ମୋଟ୍ ୨୧ ହଜାର ୧ ଶହ ୬୬ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। ଏଥିରେ କାଳିଆ ଯୋଜନା ପାଇଁ ୧ ହଜାର ୮ ଶହ ୭୪ କୋଟି ଟଙ୍କା, କୃଷି ଶିକ୍ଷା ଓ ଗବେଷଣା ପାଇଁ ୧୬୧ କୋଟି ବ୍ୟୟ ବରାଦ କରାଯାଇଛି। ସେହିପରି ଉଦ୍ୟାନ କୃଷି ପାଇଁ ୩୧୨ କୋଟି ପ୍ରବଧାନ କରାଯାଇଛି। କୃଷକ ପରିବାରକୁ ଆୟ ସହାୟତା ପାଇଁ ୧୨୨ କୋଟି ଏବଂ ଚାଷୀଙ୍କୁ କୃଷି ଋଣ ସୁଧ ସହାୟତା ପାଇଁ ୮୯୩ କୋଟି ବରାଦ କରାଯାଇଛି ।

ସେହିପରି ଏହି ବଜେଟରେ ସ୍ୱାସ୍ଥ୍ୟ ପାଇଁ ମୋଟ ୧୨ ହଜାର ୬୨୪ କୋଟି ବ୍ୟ ଅଟକଳ ରଖାଯାଇଛି। ଏଥିରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ପାଇଁ ୨ ହଜାର ୬୬୪ କୋଟି ଟଙ୍କା ଏବଂ ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟ ସେବା ମିଶନ ପାଇଁ ୨ ହଜାର ୩୨୫ କୋଟି ଟଙ୍କା ରଖାଯାଇଛି। ସେହିପରି ପରିବାର କଲ୍ୟାଣ ଯୋଜନା ପାଇଁ ୫୧୪ କୋଟି ଟଙ୍କା ବଜେଟରେ ବ୍ୟବସ୍ଥା କରାଯାଇଛି।

ଅନ୍ୟପକ୍ଷରେ ଶିକ୍ଷା ଓ ଦକ୍ଷତା ବିକାଶ ପାଇଁ ମୋଟ ୨୭, ୩୨୪ କୋଟି ଟଙ୍କା ବଜେଟରେ ବ୍ୟବସ୍ଥା କରାଯାଇଛି। ସେଥିରେ ମୋ ସ୍କୁଲ ଅଭିଯାନ ପାଇଁ ୬୪୬ କୋଟି । ଉଚ୍ଚ ବିଦ୍ୟାଳୟ ରୂପାନ୍ତରୀକରଣ ପାଇଁ ୧୦୦ କୋଟି ବ୍ୟବସ୍ଥା କରାଯାଇଛି । ମୋ କଲେଜ ଅଭିଯାନ ପାଇଁ ୧୧ କୋଟି । ସମଗ୍ର ଶିକ୍ଷା ପାଇଁ ୩୫୮୧ କୋଟି ବ୍ୟୟ ବରାଦ କରାଯାଇଛି । ଏ ନେଇ ଆଜି ବିଧାନସଭାରେ ଅର୍ଥମନ୍ତ୍ରୀ ପୂଜାରୀ ଗୃହକୁ ଅବଗତ କରାଇଛନ୍ତି।

ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବିଭିନ୍ନ ବିଭାଗକୁ ଯେଉଁ ବ୍ୟୟ ବରାଦ କରିଛନ୍ତି ତାହା ହେଲା

କୃଷି- ୨୧, ୧୬୬ କୋଟି ଟଙ୍କା

ଶିକ୍ଷା ଓ ଦକ୍ଷତା ବିକାଶ- ୨୭, ୩୨୪ କୋଟି ଟଙ୍କା

ସ୍ୱାସ୍ଥ୍ୟ- ୧୨, ୬୨୪ କୋଟି ଟଙ୍କା

ଜଙ୍ଗଲ ଓ ପରିବେଶ- ୨୨୧୭ କୋଟି ଟଙ୍କା

ସଡକ ଓ ଭିତ୍ତିଭୂମି- ୧୪, ୪୫୪ କୋଟି ଟଙ୍କା

ମିଶନ ଶକ୍ତି- ୨୦୦୦ କୋଟି ଟଙ୍କା

ବିପର୍ଯ୍ୟୟ ପରିଚାଳନା- ୩୨୬୨ କୋଟି ଟଙ୍କା

ଶିଳ୍ପ, ଏମଏସଏମଇ, ଉଦ୍ୟୋଗ- ୧୨୬୯ କୋଟି ଟଙ୍କା

ଶକ୍ତି- ୩୪୮୨ କୋଟି ଟଙ୍କା

ପର୍ଯ୍ୟଟନ- ୫୯୦ କୋଟି ଟଙ୍କା

କ୍ରୀଡା ଓ ଯୁବସେବା ବିଭାଗ- ୯୧୧ କୋଟି ଟଙ୍କା

ଇସ୍ପାତ ଓ ଖଣି- ୧୮୩ କୋଟି ଟଙ୍କା

ଆଇଟି ଓ ଇଲେକ୍ଟ୍ରୋନିକ୍- ୩୦୨ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ରାଜ୍ୟ ସ୍ତରୀୟ ବ୍ୟାଙ୍କର୍ସ କମିଟି ବୈଠକରେ ଅର୍ଥମନ୍ତ୍ରୀ ନିରଂଜନ ପୂଜାରୀ କହିଲେ ଏପରି କଥା

ଭୁବନେଶ୍ୱର : ଅର୍ଥଯୋଗାଣ ଏବଂ ବ୍ୟାଙ୍କ ଋଣ ପ୍ରଦାନ କ୍ଷେତ୍ରରେ ସରକାରୀ ଓ ବେସରକାରୀ ପୁଞ୍ଜିନିବେଶର ମିଳିତ ସହାୟତା ମାଧ୍ୟମରେ ଅର୍ଥନୀତିର ନିରନ୍ତର ବିକାଶ ଘଟିଥାଏ। ପୁଞ୍ଜିନିବେଶ ଉଦ୍ଦେଶ୍ୟରେ ଅନୁକୂଳ ପରିବେଶ ନିର୍ମାଣ ସହିତ ଋଣ ପାଇଁ ଚାହିଦା ସୃଷ୍ଟି ନିମନ୍ତେ ଆମ ସରକାର ସର୍ବଦା ଉଦ୍ୟମ କରୁଥିବାବେଳେ ବ୍ୟାଙ୍କଗୁଡ଼ିକ ରାଜ୍ୟର ଆର୍ଥିକ ଅଭିବୃଦ୍ଧି ନିମନ୍ତେ ଋଣ ପ୍ରଦାନ ପରିମାଣ ବୃଦ୍ଧି କରନ୍ତୁ ବୋଲି ଅର୍ଥମନ୍ତ୍ରୀ ଶ୍ରୀ ନିରଞ୍ଜନ ପୂଜାରୀ ଆଜି ଅନୁଷ୍ଠିତ ୧୬୭ତମ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି ବୈଠକରେ ଯୋଗଦେଇ ମତବ୍ୟକ୍ତ କରିଛନ୍ତି।

ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି ଯେ ଗତ କେତେବର୍ଷ ମଧ୍ୟରେ ଓଡ଼ିଶା ଦ୍ରୁତ ଆର୍ଥିକ ଅଭିବୃଦ୍ଧି ଦିଗକୁ ଅଗ୍ରସର ହୋଇଛି। ସମଗ୍ର ଦେଶରେ ଓଡ଼ିଶା ବିତ୍ତୀୟ ପରିଚାଳନା ଓ ଉତ୍ତମ ଶାସନ ପାଇଁ ନିଜର ପରିଚୟ ସୃଷ୍ଟି କରିପାରିଛି। ବାର୍ଷିକ ଋଣ ଯୋଜନା କ୍ଷେତ୍ରରେ ଶିକ୍ଷା ଏବଂ ଗୃହନିର୍ମାଣକୁ ଅଗ୍ରାଧିକାର ଦେଇ ବ୍ୟାଙ୍କଗୁଡ଼ିକ ଋଣ ପ୍ରଦାନ କରିବାର ଆବଶ୍ୟକତା ରହିଛି।

ମନ୍ତ୍ରୀ ଶ୍ରୀ ପୂଜାରୀ ପୁଣି କହିଛନ୍ତି ଯେ ଓଡ଼ିଶାରେ ଜୀବିକା ନିର୍ବାହ ପାଇଁ କୃଷିକୁ ଅଗ୍ରାଧିକାର କ୍ଷେତ୍ର ଭାବେ ଗଣାଯାଉଛି । କୃଷି କ୍ଷେତ୍ରରେ ବାର୍ଷିକ ଋଣ ଯୋଜନାରେ ୪୬.୫୮୬ କୋଟି ଟଙ୍କା ଧାର୍ଯ୍ୟ ଲକ୍ଷ୍ୟ ଥିବାବେଳେ ୪୪.୨୫୩ କୋଟି ଟଙ୍କାର ଋଣ ପ୍ରଦାନ କରାଯାଇ ଶତକଡ଼ା ୯୫ ଭାଗ ଲକ୍ଷ୍ୟ ହାସଲ ହୋଇପାରିଛି। ଏମ୍‌ଏସ୍‌ଏମ୍‌ଇ ଏକ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ହୋଇଥିବାବେଳେ ଏହା ସର୍ବାଧିକ ସଫଳତା ପାଇପାରିଛି। ଅଗ୍ରାଧିକାର ପ୍ରଦାନ କରାଯାଇ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ (ଏସ୍‌ଏସ୍‌ଜି)ମାନଙ୍କୁ ଆଗାମୀ ୫ ବର୍ଷରେ ୫୦ ହଜାର କୋଟି ଟଙ୍କାର ଋଣ ପ୍ରଦାନ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ୨୦୨୨-୨୩ ଆର୍ଥିକ ବର୍ଷରେ ୫-‘ଟି’ ଆଧାରରେ ମହିଳା ଏସ୍‌ଏସ୍‌ଜିଙ୍କ ନିମନ୍ତେ ଥିବା ଋଣର ପରିମାଣକୁ ୪ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯିବ ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି।

ଆର୍ଥିକ ଅନ୍ତର୍ଭୁକ୍ତିକରଣ ସରକାରଙ୍କ ମୁଖ୍ୟ ଲକ୍ଷ୍ୟ ଥିବାବେଳେ ସବୁ ଅଞ୍ଚଳରେ ବ୍ୟାଙ୍କିଂ ସୁବିଧା ଉପଲବ୍ଧ ନଥିବାରୁ କିଛି ଲୋକ ସାଧାରଣ ବ୍ୟାଙ୍କିଂ ସୁବିଧାରୁ ବଞ୍ଚିତ ହେଉଛନ୍ତି ବୋଲି ଦର୍ଶାଇ ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି ଯେ ରାଜ୍ୟରେ ୨୭୩୮ ଗ୍ରାମ ପଞ୍ଚାୟତରେ ୫୬୦୭ ସ୍ଥାୟୀ ବ୍ୟାଙ୍କ ରହିଛି ଏବଂ ଏହା ସମୁଦାୟ ଗ୍ରାମ ପଞ୍ଚାୟତର ୪୦ ପ୍ରତିଶତ। ଅବଶିଷ୍ଟ ୬୦ ପ୍ରତିଶତ ଗ୍ରାମ ପଞ୍ଚାୟତରେ ସ୍ଥାୟୀ ବ୍ୟାଙ୍କ ଶାଖା ପାଇଁ ବ୍ୟାଙ୍କମାନେ ପଦକ୍ଷେପ ନେବା ଆବଶ୍ୟକ। ଗ୍ରାମାଞ୍ଚଳ ଅର୍ଥନୀତିରେ ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ଇତି ମଧ୍ୟରେ ସର୍ବୋତ୍କୃଷ୍ଟ ସେବାପ୍ରଦାନକାରୀ ବ୍ୟାଙ୍କଗୁଡ଼ିକୁ ପୁରସ୍କୃତ କରିଛନ୍ତି। ଆଗାମୀ ଦିନରେ ଏହି ସମ୍ମାନାସ୍ପଦ ପୁରସ୍କାର ପାଇଁ ବ୍ୟାଙ୍କଗୁଡ଼ିକ କାର୍ଯ୍ୟ କରନ୍ତୁ ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ କହିଥିଲେ।

୨୦୨୨-୨୩ ଅର୍ଥିକ ବର୍ଷରେ ଅଗ୍ରାଧିକାର କ୍ଷେତ୍ରଗୁଡ଼ିକ ପାଇଁ ରାଜ୍ୟ ସରକାର ୧.୩୪ ଲକ୍ଷ କୋଟି ଟଙ୍କାର ଋଣ ପ୍ରଦାନ ପାଇଁ ଲକ୍ଷ୍ୟ ରଖିଛନ୍ତି। ବ୍ୟାଙ୍କଗୁଡ଼ିକ ଜିଲ୍ଲା ପ୍ରଶାସନ ମାଧ୍ୟମରେ ଲକ୍ଷ୍ୟ ହାସଲ ପାଇଁ ଉପଯୁକ୍ତ ପଦକ୍ଷେପ ନେବେବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ ଆଶା ପ୍ରକାଶ କରିଥିଲେ। କୃଷି, ଉଦ୍ୟୋଗ, ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଆର୍ଥିକ ବିକାଶ ଏବଂ ରାଜ୍ୟର ପ୍ରଗତି ପାଇଁ ବ୍ୟାଙ୍କଗୁଡ଼ିକର ସମୟୋଚିତ ଋଣ ପ୍ରଦାନ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ ପ୍ରକାଶ କରିଛନ୍ତି।

ବୈଠକରେ ଉନ୍ନୟନ କମିଶନର ତଥା ଅତିିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା, ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ବିଶାଲ କୁମାର ଦେବ, ଏସ୍‌ଏଲ୍‌ବିସିର ଅଧ୍ୟକ୍ଷ ତଥା ୟୁକୋ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ଏବଂ ମୁଖ୍ୟ କାର୍ଯ୍ୟନିର୍ବାହୀ ଶ୍ରୀ ସୋମା ଶଙ୍କର ପ୍ରସାଦ, ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ, ଭୁବନେଶ୍ୱରର ଆଞ୍ଚଳିକ ନିର୍ଦ୍ଦେଶକ ଶ୍ରୀ ଏଚ୍‌.ଏନ୍‌. ପଣ୍ଡା, ନାବାର୍ଡ, ଭୁବନେଶ୍ୱରର ସିଜିଏମ୍‌ ଶ୍ରୀ ସି. ଉଦୟଭାସ୍କର, ଏସ୍‌ବିଆଇ, ଭୁବନେଶ୍ୱରର ସିଜିଏମ୍‌ ଶ୍ରୀ ଚନ୍ଦ୍ର ଶେଖର ଶର୍ମା, ଏସ୍‌ଏଲ୍‌ବିସିର ଆବାହକ ଶ୍ରୀ ଅରୂପାନନ୍ଦ ଜେନା, କୃଷି ଉତ୍ପାଦ ଆୟୁକ୍ତ ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସଂଜୀବ ଚୋପ୍ରା, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ଆର୍‌. ରଘୁପ୍ରସାଦ, ଏମ୍‌ଏସ୍‌ଏମ୍‌ଇର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ରଞ୍ଜନା ଚୋପ୍ରା, ମିଶନ ଶକ୍ତି ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀମତୀ ସୁଜାତା ଆର୍‌. କାର୍ତ୍ତିକେୟନ୍‌ ପ୍ରମୁଖ ଯୋଗଦେଇ ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ।