Categories
ବିଶେଷ ଖବର ରାଜ୍ୟ ଖବର

ପିସିସି ସଭାପତି ପଦରୁ ଇସ୍ତଫା ଦେବା ନେଇ ନିରଞ୍ଜନ ପଟ୍ଟନାୟକ କହିଲେ ଏକ ବଡ କଥା

ଭୁବନେଶ୍ବର:  ରାଜ୍ୟରେ କଂଗ୍ରେସ ବାରମ୍ବାର ପରାଜିତ ହେବା ପରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସଭାପତିତ୍ବକୁ ନେଇ ପ୍ରଶ୍ନ ଉଠିଛି। ସେ ଇସ୍ତଫା ଦିଅନ୍ତୁ ବୋଲି ବିଭିନ୍ନ ମହଲରେ ଚାପା ଗୁଂଜରଣ ସୃଷ୍ଟି ହେଉଛି। ଦଳ ଚଳିତ ପୌର ନିର୍ବାଚନରେ ଭୁବନେଶ୍ବରରୁ ଗୋଟିଏ ବି ଆସନ ନେଇ ପାରିଲା ନାହିଁ, ଯାହାକୁ ନେଇ କଂଗ୍ରେସର ଦକ୍ଷତା ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଏପରି ପରିସ୍ଥିତିରେ ଆଜି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏକ ବଡ କଥା କହିଛନ୍ତି। ସେ କହିଛନ୍ତି ଯେ, ମୁଁ ସଭାପତି ପଦରୁ କେବେଠାରୁ ଇସ୍ତଫା ଦେଇସାରିଛି। ଏହା ଏକ ଦଳୀୟ ବ୍ୟାପାର ହୋଇଥିବାରୁ ତାହା ବାହାରେ ପ୍ରକାଶ କରି ନ ଥିଲି। ହେଲେ ମୋର ଇସ୍ତପା ପତ୍ର ଏଆଇସିସିକୁ ପଠାଇଦେଇଛି। ସେମାନେ ଯାହା ବିଚାର କରିବେ।

ନିରଂଜନ ପୁଣି କହିଛନ୍ତି ଯେ, ମୁଁ ବହୁ ଦିନ ଧରି ସଭାପତି ରହି ଆସିଛି। ଯଦି ଏଆଇସିସି ଚାହିଁବ ତେବେ ଅନ୍ୟ କାହାକୁ ଏହି ଦାୟିତ୍ବ ଦେଇପାରନ୍ତି। କଂଗ୍ରେସରେ ବହୁ ଯୋଗ୍ୟ ବ୍ୟକ୍ତି ଅଛନ୍ତି। ସେମାନଙ୍କର ଦଳକୁ ସମ୍ଭାଳି ପାରିବାର କ୍ଷମତା ମଧ୍ୟ ରହିଛି। ପ୍ରତି ଦୁଇ ତିନି ବର୍ଷରେ ସଭାପତି ପରିବର୍ତ୍ତନ ହୁଅନ୍ତି। ମୋତେ ପରିବର୍ତ୍ତନ କଲେ ଏହା କୌଣସି ନୂଆ କଥା ନୁହଁ ବୋଲି ନିରଞ୍ଜନ କହିଛନ୍ତି।

ଏହାକୁ ନେଇ କଣ କହୁଛନ୍ତି ବିଧାୟକ ସୁରେଶ ରାଉତରାୟ

ଅନ୍ୟପକ୍ଷରେ ଏହାକୁ ନେଇ ଜଟଣୀ ବିଧାୟକ ସୁରେଶ ରାଉତରାୟ ମଧ୍ୟ ତାଙ୍କର ମତ ରଖିଛନ୍ତି। ସେ କହିଛନ୍ତି ଯେ, ପ୍ରଦେଶ କଂଗ୍ରେସ ସଭାପତି ହେବା ପାଇଁ ୧୪ ଜଣଙ୍କ ନାମ ଚର୍ଚ୍ଚାରେ ରହିଛି। ସେମାନଙ୍କ ମଧ୍ୟରେ ବିଧାୟକ ଅଛନ୍ତି, ପୂର୍ବତ୍ତନ ପିସିସି ସଭାପତିଙ୍କ ନାମ ମଧ୍ୟ ଚର୍ଚ୍ଚାରେ ରହିଛି।

ହେଲେ ବର୍ତ୍ତମାନ ପରିସ୍ଥିତିରେ ଓଡିଶା କଂଗ୍ରେସକୁ ଆଗକୁ ନେବାକୁ ହେଲେ ଜଣେ ସୁଦୃଢ ନେତାଙ୍କର ଆବଶ୍ୟକତା ରହିଛି। ସେହି ନେତା ଜଣଙ୍କ କଂଗ୍ରେସ ସଂଗଠନରେ ରହିଥିବ ଏବଂ ଦକ୍ଷତା ରହିଥିବ। ସେପରି ଲୋକଙ୍କୁ ସଭାପତି ଦାୟିତ୍ବ ଦେଲେ ଭଲ ହୁଅନ୍ତା।

ସେହିପରି ଓଡିଶା ସଂଗଠନକୁ  ୪ ଭାଗରେ ବିଭକ୍ତ କରିବା ପାଇଁ ପ୍ରସ୍ତାବ ଦେଇଛନ୍ତି ବିଧାୟକ ସୁର ରାଉତରାୟ। ସେ କହିଛନ୍ତି ଯେ, ଏଆଇସିସି  ୪ ଜଣ କାର୍ଯ୍ୟକାରୀ ସଭାପତି,  ୮ ଜଣ ଉପସଭାପତି ଏବଂ ୨୦ ଜଣ ସାଧାରଣ ସଂପାଦକଙ୍କୁ ନିଯୁକ୍ତ ଦିଅନ୍ତୁ। ସେମାନେ ବ୍ଲକ ୱାରୀ ବୁଲି ସଂଗଠନକୁ ସୁଦୃଢ କରିବା ପାଇଁ ପଦକ୍ଷେପ ନିଅନ୍ତୁ।