Categories
ଅପରାଧ ବିଶେଷ ଖବର

ସବୁଠାରୁ ବଡ ଚାରା ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ଲାଲୁ ଯାଦବ, ୨୪ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ

ରାଞ୍ଚି: ରାଞ୍ଚିର ସିବିଆଇ କୋର୍ଟ ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କୁ ଚାରା ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ କରିଛନ୍ତି। ଡୋରଣ୍ଡା ଟ୍ରେଜେରୀରୁ ୧୩୯ କୋଟି ଟଙ୍କା ଉଠାଇଥିବାକୁ ନେଇ ମାମଲାରେ ଲାଲୁ ଯାଦବ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଫେବୃଆରୀ ୨୧ ତାରିଖରେ ତାଙ୍କ ସଜା ଘୋଷଣା କରାଯିବ। ଏହି ମାମଲାରେ କୋର୍ଟ ୨୪ ଜଣଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ୧୯୯୦ରୁ ୧୯୯୫ ପର୍ଯ୍ୟନ୍ତ ଚାରା ସ୍କାମ ହେଉଛି ସବୁଠାରୁ ବଡ ମାମଲା।

ଏପର୍ଯ୍ୟନ୍ତ ଲାଲୁ ଯାଦବଙ୍କୁ ୯୫୦ କୋଟି ଟଙ୍କାର ଚାରାଚାଲାଣ ସମ୍ବନ୍ଧୀୟ ୫ ଟି ମାମଲା ମଧ୍ୟରୁ ୪ ଟି ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇଛି। ୧୯୯୬ ମସିହାରେ ଯେତେବେଳେ କିଛି ସରକାରୀ କର୍ମଚାରୀ ନକଲି ଖର୍ଚ୍ଚ ରିପୋର୍ଟ ଦାଖଲ କରିଥିଲେ, ସେତେବେଳେ ଏହି ପ୍ରସଙ୍ଗ ସାମ୍ନାକୁ ଆସିଥିଲା। ଡୋରଣ୍ଡା ଟ୍ରେଜେରୀରୁ କୋଟି କୋଟି ଟଙ୍କା ଉଠାଇ ନିଆଯାଇଥିଲା ଏବଂ ବିନା ଯାଞ୍ଚରେ ଜାଲିଆତି କରି ଖର୍ଚ୍ଚର ରିପୋର୍ଟ ଦର୍ଶାଯାଇଥିଲା।

ଏହି ଘୋଟାଲା ସାମ୍ନାକୁ ଆସିବା ପରେ ଲାଲୁ ପ୍ରସାଦ ଯାଦବଙ୍କୁ ବିହାରର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ପଡିଥିଲା। ୧୯୭୦ ଦଶକର ମଧ୍ୟଭାଗରେ ବିହାରର ମୁଖ୍ୟମନ୍ତ୍ରୀ ଭାବରେ ପ୍ରଥମ କାର୍ଯ୍ୟକାଳ ଶେଷ କରିଥିବା ଜଗନ୍ନାଥ ମିଶ୍ର ମଧ୍ୟ ଏହି ସ୍କାମରେ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଥିଲା।

ଫେବୃଆରୀ ୨୧ ତାରିଖରେ ଲାଲୁ ଯାଦବଙ୍କ ସଜା ଘୋଷଣା କରାଯିବ। ଡୋରଣ୍ଡା ମାମଲାର ପ୍ରମାଣ ଆଧାରରେ ସ୍ୱତନ୍ତ୍ର ସିବିଆଇ କୋର୍ଟ ସାନାଉଲ ହକ, ଅନିଲ କୁମାର, ରାଜେନ୍ଦ୍ର ପାଣ୍ଡେ, ସାକେତ ଲାଲ, ଦିନନାଥ ସହାୟ, ରାମ ସେବକ ସାହୁ ଏବଂ ଏନୁକ ହକଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି।

୧୯୯୬ ମସିହାରେ ଯେତେବେଳେ ଏହି ମାମଲା ପଞ୍ଜୀକୃତ ହୋଇଥିଲା, ସେତେବେଳେ ୧୭୦ ଜଣଙ୍କୁ ଅଭିଯୁକ୍ତ କରାଯାଇଥିଲା। ଏପର୍ଯ୍ୟନ୍ତ ଏମାନଙ୍କ ମଧ୍ୟରୁ ୫୫ ଜଣଙ୍କର ମୃତ୍ୟୁ ହୋଇଛି। ଯାହାକି ୭ ଜଣ ଅଭିଯୁକ୍ତ ସରକାରୀ ସାକ୍ଷୀ ହୋଇଥିଲେ। କୋର୍ଟର ନିଷ୍ପତ୍ତି ଆସିବା ପୂର୍ବରୁ ମଧ୍ୟ ଦୁଇ ଜଣ ନିଜ ଅପରାଧ ସ୍ୱୀକାର କରିଥିଲେ। ଆଜି ପର୍ଯ୍ୟନ୍ତ ୬ ଜଣଙ୍କୁ ଧରାଯାଇ ନାହିଁ।

ଚାରା ସ୍କାମ ସହ ଜଡିତ ଚାରୋଟି ମାମଲାରେ ଲାଲୁ ଯାଦବଙ୍କୁ ସାଢେ ୨୭ ବର୍ଷ କାରାଦଣ୍ଡାଦେଶ ହୋଇଥିବାବେଳେ ତାଙ୍କୁ ଏକ କୋଟି ଟଙ୍କା ଜରିମାନା ମଧ୍ୟ ଦେବାକୁ ପଡିଥିଲା। ଏହି ମାମଲାରେ ଦୋଷୀ ସାବ୍ୟସ୍ତ ହେତୁ ଆରଜେଡି ମୁଖ୍ୟଙ୍କୁ ଅଧା ଡଜନରୁ ଅଧିକ ଥର ଲକଅପରେ ରହିବାକୁ ପଡିଲା।