Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା ଜିଲ୍ଲାରେ ପଞ୍ଚାୟତରାଜ ଅନୁଷ୍ଠାନ ନିର୍ବାଚନ ପରିଚାଳନା ପାଇଁ ନିର୍ବାଚନ ପର୍ଯ୍ୟବେକ୍ଷକଙ୍କ ବୈଠକ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାରେ ପଞ୍ଚାୟତରାଜ ଅନୁଷ୍ଠାନ ନିର୍ବାଚନ ପରିଚାଳନା ପାଇଁ ନିଯୁକ୍ତ ସାଧାରଣ ନିର୍ବାଚନ ପର୍ଯ୍ୟବେକ୍ଷକ ଧନଞ୍ଜୟ ସ୍ୱାଇଁ ଓ ଖର୍ଚ୍ଚ ପର୍ଯ୍ୟବେକ୍ଷକ ପ୍ରଶାନ୍ତ କୁମାର ମହାକୁଡ଼ ଆଜି ଅପରାହ୍ନରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ଯୋଗ ଦେଇଥିଲେ। କୋଭିଡ ନିୟମ ଅନୁପାଳନ କରି ତ୍ରିସ୍ତରୀୟ ପଞ୍ଚାୟତରାଜ ନିର୍ବାଚନ କାର୍ଯ୍ୟକ୍ରମ ପରିଚାଳନା କରିବା ପାଇଁ ସାଧାରଣ ନିର୍ବାଚନ ପର୍ଯ୍ୟବେକ୍ଷକ ଧନଞ୍ଜୟ ସ୍ୱାଇଁ ଗୁରୁତ୍ୱ ଦେଇଥିଲେ। ସବୁ ପୋଲିଂ ଷ୍ଟେସନ ବିଶୋଧନ କରିବା, ସାମାଜିକ ଦୂରତ୍ୱ ରଖିବା ଓ ମାସ୍କ ବ୍ୟବହାର କରିବା ନିର୍ବାଚନରେ ନିୟୋଜିତ କର୍ମଚାରୀମାନେ ଓ ପୋଲିଂ ଏଜେଣ୍ଟମାନେ କୋଭିଡ଼ ନିୟମମାନ କାର୍ଯ୍ୟକରିବେ।

ପଞ୍ଚାୟତରାଜ ଅନୁଷ୍ଠାନ ନିର୍ବାଚନକୁ ମୁକ୍ତ, ଅବାଧ ଓ ଶାନ୍ତିପୂର୍ଣ ଭାବେ କରିବାକୁ ଆଲୋଚନା ହୋଇଥିଲା। ଆଦର୍ଶ ନିର୍ବାଚନ ଆଚରଣ ଵିଧି ପାଳନ କରାଯିବ।  କୌଣସି ଧାର୍ମିକ ଅନୁଷ୍ଠାନ, ସରକାରୀ କୋଠାବାଡ଼ରେ କୌଣସି ପ୍ରାର୍ଥୀ ନିର୍ବାଚନ ପ୍ରଚାର କରିପାରିବେ ନାହିଁ। ପ୍ରାର୍ଥୀମାନେ ହିଂସାତ୍ମକ କାର୍ଯ୍ୟକଳାପରେ ଲିପ୍ତ ରହିବେ ନାହିଁ। ଡାକବାଜି ଯନ୍ତ୍ର ବ୍ୟବହାର ପାଇଁ କର୍ତ୍ତୃପକ୍ଷଙ୍କ ଠାରୁ ପୂର୍ବରୁ ଅନୁମତି ନେବେ।  ରାତି ୮ ଘଣ୍ଟା ପରେ ଓ ସକାଳ ୭ ଘଣ୍ଟା ପୂର୍ବରୁ ମାଇକ ବାଜିବ ନାହିଁ। ସରକାରୀ କୋଠାବାଡ଼ିରେ ପ୍ରଚାରପତ୍ର ଲାଗିବ ନାହିଁ। ସମସ୍ତ ପ୍ରଚାର ପତ୍ରରେ ମୁଦ୍ରାକର ଓ ପ୍ରକାଶକଙ୍କ ନାମ ଉଲ୍ଲେଖ ରହିବ। ଭୋଟ ଗ୍ରହଣ ଆରମ୍ଭର ୩୬ ଘଣ୍ଟା ପୂର୍ବରୁ କୌଣସି ପ୍ରଚାର ହେବନାହିଁ।

ନିର୍ବାଚନ ପରିଚାଳନା ପାଇଁ ସମସ୍ତେ ସହଯୋଗ କରିବାକୁ ଆଲୋଚନା ହୋଇଥିଲା। ନିର୍ବାଚନ ଖର୍ଚ୍ଚ ପର୍ଯ୍ୟବେକ୍ଷକ ପ୍ରଶାନ୍ତ କୁମାର ମହାକୁଡ଼ ନିର୍ବାଚନ ଖର୍ଚ୍ଚ ପରିଚାଳନା ନିୟମ ସମ୍ପର୍କରେ କହିଥିଲେ। ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ପାଇଁ ନିର୍ବାଚନ ଖର୍ଚ୍ଚ ସୀମା ୫ ଲକ୍ଷ ଟଙ୍କା ରଖାଯାଇଛି। ସେମାନେ ୫ ଟି କାର ବା ଜିପ ଓ ୧୦ ଟି ୨ ଚକିଆ ଯାନ ନିର୍ବାଚନ କାର୍ଯ୍ୟ ପାଇଁ ବ୍ୟବହାର କରିପାରିବେ। ସରପଞ୍ଚ ଓ ପଞ୍ଚାୟତ ସମିତି ସଭ୍ୟ ପ୍ରାଥୀଙ୍କ ନିର୍ବାଚନ ଖର୍ଚ୍ଚ ସୀମା ୨ ଲକ୍ଷ ଟଙ୍କା ରଖାଯାଇଛି। ସେମାନେ ନିର୍ବାଚନ କାର୍ଯ୍ୟରେ ୨ ଟି ଜିପ ବା କାର, ୫ ଟି ୨ ଚକିଆ ଯାନ ବ୍ୟବହାର କରିପାରିବେ। ନିର୍ବାଚନରେ ପ୍ରତିଦ୍ବନ୍ଦିତା କରୁଥିବା ପ୍ରାର୍ଥୀ ଦୈନନ୍ଦିନ ଖର୍ଚ୍ଚର ବିବରଣୀ ନିର୍ଦ୍ଧାରିତ ଫର୍ମରେ ଲେଖିବେ ଓ ଖର୍ଚ୍ଚ ହିସାବ ରେଜିଷ୍ଟର ରଖିବେ।

ଖୋର୍ଦ୍ଧା ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ସରକାରଙ୍କ କୋଭିଡ଼ କଟକଣା ମାର୍ଗଦର୍ଶିକା ସମସ୍ତେ ପାଳନ କରିବା ପାଇଁ କହିଥିଲେ। ନିର୍ବାଚନ ଆଚରଣ ବିଧି ଖିଲାପ କଲେ କାର୍ଯ୍ୟାନୁଷ୍ଠାନ ହେବ। ଉକ୍ତ ବୈଠକରେ ଖୋର୍ଦ୍ଧା ଆରକ୍ଷୀ ଅଧିକ୍ଷକ ରାଜକିଶୋର ଦୋରା, ଅତିରିକ୍ତ ଜିଲ୍ଲାପାଳ ମନୋଜ କୁମାର ପାଢ଼ୀ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦେଶକ ଦିଗନ୍ତ ରାଉତରାୟ, ଜିଲ୍ଲା ପଞ୍ଚାୟତ ଅଧିକାରୀ ଓ ବିଭିନ୍ନ ରାଜନୈତିକ ଦଳର କର୍ମକର୍ତାମାନେ ଯୋଗ ଦେଇଥିଲେ।