Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ଚିଲିକାରେ ନିର୍ବାଚନ ପୂର୍ବରୁ ପୋଲିସର ଫ୍ଲାଗ ମାର୍ଚ୍ଚ, ଆଇନ ଶୃଙ୍ଖଳା ପ୍ରତି କଡା ନଜର

ଚିଲିକା : ଖୋର୍ଦ୍ଧା ଜିଲ୍ଲାରେ ସାଧାରଣ ନିର୍ବାଚନକୁ ଆଉ ମାତ୍ର ଦିନ କେଇଟା ଥିବା ବେଳେ ଆକ୍ସନ ମୋଡ଼ରେ ରହିଛି ଜିଲ୍ଲା ପୋଲିସ। ଏସପି ଅବିନାଶ କୁମାରଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲାର ସମସ୍ତ ଥାନା ଅଞ୍ଚଳରେ ସଜାଗ ରହିଛି ପୋଲିସ। ଏହି ପରିପ୍ରେକ୍ଷୀରେ ଏସପିଙ୍କ ନିର୍ଦେଶକ୍ରମେ ଏବଂ ବାଲୁଗାଁ ଏସଡ଼ିପିଓ ଶୁଭ୍ରାଂଶୁ ଶେଖର ମିଶ୍ରଙ୍କ ତତ୍ୱାବଧାନ ରେ ବାଣପୁର ଆଇଆଇସି ରମେଶ କୁମାର ଦେବତାଙ୍କ ନେତୃତ୍ୱରେ ଥାନା ଅଞ୍ଚଳରେ ଜାରି ରହିଛି କଡ଼ା ପାଟ୍ରୋଲିଂ।

ଆଜି ଦିନତମାମ ଆଇଆଇସି ଶ୍ରୀ ଦେବତାଙ୍କ ନେତୃତ୍ୱରେ ବାଣପୁର ଥାନାର ସମସ୍ତ ପୋଲିସ କର୍ମଚାରୀ ଏବଂ ଏକ ପ୍ଲାଟୁନ ସିଏପିଏଫ ଦ୍ୱାରା ଥାନା ଅଞ୍ଚଳର ବହୁ ସମ୍ବେଦନଶୀଳ ଏବଂ ଗୁରୁତ୍ୱପୂର୍ଣ ଗ୍ରାମରେ ଫ୍ଲାଗ ମାର୍ଚ୍ଚ କରାଯାଇଛି। ବିଶେଷ କରି ବାଣପୁର ଏନଏସି, ଭେଟେଶ୍ୱର, ଭୀମପୁର, ସାନ ହନ୍ତୁଆଡ଼, ବାଁଳେଇ, ସାନ ସିରେଇପୁର ଆଦି ଗ୍ରାମରେ ଉକ୍ତ ଫ୍ଲାଗ ମାର୍ଚ୍ଚ ଅନୁଷ୍ଠିତ ହୋଇଛି।

ଆଗାମୀ ସାଧାରଣ ନିର୍ବାଚନ କିପରି ଅବାଧ, ନିରପେକ୍ଷ ଓ ଭୟମୁକ୍ତ ଭାବେ ପରିଚାଳିତ ହେବ ତାହାକୁ ଗୁରୁତ୍ୱ ଦେଇଛନ୍ତି ଏସପି। ଏହି ପରିପ୍ରେକ୍ଷୀରେ ବାଣପୁର ଥାନାଧିକାରୀ ଆଜି ଦିନ ତମାମ ସହର ଏବଂ ଗ୍ରାମାଞ୍ଚଳ ରେ ଡାକବାଜି ଯନ୍ତ୍ର ଦ୍ୱାରା ନାଗରିକ ମାନଙ୍କ ମନୋବଳ ବଢାଇବା ସହ ନିର୍ଭୟରେ ମତଦାନ କରିବା ପାଇଁ ଅନୁରୋଧ କରିଥିଲେ।

ବାଣପୁର ପୋଲିସ ସଦାସର୍ବଦା ଜନସାଧାରଣଙ୍କ ସହ ଅଛି ଏବଂ ଯଦି କୌଣସି ବ୍ୟକ୍ତି ବିଶେଷ ଥାନାଧିକାରୀଙ୍କ ସହାୟତା ଲୋଡିବାକୁ ଚାହୁଁଛନ୍ତି ଅବା ସୂଚନା ଦେବାକୁ ଚାହୁଁଛନ୍ତି ତେବେ ସେ ନିର୍ଦ୍ବନ୍ଦରେ ଥାନାଧିକାରୀଙ୍କୁ ଭେଟିପାରିବେ ବୋଲି ଆଇଆଇସି ଶ୍ରୀ ଦେବତା କହିଛନ୍ତି। ତେବେ ଏହି ଫ୍ଲାଗ ମାର୍ଚ୍ଚ ଓ ପାଟ୍ରୋଲିଙ୍ଗ ଦ୍ୱାରା ଦ୍ୱାରା ବାଣପୁର ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଭୋଟରଙ୍କ ମନରେ ସକାରାତ୍ମକ ପ୍ରଭାବ ପଡିଥିବା ଅନୁମେୟ ହେଉଛି।

Categories
ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ଓଡିଶା ମତଦାନ ପାଇଁ ମୁତୟନ ହେଲେ ୧୬୫ କମ୍ପାନୀ ସିଏପିଏଫ୍‌, ନିର୍ବାଚନ କମିଶନର ଦେଲେ ସୂଚନା

ଭୁବନେଶ୍ବର: ସଂପୂର୍ଣ୍ଣ ଶାନ୍ତିଶୃଙ୍ଖଳା ମଧ୍ୟରେ ନିର୍ବାଚନ ପ୍ରକ୍ରିୟାର ପରିଚାଳନା ନିମନ୍ତେ ଓଡ଼ିଶାରେ ୧୬୫ କମ୍ପାନୀ ସିଏପିଏଫ୍‌ ମୁତୟନ ପାଇଁ ବ୍ୟବସ୍ଥା ହୋଇଛି। ରାଜ୍ୟରେ ଏକକାଳୀନ ସାଧାରଣ ନିର୍ବାଚନ-୨୦୨୪କୁ ମୁକ୍ତ, ଅବାଧ, ସ୍ୱଚ୍ଛ ତଥା ନିରପେକ୍ଷ ରୂପେ ପରିଚାଳନା କରିବା ଓ ଆଇନଶୃଙ୍ଖଳା ପରିସ୍ଥିତିକୁ ଆୟତ୍ତରେ ରଖି ଏକ ଜାତୀୟ ଉତ୍ସବର ମାହୋଲ ମଧ୍ୟରେ ମତଦାନ ବ୍ୟବସ୍ଥା ପାଇଁ ଏହି ସବୁ ସୁରକ୍ଷା ବ୍ୟବସ୍ଥା କରାଯାଉଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ନିକୁଞ୍ଜ ବିହାରୀ ଧଳ ମତପ୍ରକାଶ କରିଛନ୍ତି।

ସାଧାରଣ ନିର୍ବାଚନ-୨୦୧୯ରେ ଓଡ଼ିଶାରେ ମୋଟ ୧୩୩ କମ୍ପାନୀ ସିଏପିଏଫ୍‌ ମୁତୟନ ହୋଇଥିଲେ। ଏହା ମଧ୍ୟରୁ ୯୬ କମ୍ପାନୀ ଇନ୍‌ସିଟୁ ମୁତୟନ ହୋଇଥିବାବେଳେ ୩୭ କମ୍ପାନୀ ଡାଇରେକଫ ଇଣ୍ଡକସନ୍‌ ଭାବରେ ମୁତୟନ ହୋଇଥିଲେ। ଏକକାଳୀନ ସାଧାରଣ ନିର୍ବାଚନ-୨୦୨୪ ପାଇଁ ରାଜ୍ୟରେ ୧୬୫ କମ୍ପାନୀ ସିଏପିଏଫ୍‌ ମୁତୟନ ପାଇଁ ବ୍ୟବସ୍ଥା ହୋଇଛି। ଏହା ମଧ୍ୟରୁ ୮୩ କମ୍ପାନୀ ଇନ୍‌ସିଟୁ ମୁତୟନ ଓ ୮୨ କମ୍ପାନୀ ଡାଇରେକଫ ଇଣ୍ଡକ୍‌ସନ୍‌ ମାଧ୍ୟମରେ ମୁତୟନ ହେବେ।

ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୭୫ କମ୍ପାନୀ ସିଏପିଏଫ୍‌ ଜବାନ୍‌ ମୁତୟନ ହୋଇସାରିଛନ୍ତି। ସେମାନେ ବିଭିନ୍ନ ଅଞ୍ଚଳରେ ଶାନ୍ତିପୂର୍ଣ୍ଣ ନିର୍ବାଚନ ଲକ୍ଷ୍ୟରେ ବିଶ୍ୱାସ ସୃଷ୍ଟି ପାଇଁ ଫ୍ଲାଗ୍‌ମାର୍ଚ୍ଚ ଆଦିି କରୁଛନ୍ତି। ମତଦାତାମାନେ ଏକ ସୁରକ୍ଷିତ ପରିବେଶ ମଧ୍ୟରେ ଯେଭଳି ଭାବେ ଉତ୍ସାହର ସହିତ ମତଦାନ କରିବେ ତାକୁ ଧ୍ୟାନରେ ରଖି ଏସବୁ କାର୍ଯ୍ୟ କରାଯାଉଛି।

ମଇ ୧ ତାରିଖରେ ଆହୁରି ୪୮ କମ୍ପାନୀ ଓ ମଇ ୯ ତାରିଖରେ ୪୨ କମ୍ପାନୀ ସିଏପିଏଫ୍‌ ଜବାନ୍‌ କାର୍ଯ୍ୟରେ ଯୋଗଦେବେ। ଏହା ଫଳରେ ସର୍ବମୋଟ ମୁତୟନ କମ୍ପାନୀ ୧୬୫ରେ ପହଞ୍ଚିବ । ଏହା ମଧ୍ୟରୁ ୨୫ କମ୍ପାନୀ ଷ୍ଟ୍ରଙ୍ଗ ରୁମ୍‌ର ସୁରକ୍ଷା ଦାୟିତ୍ୱରେ ରହିବେ। ଏହି ବ୍ୟବସ୍ଥା ଦ୍ୱାରା ରାଜ୍ୟରେ ସାମଗି୍ରକ ନିର୍ବାଚନ ପ୍ରକ୍ରିୟା ଶାନ୍ତିଶୃଙ୍ଖଳା ଓ ତ୍ରୁଟିଶୂନ୍ୟ ଭାବରେ କାର୍ଯ୍ୟକାରୀ ହେବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ମତପୋଷଣ କରିଛନ୍ତି।