ନୂଆଦିଲ୍ଲୀ: ନିର୍ଭୟା ରାୟ ଆସିବା ପରେ କୋର୍ଟ ପରିସରରେ ନିର୍ଭୟାଙ୍କ ମା ଗଣମାଧ୍ୟମକୁ ଏକ ଚାଞ୍ଚଲ୍ୟକର ଖବର ଦେଇଛନ୍ତି। ତାହା ହେଲା ଦୋଷୀମାନଙ୍କୁ ଏ ପର୍ଯ୍ୟନ୍ତ ସଜା ଦିଆଯାଇ ନ ଥିବାରୁ ନିର୍ଭୟା ଫଟୋରେ ଫୁଲ ଚଢାଯାଇ ନ ଥିଲା। ଆମେ ଶପଥ କରିଥିଲୁ ଯେ, ଯେ ପର୍ଯ୍ୟନ୍ତ ନିର୍ଭୟା ହତ୍ୟାକାରୀଙ୍କୁ ଦଣ୍ଡ ନ ମିଳିଛି ସେ ପର୍ଯ୍ୟନ୍ତ ତା ଫଟୋରେ ଫୁଲ ଦିଆଯିବ ନାହିଁ। ଏବେ ଦୋଷୀଙ୍କୁ ଦଣ୍ଡ ମିଳିବ ବୋଲି କୋର୍ଟ ରାୟ ଦେବା ପରେ ତା ଫଟୋରେ ଫୁଲ ଦିଆଯିବ । କୋର୍ଟ ନିକଟରେ ଗଣମାଧ୍ୟମକୁ ଏ କଥା କହିଛନ୍ତି ନିର୍ଭୟା ମା। ଆଜି ନିର୍ଭୟା ଦୁସ୍କର୍ମ ଓ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା 4 ଜଣଙ୍କୁ ଫାଶି ଦିଆଯିବ ବୋଲି କୋର୍ଟ ରାୟ ଦେଇଛନ୍ତି। ଏହି ରାୟକୁ ନେଇ ସାରା ଦେଶର ଲୋକେ ସମର୍ଥନ କରିଛନ୍ତି।
ଡିସେମ୍ବର ୨୦୧୨ରେ ନୂଆଦିଲ୍ଲୀର ଏକ ଚଳନ୍ତା ବସରେ ଡାକ୍ତରୀ ଛାତ୍ରୀ ଜ୍ୟୋତି ସିଂଙ୍କୁ ଗଣ ବଳାତ୍କାର ଓ ହତ୍ୟା କରା ଯାଇଥିଲା। ଏହାର ପ୍ରତିବାଦରେ ସେତେବେଳେ ସାରଦେଶ ଏକାଠି ହୋଇଥିଲା। ସାତ ବର୍ଷ ପରେ ଏହି ଅପରାଧ ସହ ସମ୍ପୃକ୍ତ ଚାରି ଅପରାଧୀଙ୍କୁ ମୃତ୍ୟୁ ଦଣ୍ଡ ଦେବାକୁ ଅନ୍ତିମ ନିଷ୍ପତ୍ତି ନିଆଯାଇଛି। ନିର୍ଭୟା କାଣ୍ଡର ଚାରି ଅଭିଯୁକ୍ତ ଅକ୍ଷୟ, ମୁକେଶ, ପବନ ଓ ବିନୟଙ୍କୁ ତିହାଡ଼ ଜେଲ୍ରେ ଫାଶୀ ଦିଆଯିବ। ଦିଲ୍ଲୀର ପଟିଆଲା ହାଉସ କୋର୍ଟରେ ଏହି ମାମଲା ନେଇ ଶୁଣାଣି ଆରମ୍ଭ ହୋଇଥିଲା। ଏହାପୂର୍ବରୁ ଗତ ଡିସେମ୍ବର ମାସରେ ପଟିଆଲା ହାଉସ କୋର୍ଟରେ ଡେଥ ୱାରେଣ୍ଟ ଶୁଣାଣି କରାଯାଇଥିଲେ ମଧ୍ୟ ରାୟ ପ୍ରକାଶ ପାଇନଥିଲା। ତେବେ ଏହାପୂର୍ବରୁ ସୁପ୍ରିମକୋର୍ଟ ନିର୍ଭୟା ଦୁଷ୍କର୍ମକାରୀଙ୍କୁ ଫାଶୀ ଦଣ୍ଡରେ ଦଣ୍ଡିତ କରିଥିଲେ। ଏହି ମାମଲାରେ 6ଜଣ ଦୋଷୀ ରହିଥିବାବେଳେ ଜଣେ ଅଭିଯୁକ୍ତ ଜେଲ ଭିତରେ ଆତ୍ମହତ୍ୟା କରିଥିବା ବେଳେ ଅନ୍ୟ ଜଣେ ଅଭିଯୁକ୍ତ ନାବାଳକ ଥିବାରୁ ସୁଧାର ଗୃହରେ ସଜା କାଟିବା ପରେ ଛାଡି ଦିଆଯାଇଥିଲା। ଅନ୍ୟ ୪ ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡରେ ଦଣ୍ଡିତ କରିଥିଲେ ସର୍ବୋଚ୍ଚ ନ୍ୟାୟାଳୟ।