Categories
ବିଶେଷ ଖବର ବ୍ୟବସାୟ

ଏମ୍‌ଏସ୍‌ଏମ୍‌ଇକୁ ସହାୟତା ଦେବା ନିମନ୍ତେ ଆରମ୍ଭ ହେଲା “ବିବାଦ ସେ ବିଶ୍ୱାସ” ଯୋଜନା

ନୂଆଦିଲ୍ଲୀ: କୋଭିଡ-୧୯ କାଳରେ କ୍ଷତିଗ୍ରସ୍ତ ହୋଇଥିବା ଏମ୍‌ଏସ୍‌ଏମ୍‌ଇ ଉଦ୍ୟୋଗଗୁଡିକୁ ସହାୟତା ପ୍ରଦାନ କରିବା  ନିମନ୍ତେ କେନ୍ଦ୍ର ସରକାର “ବିବାଦ ସେ ବିଶ୍ୱାସ-୧” ଯୋଜନା ଆରମ୍ଭ କରିଛନ୍ତି। ଅର୍ଥ ମନ୍ତ୍ରଣାଳୟର ବ୍ୟୟବିଭାଗ ପକ୍ଷରୁ ଏହି ଯୋଜନାକୁ କାର୍ଯ୍ୟକାରୀ କରାଯାଇଛି। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ତାଙ୍କର ୨୦୨୩-୨୪ ବଜେଟ୍‌ରେ କରୋନା ମହାମାରୀ ପ୍ରଭାବରେ କ୍ଷତିଗ୍ରସ୍ତ ହୋଇଥିବା ଦେଶର ଏମ୍‌ଏସ୍‌ଏମ୍‌ଇ ଶିଳ୍ପ ସଂସ୍ଥାଗୁଡିକୁ ସହାୟତା ଯୋଗାଇବା ବିଷୟ ଘୋଷଣା କରିଥିଲେ। ଏହି ସହାୟତା ଯୋଜନାଟି କେନ୍ଦ୍ରୀୟ ବଜେଟ୍‌ର ୬୬ନମ୍ବର ପାରାଗ୍ରାଫ୍‌ରେ ଉଲ୍ଲେଖ ଅଛି। ଏଥିରେ କୁହାଯାଇଛି, “କୋଭିଡ କାଳରେ ଏମ୍‌ଏସ୍‌ଏମଇମାନେ ଯଦି ଚୁକ୍ତିକୁ କାର୍ଯ୍ୟକାରୀ କରିବାରେ ବିଫଳ ହୋଇଥାନ୍ତି ତା’ହେଲେ ସେମାନଙ୍କ ବିଡ୍‌ର୯୫% କିମ୍ବା ପରଫରମାନ୍ସ ସିକ୍ୟୁରିଟି (ଅମାନତ ରାଶି) ସେମାନଙ୍କୁ ସରକାର କିମ୍ବା ସରକାରୀ ଉପକ୍ରମରେ ଥିବା ସଂସ୍ଥା ଫେରାଇଦେବେ। ଏହା ଫଳରେ ଏମ୍‌ଏସ୍‌ଏମଇଗୁଡିକ ଉପକୃତ ହେବେ।

ଅର୍ଥ ମନ୍ତ୍ରଣାଳୟର ବ୍ୟୟ ବିଭାଗ ପକ୍ଷରୁ ଏହି ମର୍ମରେ ୨୦୨୩ ଫେବୃୟାରୀ ୬ତାରିଖରେ ଏକ ନିର୍ଦ୍ଦେଶନାମା ଜାରି କରାଯାଇଥିଲା। ଏଥିରେ ଏହି ଯୋଜନାର ସବିଶେଷ ବିବରଣୀ ଓ ତଥ୍ୟ ରହିଛି। ଏ ସଂକ୍ରାନ୍ତ ଚୂଡାନ୍ତ ନିର୍ଦ୍ଦେଶାବଳୀ ୨୦୨୩ ଏପ୍ରିଲ ୧୧ତାରିଖରେ ପ୍ରକାଶ ପାଇଥିଲା। ସେଥିରେ କ୍ଷତିଗ୍ରସ୍ତ ଏମ୍‌ଏସ୍‌ଏମ୍‌ଇଗୁଡିକୁ ସହାୟତା ପ୍ରଦାନ ପାଇଁ ଆବେଦନ ସମୟ ମିଆଦି ବୃଦ୍ଧି, କେତେ ଟଙ୍କା ଫେରସ୍ତ ଦିଆଯିବ ଓ ଆଉ କେତେକ ତଥ୍ୟ ରହିଥିଲା।

ଏହା ପରେ ଏହି ଯୋଜନାଟିକୁ ୨୦୨୩ ଏପ୍ରିଲ ୧୭ତାରିଖରୁ କାର୍ଯ୍ୟକାରୀ କରାଯାଇଛି। ଯେଉଁ ଏମ୍‌ଏସ୍‌ଏମଇ ଉଦ୍ୟୋଗ କରୋନା ମହାମାରୀ କାରଣରୁ ସରକାରଙ୍କ ସହିତ କରିଥିବା ଚୁକ୍ତିକୁ କାର୍ଯ୍ୟକାରୀ କରିବାରେ ବିଫଳ ହୋଇଥିବେ ସେମାନେ ନିଲାମ ବା ବିଡ୍ ବାବଦରେ ଦେଇଥିବା ଅର୍ଥର ୯୫% କିମ୍ବା ପ୍ରଦର୍ଶନଭିତ୍ତିକ ଅମାନତ ଅର୍ଥ ବା ପରଫରମାନ୍ସ ସିକ୍ୟୁରିଟି ଫେରି ପାଇବାକୁ ନିର୍ଦ୍ଧାରିତ ତାରିଖ ୨୦୨୩ ଜୁନ ୩୦ତାରିଖ ସୁଦ୍ଧା ଆବେଦନ କରିପାରିବେ। ସେମାନଙ୍କୁ “ବିବାଦ ସେ ବିଶ୍ୱାସ-” ଯୋଜନାରେ ଏହି ଅର୍ଥ ଫେରସ୍ତ ଦିଆଯିବ।

କୋଭିଡ ମହାମାରୀ ମାନବ ଇତିହାସର ଏକ ଅନ୍ୟତମ ବୃହତ ସଙ୍କଟ ଥିଲା। ଏହାର କୁପ୍ରଭାବ ଅର୍ଥନୀତି ଉପରେ ଗୁୁରୁତର ଭାବେ ପଡିଥିଲା ଏବଂ କ୍ଷୁଦ୍ର, ଅତି କ୍ଷୁଦ୍ର ଓ ମଧ୍ୟମ (ଏମ୍‌ଏସ୍‌ଏମ୍‌ଇ) ଉଦ୍ୟୋଗଗୁଡିକର ବ୍ୟବସ୍ଥା ଶୋଚନୀୟ ହୋଇଥିଲା। ଫଳରେ ସରକାର ଓ ସରକାରୀ ସଂସ୍ଥାକୁ ସାମଗ୍ରୀ ଯୋଗାଇବାକୁ ଯେଉଁସବୁ ଉଦ୍ୟୋଗ ଚୁକ୍ତି କରି ନିଲାମରେ ଭାଗ ନେଇଥିଲେ ସେମାନେ ପ୍ରାୟତଃ କେହି ଏହାକୁ କାର୍ଯ୍ୟକାରୀ କରିପାରି ନଥିଲେ। ଫଳରେ ସେମାନଙ୍କର ବିପୁଳ ଅମାନତ ଅର୍ଥ ସରକାରଙ୍କ ପାଖରେ ପଡି ରହିବାରୁ ଆର୍ଥିକ ଦୃଷ୍ଟିରୁ ସେମାନେ ଅଧିକ ଦୁର୍ବଳ ହୋଇଥିଲେ। ଏହାକୁ ଅନୁଭବ କରି ସରକାର କ୍ଷତିଗ୍ରସ୍ତ ସମ୍ପୃକ୍ତ ଉଦ୍ୟୋଗୀମାନଙ୍କୁ ସେମାନଙ୍କ ଅର୍ଥ ଫେରାଇ ସାହାଯ୍ୟ ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ଏବେ ତାହା କାର୍ଯ୍ୟକାରୀ ହେବାକୁ ଯାଉଛି । ଏହା ଫଳରେ ଏହି ଉଦ୍ୟୋଗ ବିଶେଷ ଉପକୃତ ହେବ।

ଏହି ଯୋଜନାରେ ସବୁ ମନ୍ତ୍ରଣାଳୟକୁ କୋଭିଡକାଳିନ ବିଭିନ୍ନ ଅମାନତ ଜମା ଯଥା ପରଫରମାନ୍ସ ସିକ୍ୟୁରିଟି, ବିଡ୍ ସିକ୍ୟୁରିଟି ଏବଂ ଜବତ ହୋଇଥିବା ଲିକ୍ୟୁଡେଟେଡ ଡ୍ୟାମେଜ ଅର୍ଥ, କାଟି ରଖାଯାଇଥିବା ଅର୍ଥ ଆଦିକୁ ସମ୍ପୃକ୍ତ ଏମ୍‌ଏସ୍‌ଏମ୍‌ଇଗୁଡିକୁ ଫେରାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଆହୁରି ମଧ୍ୟ ମହାମାରୀ ଯୋଗୁଁ ଚୁକ୍ତି ଭଙ୍ଗ କରିବାକୁ ବାଧ୍ୟ ହୋଇଥିବା ଏମ୍‌ଏସ୍‌ଏମ୍‌ଇ ଉଦ୍ୟୋଗକୁ ଆଉ କୌଣସି ସରକାରୀ ନିଲାମରେ ଭାଗ ନେବାକୁ ଅନୁମତି ନ ଦେବାକୁ ଯେଉଁ ନିୟମ ଥିଲା ସରକାର ତାହାକୁ ପ୍ରତ୍ୟାହାର କରି ନେଇଛନ୍ତି।

କେନ୍ଦ୍ର ଅର୍ଥମନ୍ତ୍ରଣାଳୟ ଏହି ଯୋଜନା ମାଧ୍ୟମରେ ମହାମାରୀ ପ୍ରଭାବିତ ଏମ୍‌ଏମ୍‌ଏମ୍‌ଇଗୁଡିକୁ ନିମ୍ନଲିଖିତ ଅତିରିକ୍ତ ସୁବିଧା ସୁଯୋଗ ଓ ଲାଭ ଯୋଗାଇ ଦେବାକୁ ନିଷ୍ପତ୍ତି ନେଇଛନ୍ତି।

ସେଗୁଡିକ ହେଲା:-

୧) ଜବତ ହୋଇଥିବା ୯୫% ପ୍ରଦର୍ଶନ ଭିତ୍ତିକ ଅମାନତ ରାଶି ଫେରସ୍ତ ଦିଆଯିବ।

୨) ବିଡ୍ ସିକ୍ୟୁରିଟି (ନିଲାମରେ ଅମାନତ)ର ୯୫% ସରକାର ନିଲାମଧାରୀ ଉଦ୍ୟୋଗୀଙ୍କୁ ଫେରାଇବେ।

୩) କାଟି ରଖାଯାଇଥିବା ଲିକ୍ୟୁଡେଟେଡେ ଡ୍ୟାମେଜର ୯୫% ଫେରସ୍ତ ଦିଆଯିବ।

୪) ଜବତ ହୋଇଥିବା ରିସ୍କ ପର୍‌ଚେଜ୍ ଅର୍ଥର ୯୫% ଫେରାଯିବ।

୫) କରୋନା ଯୋଗୁ ଚୁକ୍ତି ପାଳନରେ ବିଫଳ ହୋଇ ପରବର୍ତ୍ତୀ ନିଲାମରୁ ନିଷିଦ୍ଧ ହୋଇଥିବା ସଂସ୍ଥାଙ୍କ ଉପରୁ ନିଷେଧାଦେଶ /କଟକଣା ଉଠିବ। ଏଥିପାଇଁ ସାମଗ୍ରୀ କ୍ରୟକାରୀ ସଂସ୍ଥା ଏକ ବିଧିବଦ୍ଧ ନିର୍ଦ୍ଦେଶାବଳୀ ଜାରି କରିବେ। ତେବେ ଯେଉଁ ସଂସ୍ଥାସବୁ କରୋନା ପୂର୍ବରୁ ଚୁକ୍ତି ଖିଲାପ କରି ନିଲାମ ନିମନ୍ତେ ଅଯୋଗ୍ୟ ହୋଇଛନ୍ତି ସେମାନଙ୍କୁ ଏହି ଯୋଜନାରେ ଲାଭ ମିଳିବ ନାହିଁ।

୬) ସମ୍ପୃକ୍ତ ପକ୍ଷଙ୍କୁ ଫେରସ୍ତ ଅର୍ଥ ଉପରେ କୌଣସି ସୁଧ ଦିଆଯିବ ନାହିଁ।

ଅର୍ଥ ମନ୍ତ୍ରଣାଳୟର ବ୍ୟୟ ବିଭାଗ ପକ୍ଷରୁ ଏହି ଅର୍ଥ ଫେରସ୍ତ ସଂକ୍ରାନ୍ତ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରାଯିବା ସହିତ ସବୁ ମନ୍ତ୍ରଣାଳୟ, ବିଭାଗର ସଚିବ ସବୁ ରାଜ୍ୟର ମୁଖ୍ୟ ସଚିବ, କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ସଚିବ, କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ପ୍ରଶାସକ ମାନଙ୍କୁ ଆବଶ୍ୟକ ନିର୍ଦ୍ଦେଶପତ୍ର ପ୍ରଦାନ କରାଯାଇଛି। ସେମାନେ କୋଭିଡ୍ କାଳରେ କ୍ଷତିଗ୍ରସ୍ତ ଏମ୍‌ଏସ୍‌ଏମ୍‌ଇଗୁଡିକୁ ଆବଶ୍ୟକ ସହାୟତା ଯୋଗ୍ୟତା ଓ ଦାବି ଅନୁସାରେ ନିମ୍ନ ପ୍ରଦତ୍ତ ଦୁଇଟି ଯୋଗ୍ୟତା ଆଧାରରେ ଯୋଗାଇବେ। ସେ ଦୁଇଟିହେଲା –

୧) ସମ୍ପୃକ୍ତ ଉଦ୍ୟୋଗ କ୍ଲେମ ଦାବି କରିବା ତାରିଖ ସୁଦ୍ଧା ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରଣାଳୟର ଯୋଜନା ଅନୁସାରେ ଏକ ଉଦ୍ୟୋଗଭାବେ ପଞ୍ଜୀକୃତ ହୋଇଥିବ।

୨) ସମ୍ପୃକ୍ତ ସଂସ୍ଥା ୨୦୨୦ ଫେବୃୟାରୀ ୧୯ରୁ ୨୦୨୨ ମାର୍ଚ୍ଚ ୩୧ତାରିଖ ସୁଦ୍ଧା ସାମଗ୍ରୀ ଯୋଗାଣ ପାଇଁ ଚୁକ୍ତିବଦ୍ଧ ହୋଇଥିବ।

ସରକାରୀ ଇ ମାର୍କେଟ ପ୍ଲେସ(ଜିଇଏମ୍‌) ଏହି ଯୋଜନାକୁ କାର୍ଯ୍ୟକାରୀ କରିବାକୁ ଏକ ଉତ୍ସର୍ଗୀକୃତ ୱେବ ପେଜ ବିକଶିତ କରିଛି। ସବୁ ଉପଯୁକ୍ତ ଦାବି ଜିଇଏମ୍ ମାଧ୍ୟମରେ ପ୍ରସେସ ହେବ।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ପୂରଣ ହେଲା ପୂର୍ବ ଘୋଷଣା: ଚଳିତ ବଜେଟ୍ ରେ ଏମ୍ଏସ୍ଏମ୍ଇକୁ ସରକାରଙ୍କ ବଡ ସହାୟତା ପ୍ରଦାନ

ନୂଆଦିଲ୍ଲୀ: ଅର୍ଥ ମନ୍ତ୍ରଣାଳୟ ଆଜି ଦେଶର ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବା ଏମ୍ଏସ୍ଏମଇ ପାଇଁ କୋଭିଡ ମହାମାରୀ ସମୟ ନିମନ୍ତେ ବଡ ସହାୟତା ଯୋଗାଇଛି। ଏହି ମର୍ମରେ କେନ୍ଦ୍ର ଅର୍ଥ ବ୍ୟୟ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି।

କୋଭିଡ ମହାମାରୀ କାଳରେ ଏମ୍ଏସ୍ଏମଇ କ୍ଷେତ୍ର ପ୍ରଭାବିତ ହେବାରୁ କେନ୍ଦ୍ରର ବିଭିନ୍ନ ମନ୍ତ୍ରଣାଳୟ, ବିଭାଗ ଏବଂ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ସହିତ ସାମଗ୍ରୀ ତଥା ସେବା ଯେଗାଣ ପାଇଁ ଯେଉଁ ଚୁକ୍ତି ହୋଇଥିଲା ତାହାକୁ ସମ୍ପୃକ୍ତ ସଂସ୍ଥା ଓ ଉଦ୍ୟୋଗ ପୂରଣ କରି ପାରି ନ ଥିଲେ। ତେଣୁ ନିୟମ ଅନୁସାରେ ଏମ୍ଏସ୍ଏମଇ କ୍ଷେତ୍ରରେ ଯୋଗାଣକାରୀ ଯେଉଁ ଅମାନତ ଟଙ୍କା ଜମା କରିଥିଲେ ସର୍ତ୍ତ ରକ୍ଷା କରି ନ ପାରିବାରୁ ତାହା ବାଜ୍ୟାପ୍ତ ହୋଇଥିଲା। ତେବେ କରୋନା ମହାମାରୀ ଭଳି ଏକ ଅପ୍ରତ୍ୟାଶିତ ସ୍ଥିତି ଯୋଗୁଁ ନିଲାମ ଜବତ ହେବାରୁ ଏମ୍ଏସ୍ଏମଇ ଉଦ୍ୟୋଗ କ୍ଷତିଗ୍ରସ୍ତ ହୋଇଥିଲା। ଏ ସମ୍ପର୍କରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇ ହସ୍ତକ୍ଷେପ ଲୋଡାଯିବା ପରେ କେନ୍ଦ୍ର ସରକାର ଜବତ ହୋଇଥିବା ଅର୍ଥରାଶିକୁ ଫେରାଇବାକୁ ପ୍ରତିଶ୍ରୁତି ଦେଇଥିଲେ।

ସରକାରଙ୍କ ଏହି ପ୍ରତିଶ୍ରୁତି ଓ ଘୋଷଣା ଶେଷରେ କାର୍ଯ୍ୟକାରୀ ହୋଇଛି ଏବଂ ୨୦୨୩-୨୪ ବଜେଟ୍ରେ ଜବତ ହୋଇଥିବା ଏହି ଅମାନତ ରାଶିର ୯୫% ଅର୍ଥ ସମ୍ପୃକ୍ତ ନିଲାମଧାରୀଙ୍କୁ ଫେରସ୍ତ କରିବାକୁ ଅର୍ଥମନ୍ତ୍ରୀ ଘୋଷଣା କରିଥିଲେ। ଆଜି ଏ ସଂକ୍ରାନ୍ତ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଏମ୍ଏସ୍ଏମ୍ଇର ନିଲାମଧାରୀମାନେ ଏହି ଅର୍ଥ ଫେରିପାଇବେ। ଫେରସ୍ତ ଅମାନତ ଅର୍ଥ ଉପରେ ବିଡରମାନଙ୍କୁ ସୁଧ ଦିଆଯିବ ନାହିଁ। ପ୍ରଶାସନିକ ଖର୍ଚ୍ଚ ବାବଦରେ ଜବତ ଅମାନତରୁ ୫% ଅର୍ଥ କେବେଳ କଟାଯିବ। ଏଥର ବଜେଟ୍ରେ ଥିବା ‘ବିବାଦ ସେ ବିଶ୍ୱାସ-୧’ଯୋଜନାରେ ଏହି ଅର୍ଥ ଫେରାଯିବାର ବ୍ୟବସ୍ଥା କରାଯାଇଛି।

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ତାଙ୍କ ବଜେଟ୍ ଭାଷଣରେ କହିଥିଲେ ଯେ କୋଭିଡ ମହାମାରୀ କାରଣରୁ ଏମ୍ଏସ୍ଏମଇର କୌଣସି ଉଦ୍ୟୋଗୀ ସରକାରଙ୍କୁ ସେବା ବା ସାମଗ୍ରୀ ଯୋଗାଇବାକୁ କରିଥିବା ଚୁକ୍ତିକୁ ଯଦି ପୂରଣ କରି ନ ଥିବେ, ସେଭଳି କ୍ଷେତ୍ରରେ ଜବତ ହୋଇଥିବା ସେମାନଙ୍କ ଅମାନତ ରାଶିର ୯୫% ବିନା ସୁଧରେ ଫେରସ୍ତ ଦିଆଯିବ। ସେ ଆହୁରି ମଧ୍ୟ କହିଥିଲେ ଯେ ମହାମାରୀ କାଳରେ ଏମ୍ଏସ୍ଏମ୍ଇ ଉଦ୍ୟୋଗ ବିଫଳ ହୋଇ ଯଦି ପୁନର୍ବାର ଏଭଳି ଚୁକ୍ତିରୁ ବଂଚିତ ହୋଇଥାଏ ସମ୍ପୃକ୍ତ ଉଦ୍ୟୋଗକୁ ମଧ୍ୟ ସେ ଦଣ୍ଡରୁ ମୁକ୍ତି ଦିଆଯିବ।

ତେବେ ଯେଉଁ ଠିକାଦାର ଓ ଯୋଗାଣକାରୀ ଏମ୍ଏସ୍ଏମ୍ଇ ମନ୍ତ୍ରଣାଳୟ ସହିତ ୨୦୨୨ ମାର୍ଚ୍ଚ ୩୧ ସୁଦ୍ଧା ପଞ୍ଜୀକୃତ ହୋଇଥିବେ ସେମାନଙ୍କୁ କେବଳ ଏହି ସୁବିଧା ମିଳିବ। ସେହିଭଳି ଏ କ୍ଷେତ୍ରରେ ସେବା ଓ ସାମଗ୍ରୀ ଯୋଗାଣର ମୂଳ ସମୟ ଯାହା ୨୦୨୦ ଫେବୃୟାରୀ ୧୯ରୁ ୨୦୨୨ ଫେବୃୟାରୀ ମାର୍ଚ୍ଚ ୩୧ ତାରିଖ ରଖାଯାଇଥିଲା ସେହି ସମୟର ଚୁକ୍ତି ପାଇଁ ଏହି ସୁବିଧା ମିଳିବ।

ସରକାରୀ ଇ-ମାର୍କେଟ ପ୍ଲେସ ଜେମ୍ ମାଧ୍ୟମରେ ସମ୍ପୃକ୍ତ ଠିକାଦାର ଓ ଯୋଗାଣକାରୀଙ୍କୁ ଅମାନତ ଅର୍ଥ ଫେରାଇ ଦିଆଯିବ। ସେମାନଙ୍କୁ ଜେମ୍ ପୋର୍ଟାଲରେ ପଞ୍ଜୀକୃତ କରିବାକୁ ହେବ। ଏହି ଆବେଦନ ପାଇଁ ତାରିଖ ଘୋଷଣା ଓ ବିଜ୍ଞପ୍ତି ସ୍ୱତନ୍ତ୍ର ଭାବେ ପ୍ରକାଶ କରାଯିବ। (ପିଆଇବି)