Categories
ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା, ବୃଦ୍ଧି ହେଲା ନିର୍ମାଣ ଶ୍ରମିକଙ୍କ ପେନ୍‌ସନ, ଜାଣନ୍ତୁ କେତେ ?

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ନିର୍ମାଣ ଶ୍ରମିକ ମାନଙ୍କ ପେନ୍‌ସନ ବୃଦ୍ଧି ସଂପର୍କରେ ଘୋଷଣା କରିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ ‘ଓଡିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ’ ଅଧୀନରେ ପଞ୍ଜୀକୃତ ହୋଇଥିବା ନିର୍ମାଣ ଶ୍ରମିକ ମାନଙ୍କ ପେନ୍‌ସନ ରାଶିରେ ବୃଦ୍ଧି କରାଯାଇଛି। ଏମାନେ ସମସ୍ତେ ନିର୍ମାଣ ଶ୍ରମିକ ପେନ୍‌ସନ ଯୋଜନାରେ ଉପକୃତ ହେଉଛନ୍ତି।

ସୂଚନାଯୋଗ୍ୟ ଯେ 5-T ଅଧ୍ୟକ୍ଷ ଶ୍ରୀ କାର୍ତ୍ତିକ ପାଣ୍ଡିଆନଙ୍କ ଜିଲ୍ଲା ଗସ୍ତ ସମୟରେ ବିଭିନ୍ନ ଅଞ୍ଚଳରେ ନିର୍ମାଣ ଶ୍ରମିକ ଓ ସେମାନଙ୍କ ପ୍ରତିନିଧିମାନେ ଏଥିପାଇଁ ଅଧ୍ୟକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏ ବିଷୟରେ ଅବଗତ ହେବା ପରେ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଛନ୍ତି ।

ଏହି ନୂତନ ନିଷ୍ପତ୍ତି ଅନୁଯାୟୀ ୬୦ ବର୍ଷ ଅତିକ୍ରମ କରିଥିବା ନିର୍ମାଣ ଶ୍ରମିକ ମାନେ ଏଣିକି ୫୦୦ ଟଙ୍କା ପରିବର୍ତ୍ତେ ୧୦୦୦ ଟଙ୍କା ମାସିକ ପେନ୍‌ସନ ପାଇବେ। ସେହିପରି ୮୦ ବର୍ଷ ବୟସରୁ ଉର୍ଦ୍ଧ୍ବ ନିର୍ମାଣ ଶ୍ରମିକ ମାନେ ୭୦୦ ଟଙ୍କା ପରିବର୍ତ୍ତେ ୧୨୦୦ ଟଙ୍କା ପାଇବେ ।

ଏହି ନୂତନ ପେନ୍‌ସନ ୨୦୨୪ ଫେବୃଆରୀ ମାସରୁ ପିଚ୍ଛିଲା ଭାବେ ଲାଗୁ ହେବ। ଏ ବାବଦରେ ଆବଶ୍ୟକୀୟ ଖର୍ଚ୍ଚ ଓଡିଶା କୋଠାବଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ବହନ କରିବ।

Categories
ଆଜିର ଖବର ରାଜ୍ୟ ଖବର

ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନାରେ ୨୫୯ ଜଣ ଶ୍ରମିକଙ୍କୁ ୧ କୋଟି ୧୮ ଲକ୍ଷ ଟଙ୍କାର ସହାୟତା ପ୍ରଦାନ

ଭୁବନେଶ୍ୱର: ଆଜି ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ଯୁଗ୍ମ ଶ୍ରମ ଆୟୁକ୍ତ, କାର୍ଯ୍ୟାଳୟ, ଭୁବନେଶ୍ୱର ଦ୍ୱାରା ପରଚାଳିତ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ଶିବିର ଗୀତ ଗୋବିନ୍ଦ ଭବନଠାରେ ଅନୁଷ୍ଠିତ ହୋଇଯାଇଅଛି।

ଏହି ଶିବିରରେ କଲ୍ୟାଣ ବୋର୍ଡ ଅଧୀନରେ ପଂଜିକୃତ ୭୨ ଜଣ ଶ୍ରମିକଙ୍କ ଉତ୍ତରାଧିକାରୀ ବା ମନୋନିତ ବ୍ୟକ୍ତିଙ୍କୁ ମୃତ୍ୟୁକାଳୀନ ଓ ଅନ୍ତେଷ୍ଟିକ୍ରୀୟା ସହାୟତା ବାବଦରେ ୭୫ ଲକ୍ଷ ୭୦ ହଜାର ଟଙ୍କା, ବିବାହକାଳୀନ ସହାୟତା ବାବଦରେ ୭୨ ଜଣଙ୍କୁ ୩୪ ଲକ୍ଷ ୫୦ ହଜାର ଟଙ୍କା ସହାୟତା ରାଶି, ଶିକ୍ଷା ସହାୟତା ବାବଦରେ ୧୦୭ ଜଣଙ୍କୁ ୭ ଲକ୍ଷ ୬୭ ହଜାର ଟଙ୍କା, ପ୍ରସବକାଳୀନ ସହାୟତା ବାବଦରେ ୮ ଜଣଙ୍କୁ ୮୦ ହଜାର ଟଙ୍କା ପ୍ରଦାନ କରାଯାଇଛି। ଏଥିରେ ସର୍ବମୋଟ ୨୫୯ ଜଣଙ୍କୁ ୧ କୋଟି ୧୮ ଲକ୍ଷ ୬୭ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଥିଲା।

ଏହି ଶିବିରରେ ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ ବୋର୍ଡର ଅଧ୍ୟକ୍ଷା ଶ୍ରୀମୟୀ ଶେ୍ୱତାସ୍ନିଗ୍ଧା ମିଶ୍ର, ମୁଖ୍ୟ ଅତିଥି ଏବଂ ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟ, ଓଡ଼ିଶାର ଶ୍ରମ ଆୟୁକ୍ତ ଡାକ୍ତର ଏନ .ତିରୁମାଲା ନାୟକ ଓ ଅତିରିକ୍ତ ଶ୍ରମ ଆୟୁକ୍ତ ନୀଳାମ୍ବର ମିଶାଲ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ୨୪୩ ଜଣ ନୂତନ ଭାବେ ପଂଜିକୃତ ନିର୍ମାଣ ଶ୍ରମିକଙ୍କୁ ପରିଚୟପତ୍ର ବଣ୍ଟନ କରାଯାଇଥିଲା ।

ଏହି ଶିବିରକୁ ବିଭାଗିୟ ଶ୍ରମ ଆୟୁକ୍ତ ଭୁବନେଶ୍ୱର ଶ୍ରୀ ପ୍ରଣବ କୁମାର ପାତ୍ର ପରିଚାଳନା କରିଥିଲେ। ସହକାରୀ ଶ୍ରମ ଅଧିକାରୀ ଶ୍ରୀ ପ୍ରଭାକର ବିଶ୍ୱାଳ ସ୍କିମ ବିଷୟରେ ଶ୍ରମିକମାନଙ୍କୁ ଅବଗତ କରାଇଥିଲେ। ସହକାରୀ ଶ୍ରମ ଅଧିକାରୀ ରଶ୍ମିତା କୁମାରୀ ପାତ୍ର, ବିକାଶ କୁମାର ନାୟକ ଏବଂ କଲ୍ୟାଣ ସଂଯୋଜକ ଲମ୍ବୋଦର ରାଉତ ଓ ଡାଟା ଏଣ୍ଟ୍ରି ଅପରେଟର ଶ୍ରୀ ଶିବ ପ୍ରସାଦ ମହାପାତ୍ର ଯୋଗ ଦେଇଥିଲେ। ପରିଶେଷରେ ପିପାସା ମହାପାତ୍ର, ସହକାରୀ ଶ୍ରମ ଅଧିକାରୀ, ଭୁବନେଶ୍ୱର ଧନ୍ୟବାଦ ଅର୍ପଣ କରିଥିଲେ।

 

Categories
ବିଶେଷ ଖବର ରାଜ୍ୟ ଖବର

ନିର୍ମାଣ ଶ୍ରମିକଙ୍କୁ ମୁଖ୍ୟମନ୍ତ୍ରୀଙ୍କ କୋଭିଡ ସହାୟତା ପ୍ରଦାନ: ୨୬ ଲକ୍ଷ ଶ୍ରମିକ ପାଇଲେ ୩୮୫ କୋଟି ଟଙ୍କା

ଭୁବନେଶ୍ବର: ଗରିବ ଲୋକଙ୍କୁ ତାଙ୍କ ଅଧିକାରରୁ କେହି ବି ବଞ୍ଚିତ କରିପାରିବେ ନାହିଁ। ଗରିବ ଲୋକଙ୍କର ସମ୍ମାନର ସହ ବଞ୍ଚିବାର ସମସ୍ତ ଅଧିକାର ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଆଜି ନିର୍ମାଣ ଶ୍ରମିକ ମାନଙ୍କୁ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ କୋଭିଡ ସହାୟତା ପ୍ରଦାନ କରିବା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି। ଏହି ପ୍ୟାକେଜରେ ପ୍ରତି ପଞ୍ଜୀକୃତ ନିର୍ମାଣ ଶ୍ରମିକ ୧୫୦୦ ଟଙ୍କା ଲେଖାଏ ପାଇଲେ। ଗତ ବର୍ଷ ମଧ୍ୟ କୋଭିଡର ପ୍ରଥମ ଲହର ସମୟରେ ନିର୍ମାଣ ଶ୍ରମିକ ମାନଙ୍କୁ ୧୫୦୦ ଟଙ୍କା ଲେଖାଏ ଦିଆଯାଇଥିଲା।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ କୋଭିଡ ସମୟରେ ଏହି ସହାୟତା ନିର୍ମାଣ ଶ୍ରମିକଙ୍କ ଅସୁବିଧାକୁ ହ୍ରାସ କରିବାରେ ସହାୟକ ହେବ। ଅର୍ଥନୀତିରେ ଶ୍ରମିକ ମାନଙ୍କ ଗୁରୁତ୍ବ ବିଷୟରେ ଉଲ୍ଲେଖକରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଶ୍ରମିକ ମାନଙ୍କ କଲ୍ୟାଣ ବିନା ଅର୍ଥନୀତି କେବେ ବି ସମୃଦ୍ଧ ହୋଇପାରିବ ନାହିଁ।

ନିର୍ମାଣ ଶ୍ରମିକ ମାନଙ୍କୁ ଜଣେ ଜଣେ ବିଶ୍ବକର୍ମା ଭାବରେ ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଅନ୍ୟର ସୁବିଧା ପାଇଁ ସେମାନେ ନିଜ ସୁଖକୁ ଭୁଲିଯାନ୍ତି। ଖରାକୁ ପିଠି ଦେଖାଇ ବଡ ବଡ କୋଠା ତିଆରି କରନ୍ତି। ନିଜେ ଜଳି ଅନ୍ୟକୁ ଆଲୋକ ଦେଖାନ୍ତି। ନିଜେ ଅସୁବିଧାରେ ରହି ଅନ୍ୟ ପାଇଁ ଭଲ ଘର ତିଆରି କରନ୍ତି । ରାସ୍ତା, ସେତୁ ଆଦି କରନ୍ତି। ବିକାଶର ପ୍ରତିଟି ପୃଷ୍ଠାରେ ରହିଛି ଆମର ନିର୍ମାଣ ଶ୍ରମିକ ମାନଙ୍କର ତ୍ୟାଗ ଓ ପରିଶ୍ରମର କାହାଣୀ। ଗରିବ ଲୋକର ତ୍ୟାଗକୁ ସମ୍ମାନ ଦ୍ବାରା ହିଁ ଆମେ ବିକାଶ ସହ ସମସ୍ତଙ୍କ ଯୋଡି ପାରିବା ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଏହି ସହାୟତା ପାଇଥିବାରୁ ନିର୍ମାଣ ଶ୍ରମିକ ମାନେ ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କର ଆନ୍ତରିକ କୃତଜ୍ଞତା ଜଣାଇଥିଲେ। ଗଞ୍ଜାମର ରବୀନ୍ଦ୍ର ପ୍ରଧାନ, କଟକର ନବଘନ ପରିଡା, ବରଗଡର କେଶବ ପ୍ରଧାନ, ସୁନ୍ଦରଗଡର ରେଣୁ ମିଞ୍ଜ — ସମସ୍ତଙ୍କ ମୁହଁରେ ଗୋଟିଏ ଭାଷା ଥିଲା – ଧନ୍ୟବାଦ ମୁଖ୍ୟମନ୍ତ୍ରୀ ଆଜ୍ଞା। ଆପଣଙ୍କ ସହାୟତା ଆମକୁ ଏ ବିପଦ ସମୟରେ ବଞ୍ଚିବର ରାହା ଦେଇଛି। ଗତ ବର୍ଷ ୧୫୦୦ ଟଙ୍କା ପାଇଥିଲୁ, ଏ ବର୍ଷ ମଧ୍ୟ ପାଇଲୁ। ତାସହିତ ପିଲାଙ୍କ ପାଠପଢା, ସାଇକେଲ, ଝିଅ ବାହାଘର – ସବୁ ସମୟରେ ଆମେ ସହାୟତା ପାଉଛୁ ବୋଲି ଖୁସିରେ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଥିଲେ। ମୁଖ୍ୟମନ୍ତ୍ରୀ ମଧ୍ୟ ସେମାନଙ୍କୁ କେତେ ଟଙ୍କା ପାଇଛ ବୋଲି ପଚାରି ବୁଝିଥିଲେ।

କାର୍ଯ୍ୟକ୍ରମରେ ଯୋଗ ଦେଇ ଶ୍ରମ ଓ ଇ.ଏସ୍‌.ଆଇ, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂହ ନିର୍ମାଣ ଶ୍ରମିକଙ୍କ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନିଆଯାଉଥିବା ବିଭିନ୍ନ ପଦକ୍ଷେପ, ଶ୍ରମ ଆଇନର କାର୍ଯ୍ୟକାରୀତା ଓ ନାଗରିକ କେନ୍ଦ୍ରୀକ ଯୋଜନା ଉପରେ ଆଲୋକପାତ କରିଥିଲେ।

ଓଡିଶା କୋଠାବାଡି ଓ ଅନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡର ଅଧ୍ୟକ୍ଷ ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ କହିଥିଲେ ଯେ ବୋର୍ଡ ଅଧୀନରେ ନିର୍ମାଣ ଶ୍ରମିକ ମାନଙ୍କ ପାଇଁ ୩୨ଟି ଯୋଜନା କାର୍ଯ୍ୟକାରୀ କରାଯାଉଛି ଏବଂ ଏହିସବୁ ସେବାକୁ ୫-ଟି ଜରିଆରେ ଦକ୍ଷତାର ସହ ତୁରନ୍ତ ଯୋଗାଇ ଦିଆଯାଉଛି।

ଏହି କାର୍ଯ୍ୟକ୍ରମରେ ବ୍ରଜରାଜନଗରର ବିଧାୟକ କିଶୋର ମହାନ୍ତି ଓ ବେଗୁନିଆ ବିଧାୟକ ରାଜେନ୍ଦ୍ର ସାହୁ ପ୍ରମୁଖ ସେମାନଙ୍କର ମତାମତ ରଖି ଏହି ଗରିବ ଓ ଶ୍ରମିକ କଲ୍ୟାଣ ଯୋଜନା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବର ଉଚ୍ଚପ୍ରଶଂସା କରିଥିଲେ।

ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ବିଭାଗୀୟ ସଚିବ ଶ୍ରୀମତୀ ଚିତ୍ରା ଅର୍‌ମୁଗମ ସ୍ବାଗତ ଭାଷଣ ଦେଇଥିଲେ ଏବଂ ଶ୍ରମ କମିଶନର ଧନ୍ୟବାଦ ଅର୍ପଣ କରିଥିଲେ। ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଉନ୍ନୟନ କମିଶନର ପି.କେ.ଜେନା ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ସାରା ରାଜ୍ୟର ୩୧୪ ବ୍ଲକର ନିର୍ମାଣ ଶ୍ରମିକ ମାନେ ଭିଡ଼ିଓ କନ୍ ଫରେନସ ଜରିଆରେ ଏହି କାର୍ଯ୍ୟକ୍ରମ ରେ ଭାଗ ନେଇଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ଆର୍ଥିକ ଓ ସାମାଜିକ ଦୁର୍ବଳ ଶ୍ରେଣୀର ଲୋକଙ୍କ ପାଇଁ କୋଭିଡ ସହାୟତା ଘୋଷଣା: କାଳିଆ ହିତାଧିକାରୀଙ୍କୁ ମିଳିବ ୧୦୦୦ ଟଙ୍କା

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ଆର୍ଥିକ ଓ ସାମାଜିକ ଦୁର୍ବଳ ଶ୍ରେଣୀର ଲୋକମାନଙ୍କ ପାଇଁ ୧୬୯୦ କୋଟି ୪୬ ଲକ୍ଷ ଟଙ୍କାର କୋଭିଡ ସହାୟତା ଘୋଷଣା କରିଛନ୍ତି। ଏହାଦ୍ବାରା ଭୂମିହୀନ ଚାଷୀ, ନିର୍ମାଣ ଶ୍ରମିକ, ସହରାଞ୍ଚଳର ଗରିବ ଲୋକ, ଆଦିମ ଜନଜାତି, ରାଜ୍ୟ ଖାଦ୍ୟ ସୁରକ୍ଷା ହିତାଧିକାରୀ, ଏନ୍‌.ଆର.ଇ.ଜି.ଏ ଶ୍ରମିକ, ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ସମସ୍ତେ ଉପକୃତ ହେବେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କୋଭିଡ ମହାମାରୀ ଦ୍ବାରା ସମାଜର ସବୁ ବର୍ଗର ଲୋକଙ୍କର ଆର୍ଥିକ ଅବସ୍ଥା ପ୍ରଭାବିତ ହୋଇଛି। କିନ୍ତୁ ସାମାଜିକ ତଥା ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଶ୍ରେଣୀର ଲୋକମାନେ ବିଶେଷ ଭାବରେ କ୍ଷତିଗ୍ରସ୍ତ ହୋଇଛନ୍ତି। କୋଭିଡ ମହାମାରୀର ପ୍ରଥମ ଲହର ସମୟରେ ଗତବର୍ଷ ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଥିବା ବିଭିନ୍ନ ସହାୟତା ସମାଜର ବିଭିନ୍ନ ବର୍ଗର ଲୋକଙ୍କୁ କୋଭିଡ ମହାମାରୀର ପ୍ରତିକୂଳ ପ୍ରଭାବରୁ ବହୁ ପରିମାଣରେ ଆଶ୍ବସ୍ତି ଦେଇଥିଲା ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି। ସେ ପୁଣି କହିଛନ୍ତି କୋଭିଡର ଦ୍ବିତୀୟ ଲହର ଯୋଗୁ ରାଜ୍ୟର ବିଭିନ୍ନ ଅଂଚଳରେ ପର୍ଯ୍ୟାୟକ୍ରମେ ଗତ ଦୁଇ ମାସ ହେଲା ଲକ୍‌ଡାଉନ ଜାରି ରହିଛି। ଗରିବ ତଥା ଶ୍ରମିକ ଶ୍ରେଣୀର ଲୋକମାନଙ୍କ ଆର୍ଥିକ ସ୍ଥିତିକୁ ମଧ୍ୟ ଦୁର୍ବଳ କରିଛି। ଏହାକୁ ବିଚାର କରି ସେମାନଙ୍କ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ସହାୟତା ପ୍ୟାକେଜ ଘୋଷଣା କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।

ଏହି ପ୍ୟାକେଜ ଅନୁଯାୟୀ କାଳିଆ ଯୋଜନାର ହିତାଧିକାରୀ ରାଜ୍ୟର ୧୭ ଲକ୍ଷ ୮୩ ହଜାର ଭୂମିହୀନ ଚାଷୀ ପରିବାରଙ୍କୁ ପ୍ରତି ହିତାଧିକାରୀ ପିଚ୍ଛା ୧୦୦୦ ଟଙ୍କା ସ୍ବତନ୍ତ୍ର ସହାୟତା ଦିଆଯିବ। କାଳିଆ ଯୋଜନାରେ ସବୁ ଭୂମିହୀନ ଚାଷୀ ପରିବାରକୁ ମଧ୍ୟ ୩ଟି କିସ୍ତିରେ ୨୦୭ କୋଟି ଟଙ୍କା ସହାୟତା ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

ସେହିପରି କୋଭିଡ ଲକ୍‌ଡାଉନ ସମୟରେ ସହରାଂଚଳରେ ରହୁଥିବା ଗରିବ ଲୋକମାନଙ୍କୁ ରୋଜଗାର ଯୋଗାଇବା ପାଇଁ ରାଜ୍ୟ ସରକାର ମୁକ୍ତା ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ଏହି ଯୋଜନାରେ ରାଜ୍ୟର ୧୧୪ଟି ପୌରସଂସ୍ଥା ମାନଙ୍କରେ ରହୁଥିବା ଗରିବ ଲୋକଙ୍କୁ ଡିସେମ୍ବର ୨୦୨୧ ପର୍ଯ୍ୟନ୍ତ ରୋଜଗାର ଯୋଗାଇବା ପାଇଁ ୨୬୦ କୋଟି ଟଙ୍କାର କାମ ଯୋଗାଇ ଦିଆଯିବ। NREGS ଯୋଜନାରେ କାମ କରୁଥିବା ଶ୍ରମିକ ମାନଙ୍କୁ ସେମାନଙ୍କର ଦୈନିକ ମଜୁରୀ ବ୍ୟତୀତ ପ୍ରତିଦିନ ଅଧିକ ୫୦ ଟଙ୍କା ମୁଖ୍ୟମନ୍ତ୍ରୀ ଙ୍କ ସହାୟତା ଭାବରେ ଦିଆଯିବ । ଅପ୍ରେଲ ୨୧ରୁ ଜୁନ୍‌ ୨୧ ମଧ୍ୟରେ ଏହି ବର୍ଦ୍ଧିତ ମଜୁରୀ ବାବଦକୁ ରାଜ୍ୟ ସରକାର ୩୦୦ କୋଟି ଟଙ୍କା ବହନ କରିବେ। ସୂଚନାଯୋଗ୍ୟ ଯେ ଏହି ସମୟ ମଧ୍ୟରେ NREGS ଯୋଜନାରେ ୬ କୋଟି ମାନବ ଦିବସ ସୃଷ୍ଟି କରାଯାଇଛି।

ଖାଦ୍ୟ ନିରାପତ୍ତା ସବୁବେଳେ ରାଜ୍ୟ ସରକାରଙ୍କର ପ୍ରାଥମିକତା ରହିଆସିଛି। ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ହିତାଧିକାରୀ ମାନଙ୍କୁ ଜୁଲାଇରୁ ନଭେମ୍ବର ୨୧ ପର୍ଯ୍ୟନ୍ତ ୫ କେଜି ଲେଖାଏ ଚାଉଳ ପ୍ରତି ବ୍ୟକ୍ତିଙ୍କୁ ମାଗଣାରେ ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଏଥିପାଇଁ ୯୨.୮୬ କୋଟି ଟଙ୍କା ଖର୍ଚ୍ଚ କରାଯିବ।

ଓଡିଶାରେ ଆମର ୧୩ଟି ଆଦିମ ଜନଜାତିର ୬୬,୨୧୪ ଜଣ ବ୍ୟକ୍ତି ବାସ କରୁଛନ୍ତି। ସେମାନଙ୍କୁ ଜୀବନଜୀବିକା ସହାୟତା ବାବଦରେ ପ୍ରତି ପରିବାରକୁ ୫୦୦୦ ଟଙ୍କା ଲେଖାଏ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଏ ବାବଦରେ ୩୩.୧୦ କୋଟି ଟଙ୍କା ଖର୍ଚ୍ଚ କରାଯିବ। ଏହି ଟଙ୍କା ସେମାନଙ୍କର ବ୍ୟାଙ୍କ ଆକାଉଣ୍ଟରେ ସିଧାସଳଖ ଜମା କରାଯିବ। ତଫସିଲଭୁକ୍ତ ଜାତି ଓ ଜନଜାତିଙ୍କ ଛାତ୍ରଛାତ୍ରୀଙ୍କର ଅପ୍ରେଲରୁ ୨୧ରୁ ସେପ୍ଟେମ୍ବର ୨୧ ପର୍ଯ୍ୟନ୍ତ ସେମାନଙ୍କ pre-matric ଛାତ୍ର ବୃତ୍ତିକୁ ସେମାନଙ୍କ ପିତାମାତାଙ୍କ ବ୍ୟାଙ୍କ ଆକାଉଣ୍ଟରେ ସିଧାସଳଖ ଦୁଇଟି ପର୍ଯ୍ୟାୟରେ ଜମା କରାଯିବ। ଏ ବାବଦରେ ୨୫୨.୩୫ କୋଟି ଟଙ୍କା ଖର୍ଚ୍ଚ କରାଯିବ ଏବଂ ୫ ଲକ୍ଷ ୪୦ ହଜାର ଛାତ୍ରଛାତ୍ରୀ ଏଥିରେ ଉପକୃତ ହେବେ।

ରାଜ୍ୟରେ ପଞ୍ଜୀକୃତ ନିର୍ମାଣ ଶ୍ରମିକ ମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ୧୫୦୦ ଟଙ୍କା ଲେଖାଏ ସ୍ବତନ୍ତ୍ର କୋଭିଡ ସହାୟତା ଘୋଷଣା କରିଛନ୍ତି। ଏ ବାବଦରେ ୩୬୦ କୋଟି ଟଙ୍କା ଖର୍ଚ୍ଚ କରାଯିବ।

ସ୍ବତନ୍ତ୍ର ବିଦ୍ୟାଳୟ ମାନଙ୍କରେ ପଢୁ ନ ଥିବା ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ମାନଙ୍କୁ ଦିଆଯାଉଥିବା ବାଣୀଶ୍ରୀ ଛାତ୍ରବୃତ୍ତି ଜାରି ରହିବ ଏବଂ ଅପ୍ରେଲରୁ ଜୁନ୍‌ ୨୧ ପର୍ଯ୍ୟନ୍ତ ସେମାନଙ୍କୁ ୨୦୦ରୁ ୩୫୦ ଟଙ୍କା ପର୍ଯ୍ୟନ୍ତ (ଶ୍ରେଣୀ ଅନୁସାରେ) ଛାତ୍ରବୃତ୍ତି ଯୋଗାଇ ଦିଆଯିବ। ଏହାଦ୍ବାରା ୨୬, ୪୬୫ ଛାତ୍ରଛାତ୍ରୀ ଉପକୃତ ହେବେ ଏବଂ ଏ ବାବଦରେ ୩ କୋଟି ୬୨ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ । ଘରେ ରହି ଅନ୍‌ଲାଇନ ଜରିଆରେ ପାଠ ପଢୁଥିବା ସ୍ବତନ୍ତ୍ର ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କର ଅପ୍ରେଲରୁ ଜୁନ୍ ୨୧ ପର୍ଯ୍ୟନ୍ତ ଖାଦ୍ୟ ଖର୍ଚ୍ଚ ବାବଦକୁ ପ୍ରତି ମାସରେ ୧୨୪୫ ଟଙ୍କା ଦିଆଯିବ। ଏହାଦ୍ବାରା ୬୪୭୧ ଜଣ ଛାତ୍ରଛାତ୍ରୀ ଉପକୃତ ହେବେ ଏବଂ ଏ ବାବଦରେ ୨ କୋଟି ୪୧ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ। ଅପ୍ରେଲରୁ ଜୁନ୍‌ ୨୧ ପର୍ଯ୍ୟନ୍ତ ଅଣ-ଆବାସିକ ଛାତ୍ରଛାତ୍ରୀ ମାନଙ୍କୁ ମାସିକ ୩୭୦ ଟଙ୍କା ଲେଖାଏ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଏ ବାବଦରେ ୩ କୋଟି ୬୨ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ। ସେହିପରି ୩୪୪ ଜଣ ଅଣ-ଆବାସିକ ଛାତ୍ରଛାତ୍ରୀମାନଙ୍କୁ ଅପ୍ରେଲ ୨୧ରୁ ଜୁନ୍‌ ୨୧ ପର୍ଯ୍ୟନ୍ତ ୩୭୦ ଟଙ୍କା ଲେଖାଏ ମାସିକ ଅନୁଦାନ ଯୋଗାଇ ଦିଆଯିବ। ଏଥିପାଇଁ ୩ ଲକ୍ଷ ୮୦ ହଜାର ଟଙ୍କା ଖର୍ଚ୍ଚ ହେବ ବୋଲି ଜଣାଯାଇଛି।